ARTICLE AD BOX
ସୁନ୍ଦରଗଡ଼ (ଡମ୍ବରୁଧର ନାୟକ): ଖଣି, ଶିଳ୍ପ, ଜିଲ୍ଲାଖଣିଜ ପ୍ରତିଷ୍ଠାନ ପାଣ୍ଠି କାହାପାଇଁ। ଏଥିରେ କାହାର ବିକାଶ ହେଉଛି, କାହାର ପକେଟ ଭରୁଛି। ଖଣିବହୁଳ ସୁନ୍ଦରଗଡ଼ରେ ବହୁ କଳକାରଖାନା ଓ ହଜାର ହଜାର କୋଟିର ଡିଏମ୍ଏଫ୍ ପାଣ୍ଠି ଥିବା ସତ୍ତ୍ବେ ଏଠାକାର ଯୁବକଯୁବତୀ ନିଜ ମାଟିରେ ରୋଜଗାର ପାଉ ନଥିବା ଓ ଭିଟାମାଟି ଛାଡ଼ି ବାହାର ରାଜ୍ୟକୁ ଦାଦନ ଖଟି ଯାଉଥିବାବେଳେ ସାଧାରଣରେ ଉଠିଛି ଏ ପ୍ରଶ୍ନ। ତେବେ ଏହା ଭିତରେ ଦାଦନ ଶ୍ରମିକ ଓ ପରିବାର ପାଇଁ ସବୁଠାରୁ ଛାତିଥରା କଥା ହେଲା, ପେଟ ଓ ରୋଜଗାର ଆଶାରେ ଘର ଛାଡ଼ୁଥିବା ଅନେକ ପୁଅ ପ୍ରବାସରୁ ଶବ ହୋଇ ଫେରୁଛନ୍ତି। ଜିଲ୍ଲାର ଖଣି, କାରଖାନାରେ ବାହାର ରାଜ୍ୟର ଲୋକଙ୍କୁ ନିଯୁକ୍ତି ମିଳୁଛି। ଗରିବୀ ଓ କାମଧନ୍ଦା ଅଭାବ ଯୋଗୁ ଶହଶହ ପରିବାର ଶୋଚନୀୟ ଅବସ୍ଥାରେ।
Neglect: ଦୁଲାମରେ ପଲିଥିନ ପକାଇ ରହୁଛନ୍ତି ଡୁମର-ବୁଧାଇ
ଏ ସ୍ଥିତିରେ ଦଲାଲମାନେ ଭଲ କର୍ମ ସଂସ୍ଥାନରେ ନିଯୁକ୍ତି ଓ ରୋଜଗାର ଲୋଭ ଦେଖାଇ ଯୁବକଯୁବତୀଙ୍କୁ ବାହାର ରାଜ୍ୟକୁ ଚାଲାଣ କରୁଛନ୍ତି। ଅନେକ ସ୍ଥାନରେ ଅକଥନୀୟ ନିର୍ଯାତନା ଦେବା ସହ କେବଳ ଖାଇବାକୁ ଦେଇ ଖଟାଉଥିବା ଅଭିଯୋଗ ରହିଛି। ଗତ ମାସରେ ଗୋଆକୁ ଦାଦନ ଖଟିବାକୁ ଯାଇ ଶବ ହୋଇ ଫେରିଥିବା ଜଣେ ଯୁବକ ହେଲେ ବାଲିଶଙ୍କରା ବ୍ଲକ୍ କୁରେଇ ପଞ୍ଚାୟତ ଯାମୁଦର୍ହ ଗାଁର ଗୌରାଙ୍ଗ ପ୍ରଧାନ (୪୧)। ଅତ୍ୟନ୍ତ ଗରିବ ଗୌରାଙ୍ଗ ରୋଜଗାର ଆଶାରେ ଘରେ ପତ୍ନୀ ସାବିତ୍ରୀ ଓ ୧୫ ବର୍ଷର ପୁଅ ସୂରଜକୁ ଛାଡ଼ି ଗୋଆ ଯାଇଥିଲେ। ସେଠାରେ ସେ ସମୁଦ୍ରରେ ମାଛଧରା କାର୍ଯ୍ୟରେ ନିୟୋଜିତ ଥିଲେ। ହଠାତ ସେ ଅସୁସ୍ଥ ହେବା ପରେ ଘରକୁ ଫେରି ଆସୁଥିବା ବେଳେ ବାଟରେ ରେଳରେ ହିଁ ତାଙ୍କ ପ୍ରାଣ ଚାଲିଗଲା। ଶବ ଫେରି ଆସିଲା।
ଏବେ ପତ୍ନୀ ଓ ପୁଅ ଅସହାୟ। ୨୦୧୫ ଅଗଷ୍ଟରେ ଜିଲ୍ଲାର ତଳସରା ବିଧାନସଭା କ୍ଷେତ୍ରର ଏକ ଆଦିବାସୀ ଗାଁର ଝିଅ ବିକ୍ରି ଘଟଣା ସାରାରାଜ୍ୟକୁ ଦୋହଲାଇ ଦେଇଥିଲା। ଦାରିଦ୍ର୍ୟରେ ଛଟପଟ ପରିବାରର ନାବାଳିକାକୁ ରୋଜଗାର ପ୍ରତିଶ୍ରୁତି ଦେଇ ଦଲାଲ ମଥୁରାକୁ ନେଇ ବିକ୍ରି କରି ଦେଇଥିଲା। ଜହ୍ଲାଦ କ୍ରେତାମାନେ ନାବାଳିକାଙ୍କୁ ଅମାନୁଷିକ ଭାବେ ଦୁଷ୍କର୍ମ କଲେ। ନାବାଳିକାଙ୍କୁ ସୁନ୍ଦରଗଡ଼ ପୁଲିସ ଉଦ୍ଧାର କରିଥିଲା। ସେହିପରି ବାଲିଶଙ୍କରା ବ୍ଲକ୍ ଲୁଲୁକିଡିହିର ଜଣେ ନାବାଳିକାଙ୍କୁ ୨୦୧୨ରେ ଝାଡ଼ଖଣ୍ଡର ଦୁଇ ଜଣ ଦଲାଲ ମାସିକ ୧୫ ହଜାର ଟଙ୍କାରେ କାମ ଦେବେ କହି ଦିଲ୍ଲୀ ନେଇ ଯାଇଥିଲେ। ପରେ ଝିଅ କି ଦଲାଲଙ୍କ ପତ୍ତା ମିଳି ନଥିଲା। ୪ ବର୍ଷ ପରେ ଝାଡ଼ଖଣ୍ଡରୁ ଛିଣ୍ଡାକପଡ଼ାରେ ବୁଲୁଥିବା ଅବସ୍ଥାରେ ନାବାଳିକା ଉଦ୍ଧାର ହୋଇଥିଲେ।
Agriculture: ଧାନଗଛରେ ରୋଗପୋକ ପାଇଁ ଚାଷୀଙ୍କ ଆଭାସୀ ପରାମର୍ଶ
ସେତେବେଳକୁ ଝିଅଟି ପାଗଳି ହୋଇଯାଇଥିଲା। ଏମିତି ଜିଲ୍ଲାର ଅନେକ ନାବାଳିକା, ଯୁବତୀ ବାହାର ରାଜ୍ୟକୁ ଚାଲାଣ ହୋଇ ବିକ୍ରି, ନିଖୋଜ ଅଥବା ଦୁଃଖଦ ମୃତ୍ୟୁ ଲଭିଛନ୍ତି। ୧୪ ବର୍ଷ ତଳେ ଜିଲ୍ଲାର ୧୧ଟି ବ୍ଲକ୍ର ୭୧ଟି ପଞ୍ଚାୟତରେ ପ୍ରଗତି ଓ ଜାତୀୟ ଆଦିବାସୀ କଲ୍ୟାଣ ସଂଗଠନ (ନାୱା) ଦ୍ବାରା ହୋଇଥିବା ସର୍ବେକ୍ଷଣରେ ୧୦ ହଜାରରୁ ଅଧିକ କେବଳ ନାବାଳିକା ବାହାର ରାଜ୍ୟକୁ ଚାଲାଣ ହୋଇଥିବା ତଥ୍ୟ ଆସିଥିଲା। ଏହି ସର୍ବେକ୍ଷଣରେ ଗ୍ରାମାଞ୍ଚଳରୁ ୩୪,୭୦୭ ଜଣ ପ୍ରାପ୍ତବୟସ୍କ ଝିଅ ଚାଲାଣ ହୋଇଥିବା ରିପୋର୍ଟରେ ପ୍ରକାଶ ପାଇଥିଲା। ସବୁ ଥାଇ ଜିଲ୍ଲାରେ ଆବଶ୍ୟକ ମୁତାବକ କାମଧନ୍ଦା ନ ମିଳିବା ଓ ବାହାର ରାଜ୍ୟରେ ଅଧିକ ପାରିଶ୍ରମିକ ଦାଦନ ଶ୍ରମିକ ଚାଲାଣର ଅନ୍ୟତମ ବଡ଼ କାରଣ ବୋଲି କୁହାଯାଉଛି।

1 hour ago
1


