ARTICLE AD BOX
ଲକ୍ଷ୍ନୌ: ଉତ୍ତରପ୍ରଦେଶର ଉନ୍ନାଓ ନିକଟରେ ଗଙ୍ଗା ଏକ୍ସପ୍ରେସ୍ୱେର ମରାମତି କରାଯାଇଥିବା ଅଂଶରେ ପୁଣି ନୂଆ ଫାଟ ଦେଖାଦେଇଛି। ଭାରୀ ବର୍ଷା ପରେ ଏକ୍ସପ୍ରେସ୍ୱେର ଅନ୍ୟ ଏକ ଅଂଶରେ ୧୦ ମିଟର ଗଭୀର ଗର୍ତ୍ତ ସୃଷ୍ଟି ହେବାର ପ୍ରାୟ ଏକ ସପ୍ତାହ ପରେ ଏହି ନୂଆ କ୍ଷତି ସାମ୍ନାକୁ ଆସିଛି। ଏହାକୁ ନେଇ ରାଜପଥର ନିର୍ମାଣ ମାନ ଓ ଭାରୀ ବର୍ଷାକୁ ସହ୍ୟ କରିବାର କ୍ଷମତା ଉପରେ ପ୍ରଶ୍ନ ଉଠିଛି।
ଉନ୍ନାଓ ନିକଟରେ ପୂର୍ବରୁ ମାଟି ଦବିଯିବା ଓ ମାଟି କ୍ଷୟ ହେବାର ସମସ୍ୟା ଦେଖାଦେଇଥିଲା। ଏହାପରେ କ୍ଷତିଗ୍ରସ୍ତ ଅଂଶରେ ମରାମତି କରାଯାଇଥିଲା ଏବଂ ଭାରତୀୟ ଜାତୀୟ ରାଜପଥ ପ୍ରାଧିକରଣ (ଏନ୍ଏଚ୍ଏଆଇ) ପକ୍ଷରୁ ପ୍ୟାଚ୍ୱାର୍କ କରାଯାଇଥିଲା। ଏବେ ସେହି ମରାମତି ହୋଇଥିବା ଅଂଶରେ ପୁଣି ଫାଟ ଦେଖାଦେବାରୁ ଏକ୍ସପ୍ରେସ୍ୱେର ସ୍ଥାୟିତ୍ବ ନେଇ ଚିନ୍ତା ବଢ଼ିଛି। ସମାଜବାଦୀ ପାର୍ଟି ମୁଖ୍ୟ ଅଖିଳେଶ ଯାଦବ ଏହି ଘଟଣାକୁ ନେଇ ବିଜେପି ସରକାରକୁ ତୀବ୍ର ଟାର୍ଗେଟ୍ କରିଛନ୍ତି। ଏକ୍ସରେ ଏକ ପୋଷ୍ଟ କରି ସେ ‘ସାବଧାନ, ଆପଣଙ୍କ ଜୀବନ ବିପଦରେ’ ବୋଲି ଚେତାବନୀ ଦେଇଛନ୍ତି। ସେ ଏହାକୁ ବିଜେପିର ଦୁର୍ନୀତିର ସାକ୍ଷୀ ବୋଲି ଅଭିଯୋଗ କରିଛନ୍ତି।
ଗଙ୍ଗା ଏକ୍ସପ୍ରେସ୍-ୱେରେ ବାୟୁସେନାର ଶକ୍ତି ପ୍ରଦର୍ଶନ: ଗର୍ଜିଲା ରାଫେଲ, ସୁଖୋଇ, ମିରାଜ
ଅଗଷ୍ଟ ୧୮ରେ ମିରଟ-ପ୍ରୟାଗରାଜ ରାଜପଥର ୪୨୧ କିଲୋମିଟର ନିକଟରେ ଭାରୀ ବର୍ଷା ପରେ ପ୍ରାୟ ୧୦ ମିଟର ଗଭୀର ଏକ ବିଶାଳ ଗର୍ତ୍ତ ସୃଷ୍ଟି ହୋଇଥିଲା। ଏଥିରେ ରାସ୍ତାର ଏକ ଅଂଶ ସହ ଏହା ସଂଲଗ୍ନ ମାଟିବନ୍ଧ ମଧ୍ୟ ଧୋଇଯାଇଥିବା ଜଣାପଡ଼ିଥିଲା। ଘଟଣା ପରେ ମରାମତି କାମ ଆରମ୍ଭ କରାଯାଇଥିଲା। ୫୯୪ କିଲୋମିଟର ଲମ୍ବା, ୬-ଲେନ୍ ବିଶିଷ୍ଟ ଓ ଆକ୍ସେସ୍-କଣ୍ଟ୍ରୋଲ୍ଡ ଗଙ୍ଗା ଏକ୍ସପ୍ରେସ୍ୱେକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏପ୍ରିଲ ୨୯ରେ ଉଦ୍ଘାଟନ କରିଥିଲେ। ଏହା ମିରଟକୁ ପ୍ରୟାଗରାଜ ସହ ଯୋଡ଼ିଥିବା ବେଳେ ଉତ୍ତରପ୍ରଦେଶର ୧୨ଟି ଜିଲ୍ଲା ଦେଇ ଯାଇଛି।
ଏହି ଏକ୍ସପ୍ରେସ୍ୱେର ମୁଖ୍ୟ ଉଦ୍ଦେଶ୍ୟ ମିରଟରୁ ପ୍ରୟାଗରାଜ ଯାତ୍ରା ସମୟକୁ ପ୍ରାୟ ୧୨ ଘଣ୍ଟାରୁ ୬ ଘଣ୍ଟାକୁ କମାଇବା। ତେବେ ଉଦ୍ଘାଟନ ପରଠାରୁ ବର୍ଷା ଯୋଗୁଁ ଏହାର ବିଭିନ୍ନ ଅଂଶରେ କ୍ଷତିର ଖବର ଆସିଛି। ଜୁଲାଇରେ ଉନ୍ନାଓର ସୋନିକ୍ ଟୋଲ୍ ପ୍ଲାଜାକୁ ଏକ୍ସପ୍ରେସ୍ୱେ ସହ ଯୋଡ଼ୁଥିବା ପ୍ରାୟ ୭ ମିଟର ଲମ୍ବା ଆପ୍ରୋଚ୍ ରୋଡ୍ ଭାରୀ ବର୍ଷା ପରେ କ୍ଷତିଗ୍ରସ୍ତ ହୋଇଥିଲା। ମାଟିର ବନ୍ଧରେ କ୍ଷୟ ହେବା ସହ ରାସ୍ତାର ଏକ ଅଂଶ ଧସିଯାଇଥିଲା। ପରେ ସେଠାରେ ମରାମତି ଓ ପ୍ୟାଚ୍ୱାର୍କ କରାଯାଇଥିଲା। ଏହି କ୍ରମାଗତ କ୍ଷତି ଯୋଗୁଁ ଗଙ୍ଗା ଏକ୍ସପ୍ରେସ୍ୱେର ନିର୍ମାଣ ଓ ଜଳ ନିଷ୍କାସନ ବ୍ୟବସ୍ଥାକୁ ନେଇ ମଧ୍ୟ ନୂଆ ପ୍ରଶ୍ନ ଉଠିଛି।

1 hour ago
4


