ARTICLE AD BOX
ନୂଆଦିଲ୍ଲୀ: ଦେଶରେ ସେୟାର ବଜାର ନିବେଶ ପ୍ରତି ଲୋକଙ୍କ ଆଗ୍ରହ ବଢ଼ୁଛି। ଏଥିପାଇଁ ନିବେଶକଙ୍କ ବୟସ, ନିବେଶ ଅଞ୍ଚଳ ଏବଂ ଲିଙ୍ଗଗତ ପ୍ରତିନିଧିତ୍ବରେ ବଡ଼ଧରଣର ପରିବର୍ତ୍ତନ ଆସିଛି। ବିଶେଷକରି ନିବେଶକଙ୍କ ମଧ୍ୟରେ ଯୁବବର୍ଗ ଓ ମହିଳାଙ୍କ ସଂଖ୍ୟା ବଢ଼ିଛି। ମୋଟ ନିବେଶରେ ଯୁବବର୍ଗର ନିବେଶ ଭାଗ ବି ବଢ଼ୁଛି ବୋଲି ଏକ ରିପୋର୍ଟରୁ ଜଣାଯାଇଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ ପକ୍ଷରୁ ପ୍ରକାଶିତ ମାର୍କେଟ କୀ ପଲ୍ସ ରିପୋର୍ଟରୁ ଏହା ଜଣାଯାଇଛି ଯେ ୨୦୨୦ ମାର୍ଚ୍ଚରୁ ୨୦୨୬ ଜୁନ ମଧ୍ୟରେ ଦେଶରେ ନିବେଶକଙ୍କ ହାରାହାରି ବୟସ ୩୮ ବର୍ଷରୁ ୩୩ ବର୍ଷକୁ ହ୍ରାସ ପାଇଛି। ୩୦ ବର୍ଷରୁ କମ୍ ବୟସର ନିବେଶମାନଙ୍କ ନିବେଶ ପରିମାଣ ମଧ୍ୟ ୩୭.୯ ପ୍ରତିଶତକୁ ବୃଦ୍ଧି ପାଇଛି।
ସୂଚନା ଅନୁଯାୟୀ, ଦେଶରେ ମୋଟ ପଞ୍ଜୀକୃତ ନିବେଶକଙ୍କ ସଂଖ୍ୟା ୨୦୨୬ ଜୁନ ସୁଦ୍ଧା ୧୩.୨ କୋଟିରେ ପହଞ୍ଚିଛି। ୨୦୨୦-୨୧ରୁ ୨୦୨୫-୨୬ ଆର୍ଥିକବର୍ଷ ମଧ୍ୟରେ ବଜାରପୁଞ୍ଜି ବାର୍ଷିକ ୩୪.୦୧ ପ୍ରତିଶତ ହାରରେ ବଢ଼ିଛି, ଯାହାକି ୨୦୧୫-୧୬ରୁ ୨୦୨୦-୨୧ ମଧ୍ୟରେ ୧୯.୩ ପ୍ରତିଶତ ହାରରେ ବଢ଼ିଥିଲା। ସାଧାରଣତଃ ଦେଶର ଯେଉଁସବୁ ଅଞ୍ଚଳର ଲୋକମାନେ ଅଧିକ ନିବେଶ କରିଥାନ୍ତି ତାହା ବାହାରକୁ ମଧ୍ୟ ନିବେଶକଙ୍କ ସଂଖ୍ୟା ପରିବ୍ୟାପ୍ତ ହେବାରେ ଲାଗିଛି। ନିବେଶକଙ୍କ ମଧ୍ୟରେ ଯୁବବର୍ଗଙ୍କ ସଂଖ୍ୟା ବଢ଼ିବା ଭଳି ମହିଳାଙ୍କ ସଂଖ୍ୟା ମଧ୍ୟ ବଢ଼ିଛି।
Hyderabad:୬୦ରୁ ଅଧିକ ନିବେଶକଙ୍କଠାରୁ ୫୦ କୋଟି ଟଙ୍କା ନେଇ ସ୍ୱିଜରଲାଣ୍ଡରେ ହାଇଦ୍ରାବାଦ ଦମ୍ପତି ନିଖୋଜ
ମୋଟ ନିବେଶକଙ୍କ ମଧ୍ୟରେ ୩୦ ବର୍ଷରୁ କମ୍ ବୟସର ନିବେଶକଙ୍କ ସଂଖ୍ୟା ୨୦୨୦ ମାର୍ଚ୍ଚରେ ୨୩.୫ ପ୍ରତିଶତ ରହିଥିଲା। ୨୦୨୬ ଜୁନରେ ଏହା ୩୭.୯ ପ୍ରତିଶତରେ ପହଞ୍ଚିଛି।
ପୁଞ୍ଜିବଜାର ନିବେଶକଙ୍କ ସଂଖ୍ୟା ସାଧାରଣତଃ ଯେଉଁ ୧୦ଟି ରାଜ୍ୟରେ ଅଧିକ ରହିଥାଏ ତା ବାଦ୍ ଅନ୍ୟ ରାଜ୍ୟଗୁଡ଼ିକରେ ସେମାନଙ୍କର ସଂଖ୍ୟା ବଢ଼ିଛି। ୨୦୧୬-୧୭ରେ ସମୁଦାୟ ନିବେଶକଙ୍କ ମଧ୍ୟରେ ଏସବୁ ଅଞ୍ଚଳର ନିବେଶକଙ୍କ ସଂଖ୍ୟା ପ୍ରାୟ ୨୨ ପ୍ରତିଶତ ରହିଥିଲା। କିନ୍ତୁ ୨୦୨୬ ଜୁନରେ ଏହା ୨୬.୯ ପ୍ରତିଶତରେ ପହଞ୍ଚିଛି। ନିବେଶକଙ୍କ ସଂଖ୍ୟାରେ ଉତ୍ତର ଭାରତର ଅଂଶ ୩୬.୮ ପ୍ରତିଶତ ଥିବାବେଳେ ପଶ୍ଚିମ ଭାରତର ୨୯.୧ ପ୍ରତିଶତ, ଦକ୍ଷିଣ ଭାରତର ୨୧.୧ ପ୍ରତିଶତ ଏବଂ ପୂର୍ବ ଭାରତର ଅଂଶ ୧୨.୧ ପ୍ରତିଶତ ରହିଛି।
ଦେଶର ମୋଟ ନିବେଶକଙ୍କ ମଧ୍ୟରେ ମହିଳା ନିବେଶକଙ୍କ ସଂଖ୍ୟା ସଂପ୍ରତି ପ୍ରାୟ ୨୫ ପ୍ରତିଶତରେ ରହିଛି। ରାଜ୍ୟ ଅନୁଯାୟୀ ଦେଖିଲେ ମହାରାଷ୍ଟ୍ରରେ ମହିଳା ନିବେଶକଙ୍କ ଅଂଶ ସର୍ବାଧିକ ୨୮.୯ ପ୍ରତିଶତ ରହିଛି। ଏହା ପଛକୁ ତାମିଲନାଡ଼ୁରେ ୨୮.୫ ପ୍ରତିଶତ ଏବଂ ଉତ୍ତରପ୍ରଦେଶରେ ୧୯.୧ ପ୍ରତିଶତ ମହିଳା ନିବେଶକ ଥିବା ରିପୋର୍ଟରୁ ଜଣାଯାଇଛି।

1 week ago
4


