ARTICLE AD BOX
ଛତ୍ରପୁର: ବନ୍ୟା ବିପର୍ଯ୍ୟୟ ସମୟରେ ଉଦ୍ଧାର ଓ ରିଲିଫ୍ କାର୍ଯ୍ୟରେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିବା ଗଞ୍ଜାମ ପୁଲିସ ପୁଣିଥରେ ନିଜର ମାନବିକତା ଓ ଜନସେବା ମନୋଭାବର ପରିଚୟ ଦେଇଛି। ବନ୍ୟାରେ ପାଠ୍ୟ ଉପକରଣ ହରାଇଥିବା କୋମଳମତି ଛାତ୍ରଛାତ୍ରୀଙ୍କ ପାଖରେ ସହାୟତାର ହାତ ବଢ଼ାଇଛି ଗଞ୍ଜାମ ପୁଲିସ । ଛତ୍ରପୁର ଥାନା ଅନ୍ତର୍ଗତ ତିନୋଟି ବନ୍ୟା ପ୍ରଭାବିତ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କୁ ଖାତା, କଲମ, ପେନ୍ସିଲ୍, ରଙ୍ଗ ପେନ୍ସିଲ୍ ସମେତ ବିଭିନ୍ନ ପାଠ୍ୟ ଉପକରଣ ବଣ୍ଟନ କରାଯାଇଛି। ଏଥିସହ ପିଲାମାନଙ୍କୁ ମିଷ୍ଟାନ୍ନ ଓ ଚକୋଲେଟ୍ ମଧ୍ୟ ପ୍ରଦାନ କରାଯାଇଥିଲା।
ଅଭିଭାବକ ଓ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି
ବନ୍ୟାଜଳରେ ଅନେକ ପରିବାରର ଘରଦ୍ୱାର କ୍ଷତିଗ୍ରସ୍ତ ହେବା ସହ ପିଲାମାନଙ୍କ ବହି, ଖାତା ଓ ଅନ୍ୟାନ୍ୟ ପାଠପଢ଼ା ସାମଗ୍ରୀ ନଷ୍ଟ ହୋଇଯାଇଥିଲା। ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ବାଧାପ୍ରାପ୍ତ ନହୁଏ, ସେଥିପାଇଁ ଗଞ୍ଜାମ ଏସ୍ପି ହରିଶ ବିଶି ନିଜେ ଆଗେଇ ଆସିଥିଲେ। ସେ ସରଭୀମପୁର, ପୋଟଲାମପୁର ଓ ନୂଆପଲ୍ଲୀ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କୁ ନିଜ ହାତରେ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।ପାଠ୍ୟ ଉପକରଣ ପାଇ ଛାତ୍ରଛାତ୍ରୀମାନେ ବେଶ୍ ଖୁସି ପ୍ରକାଶ କରିଥିଲେ। ପୁଲିସର ଏଭଳି ମାନବିକତାପୂର୍ଣ୍ଣ ପଦକ୍ଷେପକୁ ସ୍ଥାନୀୟ ଅଭିଭାବକ ଓ ବୁଦ୍ଧିଜୀବୀମାନେ ଉଚ୍ଚ ପ୍ରଶଂସା କରିଛନ୍ତି।
ଗଞ୍ଜାମ ପୁଲିସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ
ଉଲ୍ଲେଖଯୋଗ୍ୟ ଯେ, ବନ୍ୟା ସମୟରେ ଗଞ୍ଜାମ ପୁଲିସର ଭୂମିକା ଅତ୍ୟନ୍ତ ପ୍ରଶଂସନୀୟ ରହିଥିଲା। ପୋଲିସ କର୍ମଚାରୀମାନେ ଦିନରାତି ଏକ କରି ବିପଦସଂକୁଳ ପରିସ୍ଥିତିରେ ଲୋକଙ୍କୁ ସୁରକ୍ଷିତ ସ୍ଥାନକୁ ଉଦ୍ଧାର କରିବା ସହ ବନ୍ୟାଜଳ ଘେରରେ ରହିଥିବା ପରିବାରଗୁଡ଼ିକୁ ଖାଦ୍ୟ ଓ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଇ ଦେଇଥିଲେ। ଏଥିସହ ଏସ୍ପି ପୁରୁଷୋତ୍ତମପୁର ବ୍ଲକ୍ର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ବିପନ୍ନ ପରିବାରଙ୍କୁ ଶାଢ଼ି, କମ୍ବଳ ଓ ବିଭିନ୍ନ ଖାଦ୍ୟ ସାମଗ୍ରୀ ପ୍ରଦାନ କରିଥିବା ବେଳେ ପିଲାମାନଙ୍କୁ ମଧ୍ୟ ପାଠ୍ୟ ଉପକରଣ ବଣ୍ଟନ କରିଥିଲେ।
Amit Shah: ନଭେମ୍ବର ୨୮ରେ ଓଡ଼ିଶା ଆସିବେ ଅମିତ ଶାହ, ସରକାରୀ ଓ ଦଳୀୟ କାର୍ଯ୍ୟକ୍ରମରେ ଯୋଗଦେବା ସମ୍ଭାବନା
ବନ୍ୟା ପରବର୍ତ୍ତୀ ସମୟରେ ଛାତ୍ରଛାତ୍ରୀଙ୍କ ଶିକ୍ଷା ପ୍ରତି ପୁଲିସର ଏଭଳି ସମ୍ବେଦନଶୀଳତା ଏହାର ଜନସେବା ମନୋଭାବକୁ ପ୍ରତିଫଳିତ କରିଛି। ଆଗାମୀ ଦିନରେ ମଧ୍ୟ ଏଭଳି ଜନହିତକର କାର୍ଯ୍ୟ ଜାରି ରହିବ ବୋଲି ଏସ୍ପି ହରିଶ ବିଶି ପ୍ରକାଶ କରିଥିଲେ।ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଏସ୍ଡିପିଓ ଚନ୍ଦନ ଘଡ଼ାଇ, ଛତ୍ରପୁର ଥାନା ଅଧିକାରୀ ସବ୍ୟସାଚୀ ମଲ୍ଲଙ୍କ ସମେତ ସ୍ଥାନୀୟ ଜନପ୍ରତିନିଧି ଓ ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ ଉପସ୍ଥିତ ଥିଲେ।

3 days ago
5


