ARTICLE AD BOX
ରାଇରଙ୍ଗପୁର(ତୁଷାରକାନ୍ତ ମହାନ୍ତ): ଗାଁ ପଞ୍ଚୁଆତିର ନିର୍ଦ୍ଦେଶକୁ ଅବମାନନା କରିଥିଲେ ବୋଲି ଶବକୁ ଗାଁ ଶ୍ମଶାନରେ ପୋଡ଼ିବାକୁ ଦିଆଯାଇନଥିଲା। ୫ ବର୍ଷ ପୂର୍ବେ ୫ଶହ ଟଙ୍କା ଅର୍ଥଦଣ୍ଡ ଦିଆଯାଇଥିଲା, ସେତେବେଳେ ଏହା ଦେବାକୁ ଅକ୍ଷମ ଥିଲେ, ବର୍ତ୍ତମାନ ଏହା ବଢ଼ିଯାଇ ୪୦ହଜାର ଟଙ୍କା ହୋଇଯାଇଥିଲା। ଏହି ଟଙ୍କା ମଧ୍ୟ ଦେବାକୁ ଅକ୍ଷମ ଥିଲେ ପରିବାର। ୪ ଦିନ ଗାଁରେ ଶବ ପଡ଼ି ପଚିବା ପରେ ସ୍ଥାନୀୟ ଏକ ସ୍ବେଚ୍ଛାସେବୀ ସଂଗଠନର ସହାୟତାରେ ଅନ୍ୟ ଏକ ସ୍ଥାନରେ ଅନ୍ତିମ ସଂସ୍କାର କରାଯାଇଛି। ଏହି ଘଟଣାକୁ ନେଇ ମୟୂରଭଞ୍ଜ ତିରିଂ ଥାନା ଅଞ୍ଚଳରେ ତୀବ୍ର ଉଦ୍ବେଗ ପ୍ରକାଶ ପାଇଛି।
ଅନ୍ଧବିଶ୍ବାସର କୁପରିଣତି: ୧୪ ମାସ ଧରି ୩ ପରିବାର ଗାଁରୁ ବାସନ୍ଦ
ତିରିଂ ଥାନା ଅନ୍ତର୍ଗତ ବିଂଝୁଆ ଗ୍ରାମର କାରୁ ସୋରେନ୍ (୪୫)ଙ୍କ ଦେହ ଅସୁସ୍ଥ ହେବାରୁ ପ୍ରଥମେ ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କୁ ଗୁରୁତର ଅବସ୍ଥାରେ ବାରିପଦାସ୍ଥ ପଣ୍ତିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ପୁଣି କଟକ ଏସସିବିକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ୧୮ ସେପ୍ଟେମ୍ବର ତାଙ୍କର ମୃତ୍ୟୁ ଘଟିଥିଲା । ମୃତଦେହକୁ ପରିବାର ଲୋକ ଗାଁକୁ ଆଣିଥିଲେ। ତେବେ ପୂର୍ବର ଅର୍ଥଦଣ୍ଡ ଦେଇନଥିବାରୁ ଗାଁ ଶ୍ମଶାନରେ ସତ୍କାର କରିବାକୁ ଗ୍ରାମବାସୀମାନେ ବାରଣ କରିଦେଇଥିଲେ ।
୧୫ ହଜାର ଟଙ୍କା ଜରିମାନା ନ ଦେବାରୁ ଗାଁରୁ ବାସନ୍ଦ ହେଲେ ବିଧବା ମହିଳା
୨୦୨୨ରେ ସେହି ଗାଁର ଏକ ବାସନ୍ଦ ପରିବାରର ବ୍ୟକ୍ତିଙ୍କ ସହିତ କାରୁ ସୋରେନ କଥା ହୋଇଥିଲେ। ଏଣୁ ତାଙ୍କୁ ମଧ୍ୟ ଗ୍ରାମବାସୀମାନେ ବାସନ୍ଦ କରିଥିଲେ । ବାସନ୍ଦ ହଟାଇବା ପାଇଁ ୫ ଶହ ଟଙ୍କା ଅର୍ଥଦଣ୍ଡ ମାଗିଥିଲେ। ଏହି ଟଙ୍କା ଦେବାକୁ ସେ ଅକ୍ଷମ ଥିଲେ । ଉକ୍ତ ୫ ଶହ ଜରିମାନା ଟଙ୍କା ବର୍ତ୍ତମାନ୍ ୪୦ ହଜାର ଟଙ୍କା ହୋଇଛି । ଏହି ଟଙ୍କା ଦେବାକୁ ମଧ୍ୟ କାରୁଙ୍କ ପରିବାର ଅକ୍ଷମ ଥିଲେ। ଶ୍ମଶାନରେ ପୋଡ଼ିନପାରି ପୋତିବା ପାଇଁ ଗାତ ମଧ୍ୟ ଖୋଳାଯାଇଥିଲା । ତଥାପି ଗାଁ ଶ୍ମଶାନରେ ଶବକୁ ପୋତିବାକୁ ଦେଇନଥିଲେ ଗ୍ରାମବାସୀ । ଏନେଇ ପରିବାର ଲୋକେ ପୁଲିସକୁ ସୂଚନା ଦେଇଥିଲେ ମଧ୍ୟ କୌଣସି ସହଯୋଗ ମିଳିନଥିଲା । ତେବେ ଶବ ପୋଚି ଦୁର୍ଗନ୍ଧ ହେବାରୁ ଆଜି ବାଧ୍ୟ ହୋଇ ପରିବାର ଲୋକେ ସେଙ୍ଗେଲ ଅଭିଯାନର ସହଯୋଗରେ ରାଇରଙ୍ଗପୁରସ୍ଥ ଖଡଖାଇ ନଦୀ କୂଳରେ ଥିବା ମୁକ୍ତିଧାମରେ ତାଙ୍କ ସାନ ଝିଅ ଛିତା ସୋରେନ୍ ମୁଖଗ୍ନି ଦେଇ ଶବ ସତ୍କାର କରାଯାଇଥିଲା । ଶବ ସତ୍କାର ସମୟରେ ମୃତକଙ୍କ ଝିଅଙ୍କ ସମେତ ଆଦିବାସୀ ସେଙ୍ଗେଲ ଅଭିଯାନର ସଦସ୍ୟ ଜଗନ ଟୁଡୁ, ଜୁ୍ଝାର ଟୁଡୁ, ରାମରାଇ ମାର୍ଣ୍ଡି, ଚନ୍ଦ୍ରମୋହନ ମାଝୀ, ସୁରାଇ ମୁର୍ମୁ ପ୍ରମୁଖ ଉପସ୍ଥିତ ଥିଲେ ।

1 week ago
3


