ARTICLE AD BOX
ରାଉରକେଲା (ଦେବବ୍ରତ ଗଡ଼ତିଆ): ଓଡ଼ିଶାର ଏକ ପ୍ରମୁଖ ଶିଳ୍ପ ଏବଂ ଅର୍ଥନୈତିକ କେନ୍ଦ୍ର ଭାବେ ରାଉରକେଲା ସହରର କଳେବର ଦ୍ରୁତ ଗତିରେ ବୃଦ୍ଧି ପାଉଛି। କ୍ରମବର୍ଦ୍ଧିତ ଜନସଂଖ୍ୟା ସହ ଯାନବାହନ ସଂଖ୍ୟା ଯୋଗୁ ସହରର ଆଭ୍ୟନ୍ତରୀଣ ରାସ୍ତାଗୁଡ଼ିକରେ ପ୍ରବଳ ଟ୍ରାଫିକ ସମସ୍ୟା ଦେଖାଦେବା ସହ ବାଣିଜ୍ୟିକ ପରିବହନରେ ବାଧା ସୃଷ୍ଟି ହେଉଛି। ଏହି ସମସ୍ୟାର ସ୍ଥାୟୀ ସମାଧାନ ଓ ସହରର ବ୍ୟାପକ ସମ୍ପ୍ରସାରଣ ପାଇଁ ଆଉଟର୍ ରିଂ ରୋଡ୍ ସହ ବୃହତ୍ ରାଉରକେଲା ଗଠନ ଏକମାତ୍ର ବିକଳ୍ପ ପାଲଟିଛି। ସହର ଭିତରୁ ଭାରୀ ତଥା ବାଣିଜ୍ୟିକ ଯାନବାହନର ଗତିପଥ ବଦଳାଇବା, ପ୍ରଦୂଷଣ କମାଇବା ତଥା ଆଖପାଖର ନୂତନ ଉପକଣ୍ଠ ଅଞ୍ଚଳଗୁଡ଼ିକର ସନ୍ତୁଳିତ ବିକାଶ ପାଇଁ ଏହି ଭିତ୍ତିଭୂମି ପ୍ରକଳ୍ପ ଅତ୍ୟନ୍ତ ଜରୁରୀ ହୋଇପଡ଼ିଛି। ସମ୍ଭବତଃ, ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ଏହି ବୃହତ ପ୍ରକଳ୍ପର ପ୍ରାରମ୍ଭିକ ଯୋଜନା ପ୍ରସ୍ତୁତ କରିଛନ୍ତି।
ଆଗାମୀ ତିନିଟି ଆର୍ଥିକ ବର୍ଷ ମଧ୍ୟରେ ଏହି ଆଉଟର ରିଂ ରୋଡ୍ ପ୍ରକଳ୍ପକୁ କାର୍ଯ୍ୟକାରୀ କରିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ଲୁପ୍ରିଣ୍ଟ୍ ପ୍ରସ୍ତୁତ କରାଯାଇଛି। ସର୍ବନିମ୍ନ ଜମି ଅଧିଗ୍ରହଣ ଓ ସର୍ବାଧିକ ଉପକାରିତାକୁ ଆଖିରେ ରଖି ବୈଷୟିକ ଦଳ ଦ୍ୱାରା ୩ଟି ବିକଳ୍ପ ଉପଯୁକ୍ତ ରାସ୍ତାର ନକ୍ସା ମଧ୍ୟ ପ୍ରସ୍ତୁତ କରାଯାଇସାରିଲାଣି। ପ୍ରଥମ ନକ୍ସାର ପରିସୀମା ୧୫୫ କିଲୋମିଟର ବିଶିଷ୍ଟ ହେବାକୁ ଥିବାବେଳେ ଏହା ଲାଠିକଟା-ରାଜଗାଙ୍ଗପୁର- ରାଏବଗା- ବୀରମିତ୍ରପୁର- ହାତିବାରୀ-ନୂଆଗାଁ ଦେଇ ଲାଠିକଟାରେ ମିଶିବ। ଦ୍ବିତୀୟ ନକ୍ସାରେ, ରିଂ ରୋଡ୍ର ପରିଧି ୧୧୭ କିଲୋମିଟର ବିଶିଷ୍ଟ ହେବ, ଯାହା ଫର୍ଟିଲାଇଜର-ଲାଠିକଟା ମଝିରୁ କାଂଶବାହାଲ, ବୀରମିତ୍ରପୁର-କୁଆରମୁଣ୍ଡା ମଝି ଦେଇ ହାତିବାରୀ-ନୂଆଗାଁ-ବିଶ୍ରା ପୂର୍ବରୁ ବାହାରିବ।
Railway Station: ରାଉରକେଲା ରେଳ ଷ୍ଟେସନରେ କାଉଡ଼ିଆଙ୍କ ହଙ୍ଗାମା, ଦେଢ଼ ଘଣ୍ଟା ପରେ ସମାଧାନ
ସେହିଭଳି ତୃତୀୟ ନକ୍ସା ମୋଟ୍ ୧୫୫ କିଲୋମିଟର ବିଶିଷ୍ଟ ହେବ। ଏହି ପ୍ରସ୍ତାବିତ ରିଂ ରୋଡ୍ ଭିତରେ ଲାଠିକଟା-ରାଜଗାଙ୍ଗପୁର-ଝାରବେଡ଼ା, ରାଏବଗା-ବୀରମିତ୍ରପୁର-ହାତିବାରୀ-ନୂଆଗାଁ-ମକରଣ୍ଡା-ବିଶ୍ରା ଆଦି ଅଞ୍ଚଳ ରହିବ। ଏହି ପ୍ରକଳ୍ପ ବର୍ତ୍ତମାନ ଗୁରୁତ୍ୱପୂର୍ଣ୍ଣ ସମୀକ୍ଷା ପର୍ଯ୍ୟାୟରେ ପହଞ୍ଚିଛି। ଗ୍ରାମ୍ୟରାସ୍ତା ଓ କୋଠାବାଡ଼ି ବିଭାଗ, ରାଉରକେଲାର ଅଧୀକ୍ଷକ ଯନ୍ତ୍ରୀ ଜିଲ୍ଲା ପ୍ରଶାସନ ସହିତ ମିଳିତ ଭାବେ ଏହି ୩ଟି ଯାକ ପ୍ରସ୍ତାବିତ ରିଂ ରୋଡ୍ରର ନକ୍ସା, ଜମିର ଉପଲବ୍ଧତା ଓ ବ୍ୟୟ ଅଟକଳ ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିବେ। ଜିଲ୍ଲା ପ୍ରଶାସନ ସହ ପରାମର୍ଶ ପରେ ସବୁଠାରୁ ଉପଯୁକ୍ତ ନକ୍ସାଟିକୁ ଚୂଡ଼ାନ୍ତ କରି ଆର୍ଥିକ ଓ ବୈଷୟିକ ମଞ୍ଜୁରୀ ପାଇଁ ରାଜ୍ୟ ଉଚ୍ଚ କର୍ତ୍ତୃପକ୍ଷଙ୍କ ନିକଟକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ଏହି ପ୍ରକଳ୍ପକୁ ପ୍ରାଥମିକତା ଦେଇ ରାଉରକେଲାକୁ ଏକ ଆଧୁନିକ ତଥା ସୁବ୍ୟବସ୍ଥିତ ସ୍ମାର୍ଟ ସିଟିରେ ପରିଣତ କରିବାକୁ, ରାଜ୍ୟ ସରକାର ତ୍ବରିତ ପଦକ୍ଷେପ ନେବାକୁ ଦାବି ହୋଇଛି।

2 hours ago
1


