ARTICLE AD BOX
ନୂଆଦିଲ୍ଲୀ:୨୦୧୮ ମସିହାରେ ୬ ବର୍ଷ ବୟସର ଜଣେ ଶିଶୁକୁ ଆଇନଗତ ପ୍ରକ୍ରିୟାରେ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ଦମ୍ପତି। କିନ୍ତୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିବାର କିଛି ସମୟ ପରେ ଶିଶୁର ବ୍ୟବହାର ଓ ମାନସିକ ସ୍ଥିତିକୁ ନେଇ ସମସ୍ୟା ଦେଖାଦେଇଥିବା ମହିଳା ଦିଲ୍ଲୀ ହାଇକୋର୍ଟରେ କହିଛନ୍ତି। ଏହାପରେ ୮ ବର୍ଷ ପରେ ଶିଶୁକୁ ଅନ୍ୟ କୌଣସି ସଂସ୍ଥା କିମ୍ବା ସରକାରୀ ବ୍ୟବସ୍ଥାକୁ ଦେବାକୁ ସେ ଆବେଦନ କରିଛନ୍ତି।
ମହିଳାଙ୍କ ଓକିଲ କୋର୍ଟରେ ଦାବି କରିଛନ୍ତି ଯେ ଶିଶୁ ଅତ୍ୟଧିକ ଆକ୍ରମଣାତ୍ମକ ବ୍ୟବହାର କରୁଥିବା ସହ ଚୋରି ଭଳି ଅଭିଯୋଗ ମଧ୍ୟ ରହିଛି। ଏପରି ବ୍ୟବହାର ଯୋଗୁଁ ଶିଶୁକୁ ଏକାଧିକ ସ୍କୁଲରୁ ବାହାର କରାଯାଇଥିବା କଥା ମଧ୍ୟ ଆବେଦନରେ ଉଲ୍ଲେଖ ହୋଇଛି। ମହିଳାଙ୍କ କହିବା ଅନୁସାରେ, ପୋଷ୍ୟ ଭାବେ ଗ୍ରହଣ କରିବାରେ ଶିଶୁର ମାନସିକ ସ୍ଥିତି ସମ୍ପର୍କରେ ପର୍ଯ୍ୟାପ୍ତ ଯାଞ୍ଚ ହୋଇନଥାଇପାରେ।
ଶିଶୁର ବ୍ୟବହାରକୁ ନେଇ ଚିନ୍ତା
ପୋଷ୍ୟ ଭାବେ ନେବାର ପ୍ରାୟ ୩ ବର୍ଷ ପରେ ମହିଳାଙ୍କ ସ୍ୱାମୀଙ୍କ ମୃତ୍ୟୁ ହୋଇଥିଲା। ଏହାପରେ ସେ ବୃଦ୍ଧା ମା’ ଓ ଭଉଣୀଙ୍କ ସହ ରହି ଶିଶୁର ଦେଖାଶୁଣା କରୁଛନ୍ତି। ତିନିଜଣ ମହିଳା ମିଶି ଶିଶୁର ଯତ୍ନ ନେଉଥିବାରୁ ତାହାର ଆକ୍ରମଣାତ୍ମକ ବ୍ୟବହାରକୁ ନେଇ ସେମାନେ ସୁରକ୍ଷା ଚିନ୍ତାରେ ଥିବା ମହିଳା କୋର୍ଟକୁ ଜଣାଇଛନ୍ତି। ମହିଳା ଚାହୁଁଛନ୍ତି ଯେ ଶିଶୁକୁ କୌଣସି ସରକାରୀ କିମ୍ବା ବେସରକାରୀ ସଂସ୍ଥା କିମ୍ବା ସିଏଆରଏର ଦେଖାଶୁଣାରେ ଦିଆଯାଉ, ଯାହାଦ୍ୱାରା ତାହାର ଆବଶ୍ୟକ ଚିକିତ୍ସା ଓ ପୁନର୍ବାସନ ହୋଇପାରିବ।
ଶିଶୁର ଚିକିତ୍ସା ଖର୍ଚ୍ଚ ନିଜ ସାମର୍ଥ୍ୟ ଅନୁଯାୟୀ ବହନ କରିବାକୁ ସେ ପ୍ରସ୍ତୁତ ବୋଲି ମଧ୍ୟ ଆବେଦନରେ କହିଛନ୍ତି। ଏହି ମାମଲାରେ ଜଷ୍ଟିସ୍ ସ୍ୱର୍ଣ୍ଣ କାନ୍ତା ଶର୍ମା, କେନ୍ଦ୍ର ସରକାର, ସିଏଆରଏ ଓ ସମ୍ପୃକ୍ତ ଶିଶୁ କଲ୍ୟାଣ କର୍ତ୍ତୃପକ୍ଷଙ୍କଠାରୁ ଜବାବ ମାଗିଛନ୍ତି। କୋର୍ଟ କହିଛନ୍ତି ଯେ ଆଇନଗତ ଭାବେ ଜିମ୍ମାର ପ୍ରକ୍ରିୟା ସମ୍ପୂର୍ଣ୍ଣ ହେବା ପରେ ଶିଶୁକୁ ଫେରାଇବା ସମ୍ପର୍କରେ ସ୍ପଷ୍ଟ ନିୟମ କିମ୍ବା ନିର୍ଦ୍ଦେଶନାମା ନେଇ ଉଦାହରଣ କମ୍ ରହିଛି। ଲାଜପତ ନଗରସ୍ଥିତ କସ୍ତୁରବା ନିକେତନର ଚାଇଲ୍ଡ ୱେଲଫେୟାର କମିଟିକୁ ମଧ୍ୟ ନୋଟିସ୍ ଦିଆଯାଇଛି ଏବଂ ୩୦ ସେପ୍ଟେମ୍ବର ମଧ୍ୟରେ ଜବାବ ଦେବାକୁ କୁହାଯାଇଛି। ଏହାପରେ କୋର୍ଟ ମାମଲାରେ ପରବର୍ତ୍ତୀ ନିଷ୍ପତ୍ତି ନେବ।

1 day ago
1

