ARTICLE AD BOX
କାନ୍ସାସ୍ ସିଟି: ଚଳିତ ଫିଫା ବିଶ୍ୱକପ୍ରେ ଅଧିନାୟକ ଲିଓନେଲ ମେସିଙ୍କ ଚମତ୍କାରିତା ଯୋଗୁଁ ଆର୍ଜେଣ୍ଟିନା ଜିତୁଥିବା ସମସ୍ତେ ଅନୁଭବ କରୁଛନ୍ତି। ହେଲେ ଏହା ପଛରେ ଆଉ ଏକ ବଡ଼ କାରଣ ରହିଛି। ଆର୍ଜେଣ୍ଟିନା ସଫଳତା ପଛରେ ୫୦୦ କିଲୋଗ୍ରାମ୍ ଗୋମାଂସର ହାତ ଥିବା ଶୁଣିବାକୁ ମିଳିଛି। ବିଶ୍ବକପ୍ ଇତିହାସରେ ତୃତୀୟ ଦଳ ଭାବରେ ଫିଫା ବିଶ୍ୱକପ୍ ମୁକୁଟ ବଜାୟ ରଖିବାର ଆଶା ରଖିଛି ଆର୍ଜେଣ୍ଟିନା। ଏଥିପାଇଁ ଆମେରିକାରେ ଖେଳାଳିମାନଙ୍କ ପାଇଁ ଘର ଭଳି ପରିବେଶ ସୃଷ୍ଟି କରିବାକୁ ଚେଷ୍ଟା କରିଛି ଆର୍ଜେଣ୍ଟିନା ସରକାର।
ଖାଦ୍ୟ ହେଉଛି ଖେଳାଳିଙ୍କ ତାଲିମ ବ୍ୟବସ୍ଥାର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଅଂଶ। ତେଣୁ ସରକାର ୫୦୦ କିଲୋଗ୍ରାମ ଗୋମାଂସ କାନ୍ସାସ୍ ସିଟିରେ ଥିବା ଆର୍ଜେଣ୍ଟିନା ଶିବିରକୁ ପଠାଇଥବା ଜଣାପଡ଼ିଛି। ଏଥିରେ ମାଂସର ବିଭିନ୍ନ ଅଂଶ ଯେପରିକି ଲୋମୋ, ଭାସିଓ, ଏଣ୍ଟ୍ରାନା, ମାଟାମ୍ବ୍ରେ, ପେସେଟୋ ଓ ଆସାଡୋ ଡି ଟିରା ରହିଥିଲା। ଏସବୁ ମାଂସ ଆମେରିକା ଯିବା ପୂର୍ବରୁ ପ୍ରାୟ ମାସେ ଆଗରୁ ଭଲ ଭାବେ ସଫା କରାଯାଇଥିଲା। ଖେଳାଳିମାନଙ୍କୁ ଏହି ଖାଦ୍ୟ ଚାପ ନିୟନ୍ତ୍ରଣ ସହ ଶୀଘ୍ର ସୁସ୍ଥ ହେବାକୁ ପୃଷ୍ଟିସାର ଯୋଗାଉଥିଲା। ସାମାଜିକ ଗଣମାଧ୍ୟମରେ ପ୍ରକାଶିତ ଏକ ଭିଡିଓରେ ଆର୍ଜେଣ୍ଟିନା ଖେଳାଳି ମ୍ୟାଚ୍ ପୂର୍ବରୁ ବାର୍ବିକ୍ୟୁ ସେସନ୍ର ମଜା ନେଉଥିବାର ଦେଖାଯାଉଛି।
ଆର୍ଜେଣ୍ଟିନା ଭଳି ମଧ୍ୟ ସମାନ କାର୍ଯ୍ୟ ନରୱେ ସରକାର ସେମାନଙ୍କ ଖେଳାଳିଙ୍କ ପାିଁ କରିଥିବା ଏକ ରିପୋର୍ଟରୁ ଜଣାପଡ଼ିଛି। ନରୱେ ଖେଳାଳିମାନଙ୍କୁ ସେମାନଙ୍କ ଖାଦ୍ୟରେ ସ୍ଥିରତା ବଜାୟ ରଖିବା ଏବଂ ଘରର ସ୍ୱାଦ ପ୍ରଦାନ କରିବା ପାଇଁ ନିଜ ଦେଶରୁ ଅନେକ ଖାଦ୍ୟ ଆଣିଥିଲା। କହିବାକୁ ଗଲେ ନରୱେ ୫୮୦ କିଲୋଗ୍ରାମ୍ ଖାଦ୍ୟ ନିଜ ଦେଶରୁ ଆଣିଥିଲା। ଏଥିରେ ନରୱେ ସାଲମନ ଓ ଟ୍ରାଉଟ୍ ୩୦୦ କିଲୋଗ୍ରାମ୍, ହାଲିବଟ୍ ୧୦୦ କିଲୋଗ୍ରାମ୍, ନରୱେର ବ୍ରାଉନ୍ ଚିଜ୍ ୮୦ କିଲୋଗ୍ରାମ୍ ଏବଂ ଜାଲ୍ସବର୍ଗ ଚିଜ୍ ୧୦୦ କିଲୋଗ୍ରାମ୍ ଥିଲା। ବିଶ୍ବକପ୍ ପାଇଁ ନରୱେ କମାଳା ଆଣିଥିବା ନେଇ ସାମାଜିକ ଗଣମାଧ୍ୟମରେ କିଛି ଜଣ ପୋଷ୍ଟ କରିଥିଲେ। ହେଲେ ଏହାକୁ ରୋଷେୟା ଖଣ୍ଡନ କରିଥିଲେ।

1 month ago
13


