ARTICLE AD BOX
ନୂଆଦିଲ୍ଲୀ: ଆଗାମୀ ଦିନରେ ଭାରତ କେବଳ ବୁଲେଟ୍ ଟ୍ରେନ୍ ଚଳାଉଥିବା ଦେଶ ହେବ ନାହିଁ, ବରଂ ହାଇସ୍ପିଡ ଟ୍ରେନ୍ ନିର୍ମାଣ ପ୍ରଯୁକ୍ତିରେ ଆତ୍ମନିର୍ଭର ହେବାକୁ ଯାଉଛି। ରେଳ ମନ୍ତ୍ରାଳୟର କ୍ୟାବିନେଟ୍ ପ୍ରସ୍ତାବ ସଂକ୍ରାନ୍ତ ସୂଚନା ଅନୁଯାୟୀ, ୨୦୩୦ ସୁଦ୍ଧା ଭାରତ ଘଣ୍ଟାପ୍ରତି ୩୫୦ କିମିରେ ଦୌଡ଼ି ପାରୁଥିବା ଟ୍ରେନ୍ (ବି୩୫)ର ବିକାଶ ଉପରେ କାର୍ଯ୍ୟ କରୁଛି। ଏହା ଜାପାନ ପକ୍ଷରୁ ପ୍ରସ୍ତୁତ ଆଗାମୀ ପିଢ଼ି ଇ୧୦ ସିରିଜ୍ ଟ୍ରେନ ସହ ସମକକ୍ଷ ହେବ।ଏକ ରିପୋର୍ଟ ଅନୁଯାୟୀ, ରେଳ ମନ୍ତ୍ରାଳୟ ପକ୍ଷରୁ କ୍ୟାବିନେଟକୁ କୁହାଯାଇଛି ଯେ ଭାରତ ବି୩୫ ଟ୍ରେନ ବିକାଶ ପ୍ରକ୍ରିୟା ଆରମ୍ଭ କରିଦେଇଛି।
ଏହା ଜାପାନର ଇ୧୦ ସିରିଜ୍ ଟ୍ରେନ ସହ ହେବ ସମକକ୍ଷ
ଜାପାନ ୨୦୨୪ ଡିସେମ୍ବରରେ ଭାରତକୁ ଅବଗତ କରିଥିଲା ଯେ ତାଙ୍କ ଦେଶରେ ଧୀରେ ଧୀରେ ଇ୫ ଟ୍ରେନର ଉତ୍ପାଦନ ବନ୍ଦ କରାଯାଉଛି। ଜାପାନର ଯୋଜନା ଅନୁଯାୟୀ, ଇ୧୦ ଟ୍ରେନର ଉତ୍ପାଦନ ୨୦୩୦ରେ ଆରମ୍ଭ ହେବ। ୨୦୩୪ ମସିହା ବେଳକୁ ଏହା ଚଳାଚଳ କରିବ। ଭାରତ ଯେତେବେଳେ ଇ୧୦ ଟ୍ରେନ ହାସଲ କରିବ ସେତେବେଳକୁ ନିଜର ବି୩୫ ଟ୍ରେନ ନିର୍ମାଣ କରିସାରିଥିବ। ମୁମ୍ବାଇ-ଅହମଦାବାଦ ହାଇସ୍ପିଡ ରେଳ କରିଡରର ଆରମ୍ଭ ବି୨୮ ହାଇସ୍ପିଡ ଟ୍ରେନରୁ ଆରମ୍ଭ ହେବ। ଏହି ଟ୍ରେନର ଘଣ୍ଟାପ୍ରତି ସର୍ବାଧିକ ବେଗ ୨୮୦ କିମି ରହିବ। ତେବେ ହାଇସ୍ପିଡ ରେଳ କରିଡରରେ ଏହା ଘଣ୍ଟାପ୍ରତି ୨୪୯ କିମି ବେଗରେ ଚାଲିବ। ଭାରତରେ ବି୨୮ ଟ୍ରେନ ନିର୍ମାଣ କରିବା ଲାଗି କାର୍ଯ୍ୟାଦେଶ ବିଇଏମ୍ଏଲ୍ ପାଇ ସାରିଛି। ହାଇସ୍ପିଡ୍ ଟ୍ରେନ ସହିତ ଭାରତ ସ୍ବଦେଶୀ ଟ୍ରେନ କଣ୍ଟ୍ରୋଲ ସିଷ୍ଟମ ମଧ୍ୟ ବିକାଶ କରିବା ଯୋଜନା ରଖିଛି। ଏହା ଚୀନର ସ୍ବଦେଶୀ ସିଟିସିଏସ୍ ପରି କାର୍ଯ୍ୟ କରିବ।

1 week ago
6


