Harassment case: ଟିଭିକେ ବିଧାୟକଙ୍କ ବିରୋଧରେ ତଦନ୍ତ ହେବ: ମନ୍ତ୍ରୀ

2 days ago 3
ARTICLE AD BOX

ଚେନ୍ନାଇ: ତାମିଲନାଡୁର କଲ୍ଲାକୁରିଚି ଜିଲ୍ଲାର ମହିଳା ଜିଲ୍ଲାପାଳ ଜେ.ଇ. ପଦ୍ମଜାଙ୍କୁ ଶାସକ ତାମିଲଗା ଭେଟ୍ରି କଝଗମ୍‌ (ଟିଭିକେ)ର ବିଧାୟକ ଅରୁଲ ବିଗ୍ନେଶ ହଇରାଣ କରିଥିବା ଅଭିଯୋଗକୁ ନେଇ ତାମିଲନାଡୁ ରାଜନୀତିରେ ଚର୍ଚ୍ଚା ଜୋର୍‌ ଧରିଛି। ଏହି ଘଟଣାରେ ରାଜ୍ୟ ସରକାର ନିରପେକ୍ଷ ତଦନ୍ତ କରିବେ ବୋଲି ମଙ୍ଗଳବାର ରାଜ୍ୟର ସ୍କୁଲ୍‌ ଶିକ୍ଷାମନ୍ତ୍ରୀ ଏ. ରାଜମୋହନ ପ୍ରତିଶ୍ରୁତି ଦେଇଛନ୍ତି। ଅଭିଯୋଗ ପ୍ରମାଣିତ ହେଲେ ଦୋଷୀଙ୍କ ବିରୋଧରେ କଠୋର ଆଇନଗତ କାର୍ଯ୍ୟାନୁଷ୍ଠାନ ହେବ ବୋଲି ସେ କହିଛନ୍ତି।

ସୋସିଆଲ ମିଡିଆରେ ପ୍ରସାରିତ ଖବର ଅନୁଯାୟୀ, କଲ୍ଲାକୁରିଚି ବିଧାନସଭା ଆସନର ବିଧାୟକ ଅରୁଲ ବିଗ୍ନେଶ ଜିଲ୍ଲାପାଳ ପଦ୍ମଜାଙ୍କୁ ଅଶାଳୀନ ବାର୍ତ୍ତା ପଠାଇଥିଲେ। ଏପରିକି ମଦ୍ୟପାନ କରି ତାଙ୍କ ବାସଭବନକୁ ଯାଇ ହଇରାଣ କରିଥିବା ମଧ୍ୟ ଅଭିଯୋଗ ହୋଇଛି। ଏହି ଘଟଣା ପରେ ଜିଲ୍ଲାପାଳଙ୍କ ସୁରକ୍ଷା ପାଇଁ ଜଣେ ସ୍ବତନ୍ତ୍ର ସୁରକ୍ଷା ଅଧିକାରୀ ନିଯୁକ୍ତ ହୋଇଥିବା ନେଇ ମଧ୍ୟ ଖବର ପ୍ରକାଶ ପାଇଛି।

ସାମ୍ବାଦିକମାନଙ୍କୁ ମନ୍ତ୍ରୀ ରାଜମୋହନ କହିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟଙ୍କ ସରକାରରେ ମହିଳାଙ୍କୁ ହଇରାଣ ଓ ନିର୍ଯାତନା ଭଳି ଅଭିଯୋଗକୁ ଆଦୌ ବରଦାସ୍ତ କରାଯିବ ନାହିଁ। ଅଭିଯୁକ୍ତଙ୍କ ରାଜନୈତିକ ପରିଚୟ ବା ପଦପଦବିକୁ ବିଚାରକୁ ନ ନେଇ ତଦନ୍ତ ହେବ। ତେବେ ପୀଡ଼ିତାଙ୍କ ପକ୍ଷରୁ ଆନୁଷ୍ଠାନିକ ଅଭିଯୋଗ ମିଳିବା ପରେ ହିଁ ତଦନ୍ତ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସେ ସ୍ପଷ୍ଟ କରିଛନ୍ତି।

TVK, DMK: ସିଇସିଙ୍କ ଇସ୍ତଫା ଦାବିରେ ତାମିଲନାଡ଼ୁରେ ଇସିଆଇ ବୈଠକ ବର୍ଜନ କଲେ ଡିଏମ୍‌କେ, ଟିଭିକେ ଓ ମେଣ୍ଟ ଦଳ

ଅନ୍ୟପକ୍ଷରେ ଅରୁଲ ବିଗ୍ନେଶ ତାଙ୍କ ବିରୋଧରେ ହୋଇଥିବା ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି। ଏହା ଡିଏମ୍‌କେର ଆଇଟି ୱିଙ୍ଗ୍‌ ପକ୍ଷରୁ ତାଙ୍କୁ ଓ ତାଙ୍କ ଦଳକୁ ବଦନାମ କରିବା ପାଇଁ ଏକ ମିଥ୍ୟା ପ୍ରଚାର ବୋଲି ସେ ଅଭିଯୋଗ କରିଛନ୍ତି। ସରକାରୀ ଅଧିକାରୀଙ୍କ ପ୍ରତି ତାଙ୍କର ଯଥେଷ୍ଟ ସମ୍ମାନ ରହିଛି ଏବଂ ସେ କୌଣସି ଭୁଲ୍‌ କରିନାହାନ୍ତି ବୋଲି ବିଧାୟକ କହିଛନ୍ତି। ଏହି ଘଟଣାକୁ ନେଇ ଡିଏମ୍‌କେ ସାଂସଦ କାନିମୋଝି ସରକାରଙ୍କୁ ସମାଲୋଚନା କରିଛନ୍ତି। ବିଧାୟକଙ୍କ ବିରୋଧରେ ଉଠିଥିବା ଅଭିଯୋଗ ଉପରେ ମୁଖ୍ୟମନ୍ତ୍ରୀ ବିଜୟଙ୍କ ନିରବତାକୁ ସେ ପ୍ରଶ୍ନ କରିଛନ୍ତି। କଂଗ୍ରେସ ସାଂସଦ ଜୋଥିମଣି ମଧ୍ୟ ଅଭିଯୋଗ ସତ ପ୍ରମାଣିତ ହେଲେ କଠୋର କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି। ସେହିପରି ଏଆଇଏଡିଏମ୍‌କେ ମୁଖ୍ୟ ଇଡାପାଡି କେ. ପଲାନିସ୍ବାମୀ ବିଧାୟକଙ୍କ ବିରୋଧରେ ମାମଲା ରୁଜୁ କରି ଗିରଫ କରିବା ସହ ରାଜନୈତିକ ହସ୍ତକ୍ଷେପ ବିନା ତଦନ୍ତ କରିବାକୁ ଦାବି କରିଛନ୍ତି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.