Goat Theft: ବୈଶିଙ୍ଗାରେ ଛେଳି ଚୋର ଗ୍ୟାଙ୍ଗ ସକ୍ରିୟ, ଦୁଇ ଗାଁରୁ ୧୫ରୁ ଅଧିକ ଛେଳି ଚୋରି ଅଭିଯୋଗ

1 hour ago 1
ARTICLE AD BOX

ବୈଶିଙ୍ଗା(ଦୀପକ କୁମାର ସିଂହ): ବୈଶିଙ୍ଗା ଥାନା ଅଞ୍ଚଳରେ ମାତିଛନ୍ତି ଛେଳି ଚୋରଗ୍ୟାଙ୍ଗ! ଦାମୀ ଗାଡ଼ିରେ ଆସୁଛନ୍ତି, ରାତିର ଅନ୍ଧାରରେ ଗରିବ ଲୋକଙ୍କ ଗୁହାଳକୁ ଟାର୍ଗେଟ କରୁଛନ୍ତି ଏବଂ ପଲପଲ ଛେଳି ଚୋରି କରି ଚମ୍ପଟ ମାରୁଛନ୍ତି। ଅଳ୍ପ କିଛି ଦିନର ବ୍ୟବଧାନରେ ୫ରୁ ଊର୍ଦ୍ଧ୍ୱ ସ୍ଥାନରୁ ଛେଳି ଚୋରି ଅଭିଯୋଗ ଆସିବା ଘଟଣା ଏବେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳାଇ ଦେଇଛି। ଶନିବାର ବିଳମ୍ବିତ ରାତିରେ ଦୁଇଟି ଗାଁରୁ ୧୫ରୁ ଅଧିକ ଛେଳି ଚୋରି ହୋଇଥିବା ଅଭିଯୋଗ ପରେ ଚୋରଙ୍କ ଦୌରାତ୍ମ୍ୟ ଓ ପୁଲିସର ଅପରାଧ ନିୟନ୍ତ୍ରଣ ବ୍ୟବସ୍ଥାକୁ ନେଇ ଉଠିଛି ବଡ଼ ପ୍ରଶ୍ନ। ଗରିବଙ୍କ ଜୀବିକା ଲୁଟୁଥିବା ଏହି ଦୁର୍ବୃତ୍ତଙ୍କୁ ଧରିବ କିଏ? କେବେ ଭାଙ୍ଗିବ ପୁଲିସର ନିଦ?

ଗାଁ ମୁଣ୍ଡରୁ ୧୨ରୁ ଊର୍ଦ୍ଧ୍ୱ ଛେଳି ଗାଏବ

ସୂଚନା ଅନୁଯାୟୀ, ମୟୂରଭଞ୍ଜଜିଲ୍ଲା ବୈଶିଙ୍ଗା ଥାନା ଅଧୀନ ମାନଗୋବିନ୍ଦପୁର ଗ୍ରାମର ଗାଁ ମୁଣ୍ଡରେ ରହୁଥିବା ରବୀନ୍ଦ୍ର ପରିଡ଼ାଙ୍କ ଘରେ ଶନିବାର ରାତିରେ ସମସ୍ତେ ଶୋଇଥିବା ସମୟରେ ପ୍ରାୟ ରାତି ୨ଟାରେ ଏକ ବୋଲେରୋ ଗାଡ଼ିରେ ଆସି ଦୁର୍ବୃତ୍ତମାନେ ତାଙ୍କ ଗୁହାଳରୁ ୧୨ରୁ ଊର୍ଦ୍ଧ୍ୱ ଛେଳି ଚୋରି କରି ନେଇଥିବା ଅଭିଯୋଗ ହୋଇଛି।

ସକାଳେ ରବୀନ୍ଦ୍ର ଉଠି ଗୁହାଳରେ ଛେଳି ନଥିବା ଦେଖିବା ପରେ ହତବାକ୍ ହୋଇଯାଇଥିଲେ। ଘର ସମ୍ମୁଖରେ ବୋଲେରୋ ଚକର ଚିହ୍ନ ଦେଖିବା ପରେ ଚୋରି ହୋଇଥିବା ସନ୍ଦେହ ଦୃଢ଼ୀଭୂତ ହୋଇଥିଲା। ଏନେଇ ସେ ସ୍ଥାନୀୟ ମାଣତ୍ରୀ ଫାଣ୍ଡିକୁ ଖବର ଦେଇଥିଲେ।
ଖବର ପାଇ ଏଏସଆଇ ଲମ୍ବୋଦର ବାରିକ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଅଞ୍ଚଳର ସିସିଟିଭି ଫୁଟେଜ୍ ଯାଞ୍ଚ କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି।

ସମାନ ରାତି, ସମାନ ଶୈଳୀ; ଦ୍ୱିତୀୟ ଗାଁରେ ବି ଚୋରି

ଅନୁରୂପ ଭାବେ ପାଟୁଳିପୁରା ଗ୍ରାମର ଲକ୍ଷ୍ମଣ ଜେନାଙ୍କ ଘରୁ ମଧ୍ୟ ସମାନ ସମୟରେ ୫ରୁ ଊର୍ଦ୍ଧ୍ୱ ଛେଳି ଚୋରି ହୋଇଥିବା ଅଭିଯୋଗ ହୋଇଛି। ଦୁଇଟି ଗାଁରେ ଚୋରିର ସମୟ ଓ ଶୈଳୀ ପ୍ରାୟ ସମାନ ଥିବାରୁ ଏହା ପଛରେ ଗୋଟିଏ ସଂଗଠିତ ଗ୍ୟାଙ୍ଗର ହାତ ଥାଇପାରେ ବୋଲି ସନ୍ଦେହ କରାଯାଉଛି। ତେବେ ଏହାର ସତ୍ୟତା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

ଗରିବଙ୍କ ରୋଜଗାର ଲୁଟ୍, ଚୋରଙ୍କ ଟେର୍ ପାଉନି କିଏ?

ଛେଳି ପାଳନ ଅନେକ ଗରିବ ପରିବାରର ଜୀବିକାର ଏକ ପ୍ରମୁଖ ଆଧାର। ଦିନରାତି ପରିଶ୍ରମ କରି ଛେଳି ପାଳୁଥିବା ଚାଷୀଙ୍କ ପାଇଁ ଗୋଟିଏ ରାତିରେ ଏତେ ସଂଖ୍ୟକ ଛେଳି ଚୋରି ହୋଇଯିବା ଏକ ବଡ଼ ଆର୍ଥିକ ଆଘାତ। ଏହା କେବଳ ଛେଳି ଚୋରି ନୁହେଁ, ଗରିବ ପରିବାରର ରୋଜଗାର ଉପରେ ସିଧାସଳଖ ପ୍ରହାର।
ପ୍ରଶ୍ନ ଉଠୁଛି, ଯଦି ଅଳ୍ପ କିଛି ଦିନ ମଧ୍ୟରେ ଏକାଧିକ ସ୍ଥାନରୁ ଛେଳି ଚୋରି ହେଉଛି, ତେବେ ଏହି ଘଟଣାଗୁଡ଼ିକୁ ନେଇ ପୁଲିସର ତଦନ୍ତ କେତେ ଆଗେଇଛି? ରାତି ଅଧରେ ଗାଡ଼ି ନେଇ ଗାଁ ଭିତରକୁ ପଶି ଛେଳି ଚୋରି କରିବାକୁ ଦୁର୍ବୃତ୍ତମାନେ କିପରି ସାହସ କରୁଛନ୍ତି? ରାତ୍ରିକାଳୀନ ପାଟ୍ରୋଲିଂକୁ ଆହୁରି କଡ଼ାକଡ଼ି କରିବାର ଆବଶ୍ୟକତା ନାହିଁ କି?

ପୁଲିସ ପାଇଁ ଖୋଲା ଆହ୍ୱାନ: ଗ୍ୟାଙ୍ଗକୁ ଧର, ଚାଷୀଙ୍କୁ ନ୍ୟାୟ ଦିଅ

ବୈଶିଙ୍ଗା ଥାନା ଅଞ୍ଚଳରେ ବାରମ୍ବାର ଛେଳି ଚୋରି ଅଭିଯୋଗ ପୁଲିସ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ। ଏହି ଘଟଣାଗୁଡ଼ିକୁ ଅଲଗା ଅଲଗା ମାମଲା ଭାବେ ନ ଦେଖି, ଚୋରିର ଶୈଳୀ ଓ ସମୟକୁ ଆଧାର କରି ସମ୍ଭାବ୍ୟ ସମ୍ପର୍କର ତଦନ୍ତ କରିବା ଜରୁରୀ। ସିସିଟିଭି ଫୁଟେଜ୍, ଗାଡ଼ିର ଚିହ୍ନ ଏବଂ ଅନ୍ୟାନ୍ୟ ସୁରାକ୍ ଆଧାରରେ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବା ସହ ଚୋରି ହୋଇଥିବା ଛେଳି ଉଦ୍ଧାର ପାଇଁ ତ୍ୱରିତ ପଦକ୍ଷେପ ନେବା ଆବଶ୍ୟକ।
ଅଞ୍ଚଳବାସୀଙ୍କ ଦାବି, ପୁଲିସ ରାତ୍ରିକାଳୀନ ପାଟ୍ରୋଲିଂ ବଢ଼ାଇବା ସହ ସନ୍ଦେହଜନକ ଗାଡ଼ି ଉପରେ ନଜର ରଖୁ। ଗରିବ ଛେଳି ଚାଷୀଙ୍କ ଅଭିଯୋଗକୁ ଗୁରୁତ୍ୱ ଦେଇ ଚୋରି ଗ୍ୟାଙ୍ଗକୁ ଚିହ୍ନଟ କରିବା ଦିଗରେ ଦୃଢ଼ ପଦକ୍ଷେପ ନିଆଯାଉ।
ଏବେ ସବୁଠାରୁ ବଡ଼ ପ୍ରଶ୍ନ—ବୈଶିଙ୍ଗା ପୁଲିସ କେବେ ଏହି ଛେଳି ଚୋରି ଘଟଣାର ପର୍ଦ୍ଦାଫାସ କରିବ? କେବେ ଫେରିବ ଗରିବ ଛେଳି ଚାଷୀଙ୍କ ମନରେ ସୁରକ୍ଷାର ଭରସା? ନା ଏମିତି ଚୋରି ପରେ ଚୋରି ଚାଲିଥିବ ଏବଂ ଅସହାୟ ଚାଷୀ ନିଜ କ୍ଷତିକୁ ନିଜେ ସହି ଚାଲିଥିବେ?

High Court Judgement: ‘ଲିଭ୍‌-ଇନ୍‌’ରେ ଥିବା ଯୁବକ-ଯୁବତୀଙ୍କ ଆବେଦନ ଓଡ଼ିଶା ହାଇକୋର୍ଟରେ ଖାରଜ

Read Entire Article
LEFT SIDEBAR AD

Hidden in mobile, Best for skyscrapers.