Fake Currency: ଘରଭଡ଼ା ଦେବାକୁ ଟଙ୍କା ନ ଥିଲା, ଛାପିଲେ ୫୦୦ ଟଙ୍କିଆ ଜାଲ୍ ନୋଟ୍

1 hour ago 2
ARTICLE AD BOX

ନାଗପୁର: ଘରଭଡ଼ା ଦେବାକୁ ଟଙ୍କା ନ ଥିବାରୁ ଜଣେ ବ୍ୟକ୍ତି ଭଡ଼ାଘରେ ୫୦୦ ଟଙ୍କିଆ ଜାଲ୍ ନୋଟ୍ ଛାପୁଥିବା ଘଟଣା ମହାରାଷ୍ଟ୍ରର ନାଗପୁରରେ ସାମ୍ନାକୁ ଆସିଛି। ଭଡ଼ାକୁ ନେଇ ଘରମାଲିକଙ୍କ ସହ ବିବାଦ ପରେ ଏହି ଘଟଣାର ପର୍ଦ୍ଦାଫାସ୍ ହୋଇଛି। ପୁଲିସ ଘରୁ ୩୭ ଲକ୍ଷ ଟଙ୍କା ମୂଲ୍ୟର ଜାଲ୍ ନୋଟ୍ ସହ ଛପା ଯନ୍ତ୍ର ଓ ଅନ୍ୟ ସାମଗ୍ରୀ ଜବତ କରିଛି। ଅଭିଯୁକ୍ତ ଫେରାର୍ ଥିବାରୁ ତାକୁ ଧରିବା ପାଇଁ ପୁଲିସ ଖୋଜାଖୋଜି ଆରମ୍ଭ କରିଛି।

ଅଭିଯୁକ୍ତଙ୍କ ନାମ ପୁଷ୍ପକ କୃଷ୍ଣ ଭଣ୍ଡାରକର ଓରଫ୍ ବେଣ୍ଡାନେ। ସେ ନାଗପୁରର ତ୍ରିମୂର୍ତ୍ତି ନଗର ଅଞ୍ଚଳର ବାସିନ୍ଦା। ପ୍ରାୟ ଦେଢ଼ ବର୍ଷ ତଳେ ସେ ନାଗପୁରର ଖର୍ବି ଅଞ୍ଚଳରେ ଏକ ଘର ଭଡ଼ା ନେଇଥିଲେ। ତାଙ୍କ ଭଡ଼ା ଚୁକ୍ତି ଚଳିତ ବର୍ଷ ଜାନୁଆରିରେ ଶେଷ ହୋଇଥିଲା। ଏହା ପରେ ସେ ଚୁକ୍ତି ନବୀକରଣ କରି ନ ଥିଲେ କି ଘର ଛାଡ଼ି ନ ଥିଲେ। ଅନେକ ମାସ ଧରି ଭଡ଼ା ମଧ୍ୟ ଦେଉ ନ ଥିବା ଅଭିଯୋଗ ହୋଇଛି। ଘରମାଲିକ ରମେଶ ତାଙ୍କୁ ଘର ଖାଲି କରିବାକୁ କହିବାରୁ ପୁଷ୍ପକ ଛୁରି ଦେଖାଇ ଧମକ ଦେଇଥିବା ଅଭିଯୋଗ ହୋଇଛି। ଏ ନେଇ ରମେଶ ୱାଠୋଡ଼ା ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏକ ମାମଲା ରୁଜୁ କରିଥିଲା। ଦୀର୍ଘଦିନ ଧରି ପୁଷ୍ପକ ଘରକୁ ଆସୁ ନ ଥିବାରୁ ଶନିବାର ଘରମାଲିକ ହାତୁଡ଼ିରେ ତାଲା ଭାଙ୍ଗି ଭିତରକୁ ପଶିଥିଲେ। ସେଠାରେ ଏକ ବାଲ୍‌ଟିରେ ନୋଟ୍‌ର ବଣ୍ଡଲ୍, ଏଣେତେଣେ ପଡ଼ିଥିବା କାଗଜ ଓ ଏକ ପ୍ରିଣ୍ଟର୍ ଦେଖି ସେ ପୁଲିସକୁ ଖବର ଦେଇଥିଲେ।

ପୁଲିସ ପହଞ୍ଚି ଜାଲ୍ ୫୦୦ ଟଙ୍କିଆ ନୋଟ୍‌ଗୁଡ଼ିକ ଜବତ କରିଥିଲା। ନୋଟ୍ ଗଣିବା ପାଇଁ ମେସିନ୍ ଅଣାଯାଇଥିଲା। ପ୍ରାଥମିକ ଯାଞ୍ଚରେ ସମ୍ପୂର୍ଣ୍ଣ ଛପା ହୋଇଥିବା ନୋଟ୍‌ର ମୂଲ୍ୟ ୩୭ ଲକ୍ଷ ଟଙ୍କା ବୋଲି ଆକଳନ କରାଯାଇଛି। ଏହା ସହ ଗୋଟିଏ ପାଖରେ ଛପା ହୋଇଥିବା ଅନ୍ୟ ନୋଟ୍ ଓ ଛପା ସାମଗ୍ରୀ ମଧ୍ୟ ମିଳିଛି। ସେଗୁଡ଼ିକର ମୂଲ୍ୟ ପ୍ରାୟ ୪୮ ଲକ୍ଷ ଟଙ୍କା ବୋଲି ରିପୋର୍ଟରେ କୁହାଯାଇଛି। ପୁଲିସ ସମସ୍ତ ସାମଗ୍ରୀ ଜବତ କରିଛି। ପୁଷ୍ପକ ମୁମ୍ବାଇରେ ଥିବା ସୂଚନା ମିଳିବା ପରେ ତାକୁ ଧରିବା ପାଇଁ ପୁଲିସ ଟିମ୍ ପଠାଯାଇଛି। ଜାଲ୍ ନୋଟ୍ ଛପା ଘଟଣାରେ ଅନ୍ୟ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ, ସେ ଦିଗରେ ମଧ୍ୟ ତଦନ୍ତ ଜାରି ରହିଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.