ARTICLE AD BOX
ତେହେରାନ: ଆମେରିକାର ଅର୍ଥନୈତିକ କଟକଣା ଓ ସାମୁଦ୍ରିକ ଅବରୋଧ ସତ୍ତ୍ୱେ ଇରାନ ନିଜର କ୍ଷେପଣାସ୍ତ୍ର ଓ ଡ୍ରୋନ୍ କାର୍ଯ୍ୟକ୍ରମ ପାଇଁ ବିଦେଶରୁ ଅତ୍ୟାବଶ୍ୟକ ସାମଗ୍ରୀ ଆମଦାନି କରିଆସୁଛି। ଏଥିପାଇଁ ଦେଶ ୫ ହଜାରରୁ ଅଧିକ ସଂସ୍ଥାକୁ ନେଇ ଏକ ଗୁପ୍ତ ଯୋଗାଣ ବ୍ୟବସ୍ଥା ଗଢ଼ିଥିବା ରଏଟର୍ସର ଏକ ଅନୁସନ୍ଧାନମୂଳକ ରିପୋର୍ଟରୁ ଜଣାପଡ଼ିଛି। ୨୦୨୫ ଜାନୁଆରିରୁ ଏହି ବ୍ୟବସ୍ଥା ମାଧ୍ୟମରେ ଅତି କମ୍ରେ ୨୦୦ କୋଟି ଡଲାର ମୂଲ୍ୟର ସାମରିକ ଉପକରଣ, ବିସ୍ଫୋରକ ଓ ଭାରୀ ଟ୍ରକ୍ ଆମଦାନି ହୋଇଛି।
ଏହି ସଂସ୍ଥାଗୁଡ଼ିକର ନାମ ସାଧାରଣତଃ ‘ଏମ୍ଓଡି’ ଅକ୍ଷରରୁ ଆରମ୍ଭ ହୋଇଛି। ଏହା ଇରାନର ପ୍ରତିରକ୍ଷା ମନ୍ତ୍ରଣାଳୟକୁ ସୂଚାଏ। ସଂସ୍ଥାଗୁଡ଼ିକର ପଞ୍ଜୀକୃତ ଠିକଣା ତେହେରାନରେ ଥିବା ପ୍ରତିରକ୍ଷା ମନ୍ତ୍ରଣାଳୟର ଠିକଣା ସହ ମେଳ ଖାଉଛି। କେତେକ ସଂସ୍ଥାର ଇରାନର ଇସ୍ଲାମିକ୍ ରିଭଲ୍ୟୁସନାରି ଗାର୍ଡ କର୍ପସ୍ (ଆଇଆର୍ଜିସି) ଏବଂ ଦେଶର ପ୍ରଭାବଶାଳୀ ଧନୀ ଗୋଷ୍ଠୀ ନିୟନ୍ତ୍ରଣ କରୁଥିବା ବ୍ୟବସାୟିକ ସଂଗଠନ ସହ ସମ୍ପର୍କ ଥିବା ରିପୋର୍ଟରେ କୁହାଯାଇଛି।
ରଏଟର୍ସ ଓ ଇସ୍ରାଏଲ୍-ଆମେରିକୀୟ ବିପଦ ବିଶ୍ଳେଷଣ ସଂସ୍ଥା ‘୨୪୦ ଆନାଲିଟିକ୍ସ’ ମିଳିତ ଭାବେ ଏହି ଜାଲର ତଥ୍ୟ ଯାଞ୍ଚ କରିଥିଲେ। ଇରାନର ତୈଳ ବିକ୍ରିରୁ ମିଳୁଥିବା ଅର୍ଥକୁ ବିଦେଶରେ ଥିବା ମଧ୍ୟସ୍ଥ ଓ ନାମକୁ ମାତ୍ର କମ୍ପାନି ଜରିଆରେ ବ୍ୟବହାର କରି ସାମରିକ ସାମଗ୍ରୀ କିଣାଯାଉଥିବା ଅନୁସନ୍ଧାନରୁ ଜଣାପଡ଼ିଛି। ଯାଞ୍ଚ କରାଯାଇଥିବା ଆମଦାନି କାରବାର ମଧ୍ୟରୁ ୯୭ ପ୍ରତିଶତରେ ଦେଶସୀମା ପାର୍ ହୋଇ ମୁଦ୍ରା ହସ୍ତାନ୍ତର ହୋଇନଥିବା ଦର୍ଶାଯାଇଥିଲା। ଏହାଦ୍ୱାରା ଆନ୍ତର୍ଜାତିକ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥାରେ ଅର୍ଥ କାରବାର ସମ୍ପର୍କିତ ସତର୍କ ସୂଚନାକୁ ଏଡ଼ାଇବା ସହଜ ହୋଇଥିବା ରିପୋର୍ଟରେ କୁହାଯାଇଛି। ଚୀନ୍, ରୁଷ୍ ଓ ଜର୍ମାନୀ ସମେତ ବିଭିନ୍ନ ଦେଶରୁ ରକେଟ୍ ଇନ୍ଧନ ପାଇଁ ରାସାୟନିକ ପଦାର୍ଥ, ବିସ୍ଫୋରକ, ଅସ୍ତ୍ରଶସ୍ତ୍ରର ଯନ୍ତ୍ରାଂଶ ଓ ଭାରୀ ଯାନ ଆସୁଥିବା ତଥ୍ୟରୁ ଜଣାପଡ଼ିଛି। ଏହି ସାମଗ୍ରୀର କେତେକ ସାଧାରଣ ଶିଳ୍ପରେ ମଧ୍ୟ ବ୍ୟବହାର ରହିଛି।
‘ଏମ୍ଓଡି ୩୪୬୪୨୮’ ନାମକ ଗୋଟିଏ ସଂସ୍ଥା ଜାନୁଆରି ୨୦୨୫ରୁ ଜୁନ୍ ୨୦୨୬ ମଧ୍ୟରେ ୨୩୦ କୋଟି ଡଲାର ମୂଲ୍ୟର ସାମଗ୍ରୀ ଆମଦାନି କରିଥିବା ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ରକେଟ୍ ଇନ୍ଧନ ପ୍ରସ୍ତୁତିରେ ବ୍ୟବହୃତ ରାସାୟନିକ ପଦାର୍ଥ, ବିସ୍ଫୋରକ, ଟାଇଟାନିୟମ୍, ଶିଳ୍ପ ଯନ୍ତ୍ରପାତି ଓ ଭାରୀ ଟ୍ରକ୍ ରହିଛି। ଆମଦାନି ହୋଇଥିବା ୪୩୫ଟି ଆଇଭେକୋ ଟ୍ରକ୍କୁ ମୋବାଇଲ୍ କ୍ଷେପଣାସ୍ତ୍ର ଉତ୍କ୍ଷେପଣ ଯାନ ଭାବେ ବ୍ୟବହାର କରାଯାଇପାରିବ ବୋଲି ବିଶେଷଜ୍ଞମାନେ କହିଛନ୍ତି।
୨୦୨୫ ଏପ୍ରିଲ୍ରେ ଦକ୍ଷିଣ ଇରାନର ଶାହିଦ୍ ରାଜାଇ ବନ୍ଦରରେ ହୋଇଥିବା ବିସ୍ଫୋରଣ ସହ ମଧ୍ୟ ଏହି ଯୋଗାଣ ବ୍ୟବସ୍ଥାର ଏକ ସମ୍ଭାବ୍ୟ ସମ୍ପର୍କ ରହିଥିବା ତଦନ୍ତରେ ଉଲ୍ଲେଖ ଅଛି। ସେହି ବିସ୍ଫୋରଣରେ ଅତି କମ୍ରେ ୭୦ ଜଣଙ୍କ ମୃତ୍ୟୁ ସହ ୧,୨୦୦ରୁ ଅଧିକ ଲୋକ ଆହତ ହୋଇଥିଲେ। ଆମେରିକାର ଅର୍ଥ ବିଭାଗ କହିଛି ଯେ ଇରାନ ସରକାରଙ୍କ ଆର୍ଥିକ ଉତ୍ସଗୁଡ଼ିକୁ ବନ୍ଦ କରିବା ପାଇଁ ପଦକ୍ଷେପ ନିଆଯାଇଛି। ଅନ୍ୟପକ୍ଷରେ, ରଏଟର୍ସର ତଦନ୍ତ ଇରାନର ସାମରିକ ଯୋଗାଣ ବ୍ୟବସ୍ଥାର ଜଟିଳତା ଓ କଟକଣାକୁ ଏଡ଼ାଇବାର କ୍ଷମତା ଉପରେ ନୂଆ ଆଲୋକପାତ କରିଛି।

59 minutes ago
2


