ARTICLE AD BOX
କଣ୍ଢେଇ
ଜୀବନର ଜଳଛବି
ଗୌରହରି ଦାସ
ଦିନ କେଇଟା ଭିତରେ ଜଗବନ୍ଧୁଙ୍କ ଚେହେରା ଭାଦ୍ରବ ଆକାଶ ଚେହେରାରେ ରୂପାନ୍ତରିତ ହୋଇଯାଇଥିଲା। ସେତେବେଳର ଆକାଶରେ ଯେମିତି ସ୍ଥିରତା ନ ଥାଏ - ଏଇନେ ଖରା, ଏଇନେ ମେଘ; ଠିକ୍ ସେମିତି ହସଖୁସିଆ ଜଗବନ୍ଧୁଙ୍କ ଚେହେରାରେ ଏବେ ସ୍ଥିରତା ନ ଥିଲା - କେତେବେଳେ ଉଦାସ ହୋଇଯାଉଥିଲେ ତ ଆଉ କେତେବେଳେ ସାମାନ୍ୟ ଚଞ୍ଚଳ। ଜଗବନ୍ଧୁଙ୍କ ପତ୍ନୀ ବନଲତା ସୁସ୍ଥ ଓ ସବଳ ଥିଲେ, ରୋଗ ଭିତରେ ଥିଲା କେବଳ ଉଚ୍ଚରକ୍ତଚାପ। ଆଠଦିନ ତଳେ ବିଛଣାରେ ଗଡୁଥିଲେ, ହୃଦ୍ଘାତରେ ଆଖି ବୁଜିଦେଲେ। ଚିକିତ୍ସା ପାଇଁ ଜଗବନ୍ଧୁଙ୍କୁ କୌଣସି ସୁଯୋଗ ଦେଲେ ନାହିଁ କି ଏଭଳି ଅବସ୍ଥାକୁ ସାମ୍ନା କରିବା ଲାଗି ଅବକାଶ। ପଇଁଚାଳିଶ ବର୍ଷର ଦାମ୍ପତ୍ୟର ସୂତା ପଇଁଚାଳିଶ ମିନିଟ୍ ଭିତରେ ଛିଣ୍ଡିଗଲା।
ଏ ଖବର ପାଇବାବେଳକୁ ସିଦ୍ଧାର୍ଥ ଅଯୋଧ୍ୟାରେ ଥିଲେ। ନିଜ ମାଆଙ୍କୁ ନେଇ ଯାଇଥିଲେ ତୀର୍ଥ ବୁଲି। ସେଇଠି ଝିଅଠାରୁ ଫୋନ୍ ପାଇଥିଲେ - ବନଲତା ମାଉସୀ ‘ହାର୍ଟଆଟାକ୍’ରେ ଚାଲିଗଲେ। ସିଦ୍ଧାର୍ଥ ନିଜ କାନକୁ ବିଶ୍ବାସ କରିପାରି ନ ଥିଲେ। ଦିଲ୍ଲୀ ଯିବା ଆଗରୁ ତାଙ୍କୁ ଇଲିଶି ବେସର ଖାଇବାଲାଗି ବନଲତା ଆମନ୍ତ୍ରଣ କରିଥିଲେ। ସେ ଜାଣିଥିଲେ ସିଦ୍ଧାର୍ଥ ଆଇଁଷରଙ୍କୁଣା, ଅଥଚ ଖର୍ଚ୍ଚ ନେଇ ସ୍ପର୍ଶକାତର। ଭୁବନେଶ୍ବରରେ ଇଲିଶି ଦର ଦି’ ହଜାର ଟଙ୍କା ତଳକୁ ଖସିବାଲାଗି କୁଣ୍ଠିତ। ଚାରି ନମ୍ବର ୟୁନିଟ୍ ମାଛବଜାରକୁ ଗଲେ ସିଦ୍ଧାର୍ଥ ଇଲିଶି ଆଡ଼େ ଅନେଇଦେଇ ରୋହି କି ମିରିକାଳି ଧରି ଚାଲିଆସନ୍ତି। ତେଣୁ ସେଦିନ ବନ୍ଧୁପତ୍ନୀ ବନଲତାଙ୍କଠାରୁ ଇଲିଶି ସୋରିଷ ଝୋଳ ଖାଇବାର ଆମନ୍ତ୍ରଣ ପାଇ ସେ ବାସ୍ତବରେ ଖୁସି ହୋଇଥିଲେ। ଲୀଳାବତୀ ଚାଉଳ ଭାତ ଏବଂ ଆଳୁ ଫୁଲକୋବି ଭଜା ସାଙ୍ଗରେ ବନଲତା ଦିବ୍ୟଭୋଜନ ପରଷିଥିଲେ। ବଳେଇ ବଳେଇ ଖୁଆଇବାବେଳେ କହିଥିଲେ, ମୁଁ ସିନା ଅଯଥାରେ ପ୍ରଶଂସା ଗୋଟଉଛି, ଘରକୁ ଇଲିଶି ଆସିଲେ ଆପଣଙ୍କ ସାଙ୍ଗ ପ୍ରଥମେ ଆପଣଙ୍କ ନାଁ ନିଅନ୍ତି। ଭଲକରି ଖାଇଦିଅନ୍ତୁ, ପୁଣି କେବେ ଇଲିଶି ଆସିବ କିଏ ଜାଣେ?
ଆହୁରି ପଢ଼ନ୍ତୁ- Trump: ଇନ୍ଫାଣ୍ଟିନୋ ହଟିଲେ ‘ଭୟଙ୍କର ତ୍ରୁଟି’ ହେବ: ଟ୍ରମ୍ପ୍
ସେଇ ବନଲତା ଏମିତି ଚାଲିଗଲେ, ରୋଗବାଧିକିରେ ନ ପଡ଼ି, କାହାକୁ କିଛି ସୂଚନା ନ ଦେଇ! ଜୀବନ କ’ଣ ଏଇଆ! ଭୁବନେଶ୍ବର ଫେରନ୍ତା ଟ୍ରେନ୍ରେ ସିଦ୍ଧାର୍ଥ ଖାଲି ଭାବୁଥିଲେ- ସେ କେମିତି ଜଗବନ୍ଧୁଙ୍କର ସାମ୍ନା କରିବେ। ଘରେ ପୁଅ ବୋହୂ ନାତୁଣୀ ସମସ୍ତେ ଅଛନ୍ତି ସତ; ମାତ୍ର ଜଗବନ୍ଧୁ ଯେ ବନଲତା ବିନା ଅସଂପୂର୍ଣ୍ଣ ସେ କଥା ବନ୍ଧୁ ଭାବେ ସିଦ୍ଧାର୍ଥ ଭଲ ଭାବେ ଜାଣନ୍ତି।
ଅଟୋରୁ ଓହ୍ଲେଇ ସିଦ୍ଧାର୍ଥ ଜଗବନ୍ଧୁଙ୍କର ମେଲାଘରକୁ ପଶିବାବେଳକୁ ସୋଫା ଉପରେ ବସିଥିେଲ ଜଗବନ୍ଧୁ। ଆଖିଯୋଡ଼ିକ କାନ୍ଥରେ ଝୁଲୁଥିବା ଜଗନ୍ନାଥଙ୍କ ଛବି ଉପରେ ନିବିଷ୍ଟ ଥିଲା। ବନଲତା ଯିବାର ଆଜି ଅଷ୍ଟମ ଦିନ। ଜଗବନ୍ଧୁଙ୍କ ପୁଅ ଦେବ ଆସି ନମସ୍କାର କଲା। ବୋହୂ ଆସି ‘‘ଚା ଆଣିବି କି’’ ପଚାରିଲା। ସିଦ୍ଧାର୍ଥ ମନାକଲେ। ପଚାରିଲେ, ‘‘ମିଲି ନାହିଁ କି?’’
‘‘ସ୍କୁଲ୍ ଯାଇଛି। କେତେଦିନ ଆଉ ଘରେ ବସନ୍ତା! ତା’ଛଡ଼ା ସିଏ ତ ଯେମିତିକା ଦୁଷ୍ଟ, ଆପଣ ଜାଣନ୍ତି ମଉସା!’’ - ମିଲିର ମାଆ କହିଲା।
ମେଲାଘର ଭିତରେ କେବଳ ସିଦ୍ଧାର୍ଥ ଓ ଜଗବନ୍ଧୁ। ତାଙ୍କ ସାଙ୍ଗରେ ଲୁହ, ଦୀର୍ଘଶ୍ବାସ ଏବଂ ସ୍ମୃତି। କେତେ ସମୟ ସେମିତି ନିରବରେ ବିତିଗଲା ଦିହେଁ ଜାଣିପାରୁ ନ ଥିଲେ। ନିଜର ପତ୍ନୀକୁ ହରେଇଥିବା ଜଗବନ୍ଧୁଙ୍କୁ କ’ଣ କହି ପ୍ରବୋଧନା ଦେବେ ସେକଥା ଜାଣିପାରୁ ନ ଥିଲେ ସିଦ୍ଧାର୍ଥ।
କେତେ ସମୟ ପରେ ନିରବତା ଭାଙ୍ଗି ଜଗବନ୍ଧୁ କହିଲେ, ‘‘ସାେର୍ତ୍ତ୍ର କହିଥିଲେ, ତୁମେ ଯଦି ନିଃସଙ୍ଗତା ଭିତରେ ରହୁଛ ତାହାହେଲେ ଭାବିନିଅ ଯେ ତୁମେ ଖରାପ ସାଙ୍ଗ ସହିତ ଅଛ। ସେ ତୁମକୁ ଭିତରୁ କୋରି କୋରି ସଫା କରିଦେବ। ମୁଁ ଏବେ ସେଇଆ ଅନୁଭବ କରୁଛି।’’
: କିଛିଦିନ ରୁନା ପାଖକୁ ଅନୁଗୁଳ ଚାଲିଗଲେ ଭଲ ହୁଅନ୍ତା କି? ସିଦ୍ଧାର୍ଥ ପଚାରିଲେ। ରୁନା ଜଗବନ୍ଧୁଙ୍କ ଝିଅ।
: ଆସିବାଦିନରୁ ସିଏ ସେଇକଥା ରଟିଚାଲିଛି। ମୋ ଦଶା ଏବେ ଦୁଇ ଘାସଗଦା ମଝିରେ ବନ୍ଧା ଗଧ ପରି। କୁଆଡ଼କୁ ଯିବି ସ୍ଥିର କରିପାରୁନାହିଁ। ବିରସ ମୁହଁରେ କହିେଲ ଜଗବନ୍ଧୁ।
: ସତ କହୁଛ, ସମୟେ ସମୟେ ଏକାଧିକ ବିକଳ୍ପ ସମାଧାନ ନ ହୋଇ ସମସ୍ୟା ହେଇପଡ଼େ। ସେସବୁ ଅଯଥା ଉଦ୍ବେଗ ସୃଷ୍ଟି କରନ୍ତି। ହେଉ, କାମଦାମ ସରୁ, ତା’ପରେ ସ୍ଥିର କରିବ।
‘‘ତୁମକୁ ଗୋଟେ ଜିନିଷ ଦେଖଉଛି ରୁହ।’’ କହିଦେଇ ଜଗବନ୍ଧୁ ଘର ଭିତରକୁ ଗଲେ ଏବଂ ହାତରେ ଗୋଟେ କଣ୍ଢେଇ ଧରି ଫେରିଆସିଲେ। ରାଜସ୍ଥାନୀ ଶାଢ଼ି ପିନ୍ଧିଥିବା ସେଇ କଣ୍ଢେଇଟିକୁ ପ୍ରାୟ ଛ’ ସାତ ମାସ ତଳେ ନିଜେ ସିଦ୍ଧାର୍ଥ, ମିଲିର ଜନ୍ମଦିନରେ ଉପହାର ଦେଇଥିଲେ। ମିଲିର ଜେଜେମା କହୁଥିଲେ, ଶହେ କଣ୍ଢେଇ ଭିତରୁ ଏଇଟି ତା’ର ବେଶି ପ୍ରିୟ। ସବୁବେଳେ ତାକୁ ସାଙ୍ଗରେ ଧରି ବସୁଛି, ଶୋଉଛି, କୁଆଡ଼କୁ ବାପାମାଆ ସାଙ୍ଗରେ ଗଲେ ସାଙ୍ଗରେ ନେଇକି ଯାଉଛି। କଟକଣା ଯୋଗୁଁ ସ୍କୁଲ୍କୁ ନେଇ ଯାଇପାରୁନାହିଁ, ନ ହେଲେ ସେଠିକି ବି ଏଇଟିକୁ ନେଇକି ଯାଆନ୍ତା। ଏଇଟା ତା’ର ସବୁଠୁ ଗେହ୍ଲା କଣ୍ଢେଇ! ତା’ ଦେହରେ କାହାକୁ ଟିପ ଛୁଆଁଇବାକୁ ସେ ଦେଉ ନାହିଁ।
ଆହୁରି ପଢ଼ନ୍ତୁ- Cyber safety awareness: ମୋବାଇଲ୍ ବ୍ୟବହାର ସତର୍କତା, ବ୍ୟକ୍ତିଗତ ତଥ୍ୟ ଓ ଫଟୋ ସୁରକ୍ଷିତ ରଖିବାକୁ ପରାମର୍ଶ
ସେଦିନ ଏସବୁ ଶୁଣି ସିଦ୍ଧାର୍ଥ ଖୁସି ହେଇଥିଲେ। ଆଜି ସେକଥା ମନେପଡ଼ି ଦୁଃଖ ଲାଗିଲା।
ଜଗବନ୍ଧୁ କହିଲେ, ‘‘ଜାଣିଛ ସିଦ୍ଧାର୍ଥ, ବନଲତା ଚାଲିଯିବାର ପରଦିନ ରାତି। ଏଗାରଟାରୁ ବେଶି ହେଇଥିବ। ମୁଁ ଦି’ଦିନ କାଳ ଆଖିପତା ପକେଇ ନ ଥାଏ, ନା ଭୋକ ହେଉଥାଏ ନା ନିଦ। ଘରେ ଲୋକ ହାଉଯାଉ। ଏଣୁତେଣୁ କହି ମୋତେ ବୁଝଉଥାନ୍ତି। ଝିଅ ଆସି କନ୍ଦାକଟା କରୁଥାଏ, ପୁଅ ତ ନିର୍ବାକ୍ ପାଲଟିଯାଇଥାଏ।’’
ସିଦ୍ଧାର୍ଥ ଶୁଣୁଥିଲେ।
ରାତି ଏଗାରଟା ବେଳକୁ ନାତୁଣୀ ମିଲି କବାଟ ଠେଲି ଆସିଲା। ମୁଁ ମୋ କୋଠରିରେ ଆଲୁଅ ଜଳେଇ ଗୀତା ପଢୁଥିଲି। ‘ଜେଜେ’ ବୋଲି ଡାକି ପାଖକୁ ଆସିଲା ଏବଂ ତା’ର ସବୁଠୁ ପ୍ରିୟ ଏହି କଣ୍ଢେଇଟିକୁ ମୋ କୋଳରେ ଥୋଇଦେଲା। ମୁଁ ପଚାରିଲି, ‘‘ତୁ ଶୋଇନୁ?’’ ସେ ମୋ ପ୍ରଶ୍ନର ଉତ୍ତର ନ ଦେଇ ଖାଲି ମୋ ଉପରେ ଟିକେ ଆଉଜିପଡ଼ି କହିଲା, ‘‘ଆଜିଠୁ ଇଏ ତୁମର ସାଙ୍ଗ।’’ ତା’ପରେ ଯେମିତି ଆସିଥିଲା ସେମିତି ଚାଲିଗଲା।
ଜଗବନ୍ଧୁ କଥା ସାରିପାରିେଲ ନାହିଁ। ଲୁହ ଓ କୋହରେ ତାଙ୍କ କଣ୍ଠ ବାଷ୍ପାରୁଦ୍ଧ ହୋଇଯାଉଥିଲା। ସିଦ୍ଧାର୍ଥଙ୍କର ଆଖି ମଧ୍ୟ ଭିଜିଯାଇଥିଲା କେତେବେଳୁ।
ଆହୁରି ପଢ଼ନ୍ତୁ- Netaji's Ashes : ସୁଭାଷ ଚନ୍ଦ୍ର ବୋଷଙ୍କ ଝିଅ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ; କେନ୍ଦ୍ର ସରକାରଙ୍କୁ ନୋଟିସ୍ ଜାରି
ସିଦ୍ଧାର୍ଥ କହିଲେ, ‘‘ଆମେ ମନୋବିଜ୍ଞାନ ପଢୁଥିଲେ- ସାନ ପିଲାଟିଏ ଆବେଗିକ ସମର୍ଥନ ଲାଗି କଣ୍ଢେଇ ଧରେ। ବାପା, ମାଆ, ଜେଜେମା, ଜେଜେବାପା, ଅଜା କି ଆଈଙ୍କ ପାଖରୁ ଅଲଗା ଥିବାବେଳେ ଏ କଣ୍ଢେଇ ତାକୁ ନିଃସଙ୍ଗତାରୁ ଦୂରେଇ ରଖେ। ବିଛଣା ପାଖରେ କଣ୍ଢେଇଟି ଶୋଇରହିଲେ ତାକୁ ଲାଗେ ତା’ ପାଖରେ ତା’ ସାଙ୍ଗ ଶୋଇଛି। ସକାଳୁ ଉଠିବାବେଳକୁ କଣ୍ଢେଇର ଉପସ୍ଥିତି ତା’ର ସେ ଧାରଣାକୁ ଦୃଢ଼ କରେ। ଘରେ, ବାହାରେ, ମେଳା ମଉଛବ କି ହାଟ ବଜାର - ସବୁଠି ମଣିଷ ନିଃସଙ୍ଗ। ତା’ଠାରୁ ଏତେ ଏକଲା ପ୍ରାଣୀ ଆଉ କିଏ ଅଛି ପୃଥିବୀରେ! ଶୈଶବରୁ ନେଇ ବାର୍ଦ୍ଧକ୍ୟ - ସବୁବେଳେ ଓ ସବୁ ମୁହୂର୍ତ୍ତରେ ସେଇ ନିଃସଙ୍ଗତାରୁ ମୁକ୍ତି ପାଇଁ ସେ କ’ଣ କ’ଣ ଲୋଡୁ ନ ଥାଏ? ଘରସଂସାର, ସାମାଜିକ ଅନୁଷ୍ଠାନ, କ୍ଲବ୍, ମଠ-ମନ୍ଦିର ଏବଂ ପ୍ରବଚନ ସଭା।’’
ଜଗବନ୍ଧୁ କହିଲେ, ‘‘ସେଦିନ ରାତିରେ ମିଲି ତା’ର ପ୍ରିୟତମା କଣ୍ଢେଇଟିକୁ ମୋ କୋଳରେ ଥୋଇଦେଇ ଯିବାବେଳେ, ତା’ ବାଟକୁ ଚାହିଁ ମୁଁ କ’ଣ ଭାବୁଥିଲି ଜାଣ ସିଦ୍ଧାର୍ଥ?’’
: କ’ଣ?
: ମିଲି ମୋ ନାତୁଣୀ ନା ମୋ ଜେଜେମାଆ? କେମିତି ଆଠବର୍ଷର ଛୁଆଟି ଜାଣିପାରିଲା, ଜେଜେମା ନ ଥିବା ଘରେ ତା’ ଜେଜେ ଏତେ ଏକଲା!
ସିଦ୍ଧାର୍ଥ ସେଇ କଣ୍ଢେଇଟିକୁ ଜଗବନ୍ଧୁଙ୍କ କୋଳରୁ ଆଣି ଟିକେ ଧରିବାକୁ ଚାହୁଥିଲେ। ମାତ୍ର ସାନ ପିଲା ପରି ଜଗବନ୍ଧୁ ସେ କଣ୍ଢେଇଟିକୁ ଦୂରେଇ ନେଇ ତାକୁ ଜାବୋଡ଼ି ଧରିଲେ। ସେତେବେଳେ ସେ ମନେ ହେଉଥିଲେ ସତୁରି ନୁହେଁ, ସାତବର୍ଷର ପିଲାଟିଏ!
ମୋ: ୯୪୩୭୦୭୭୨୮୮
ଅଧିକ ଦେଖନ୍ତୁ-

4 days ago
4


