ARTICLE AD BOX
ଚଣ୍ଡୀଗଡ଼: ଅରୁଣାଚଳ ପ୍ରଦେଶରେ ଭାରତ ଓ ଚୀନ୍ ସେନା ମଧ୍ୟରେ ଏକାଧିକ ସ୍ଥାନରେ ସୀମା ବିବାଦ ଓ ମୁହାଁମୁହିଁ ସ୍ଥିତି ଜାରି ରହିଥିବାବେଳେ ଦେଶର ସୁରକ୍ଷା ବାହିନୀରେ ଜନବଳ ଅଭାବ ଚିନ୍ତା ବଢ଼ାଇଛି। ଭାରତ-ଚୀନ୍ ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ଭାରତ-ତିବ୍ବତ ସୀମା ପୁଲିସ (ଆଇଟିବିପି) ସମେତ ସୀମା ସୁରକ୍ଷା ବଳ (ବିଏସ୍ଏଫ୍) ଓ କେନ୍ଦ୍ରୀୟ ରିଜର୍ଭ ପୁଲିସ ବଳ (ସିଆର୍ପିଏଫ୍)ରେ ବହୁ ପଦ ଖାଲି ପଡ଼ିଛି। ଏହା ସୁରକ୍ଷା ଆହ୍ୱାନର ମୁକାବିଲା କରିବାରେ ବାହିନୀଗୁଡ଼ିକର ପ୍ରସ୍ତୁତିକୁ ନେଇ ପ୍ରଶ୍ନ ଉଠାଇଛି।
କେନ୍ଦ୍ର ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଆଇଟିବିପିରେ ମୋଟ ୧,୦୫,୧୩୬ଟି ଅନୁମୋଦିତ ପଦ ଥିବାବେଳେ ଏବେ ୯୨,୮୦୩ ଜଣ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ଏବଂ ୧୨,୩୩୩ଟି ପଦ ଖାଲି ପଡ଼ିଛି। ବର୍ତ୍ତମାନର କର୍ମଚାରୀ ସଂଖ୍ୟା ତୁଳନାରେ ଏହି ଅଭାବ ୧୩.୨ ପ୍ରତିଶତ। ସେହିପରି ପାକିସ୍ତାନ ଓ ବାଂଲାଦେଶ ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ବିଏସ୍ଏଫ୍ରେ ୨,୭୧,୮୭୭ଟି ଅନୁମୋଦିତ ପଦ ମଧ୍ୟରୁ ୨,୫୭,୩୪୬ ଜଣ କାର୍ଯ୍ୟରତ ଅଛନ୍ତି। ଏଠାରେ ୧୪,୫୩୧ଟି ପଦ ଖାଲି ରହିଛି। ସେହିପରି ଦେଶର ସର୍ବବୃହତ୍ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀ ସିଆର୍ପିଏଫ୍ରେ ୩,୩୦,୮୧୮ଟି ଅନୁମୋଦିତ ପଦ ମଧ୍ୟରୁ ୩,୦୩,୪୧୮ ଜଣ କାର୍ଯ୍ୟରତ ଅଛନ୍ତି। ଏହି ବାହିନୀରେ ୨୭,୪୦୦ ପଦ ଖାଲି ରହିଛି। ଆଭ୍ୟନ୍ତରୀଣ ସୁରକ୍ଷା ସହ ଆଇନଶୃଙ୍ଖଳା ପରିସ୍ଥିତିରେ ରାଜ୍ୟ ପୁଲିସକୁ ସହାୟତା କରିବା ସିଆର୍ପିଏଫ୍ର ପ୍ରମୁଖ ଦାୟିତ୍ୱ।
ଆଇଟିବିପିରେ ୧୨,୩୩୩ ଓ ସିଆର୍ପିଏଫ୍ରେ ୨୭,୪୦୦ ପଦ ଖାଲି
ଅନ୍ୟପକ୍ଷରେ ନେପାଳ ଓ ଭୁଟାନ ସୀମାର ସୁରକ୍ଷା ଦାୟିତ୍ୱରେ ଥିବା ସଶସ୍ତ୍ର ସୀମା ବଳ (ଏସ୍ଏସ୍ବି)ରେ ୬,୭୮୪ଟି ପଦ ଖାଲି ଥିବାବେଳେ ଭାରତ-ମ୍ୟାମାର ସୀମାର ସୁରକ୍ଷା ଓ ଉଗ୍ରବାଦ ନିରୋଧୀ ଅଭିଯାନରେ ନିୟୋଜିତ ଆସାମ ରାଇଫଲ୍ସରେ ୩,୭୪୯ଟି ପଦ ଖାଲି ରହିଛି। ଗୃହ ମନ୍ତ୍ରଣାଳୟର ତଥ୍ୟ ଅନୁସାରେ, ଆସାମ ରାଇଫଲ୍ସ ସମେତ ପାଞ୍ଚଟି କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବାହିନୀରେ ମୋଟ ୯୩,୧୩୯ ପଦ ଖାଲି ରହିଛି। ଏହି ବାହିନୀଗୁଡ଼ିକର ଅନୁମୋଦିତ ପଦ ସଂଖ୍ୟା ୧୦,୭୨,୬୯୨ ଥିବାବେଳେ ବର୍ତ୍ତମାନ ୯,୬୯,୬୪୫ ଜଣ କାର୍ଯ୍ୟରତ ଅଛନ୍ତି। ତେବେ ଖାଲି ପଦ ପୂରଣ ଏକ ନିରନ୍ତର ପ୍ରକ୍ରିୟା ଏବଂ କର୍ମଚାରୀ ନିଯୁକ୍ତି ପାଇଁ ଗୃହ ମନ୍ତ୍ରଣାଳୟ, କର୍ମଚାରୀ ଚୟନ ଆୟୋଗ (ଏସ୍ଏସ୍ସି), କେନ୍ଦ୍ରୀୟ ଲୋକସେବା ଆୟୋଗ (ୟୁପିଏସ୍ସି) ଓ ସମ୍ପୃକ୍ତ ବାହିନୀ ପଦକ୍ଷେପ ନେଉଥିବା ସୂତ୍ରରୁ ଜଣାପଡ଼ିଛି।

59 minutes ago
1


