Group clash in Nuagaon: ନୂଆଗାଁରେ ଗୋଷ୍ଠୀ ସଂଘର୍ଷ, ଜଣେ ମୃତ: ୩୫ରୁ ଅଧିକ ଆହତ

26 minutes ago 1
ARTICLE AD BOX

ନୂଆଗାଁ: ନୟାଗଡ଼ ଜିଲ୍ଲା ନୂଆଗାଁ ଥାନା ଅଧୀନ ଗାତେରୀ ପଞ୍ଚାୟତର ଆଡ଼ିପଡ଼ା ଗାଁ ଆଜି ରାତି ପ୍ରାୟ ୧୦ଟା୩୦ରେ ଯୁଦ୍ଧକ୍ଷେତ୍ର ପାଲଟିଥିଲା। ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହୋଇ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୫ରୁ ଅଧିକ ଆହତ ହୋଇଛନ୍ତି। ମୃତକ ହେଲେ ଆଡ଼ିପଡ଼ା ଗାଁର ମନୁ ବାରିକ (୫୦)। ସମସ୍ତ ଆହତଙ୍କୁ ପ୍ରଥମେ ମହିପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିବା ବେଳେ ସଙ୍କଟାପନ୍ନ ଅବସ୍ଥାରେ ୧୧ ଜଣଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଗାଁରେ ପ୍ରବଳ ଉତ୍ତେଜନା ଲାଗି ରହିଛି। ବରିଷ୍ଠ ପୁଲିସ ଅଧିକାରୀମାନେ ସେଠାରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ଜୋର୍‌ଦାର ପ୍ରୟାସ ଚଳାଇଛନ୍ତି।

ମିଳିଥିବା ସୂଚନା ମୁତାବକ, ଆଜି ଗାଁରେ ଜଣେ ବ୍ୟକ୍ତିଙ୍କର ଶୁଦ୍ଧିକ୍ରିୟା ଭୋଜି ଥିଲା। ରୋଷେଇ ସହ ଅନ୍ୟାନ୍ୟ କାମ ପାଇଁ ସେ କିଛି ବଡ଼ ଡ୍ରମ୍‌ରେ ପାଣି ଭର୍ତ୍ତି କରି ରଖିଥିଲେ। ଏହି ସମୟରେ ଗାଁର ଆଉ ଏକ ଗୋଷ୍ଠୀର କିଛି ଯୁବକ ସେଠାରେ ପରିସ୍ରା କରୁଥିଲେ। ଏହା ଦେଖିବା ପରେ ଉକ୍ତ ବ୍ୟକ୍ତି ଜଣଙ୍କ ବିରୋଧ କରିଥିଲେ। ଫଳରେ ଏହାକୁ ‌ନେଇ ଉଭୟଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇ ଘଟଣା ଉଗ୍ରରୂପ ନେଇଥିଲା। ସଙ୍ଗେ ସଙ୍ଗେ ଟେକା, ପଥର ଓ ବାଲି ମାଡ଼ ହୋଇଥିଲା। ସେଠାରେ ଉପସ୍ଥିତ ଥିବା ମନୁ ସମସ୍ତଙ୍କୁ ବୁଝାସୁଝା କରୁଥିବା ବେଳେ ଗଣ୍ଡଗୋଳ ନ କରିବା ପାଇଁ କହିଥିଲେ।

ଏହି ସମୟରେ ଜଣେ ଯୁବକ ଛୁରିରେ ମନୁଙ୍କ ପେଟକୁ ଭୁସି ଦେଇଥିଲା। ଘଟଣାସ୍ଥଳରେ ହିଁ ସେ ଟଳି ପଡ଼ିଥିଲେ। ଏହା ଦେଖିବା ପରେ ଗୋଟିଏ ଗୋଷ୍ଠୀ ସମ୍ପୂର୍ଣ୍ଣ ରକ୍ତମୁଖା ହୋଇପଡ଼ିଥିଲେ। କିଛି ସମୟ ମଧ୍ୟରେ ଗାଁ ରଣକ୍ଷେତ୍ର ପାଲଟିଥିଲା। ହାତରେ ମାରଣାସ୍ତ୍ର ଧରି ଯିଏ ଯାହାକୁ ପାଇଲା, ଆକ୍ରମଣ କରିଥିଲା। କିଛି ସମୟ ମଧ୍ୟରେ ଗାଁରେ ଭିନ୍ନ ଏକ ପରିବେଶ ସୃଷ୍ଟି ହୋଇଥିଲା। ଖବର ପାଇ ମହିପୁର ଫାଣ୍ଡି, ନୂଆଗାଁ ଥାନା ପୁଲିସ ଓ ନୟାଗଡ଼ରୁ ବରିଷ୍ଠ ଅଧିକାରୀମାନେ ଗାଁରେ ପହଞ୍ଚି ଲୋକମାନଙ୍କୁ ବୁଝାସୁଝା କରୁଛନ୍ତି। କାର୍ତ୍ତିକ ପୂର୍ଣ୍ଣିମା ପାଇଁ ବର୍ତ୍ତମାନ ଗାଁରେ ଡ୍ରାମା ଚାଲିଛି। ଯେଉଁ ସ୍ଥାନରେ ଶୁଦ୍ଧକ୍ରିୟା କାର୍ଯ୍ୟ କରାଯାଉଛି, ସେହି ସ୍ଥାନକୁ ଡ୍ରାମା କରୁଥିବା ଗୋଟିଏ ଗୋଷ୍ଠୀର ଯୁବକମାନେ ବ୍ୟବହାର କରିବାକୁ ‌ଯୋଜନା କରିଥିଲେ। ଫଳରେ ଏହାକୁ ନେଇ ଉଭୟ ଗୋଷ୍ଠୀ ମଧ୍ୟରେ କିଛିଦିନ ହେଲା ଛକାପଞ୍ଝା ଲାଗି ରହିଥିଲା। ଯାହା ଆଜି ଉଗ୍ରରୂପ ନେଇଛି। ବର୍ତ୍ତମାନ ସୁଦ୍ଧା ଏହି ମାମଲାରେ ପୁଲିସ କାହାକୁ ଅଟକ ରଖି ନଥିବା ଜଣାପଡ଼ିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.