ARTICLE AD BOX
ଭୁବନେଶ୍ବର: ରାଜ୍ୟ ସରକାରୀ ଉଦ୍ୟୋଗଗୁଡ଼ିକର ପରିଚାଳନାଗତ ଓ କାର୍ଯ୍ୟଦକ୍ଷତା ବୃଦ୍ଧି ତଥା ପ୍ରଶିକ୍ଷଣ ପାଇଁ ସରକାରୀ ଉଦ୍ୟୋଗ ବିଭାଗ ପକ୍ଷରୁ ଏକ୍ସଆଇଏମ୍ବି ଓ ଓଡ଼ିଶା କର୍ପୋରେଟ୍ ଫାଉଣ୍ଡେସନ (ଓସିଏଫ୍) ସହ ଏକ ବୁଝାମଣାପତ୍ର ସ୍ବାକ୍ଷର କରାଯାଇଛି। ସରକାରୀ ଉଦ୍ୟୋଗ ବିଭାଗ ଓ ମହାଲେଖାକାରଙ୍କ କାର୍ଯ୍ୟାଳୟ (ଅଡିଟ୍-୨)ର ମିଳିତ ସହଯୋଗରେ ଆୟୋଜିତ ଅଡିଟ୍ ସପ୍ତାହ ୨୦୨୬ ପାଳନ ଅବସରରେ ଏହି ବୁଝାମଣା ହୋଇଥିଲା। କାର୍ଯ୍ୟକ୍ରମରେ ପ୍ରଭାବଶାଳୀ ବୋର୍ଡ ଓ ପରିଚାଳନା ଭୂମିକା, ରଣନୀତି, ସୁଦୃଢ଼ ଆଭ୍ୟନ୍ତରୀଣ ବ୍ୟବସ୍ଥା, କାର୍ଯ୍ୟଦକ୍ଷତା, ବିଚକ୍ଷଣ ଆର୍ଥିକ ପରିଚାଳନା ଓ ନିୟାମକ ଅନୁପାଳନ, ସଂସ୍ଥାଗତ ସମୀକ୍ଷା ଓ ଅଡିଟ୍ ପର୍ଯ୍ୟବେକ୍ଷଣର ସମୟୋଚିତ ପଦକ୍ଷେପ ଆଦି ଉପରେ ଆଲୋକପାତ କରାଯାଇଥିଲା।
ଆହୁରି ପଢନ୍ତୁ :Arjun Singh: ‘ଡିସେମ୍ବର ୧୬ ସୁଦ୍ଧା ବାଂଲାଦେଶ ଦଖଲ କରିବୁ’
ସରକାରୀ ଉଦ୍ୟୋଗ ବିଭାଗର କମିସନର ତଥା ସଚିବ ମହମ୍ମଦ ସାକିଦ ଆଲମଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅତିଥି ଭାବେ ଇସ୍ପାତ ଓ ଖଣି ବିଭାଗର ଅତିରିକ୍ତ ମୁଖ୍ୟ ସଚିବ ଦେଓରଞ୍ଜନ କୁମାର ସିଂହ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଅନ୍ୟତମ ଅତିଥି ଭାବେ ଅର୍ଥ ବିଭାଗର ପ୍ରମୁଖ ସଚିବ ସଞ୍ଜୀବ କୁମାର ମିଶ୍ର, ପୂର୍ବାଞ୍ଚଳ ଡିଜି କେ ପି ଆନନ୍ଦ, ଓପିଏଚ୍ ଆଣ୍ଡ୍ ଡବ୍ଲ୍ୟୁସିର ସିଏମ୍ଡି ସୌମେନ୍ଦ୍ର ପ୍ରିୟଦର୍ଶୀ, ପ୍ରଧାନ ମହାଲେଖାକାର ସୁବୁ ଆର୍ ଓ ମହାଲେଖାକାର ଅତୁଲ ପ୍ରକାଶ ଯୋଗଦେଇଥିଲେ। ମହାଲେଖାକାରଙ୍କ କାର୍ଯ୍ୟାଳୟ ପକ୍ଷରୁ ସାର୍ବଜନୀନ ଅଡିଟ୍ ଉପସ୍ଥାପନ କରାଯାଇଥିଲା। କାର୍ଯ୍ୟକ୍ରମରେ ୩ଟି ବୈଷୟିକ ଅଧିବେଶନ ଅନୁଷ୍ଠିତ ହୋଇଥିଲା। ଏଥି ସହିତ ବକେୟା ବାର୍ଷିକ ହିସାବ ଶେଷ କରି ଅଡିଟ୍ ନିୟାମକ ପୂରଣ ଓ ଠିକ୍ ସମୟରେ ହିସାବ ଶେଷ କରି ବାର୍ଷିକ ସାଧାରଣ ବୈଠକ ଆୟୋଜନ କରିଥିବା ସଂସ୍ଥାଗୁଡ଼ିକୁ କାର୍ଯ୍ୟକ୍ରମରେ ସମ୍ମାନିତ କରାଯାଇଥିଲା।

6 hours ago
4


