Environmental Organization: ପରିବେଶ ସଂଗଠନ: ଫ୍ରେଣ୍ଡ୍‌ସ ଅଫ୍ ଦ ଆର୍ଥ ଇଣ୍ଟରନ୍ୟାସନାଲ୍

4 hours ago 2
ARTICLE AD BOX

ଜଙ୍ଗଲ କଟୁଛି, ନଦୀ ଶୁଖିଯାଉଛି ଏବଂ ଶିଳ୍ପର ଧୂଆଁରେ ଆକାଶ ଧୂସର ହେଉଛି। ପୃଥିବୀର ଏହି ପରିବର୍ତ୍ତିତ ଚିତ୍ରକୁ ନେଇ ବିଶ୍ୱର ବିଭିନ୍ନ ସ୍ଥାନରେ ଅନେକ ସଂଗଠନ ପ୍ରତିବାଦ କରୁଛନ୍ତି। ଏହି ସ୍ଥାନୀୟ ସ୍ୱରଗୁଡ଼ିକୁ ଏକ ବିଶ୍ୱସ୍ତରୀୟ ମଞ୍ଚରେ ଏକାଠି କରିଛି ‘ଫ୍ରେଣ୍ଡ୍‌ସ ଅଫ୍ ଦ ଆର୍ଥ ଇଣ୍ଟରନ୍ୟାସନାଲ୍’ (ଏଫ୍‌ଓଇଆଇ)। ୭୩ଟି ଦେଶର ପରିବେଶ ସଂଗଠନକୁ ନେଇ ଗଠିତ ଏହି ଅନ୍ତର୍ଜାତୀୟ ନେଟୱାର୍କର ଲକ୍ଷ୍ୟ କେବଳ ପ୍ରକୃତି ଓ ପରିବେଶକୁ ସୁରକ୍ଷା କରିବା ନୁହେଁ, ଏଥିସହିତ ଆର୍ଥିକ ନ୍ୟାୟ, ସାମାଜିକ ଅଧିକାର ଏବଂ ମାନବାଧିକାର ଭଳି ପ୍ରସଙ୍ଗକୁ ମଧ୍ୟ ଏହା ଗୁରୁତ୍ୱ ଦେଇଥାଏ।

Supremecourt: ହିନ୍ଦୀରେ ‘ଜନ ସୂଚନା ସେବା’ ଆରମ୍ଭ କରିବେ ସୁପ୍ରିମ୍‌କୋର୍ଟ

ଏହି ସଂଗଠନର ଆରମ୍ଭ ୧୯୬୯ ମସିହାରେ ଆମେରିକାର ସାନ୍ ଫ୍ରାନ୍ସିସ୍କୋରେ ହୋଇଥିଲା। ପରମାଣୁ ଶକ୍ତିକୁ ନେଇ ମତଭେଦ ପରେ ଡେଭିଡ୍ ବ୍ରାଉର୍, ଡୋନାଲ୍ଡ ଆଇଟକେନ୍ ଏବଂ ଗ୍ୟାରି ସୌସି ସିଏରା କ୍ଲବ୍‌ଠାରୁ ଅଲଗା ହୋଇ ଏହି ସଂଗଠନର ଭିତ୍ତି ସ୍ଥାପନ କରିଥିଲେ। ୧୯୭୧ରେ ଆମେରିକା, ସ୍ୱିଡେନ୍, ବ୍ରିଟେନ୍ ଏବଂ ଫ୍ରାନ୍ସର ପ୍ରତିନିଧିମାନଙ୍କ ବୈଠକ ପରେ ଏହା ଏକ ଅନ୍ତର୍ଜାତୀୟ ନେଟୱାର୍କର ରୂପ ନେଇଥିଲା। ବର୍ତ୍ତମାନ ନେଦରଲାଣ୍ଡ୍‌ର ଆମଷ୍ଟରଡାମ୍‌ରେ ଥିବା ସଚିବାଳୟ ଏହି ବିଶ୍ୱ ନେଟୱାର୍କର କାର୍ଯ୍ୟକଳାପକୁ ସମନ୍ୱୟ କରୁଛି।

ଏଫ୍‌ଓଇଆଇର ପ୍ରମୁଖ ଅଭିଯାନଗୁଡ଼ିକ ମଧ୍ୟରେ ଆର୍ଥିକ ନ୍ୟାୟ, ଜଙ୍ଗଲ ଓ ଜୈବବିବିଧତାର ସୁରକ୍ଷା, ଖାଦ୍ୟ ସାର୍ବଭୌମତ୍ୱ, ଜଳବାୟୁ ନ୍ୟାୟ ଏବଂ ସ୍ୱଚ୍ଛ ଶକ୍ତି ଭଳି ବିଷୟ ରହିଛି। ଏହା ସହିତ ଖଣି, ନିଷ୍କାସନ ଶିଳ୍ପ, ଅନ୍ତର୍ଜାତୀୟ ଆର୍ଥିକ ପ୍ରତିଷ୍ଠାନ ଏବଂ ପରମାଣୁ ଶକ୍ତିର ଅନେକ ପ୍ରକଳ୍ପ ବିରୋଧରେ ମଧ୍ୟ ସଂଗଠନଟି ଅଭିଯାନ ଚଳାଏ। ପରିବେଶ ସୁରକ୍ଷା ପାଇଁ ଏହାର ଆଇନଗତ ଲଢ଼େଇ ମଧ୍ୟ ଗୁରୁତ୍ୱପୂର୍ଣ୍ଣ। ୨୦୨୧ର ‘ସେଲ୍ କେସ୍’ ଏହାର ଏକ ଚର୍ଚ୍ଚିତ ଉଦାହରଣ। ମିଲିୟୁଡେଫେନ୍ସିର ନେତୃତ୍ୱରେ ହୋଇଥିବା ଏହି ମାମଲାରେ ଡଚ୍ କୋର୍ଟ ସେଲ୍‌କୁ ୨୦୧୯ ତୁଳନାରେ ୨୦୩୦ ସୁଦ୍ଧା ନିଜର ନିର୍ଗମନ ୪୫ ପ୍ରତିଶତ କମାଇବାକୁ ନିର୍ଦ୍ଦେଶ ଦେଇଥିଲେ। ପରେ ୨୦୨୪ ନଭେମ୍ବରରେ ଏହି ରାୟ ପ୍ରତ୍ୟାହାର ହୋଇଥିଲା। ଏହାଛଡ଼ା ୨୦୨୫ ଜାନୁଆରିରେ ବ୍ରିଟେନ୍‌ର ପ୍ରଧାନମନ୍ତ୍ରୀ କୀର୍ ଷ୍ଟାରମରଙ୍କ ‘ନିମ୍ବି’ ବିରୋଧୀ ଯୋଜନାକୁ ମଧ୍ୟ ସଂସ୍ଥା ସମାଲୋଚନା କରିଥିଲା।

Man Dies of Electric Shock ଷଣ୍ଢ ପାଇଁ ବିଦ୍ୟୁତ୍‌ ତାର ବିଛାଇଥିଲେ, ସଂସ୍ପର୍ଶରେ ଆସି ବୃଦ୍ଧ ମୃତ

ତେବେ ‘ଫ୍ରେଣ୍ଡସ୍ ଅଫ୍ ଦ ଆର୍ଥ ଇଣ୍ଟରନ୍ୟାସନାଲ୍’ର କାର୍ଯ୍ୟକଳାପ କେବଳ ଆନ୍ଦୋଳନ ଓ ଆଇନଗତ ଲଢ଼େଇ ମଧ୍ୟରେ ସୀମିତ ନୁହେଁ। ଜର୍ଜ ହାରିସନ୍, ଥମ୍ ୟର୍କ, ପଲ୍ ମ୍ୟାକାର୍ଟନି, ଜନ୍ ବନ୍ ଜୋଭି, ସେରିଲ୍ କ୍ରୋ, ଫର୍ଗି, ସିଆନ୍ ପଲ୍ ଏବଂ କୋଲବି କୈଲାଟ୍‌ଙ୍କ ଭଳି ଅନେକ କଳାକାର ଏହାର ବିଭିନ୍ନ ପରିବେଶ ଅଭିଯାନକୁ ସମର୍ଥନ କରିଛନ୍ତି। ‘ମିଟ୍ ଆଟଲାସ୍’ ଭଳି ପ୍ରକାଶନ ମାଧ୍ୟମରେ ଶିଳ୍ପଭିତ୍ତିକ ପଶୁପାଳନ ଓ କୃଷିର ପରିବେଶ ଉପରେ ପଡୁଥିବା ପ୍ରଭାବକୁ ମଧ୍ୟ ଲୋକଙ୍କ ସାମ୍ନାକୁ ଅଣାଯାଉଛି। ଜାପାନ, ଇଣ୍ଡୋନେସିଆ, ଦକ୍ଷିଣ କୋରିଆ, ଶ୍ରୀଲଙ୍କା ଓ ମାଲେସିଆଠାରୁ ଆରମ୍ଭ କରି ୟୁରୋପ, କାନାଡା, ଆମେରିକା ଓ ଅଷ୍ଟ୍ରେଲିଆ ପର୍ଯ୍ୟନ୍ତ ଏହି ନେଟୱାର୍କର ସଦସ୍ୟମାନଙ୍କ ଦେଶ, ଭାଷା ଓ ସମସ୍ୟା ଭିନ୍ନ ହୋଇଥିଲେ ମଧ୍ୟ ସମସ୍ତଙ୍କର ଲକ୍ଷ୍ୟ ପୃଥିବୀକୁ ସୁରକ୍ଷିତ ରଖିବା ଏବଂ ସ୍ଥାନୀୟ ସମୁଦାୟର ସ୍ୱରକୁ ବିଶ୍ୱ ମଞ୍ଚରେ ପହଞ୍ଚାଇବା। ସେଥିପାଇଁ ‘ଫ୍ରେଣ୍ଡ୍‌ସ ଅଫ୍ ଦ ଆର୍ଥ ଇଣ୍ଟରନ୍ୟାସନାଲ୍’ କେବଳ ଏକ ପରିବେଶ ସଂଗଠନ ନୁହେଁ। ଏହା ପୃଥିବୀ, ପରିବେଶ ଓ ମାନବ ଅଧିକାରର ସୁରକ୍ଷା ପାଇଁ ବିଶ୍ୱର ବିଭିନ୍ନ ସମୁଦାୟକୁ ଏକାଠି କରୁଥିବା ଏକ ବଡ଼ ଅନ୍ତର୍ଜାତୀୟ ଆନ୍ଦୋଳନ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.