Iranian Women: ହିଜାବ୍ କଟକଣା ସତ୍ତ୍ୱେ ଆଧୁନିକ ପୋଷାକକୁ ଆପଣାଉଛନ୍ତି ଇରାନୀୟ ମହିଳା

1 hour ago 2
ARTICLE AD BOX

ତେହେରାନ୍: ୧୯୭୯ ମସିହାର ଇସଲାମିକ୍ ବିପ୍ଳବ ପରଠାରୁ ଇରାନରେ ମହିଳାମାନଙ୍କ ପାଇଁ କଡ଼ା ଡ୍ରେସ୍ କୋଡ୍ ଏବଂ ବାଧ୍ୟତାମୂଳକ ହିଜାବ୍ ନିୟମ ଲାଗୁ ରହିଥିଲେ ହେଁ, ବର୍ତ୍ତମାନ ତେହେରାନର ରାଜରାସ୍ତା ଓ ବଜାରରେ ଏକ ବଡ଼ ଧରଣର ସାମାଜିକ ପରିବର୍ତ୍ତନ ଦେଖିବାକୁ ମିଳୁଛି। ସରକାରୀ କଟକଣା ଏବଂ ରକ୍ଷଣଶୀଳ ଗୋଷ୍ଠୀର ବିରୋଧ ସତ୍ତ୍ୱେ ଇରାନୀୟ ଯୁବତୀ ଓ ମହିଳାମାନେ ଏବେ ବିନା ହିଜାବରେ କ୍ରପ୍ ଟପ୍ସ, ସ୍ଲିଭଲେସ୍ ସାର୍ଟ, ରିପ୍ଡ ଜିନ୍ସ ଏବଂ ସର୍ଟ ସ୍କର୍ଟ ଭଳି ଆଧୁନିକ ପୋଷାକ ପରିଧାନ କରିବାକୁ ଆଗ୍ରହ ପ୍ରକାଶ କରୁଛନ୍ତି।

କେନ୍ଦ୍ରୀୟ ତେହେରାନରେ ଦଶନ୍ଧି ଧରି ପାରମ୍ପରିକ ପୋଷାକ ବିକ୍ରି କରୁଥିବା ୪୭ ବର୍ଷୀୟା ଦୋକାନୀ ପରିୟା ସେନ୍ୟାରୀ କହିଛନ୍ତି ଯେ, ନୂଆ ପିଢ଼ିର ଗ୍ରାହକମାନଙ୍କୁ ଆକର୍ଷିତ କରିବା ପାଇଁ ସେ ଏବେ ନିଜ ଦୋକାନରେ ଆଧୁନିକ ପୋଷାକ ରଖିବାକୁ ବାଧ୍ୟ ହେଉଛନ୍ତି। ତେବେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ଦୋକାନ ବାହାର ଡିସ୍ପ୍ଲେରେ ଏବେ ବି ପାରମ୍ପରିକ ଲମ୍ବା କୋଟ୍ ସଜାଇ ରଖିଛନ୍ତି। ନୂଆ ପିଢ଼ିକୁ ଆଉ ଜୋରଜବରଦସ୍ତି ହିଜାବ୍ ପିନ୍ଧାଇବା ସମ୍ଭବ ନୁହେଁ ଏବଂ ସେମାନେ ସ୍ୱାଧୀନତା ଚାହୁଁଛନ୍ତି ବୋଲି ସେ ମତ ଦେଇଛନ୍ତି। ସେହିପରି ଅନଲାଇନରେ ପୋଷାକ ବିକ୍ରି କରୁଥିବା ୩୮ ବର୍ଷୀୟା ଡିଜାଇନର୍ ମରିୟମ୍ ପ୍ରଶାସନର ଭୟରେ ଇନଷ୍ଟାଗ୍ରାମରେ ମଡେଲମାନଙ୍କ ମୁହଁ ନଦେଖାଇ ଏବଂ ଇଂରାଜୀ ଭାଷାରେ ପୋଷ୍ଟ କରି ନିଜର ବ୍ୟବସାୟ ଚଳାଉଛନ୍ତି।

ଇରାନରେ ବାଧ୍ୟତାମୂଳକ ହିଜାବ୍ ଆଇନ ଏବେ ବି ବଳବତ୍ତର ରହିଛି

ସୂଚନାଯୋଗ୍ୟ ଯେ, ୨୦୨୨ ମସିହାରେ ଡ୍ରେସ୍ କୋଡ୍ ଉଲ୍ଲଂଘନ ଅଭିଯୋଗରେ ଗିରଫ ହୋଇଥିବା ମହସା ଅମିନୀଙ୍କ ହାଜତ ମୃତ୍ୟୁ ପରେ ସମଗ୍ର ଇରାନରେ ବ୍ୟାପକ ବିକ୍ଷୋଭ ହୋଇଥିଲା। ସେବେଠାରୁ ହିଜାବ୍ ନିୟମ ପାଳନରେ ଶିଥିଳତା ଦେଖାଦେଇଥିବା ବେଳେ, ସମ୍ପ୍ରତି ଆମେରିକା ଓ ଇସ୍ରାଏଲ୍ ସହ ଯୁଦ୍ଧ ପରିସ୍ଥିତି ଏବଂ ଦରଦାମ ବୃଦ୍ଧି ଜନିତ ଆର୍ଥିକ ଚାପ ମଧ୍ୟରେ ପୋଷାକ ପରିଧାନର ଏହି ପରିବର୍ତ୍ତନ ଅଧିକ ସ୍ପଷ୍ଟ ହୋଇଛି। ୨୦୨୨ ଭଳି ପୁଣିଥରେ ବଡ଼ ଧରଣର ଜନଆନ୍ଦୋଳନ ଏଡ଼ାଇବା ପାଇଁ ପ୍ରଶାସନ ବର୍ତ୍ତମାନ ଲୋକଙ୍କୁ ସାମୟିକ ଭାବେ କିଛିଟା ସ୍ୱାଧୀନତା ଦେଉଥିବା ସ୍ଥାନୀୟ ବାସିନ୍ଦା ଅନୁଭବ କରୁଛନ୍ତି।

ଅନ୍ୟପକ୍ଷରେ, ଇରାନରେ ବାଧ୍ୟତାମୂଳକ ହିଜାବ୍ ଆଇନ ଏବେ ବି ବଳବତ୍ତର ରହିଛି ଏବଂ ରକ୍ଷଣଶୀଳ ମହଲରୁ ଏହାକୁ କଡ଼ା ବିରୋଧ କରାଯାଉଛି। ଦେଶର ନ୍ୟାୟପାଳିକା ମୁଖ୍ୟ ଘୋଲାମହୋସେନ୍ ମୋହସେନି ଏଜେଇ ରାସ୍ତାଘାଟରେ ଦେଖାଯାଉଥିବା ଏଭଳି ''ଅସ୍ୱାଭାବିକ ଆଚରଣ'' ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେବା ପରେ, ମଙ୍ଗଳବାର ତେହେରାନ୍ରୁ ଅନେକ ଲୋକଙ୍କୁ ଗିରଫ କରାଯାଇଛି। ରକ୍ଷଣଶୀଳ ସମ୍ବାଦପତ୍ର ''କାୟହାନ୍'' ହିଜାବ୍ ହଟାଇବାକୁ ଶତ୍ରୁ ରାଷ୍ଟ୍ରଗୁଡ଼ିକର ଏକ ''ବିଧ୍ୱଂସକାରୀ ଅସ୍ତ୍ର'' ବୋଲି ବର୍ଣ୍ଣନା କରିଥିବା ବେଳେ ଆଇନ ପ୍ରଣେତାମାନେ ନିୟମକୁ କଡ଼ାକଡ଼ି ଭାବେ ଲାଗୁ କରିବାକୁ ଦାବି କରିଛନ୍ତି।

୧୬ରେ ବଙ୍ଗୋପସାଗରରେ ବାତ୍ୟା ସମ୍ଭାବନା, ଓଡ଼ିଶାରେ ପ୍ରବଳ ବର୍ଷା ଆଶଙ୍କା

Read Entire Article
LEFT SIDEBAR AD

Hidden in mobile, Best for skyscrapers.