ARTICLE AD BOX
ହାଇଦ୍ରାବାଦ:ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଏ. ରେବନ୍ତ ରେଡ୍ଡୀ ରାଜ୍ୟର ୧ କୋଟି ପରିବାରକୁ ସାମାଜିକ ସୁରକ୍ଷା ଯୋଗାଇ ଦେବା ପାଇଁ ପ୍ରସ୍ତାବିତ ''ଇନ୍ଦିରାମ୍ମା ପରିବାର ବୀମା'' ଯୋଜନା ଅଧୀନରେ ବୀମାଭୁକ୍ତ କରାଯିବ ବୋଲି ଘୋଷଣା କରିଛନ୍ତି। ଆସନ୍ତା ନଭେମ୍ବର ୧୯ ତାରିଖରେ ସିଦ୍ଦିପେଟଠାରେ ଆୟୋଜିତ ଏକ ସାଧାରଣ ସଭାରେ ମୁଖ୍ୟମନ୍ତ୍ରୀ ଏହି ଯୋଜନାର ଆବେଦନ ପ୍ରକ୍ରିୟାକୁ ଆନୁଷ୍ଠାନିକ ଭାବେ ଶୁଭାରମ୍ଭ କରିବେ। ଏଥିସହିତ ରାଜ୍ୟର ଯୋଗ୍ୟ ଗରିବ ମହିଳାମାନଙ୍କୁ ''ଇନ୍ଦିରାମ୍ମା ଶାଢ଼ୀ'' ବଣ୍ଟନ କାର୍ଯ୍ୟକ୍ରମର ମଧ୍ୟ ଶୁଭାରମ୍ଭ କରାଯିବ।
ମଙ୍ଗଳବାର ଅନୁଷ୍ଠିତ ଏକ ସମୀକ୍ଷା ବୈଠକରେ ମୁଖ୍ୟମନ୍ତ୍ରୀ ରାଜ୍ୟର ବିଭିନ୍ନ ସରକାରୀ ବିଭାଗ ଦ୍ୱାରା ପରିଚାଳିତ ହେଉଥିବା ଭିନ୍ନ ଭିନ୍ନ ବୀମା ଯୋଜନାଗୁଡ଼ିକୁ ଗୋଟିଏ ଛତା ତଳକୁ ଆଣିବାକୁ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସରକାରୀ ବିଜ୍ଞପ୍ତି ଅନୁଯାୟୀ, ନୂତନ ଇନ୍ଦିରାମ୍ମା ବୀମା ଯୋଜନାରେ ଜୀବନ ବୀମା ରାଶିକୁ ୨ ଲକ୍ଷ ଟଙ୍କାରୁ ୫ ଲକ୍ଷ ଟଙ୍କାକୁ ବୃଦ୍ଧି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ କଡ଼ା ଚେତାବନୀ
ବର୍ତ୍ତମାନର ଯୋଜନାଗୁଡ଼ିକରେ ୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୀବନ ବୀମା ଏବଂ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଦୁର୍ଘଟଣାଜନିତ ବୀମା ସୁବିଧା ମିଳୁଥିବା ଅଧିକାରୀମାନେ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରାଇଥିଲେ। ତେବେ ସମସ୍ତ ଯୋଜନାର ମିଶ୍ରଣ ପରେ ମଧ୍ୟ ପୂର୍ବରୁ ମିଳୁଥିବା ୧୦ ଲକ୍ଷ ଟଙ୍କାର ଦୁର୍ଘଟଣାଜନିତ ବୀମା ସୁବିଧା ଅପରିବର୍ତ୍ତିତ ରହିବ ଏବଂ ବର୍ତ୍ତମାନ ବୀମା ସୁରକ୍ଷା ପାଉଥିବା କୌଣସି ହିତାଧିକାରୀ ଯେପରି ଏଥିରୁ ବାଦ୍ ନପଡ଼ନ୍ତି, ତାହା ସୁନିଶ୍ଚିତ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ରାଜ୍ୟର ପ୍ରତ୍ୟେକ ଯୋଗ୍ୟ ମହିଳା ଯେପରି ''ଇନ୍ଦିରାମ୍ମା ଶାଢ଼ୀ'' ପାଇପାରିବେ, ସେଥିପ୍ରତି ବିଶେଷ ଧ୍ୟାନ ଦେବାକୁ ପ୍ରଶାସନିକ ଅଧିକାରୀମାନଙ୍କୁ କୁହାଯାଇଛି। ଶାଢ଼ୀ ବଣ୍ଟନ ପ୍ରକ୍ରିୟାରେ କୌଣସି ପ୍ରକାର ଅବହେଳା କିମ୍ବା ଅନିୟମିତତା ଧରାପଡ଼ିଲେ ସମ୍ପୃକ୍ତ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କଡ଼ା ଚେତାବନୀ ଦେଇଛନ୍ତି।
Paper Leak Case: ନିଟ୍ ୟୁଜି ପେପର ଲିକ୍ ମାମଲା: ରାଉଜ୍ ଆଭେନ୍ୟୁ କୋର୍ଟରେ ଅଭିଯୁକ୍ତଙ୍କ ବିରୋଧରେ ଚାର୍ଜଫ୍ରେମ୍

16 minutes ago
1


