ARTICLE AD BOX
ଜୟପୁର: ସରକାରୀ ଜମି ଜବରଦଖଲକୁ କେନ୍ଦ୍ର କରି ଜୟପୁର ସଦର ଥାନା ଅନ୍ତର୍ଗତ ନନ୍ଦଗୁଡା ଗ୍ରାମରେ ଉତ୍ତେଜନା ପ୍ରକାଶ ପାଇଛି। ସରକାରୀ ଜମି ଜବରଦଖଲ ଉଦ୍ୟମକୁ ବିରୋଧ କରିବାରୁ ଜଣେ ବ୍ୟକ୍ତି ପୁରୁଷୋତ୍ତମ ନନ୍ଦ ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଜୀବନରୁ ମାରିଦେବାକୁ ଧମକ ଦେଇଥିବା ନେଇ ସଦର ଥାନାରେ ଅଭିଯୋଗ ହୋଇଛି। ଘଟଣାକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ଭୟ ଓ ଅସନ୍ତୋଷ ପ୍ରକାଶ ପାଇଛି।
ସୂଚନା ଅନୁଯାୟୀ, ଗତ ଅଗଷ୍ଟ ୩୦ ତାରିଖରେ ନନ୍ଦଗୁଡା ଗ୍ରାମରେ ଥିବା ଏକ ସରକାରୀଜମିକୁ ପୁରୁଷୋତ୍ତମ ନନ୍ଦ ନାମକ ବ୍ୟକ୍ତି ଜବରଦଖଲ କରିବାକୁ ଉଦ୍ୟମ କରୁଥିବା ଗ୍ରାମବାସୀ ଦେଖି ବିରୋଧ କରିଥିଲେ। ଏଥିରେ ଉତ୍କ୍ଷିପ୍ତ ହୋଇ ସମ୍ପୃକ୍ତ ବ୍ୟକ୍ତି ଗ୍ରାମବାସୀଙ୍କୁ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରିବା ସହ ଗ୍ରାମବାସୀଙ୍କୁ ଗୁଣ୍ଡା ଲଗାଇ ଜୀବନରୁ ମାରିଦେବା ନେଇ ଧମକ ଦେଇଥିବା ନେଇ ଅଭିଯୋଗପତ୍ରରେ ଦର୍ଶାଯାଇଛି। ଘଟଣା ପରେ ଗ୍ରାମବାସୀ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ପ୍ରଶାସନର ହସ୍ତକ୍ଷେପ ଲୋଡ଼ିଛନ୍ତି।
ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି
ଅଗଷ୍ଟ ୩୧ ତାରିଖରେ ନନ୍ଦଗୁଡା ଗ୍ରାମବାସୀ ଜୟପୁର ଉପଜିଲ୍ଲାପାଳ ଓ ତହସିଲଦାରଙ୍କ ନିକଟରେ ପହଞ୍ଚି ଘଟଣା ସମ୍ପର୍କରେ ଅବଗତ କରାଇଥିଲେ। ପରେ ମଙ୍ଗଳବାର ସଦର ଥାନାର ଅଧିକାରୀଙ୍କୁ ଅଭିଯୋଗପତ୍ର ପ୍ରଦାନ କରିବା ସହ ଘଟଣାର ତୁରନ୍ତ ତଦନ୍ତ କରି ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ଦାବିପତ୍ର ଦେବା ସମୟରେ ଗ୍ରାମର କୁଶ ମୁଦୁଲି, ରଘୁନାଥ ମୁଦୁଲି, ବଳଭଦ୍ର ଜାନୀ, ଭଗବାନ ମୁଦୁଲିଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ।

1 hour ago
1


