ARTICLE AD BOX
ନୂଆଦିଲ୍ଲୀ: ସମୁଦ୍ର ମନ୍ଥନ ଅଭିଯାନ ଅଧୀନରେ ନିକଟରେ ମହାନଦୀ ଅବବାହିକାରେ ଗଭୀର ସମୁଦ୍ରରେ ଗ୍ୟାସ୍ ସନ୍ଧାନ କରାଯାଇଥିଲା। ସେହି ଅଞ୍ଚଳରୁ ଗ୍ୟାସ୍ର ବାଣିଜ୍ୟିକ ଉତ୍ତୋଳନ ପାଇଁ ଉଦ୍ୟମ ଆରମ୍ଭ କରାଯାଇଛି। ରାଷ୍ଟ୍ରାୟତ୍ତ ଉଦ୍ୟୋଗ ଓଏନ୍ଜିସି, ଘରୋଇ ଉଦ୍ୟୋଗ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଓ ବିପି ମିଳିତ ଭାବେ ଏହି ପ୍ରକଳ୍ପରେ ୧ ବିଲିଅନ ଡଲାର (ପ୍ରାୟ ୯୪୦୦ କୋଟି ଟଙ୍କା) ନିବେଶ କରିବାକୁ ଚାହୁଛନ୍ତି। ବର୍ତ୍ତମାନ ଏହା କେବଳ ପ୍ରସ୍ତାବ ପର୍ଯ୍ୟାୟରେ ରହିଛି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଏହା ଉପରେ ବିଚାର କରୁଛି।
ଗଭୀର ସମୁଦ୍ରରୁ ଗ୍ୟାସ୍କୁ ବାଣିଜ୍ୟିକ ଭାବେ ବାହାର କରିବା ଏକ ଅତ୍ୟନ୍ତ ବ୍ୟୟବହୁଳ ବ୍ୟାପାର। ସେଥିପାଇଁ ଏହି କ୍ଷେତ୍ର ଲାଗି ପୁଞ୍ଜି ବ୍ୟୟ ଯୋଗାଡ଼ କରିବା ମଧ୍ୟ କଷ୍ଟକର। କିଛି ସଂସ୍ଥା ମିଳିତ ଭାବେ ଭିତ୍ତିଭୂମି ବିକାଶରେ ନିବେଶ କଲେ ପରିଚାଳନା ଦକ୍ଷତା ଓ ବ୍ୟାବସାୟିକ ଦୃଷ୍ଟିକୋଣରୁ ଲାଭଦାୟକତାକୁ ନେଇ ରହୁଥିବା ଆଶଙ୍କା ଦୂର ହୋଇପାରିବ। ଏହି ଢାଞ୍ଚାରେ ବହୁ ଛୋଟ ଛୋଟ ଗ୍ୟାସ୍ କ୍ଷେତ୍ରକୁ ବାଣିଜ୍ୟିକ ଦୃଷ୍ଟିକୋଣରୁ ବ୍ୟବହାର ଉପଯୋଗୀ କରିହେବ ବୋଲି ମନ୍ତ୍ରଣାଳୟ ଭାବୁଛି।
ତେବେ ଓଏନ୍ଜିସି, ରିଲାଏନ୍ସ ଓ ବିପି ମିଳିତ ଭାବେ ଯେଉଁ ନିବେଶ କରିବେ, ତାହା କେଉଁ ଭିତ୍ତିଭୂମି ବିକାଶ ଦିଗରେ ଖର୍ଚ୍ଚ ହେବ ତାହା ସ୍ପଷ୍ଟ ହୋଇପାରିନାହିଁ। କିନ୍ତୁ ଆଶା କରାଯାଉଛି ଯେ ସେମାନେ ଉତ୍ପାଦନ, ସଂରକ୍ଷଣ ଓ ଯୋଗାଣରେ ନିବେଶ କରିପାରନ୍ତି। ଯେଉଁ ଧରଣର ଭିତ୍ତିଭୂମି ପ୍ରସ୍ତୁତ କରିବାକୁ ଲକ୍ଷ୍ୟ ରଖାଯାଇଛି, ସେଥିପାଇଁ ଅତିକମ୍ରେ ୩-୪ ବର୍ଷ ସମୟ ଲାଗିବ। ଏହି ପ୍ରକଳ୍ପ ଦ୍ବାରା ମୁଖ୍ୟତଃ ପ୍ରାକୃତିକ ଗ୍ୟାସ୍ ଉତ୍ପାଦନ କରାଯିବ। ମିଳିତ ଉଦ୍ୟମରେ ଭିତ୍ତିଭୂମି ବିକାଶ ହେଉଛି ଗ୍ୟାସ୍ କ୍ଷେତ୍ର ପାଇଁ ସାରା ବିଶ୍ବରେ ସଫଳତାର ସହ ଲାଗୁ ହୋଇଥିବା ଏକ ମଡେଲ୍। ଉତ୍ତର ସାଗରରେ ସେହି ଢାଞ୍ଚାରେ ଗ୍ୟାସ୍ ଉତ୍ପାଦନ କରାଯାଉଛି। ମହାନଦୀ ଉପତଟୀୟ ଅବବାହିକାରେ ‘ଏମ୍ଏନ୍-ଡିଡବ୍ଲ୍ୟୁ୧୮-୧-ଏଚ୍-ଡି’ ଅଞ୍ଚଳରେ ଗଭୀର କୂପ ଏମ୍ଡିଡବ୍ଲ୍ୟୁ-୨୮ର ଖନନ ବେଳେ ଗ୍ୟାସ୍ ମିଳିଥିଲା। ଏହି କୂପରେ ୧୪୧୧-୧୪୫୨ ମିଟର ଖନନ ବେଳେ ଗ୍ୟାସ୍ ଠାବ କରାଯାଇଥିଲା। ଏହି କୂପ କୋଣାର୍କ ତଟରୁ ୪୩ କିଲୋମିଟର ଦୂରରେ ରହିଛି ଏବଂ ମହାନଦୀ ଅବବାହିକାରେ ଖୋଳାଯାଇଥିବା ଏହା ପ୍ରଥମ କୂପ। ସମୁଦ୍ର କୂଳଠାରୁ ପାଖରେ ଥିବାରୁ ଏହି ଗ୍ୟାସ୍ର ଶୀଘ୍ର ବାଣିଜ୍ୟିକ ଉପଯୋଗ ଆରମ୍ଭ ହୋଇପାରିବ ବୋଲି ଆଶା କରାଯାଉଛି।

2 days ago
4


