ARTICLE AD BOX
ରାଞ୍ଚି: ଝାଡ଼ଖଣ୍ଡରେ ନିଯୁକ୍ତି ପରୀକ୍ଷାରେ ଅନିୟମିତତା ଅଭିଯୋଗକୁ ନେଇ ଛାତ୍ରଙ୍କ ଆନ୍ଦୋଳନ ରବିବାର ୧୬ଶ ଦିନରେ ପହଞ୍ଚିଛି। ଗତ ଶୁକ୍ରବାର ରାତି ଓ ଶନିବାର ସରକାର ଏକାଧିକ ଛାତ୍ର ସଂଗଠନ ସହ ଆଲୋଚନା କରିଥିଲେ ମଧ୍ୟ କୌଣସି ସମାଧାନ ବାହାରିନଥିବାରୁ ରବିବାର ପୁଣି ଆଲୋଚନା ଆରମ୍ଭ ହୋଇଛି। ଏହି ସମୟରେ ଅନଶନରେ ବସିଥିବା ଛାତ୍ରନେତା ଦେବେନ୍ଦ୍ରନାଥ ମାହାତୋଙ୍କ ସ୍ବାସ୍ଥ୍ୟ ହଠାତ୍ ଖରାପ ହୋଇଯାଇଛି।
ରାଞ୍ଚିର ଜୟପାଲ ସିଂହ ଷ୍ଟାଡିୟମ୍ରେ ପ୍ରାୟ ଏକ ସପ୍ତାହ ଧରି ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ଥିବା ମାହାତୋଙ୍କ ରକ୍ତରେ ଶର୍କରା ସ୍ତର ରବିବାର ଭୋର ପ୍ରାୟ ୩ଟାରେ ୫୩କୁ ଖସିଯାଇଥିଲା। ଅନ୍ୟ ଜଣେ ଅନଶନକାରୀ ରାହୁଲ କ୍ରାନ୍ତିମ୍ଙ୍କୁ ସଦର ହସ୍ପିଟାଲର ଆଇସିୟୁରେ ଡାକ୍ତରୀ ନିରୀକ୍ଷଣରେ ରଖାଯାଇଛି। ମୋଟ ୬ ଜଣ ଛାତ୍ର ଅନିର୍ଦ୍ଦିଷ୍ଟକାଳୀନ ଅନଶନରେ ଅଛନ୍ତି।
ଆନ୍ଦୋଳନକାରୀଙ୍କ ସହ ଶୁକ୍ରବାର ରାତିରେ ଝାଡ଼ଖଣ୍ଡ ସରକାର ଜେପିଏସ୍ସି-ଜେଏସ୍ଏସ୍ସି ରିଫର୍ମସ୍ ମଞ୍ଚ ସହ ଆଲୋଚନା କରିଥିଲେ। ଶନିବାର ଏନ୍ଏସ୍ୟୁଆଇ, ଝାଡ଼ଖଣ୍ଡ ଛାତ୍ର ମୋର୍ଚ୍ଚା ଓ ଆଦିବାସୀ ଛାତ୍ର ସଂଘ ସମେତ ବିଭିନ୍ନ ସଂଗଠନ ସହ ଚାରି ପର୍ଯ୍ୟାୟରେ ଆଲୋଚନା ହୋଇଥିଲା। ଆଲୋଚନା ଫଳପ୍ରଦ ନ ହେବାରୁ ରବିବାର ମଧ୍ୟାହ୍ନ ପ୍ରାୟ ୧୨ଟାରେ ଛାତ୍ର ପ୍ରତିନିଧିଙ୍କ ସହ ଆଉ ଏକ ପର୍ଯ୍ୟାୟ ଆଲୋଚନା ନେଇ ସରକାର ନିଷ୍ପତ୍ତି ନେଇଛନ୍ତି। ତେବେ ଏହି ପଦକ୍ଷେପକୁ ଜେପିଏସ୍ସି-ଜେଏସ୍ଏସ୍ସି ରିଫର୍ମସ୍ ମଞ୍ଚର ନେତା ରବୀନ୍ଦ୍ର ପାସୱାନ୍ ‘ରାଜନୈତିକ କୌଶଳ’ ବୋଲି କହିଛନ୍ତି। ସରକାର ଛାତ୍ରଙ୍କ ମଧ୍ୟରେ ବିଭାଜନ ସୃଷ୍ଟି କରି ମୁଖ୍ୟ ଦାବିରୁ ଲୋକଙ୍କ ଧ୍ୟାନ ହଟାଇବାକୁ ଚେଷ୍ଟା କରୁଛନ୍ତି ବୋଲି ସେ ଅଭିଯୋଗ କରିଛନ୍ତି। ତେବେ ସରକାର ଆଲୋଚନା ସକାରାତ୍ମକ ଥିଲା ଏବଂ ଆନ୍ଦୋଳନକାରୀଙ୍କ ଦାବି ଉପରେ ବିଚାର କରାଯାଉଛି ବୋଲି କହିଛନ୍ତି।
ଛାତ୍ର ସଂଗଠନଗୁଡ଼ିକ ମଧ୍ୟରୁ ଝାଡ଼ଖଣ୍ଡ ଛାତ୍ର ମୋର୍ଚ୍ଚା ୧୪ଶ ଜେପିଏସ୍ସି ସିଭିଲ୍ ସର୍ଭିସେସ୍ ପରୀକ୍ଷା ବାତିଲ୍ ଦାବି କରିଛି। ଏନ୍ଏସ୍ୟୁଆଇ ସନ୍ଦେହ ଥିବା ସମସ୍ତ ଜେପିଏସ୍ସି ଓ ଜେଏସ୍ଏସ୍ସି ପରୀକ୍ଷାର ୯୦ ଦିନ ମଧ୍ୟରେ ସିଆଇଡି ତଦନ୍ତ ଏବଂ ଜାତୀୟ ପରୀକ୍ଷା ଏଜେନ୍ସି ଢାଞ୍ଚାରେ ଝାଡ଼ଖଣ୍ଡ ଟେଷ୍ଟିଂ ଏଜେନ୍ସି ଗଠନ ଦାବି କରିଛି। ଆଦିବାସୀ ଛାତ୍ର ସଂଘ ନିଯୁକ୍ତି ପରୀକ୍ଷାରେ ଆଦିବାସୀ ଓ ଆଞ୍ଚଳିକ ଭାଷାକୁ ଯୋଗ୍ୟତା ଭିତ୍ତିକ ପେପର୍ ଭାବେ ସାମିଲ କରିବା ସହ ଅନିୟମିତତା ହୋଇଥିବା ପରୀକ୍ଷା ବାତିଲ୍ ଦାବି କରିଛି।
Mumbai student protest: ମୁମ୍ବାଇର ଛାତ୍ର ଆନ୍ଦୋଳନରେ ମଡେଲ ରିୟା ଅହିରଙ୍କୁ ନେଇ ଚର୍ଚ୍ଚା
ଏହି ଆନ୍ଦୋଳନକୁ ସମର୍ଥନ କରି ଡୁମ୍ରି ବିଧାୟକ ଜୟରାମ ମାହାତୋ ଦିନିକିଆ ଅନଶନରେ ବସିଛନ୍ତି। କେନ୍ଦ୍ର ପ୍ରତିରକ୍ଷା ରାଷ୍ଟ୍ରମନ୍ତ୍ରୀ ସଞ୍ଜୟ ସେଠ୍, ଝାଡ଼ଖଣ୍ଡ ବିଜେପି ସଭାପତି ଆଦିତ୍ୟ ସାହୁ ଓ ଦଳର ମୁଖ୍ୟ ସଚେତକ ନବୀନ ଜୟସ୍ୱାଲ ମଧ୍ୟ ରବିବାର ଆନ୍ଦୋଳନକାରୀଙ୍କୁ ଭେଟିଛନ୍ତି। ସଞ୍ଜୟ ସେଠ୍ ପରୀକ୍ଷା ବାତିଲ୍ କରି ଅନିୟମିତତାର ସିବିଆଇ ତଦନ୍ତ ଦାବି କରିଛନ୍ତି। ସରକାର ଦାବି ପୂରଣ ନ କଲେ ଅଗଷ୍ଟ ୧୦ରେ ବିଧାନସଭା ଅଭିମୁଖେ ପଦଯାତ୍ରା କରିବାକୁ ଛାତ୍ରମାନେ ଘୋଷଣା କରିଛନ୍ତି। ଅନ୍ୟପକ୍ଷରେ ଅଗଷ୍ଟ ୧୧ରେ ଏବିଭିପି ମଧ୍ୟ ପୃଥକ୍ ବିଧାନସଭା ମାର୍ଚ୍ଚ କରିବ ବୋଲି କହିଛି। ଜେପିଏସ୍ସି ପରୀକ୍ଷାରେ ଅନିୟମିତତା ଅଭିଯୋଗରେ ଏପର୍ଯ୍ୟନ୍ତ ୧୯ ଜଣ ଗିରଫ ହୋଇଥିବାବେଳେ ପୂର୍ବତନ କମିସନ ଅଧ୍ୟକ୍ଷ ଏଲ୍ ଖିଆଙ୍ଗ୍ଟେଙ୍କୁ ଜୁଲାଇ ୨୮ରୁ ଚାରିଥର ପଚରାଉଚରା କରାଯାଇଛି।

1 hour ago
2


