ARTICLE AD BOX
ଘୁ.ଉଦୟଗିରି (ସମୀର କୁମାର ମହାନ୍ତି): ଦୁଇଟି ଦନ୍ତା ହାତୀଙ୍କ ଉପଦ୍ରବରେ କନ୍ଧମାଳଜିଲ୍ଲା ଘୁମୁସର ଉଦୟଗିରି ଅଞ୍ଚଳରେ ଲୋକେ ରାତିସାରା ଭୟଭୀତ ହୋଇ ରହିଥିଲେ। ହାତୀ ଦୁଇଟି ଗାଁ ଭିତରକୁ ପଶି ଲୋକଙ୍କ ବାଡ଼ିରେ ଲଗାଯାଇଥିବା ବାଦାମ, ମକା ଓ ମାଣ୍ଡିଆ ଫସଲ ଖାଇବା ସହ ଅନେକ ଫସଲ ଦଳିଚକଟି ନଷ୍ଟ କରିଛନ୍ତି। ଏଭଳି ଘଟଣା ମାଲିକାପୋଡ଼ି ପଞ୍ଚାୟତ ଅନ୍ତର୍ଗତ ମୁଲୁଲିଙ୍ଗିଆ ଅଞ୍ଚଳରେ ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ଗତ କିଛି ଦିନ ହେବ ସନ୍ଧ୍ୟା ହେଲେ ଦୁଇଟି ଦନ୍ତା ହାତୀ ମୁଲୁଲିଙ୍ଗିଆ ଗାଁ ଆଖପାଖ ଅଞ୍ଚଳରେ ପ୍ରବେଶ କରୁଛନ୍ତି। ରାତି ହେବା ପରେ ହାତୀ ଦୁଇଟି ଗାଁ ଭିତରକୁ ପଶି ଲୋକଙ୍କ ବାଡ଼ି ଓ ଚାଷ ଜମିରେ ଉପଦ୍ରବ କରୁଛନ୍ତି। ଏଥିପାଇଁ ସନ୍ଧ୍ୟା ସମୟରୁ ହିଁ ଗାଁ ଲୋକେ ଭୟରେ କବାଟ ବନ୍ଦ କରି ଘର ଭିତରେ ରହୁଛନ୍ତି। ଗତକାଲି ରାତିରେ ମଧ୍ୟ ହାତୀ ଦୁଇଟି ଦୀର୍ଘ ସମୟ ଧରି ଗାଁରେ ରହିଥିଲେ। ସକାଳ ପ୍ରାୟ ୫ଟା ପର୍ଯ୍ୟନ୍ତ ସେମାନେ ଅଞ୍ଚଳରେ ଘୁରି ବୁଲିବା ସହ ଫସଲ ନଷ୍ଟ କରିଥିବା ଜଣାପଡ଼ିଛି। ହାତୀଙ୍କ ଉପଦ୍ରବ ଯୋଗୁଁ ଚାଷୀମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଛନ୍ତି।
ଅନ୍ୟପକ୍ଷରେ, ହାତୀ ଭୟରେ ଲୋକେ ରାତିସାରା ଘର ଭିତରେ ରହୁଥିବା ବେଳେ ବନ ବିଭାଗର ତତ୍ପରତା ନେଇ ଅଞ୍ଚଳବାସୀ ପ୍ରଶ୍ନ ଉଠାଇଛନ୍ତି। ହାତୀଙ୍କୁ ଗାଁ ଅଞ୍ଚଳରୁ ଘଉଡ଼ାଇବା ଏବଂ ଲୋକଙ୍କ ସୁରକ୍ଷା ପାଇଁ ବନ ବିଭାଗ ତୁରନ୍ତ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି। ବନ ବିଭାଗ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଏହି ଅଞ୍ଚଳ ଲିଙ୍ଗାଗଡ଼ ବିଟ୍ ଅଧୀନରେ ଆସୁଥିବାରୁ ଘଟଣାସ୍ଥଳକୁ ଲିଙ୍ଗାଗଡ଼ ବିଟ୍ର କର୍ମଚାରୀ ପହଞ୍ଚି ପାରିନଥିବା ଜଣାପଡ଼ିଛି। ସେପଟେ ହାତୀ ଦ୍ୱାରା ଫସଲ ନଷ୍ଟ ହୋଇଥିବା ଚାଷୀମାନଙ୍କୁ କ୍ଷତିପୂରଣ ଦେବା ନେଇ ମଧ୍ୟ ବନ ବିଭାଗ ପକ୍ଷରୁ ପ୍ରକ୍ରିୟା ସମ୍ପର୍କରେ ଜଣାଇ ଦିଆଯାଇଛି। କ୍ଷତିଗ୍ରସ୍ତ ଚାଷୀମାନେ ନିଜର ପଟ୍ଟା, ନଷ୍ଟ ହୋଇଥିବା ଫସଲର ଫଟୋ ଆଦି ସହିତ ଗ୍ରାହକ ସେବା କେନ୍ଦ୍ର (ସିଏସ୍ସି) ମାଧ୍ୟମରେ ଆବେଦନ କରିବେ। ଆବେଦନର ରସିଦ ବନ ବିଭାଗ ନିକଟରେ ଦାଖଲ କରିବା ପରେ ବିଭାଗ ପକ୍ଷରୁ କ୍ଷୟକ୍ଷତିର ସର୍ଭେ କରାଯିବ। ପରେ ଯୋଗ୍ୟ ଚାଷୀଙ୍କ ବ୍ୟାଙ୍କ ଖାତାକୁ ନିୟମ ଅନୁଯାୟୀ ସହାୟତା ରାଶି ପ୍ରଦାନ କରାଯିବ ବୋଲି କୁହାଯାଇଛି।
Elephant: ବନ୍ୟା ପାଇଁ କଲବଲ ହାତୀପଲ: ବିଜୁ ପଟ୍ଟନାୟକ ମୁକ୍ତାକାଶ ଆଶ୍ରମ ପାଚେରି ଭାଙ୍ଗିଲେ
ତେବେ ଦୁଇ ଦନ୍ତା ହାତୀଙ୍କ ଲଗାତାର ଉପଦ୍ରବ ଯୋଗୁଁ ମୁଲୁଲିଙ୍ଗିଆ ଅଞ୍ଚଳବାସୀଙ୍କ ମଧ୍ୟରେ ଭୟର ବାତାବରଣ ଲାଗି ରହିଛି। ହାତୀଙ୍କ ଉପଦ୍ରବରୁ କେବେ ମୁକ୍ତି ମିଳିବ ଏବଂ ଚାଷୀଙ୍କ ଫସଲ କିପରି ସୁରକ୍ଷିତ ରହିବ, ତାହାକୁ ନେଇ ଏବେ ଅଞ୍ଚଳବାସୀ ଚିନ୍ତିତ ଅଛନ୍ତି।

1 week ago
4


