Editorial: ସ୍ବପ୍ନର ଦୌଡ଼

2 hours ago 2
ARTICLE AD BOX

ଏଥରର ଏକ ମାତ୍ର ଲକ୍ଷ୍ୟ ଥିଲା ଆଗାମୀ ଲସ ଏଞ୍ଜେଲସ ଅଲିଂପିକ୍‌ସ ଲାଗି ସ୍ଥାନ ସୁନିଶ୍ଚିତ କରିବା, ଯେଉଁଥି ଲାଗି ଏସିଆନ ଗେମ୍‌ସରେ ସ୍ବର୍ଣ୍ଣ ପଦକ ଜିଣିବା ଅନିବାର୍ଯ୍ୟ ହୋଇଥାଏ। ଏହି ଦୁର୍ଲଂଘ୍ୟ କାମନା ଦ୍ବାରା ପରିଚାଳିତ ହୋଇଥିବା ହେତୁ ୨୦୨୨ ମସିହାର ହକି ବିଶ୍ବ କପ ଚାଂପିଅନ ତଥା ପୃଥିବୀର ଚତୁର୍ଥ ସର୍ବାଧିକ ଶକ୍ତିଶାଳୀ ଦଳ ଚୀନକୁ ପରାଜିତ କରିବାରେ ଭାରତୀୟ ମହିଳା ହକି ଦଳ ସମର୍ଥ ହୋଇଛି।

ଜାପାନର ନଗୋୟାଠାରେ ଆୟୋଜିତ ବିଂଶତମ ଏସିଆନ ଗେମ୍‌ସ-୨୦୨୬, ଗତ କାଲି ଉଦ୍‌ଯାପିତ ହୋଇଯାଇଛି। ପଦକ ସଂଖ୍ୟା ଦୃଷ୍ଟିରୁ, ଯଦିଓ, ଭାରତୀୟ ଖେଳାଳିମାନଙ୍କ ଏଥରର ପ୍ରଦର୍ଶନ ପୂର୍ବ ଥରର ଅର୍ଥାତ୍ ୨୦୨୨ ମସିହାର, ହାଙ୍ଗଜୁ ଏସିଆନ ଗେମ୍‌ସର ଫଳାଫଳକୁ ‌େଦାହରାଇବା କି ଅତିକ୍ରମ କରିବାରେ ସଫଳ ହୋଇ ପାରିନାହିଁ, ତଥାପି ସ୍ଥିତିକୁ ହତାଶାଜନକ ବୋଲି କୁହାଯାଇ ନ ପାରେ। ୨୦୨୨ ମସିହାରେ, ଭାରତକୁ ମିଳିଥିବା ମୋଟ ପଦକ ସଂଖ୍ୟା ଥିଲା ୧୦୭, ଯାହା ମଧ୍ୟ ଏକ ରେକର୍ଡ, ଯହିଁରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକର ସଂଖ୍ୟା ଥିଲା ଯଥାକ୍ରମେ ୨୮ ଓ ୩୮। ଚଳିତ ବର୍ଷ ମୋଟ ପଦକ ସଂଖ୍ୟା ହେଉଛି ୮୫, ଯହିଁରେ ସ୍ବର୍ଣ୍ଣ ଓ ରୌପ୍ୟ ପଦକ ହେଉଛନ୍ତି ୨୧ ଓ ୨୭। ଉଲ୍ଲେଖଯୋଗ୍ୟ ଯେ ପଦକ ସଂଖ୍ୟାରେ ହ୍ରାସ ଘଟିଥିଲେ ହେଁ ଶ୍ରେଷ୍ଠତ୍ବ ତାଲିକାରେ ୨୦୨୨ ମସିହାର ଚତୁର୍ଥ ସ୍ଥାନକୁ ଏ ଥର ଅକ୍ଷୁଣ୍ଣ ରଖିବାରେ ମଧ୍ୟ ଭାରତ ସମର୍ଥ ହୋଇଛି। କେବଳ ସେତିକି ନୁହେଁ, ସବୁ ବୃହଦାକାୟ କ୍ରୀଡ଼ା ଟୁର୍ନାମେଣ୍ଟରେ ସୃଷ୍ଟି ହେଉଥିବା ରେକର୍ଡ, କିଂବଦନ୍ତି ଓ କାହାଣୀଗୁଡ଼ିକ ଭଳି ଏହି ଏସିଆନ ଗେମ୍‌ସ‌େର ମଧ୍ୟ ଘଟିଛି! ସେ ସବୁ ମଧ୍ୟରୁ ଯେଉଁ ଦୁଇଟିକୁ ନେଇ ଏଠାରେ ଆଲୋଚନା ଲାଗି କ୍ଷେତ୍ର ପ୍ରସ୍ତୁତ କରାଯାଇଛି, ତାହା ହେଲା ମହିଳା ୪x୪୦୦ ମିଟର ରିଲେ ଦୌଡ଼ ଏବଂ ମହିଳା ହକି। 
ଉପରୋକ୍ତ ଦୁଇଟି ସ୍ପର୍ଦ୍ଧାରେ ଯେଉଁ ବିଶେଷତ୍ବ ଏଥର ଦେଖିବାକୁ ମିଳିଛି, ତାହା ହେଲା ୧୯୮୨ ମସିହାରେ, ନୂଆଦିଲ୍ଲୀରେ ଆୟୋଜିତ ହୋଇଥିବା ଏସିଆଡ୍‌ରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ, ଦୀର୍ଘ ୪୬ ବର୍ଷର ଅବଧିରେ, ସମସ୍ତ ୧୨ଟି ଯାକ ଏସିଆନ ଗେମ୍‌ସରେ, ୪x୪୦୦ ମିଟର ରିଲେ ଦୌଡ଼ରେ ପଦକ (୭ଟି ସ୍ବର୍ଣ୍ଣ ଏବଂ ୫ଟି ରୌପ୍ୟ) ଜିଣି ଭାରତୀୟ ମହିଳା ଦଳ ଏକ ଅନିର୍ବଚନୀୟ ପରଂପରା ପ୍ରତିଷ୍ଠା କରିଥିବା ବେଳେ ୧୯୮୨ ଏସିଆଡ୍‌ ପରଠାରୁ ଏ ଯାବତ୍‌ ସ୍ବର୍ଣ୍ଣ ପଦକଟିଏ ଜିଣି ପାରି ନ ଥିବା ମହିଳା ହକି ଦଳ ଏଥର ତାହା ଜିଣି ଦୀର୍ଘ ୪୬ ବର୍ଷର ଦୁର୍ଭିକ୍ଷରେ ଅବସାନ ଘଟାଇଛନ୍ତି। କେବଳ ସେତିକି ନୁହେଁ, ଭାରତୀୟ ମହିଳା ହକି ଖେଳାଳିମାନଙ୍କ ପ୍ରଦର୍ଶନ ଦେଖି ଅନେକ କ୍ରୀଡ଼ା ବିଶେଷଜ୍ଞ ଅନୁମାନ କରନ୍ତି ଯେ ହୁଏତ ରିଲେ ଦଳ ଭଳି ମହିଳା ହକି ଦଳ ଏହା ପରଠାରୁ ଏକ ସ୍ବର୍ଣ୍ଣିମ ପରଂପରା ସ୍ଥାପନ କରି ପାରନ୍ତି। କୌଣସି କ୍ରୀଡ଼ାରେ ସାଫଲ୍ୟ ଦ୍ବାରା କିଭଳି ଉତ୍କର୍ଷର ପରଂପରା ସୃଷ୍ଟି ହୋଇଥାଏ, ତାହାର ଅସଂଖ୍ୟ ଦୃଷ୍ଟାନ୍ତ ବିଦ୍ୟମାନ; ଯେମିତି ୧୯୮୩ ମସିହାରେ କ୍ରିକେଟ୍‌ ବିଶ୍ବକପ ଜିଣିବା ପରେ କ୍ରିକେଟ୍‌ ମହାଶକ୍ତି ରୂପେ ଭାରତର ଅଭ୍ୟୁଦୟ ବା ସପ୍ତମ ଦଶକ ପର୍ଯ୍ୟନ୍ତ ଭାସ୍ବର ଥିବା ଭାରତୀୟ ହକିର ଉଜ୍ଜ୍ବଳ ପରଂପରା! ସଂପ୍ରତି ଦ୍ରୁତ ଗତିର ଦୌଡ଼ରେ ଜାମାଇକା ଓ ଦୀର୍ଘ ଦୂରତାର ‌େଦୗଡ଼ରେ କେନିଆ ସମେତ ଆଫ୍ରିକୀୟ ରାଷ୍ଟ୍ରଗୁଡ଼ିକ ଦକ୍ଷତା ଓ ସାମର୍ଥ୍ୟର ଯେଉଁ ପରଂପରା ସ୍ଥାପନ କରିଛନ୍ତି, ତାହା ସୁବିଦିତ। ପ୍ରକାଶ ଥାଉ କି ୪୦୦ ମିଟର ଦୌଡ଼ ବିଭାଗରେ, ୧୯୭୦ ମସିହାରେ, ବ୍ୟାଂକକ ଏସିଆନ ଗେମ୍‌ସରେ ସ୍ବର୍ଣ୍ଣ ପଦକ ଜିଣିଥିବା କମଳଜିତ ସାନ୍ଧୁଙ୍କଠାରୁ ଆରମ୍ଭ କରି କିଂବଦନ୍ତୀୟ ପି.ଟି. ଉଷା ଓ ତାଙ୍କ ସତୀର୍ଥ ସାଇନୀ ଆବ୍ରାହାମ ଏବଂ ପରେ ଏମ.ଡି. ବାଲସମା ଆଦିଙ୍କ ଦେଇ ଆଜିର ଏମ.ଆର. ପୁବାମା ଓ ବିଥ୍ୟା ରାମରାଜ ଆଦିଙ୍କ ପର୍ଯ୍ୟନ୍ତ ଅତ୍ୟନ୍ତ ପାରଦର୍ଶୀ ଧାବିକାମାନଙ୍କ ଉଦୟ ହେତୁ ଯେଉଁ ଦୃଶ୍ୟପଟ ସୃଷ୍ଟି ହୋଇଛି, ସେଥିରେ ୪x୪୦୦ ମିଟର ରିଲେ ଦୌଡ଼ର ସଫଳତା ସ୍ବାଭାବିକ ଭଳି ମନେ ହୋଇଥାଏ। ଏଥିରେ ମଧ୍ୟ ଦ୍ବିରୁକ୍ତି ନାହିଁ ଯେ ବର୍ତ୍ତମାନର ଭାରତୀୟ ମହିଳା ହକି ଦଳ ହେଉଛି ଏକ ଶକ୍ତିଶାଳୀ ଦଳ, ଯାହା ସମ୍ଭବ ହୋଇଛି ଦେଶର ବିଭିନ୍ନ ପ୍ରାନ୍ତରେ ସୃଷ୍ଟି ହେଉଥିବା ଅନେକ ହକି ପ୍ରତିଭାଙ୍କ ଯୋଗୁଁ। କହିବା ଅନାବଶ୍ୟକ ଯେ ଏହି ଏସିଆନ ଗେମ୍‌ସର ବିଜୟ ଦ୍ବାରା ଅନୁପ୍ରାଣିତ ହୋଇ ଅଧିକ ସଂଖ୍ୟକ ଉତ୍କୃଷ୍ଟ ହକି ପ୍ରତିଭା ମୈଦାନକୁ ଓହ୍ଲାଇବେ ଓ ଏକ ପରଂପରା ସୃଷ୍ଟି ଲାଗି ଦିଗନ୍ତ ଉନ୍ମୋଚିତ ହେବ! 
ଏହି ଏସିଆନ ଗେମ୍‌ସର ପରିସମାପ୍ତି ପରେ ଏହି ସ୍ତମ୍ଭରେ, ଉପରୋକ୍ତ ଦୁଇଟି ସ୍ପର୍ଦ୍ଧାରୁ ତିନି ଜଣ ଖେଳାଳିଙ୍କ ସଂପର୍କରେ ଏକ କ୍ଷୁଦ୍ର ଆଲୋଚନା କରାଯାଉ, ଯହିଁରେ ସାମର୍ଥ୍ୟ ଅତିକ୍ରମୀ ଦୃଢ଼ ମନୋବଳ ବିଷୟ ସ୍ପଷ୍ଟ ‌ହୋଇଥାଏ। ଏହି କ୍ରମରେ ପ୍ରଥମେ ଆସନ୍ତି ବିଥ୍ୟା ରାମରାଜ, ଯିଏ ଏହି ଏସିଆନ ଗେମ୍‌ସରେ ତିନିଟି ବିଭାଗରେ ଯୋଗ ଦେଇ କାଂସ୍ୟ, ରୌପ୍ୟ ଓ ସ୍ବର୍ଣ୍ଣ ପଦକ ଜିଣିଛନ୍ତି। କେବଳ ସେତିକି ନୁହେଁ, ୪୦୦ ମିଟର ହର୍ଡଲ୍‌ସରେ ସେ ପି.ଟି. ଉଷାଙ୍କ ଦ୍ବାରା ସ୍ଥାପିତ ଦୀର୍ଘ ୪୨ ବର୍ଷର କୀର୍ତ୍ତିମାନ (୫୫.୪୨ ସେକଣ୍ଡ)କୁ ଅତିକ୍ରମ କରିଯାଇଛନ୍ତି। କୋଇମ୍ବାଟୁରର ଜଣେ ଟ୍ରକ ଚାଳକଙ୍କ କନ୍ୟା ରୂପେ ଉତ୍କଟ ଦାରିଦ୍ର୍ୟ ଭିତରେ ପ୍ରତିପାଳିତ ବିଥ୍ୟା ରାମରାଜ ହେଉଛନ୍ତି ସେହି ଦୃଷ୍ଟାନ୍ତ, ଯାହା ଦର୍ଶାଇଥାଏ କିଭଳି ପ୍ରତିଭାର ସ୍ଫୁଲିଙ୍ଗ, ପରିବାରର ଅକୁଣ୍ଠ ଓ ଅପୂର୍ବ ସହଯୋଗରେ, ଏକ ତାରକାରେ ପରିଣତ ହୋଇପାରେ! ଏହି ରିଲେ ଦଳର ଆଉ ଜଣେ ସଦସ୍ୟ ହେଉଛନ୍ତି ୩୬ ବର୍ଷ ବୟସ୍କା ଏମ.ଆର. ପୁବାମା, ଯିଏ ସମ୍ଭବତଃ ଏସିଆନ ଗେମ୍‌ସର କୌଣସି ଦୌଡ଼ ପ୍ରତିଯୋଗିତାରେ ପଦକ ଜିଣିଥିବା ସର୍ବାଧିକ ବୟସ୍କ ଭାରତୀୟ ଆଥଲେଟ। ପ୍ରକାଶ ଥାଉ କି ୨୦୨୨ ମସିହାରେ ତାଙ୍କୁ ଦୁଇ ବର୍ଷ ସକାଶେ ଜାତୀୟ ଓ ଅନ୍ତର୍ଜାତୀୟ କ୍ରୀଡ଼ାରୁ ବାସନ୍ଦ କରାଯାଇଥିଲା, କାରଣ ତାଙ୍କ ମୂତ୍ର ବା ରକ୍ତ ନମୁନାରେ କୌଣସି ନିଷିଦ୍ଧ ଦ୍ରବ୍ୟର ଅଂଶ ଆବିଷ୍କୃତ ହୋଇଥିଲା। ଅବଶ୍ୟ, ପୁବାମା, ସେତେବେଳେ କହିଥିଲେ ଯେ ତାଙ୍କ ଅଜାଣତରେ, କୌଣସିି ଏକ ଔଷଧ ଖାଇବା କାରଣରୁ ଏଭଳି ଘଟିଛି। ତେବେ, ‌େସ ଯାହା ହେଉ, ଗଭୀର ହତାଶା, ବିମର୍ଷବୋଧ, ତୀବ୍ର ମାନସିକ ଅବସାଦ ଓ ଅତିକ୍ରାନ୍ତ ହୋଇ ଚାଲିଥିବା ବୟସ ସତ୍ତ୍ବେ ପୁବାମାଙ୍କ ପୁନରଭ୍ୟୁତ୍‌ଥାନ ସୁନିଶ୍ଚିତ ଭାବେ ଉଦାହରଣୀୟ ହୋଇଥାଏ। ଏବଂ ତୃତୀୟ ଜଣକ ହେଉଛନ୍ତି ସବିତା ପୁନିୟାଁ, ଯିଏ ଚାରିଟି ଏସିଆନ ଗେମ୍‌ସରେ ଭାରତୀୟ ହକି ଦଳର ସଦସ୍ୟ ଭାବେ ସର୍ବାଧିକ ଅଭିଜ୍ଞ ଖେଳାଳି ଏବଂ ଯିଏ ଏହି ଟୁର୍ନାମେଣ୍ଟର ଫାଇନାଲ ମ୍ୟାଚରେ ପେନାଲ୍‌ଟି ଷ୍ଟ୍ରୋକ୍‌ଟିଏ ଅଟକାଇ ଦେଇ ଭାରତକୁ ଚୀନ ବିପକ୍ଷରେ ନିର୍ଣ୍ଣାୟକ ୧-୦ ଗୋଲରେ ବିଜୟୀ କରିଛନ୍ତି। ପ୍ରକାଶ ଥାଉ କି ହକିରେ ପେନାଲ୍‌ଟି ଷ୍ଟ୍ରୋକକୁ ଅଟକାଇବାର ସଫଳତା ମାତ୍ର ୧% ସ୍ଥଳେ ପ୍ରାପ୍ତ ହୋଇଥାଏ। ଏହା ସହିତ ପୂର୍ବରୁ ଜିଣିଥିବା କାଂସ୍ୟ ଓ ରୌପ୍ୟ ପଦକ ସହିତ ସ୍ବର୍ଣ୍ଣ ପଦକଟିିଏ ଯୋଡ଼ି ହୋଇଯାଇ ସବିତାଙ୍କ ଦୀର୍ଘ ଯାତ୍ରାକୁ ପୂର୍ଣ୍ଣତା ପ୍ରଦାନ କରିଛି। 
ସ୍ବପ୍ନ ସଂଚାର ଏବଂ ତାକୁ ଚରିତାର୍ଥ କରିବାର ଦୃଢ଼ ପ୍ରତିଜ୍ଞା କିଭଳି ସଫଳତା ଆଣି ଦେଇଥାଏ ସେ ସଂଦର୍ଭରେ, ଏକ ସାକ୍ଷାତ୍‌କାର ସମୟରେ, ସବିତା ପୁନିୟାଁ ଏକ ସୁନ୍ଦର ଉଦାହରଣ ଦେଇ କହିଛନ୍ତି ଯେ ଗଲା ୨୦୨୨ ଏସିଆନ ଗେମ୍‌ସ ସମୟରେ ଦଳର ଲକ୍ଷ୍ୟ ଥିଲା କୌଣସିମତେ ଫାଇନାଲ ଖେଳିବା, ଯାହା ସେମାନଙ୍କୁ କାଂସ୍ୟ ପଦକଟିଏ ପାଇବା ପର୍ଯ୍ୟନ୍ତ ଘେନି ଯାଇଥିଲା। କିନ୍ତୁ ଏଥରର ଏକ ମାତ୍ର ଲକ୍ଷ୍ୟ ଥିଲା ଆଗାମୀ ଲସ ଏଞ୍ଜେଲସ ଅଲିଂପିକ୍‌ସ ଲାଗି ସ୍ଥାନ ସୁନିଶ୍ଚିତ କରିବା, ଯେଉଁଥି ଲାଗି ଏସିଆନ ଗେମ୍‌ସରେ ସ୍ବର୍ଣ୍ଣ ପଦକ ଜିଣିବା ଅନିବାର୍ଯ୍ୟ ହୋଇଥାଏ। ଏହି ଦୁର୍ଲଂଘ୍ୟ କାମନା ଦ୍ବାରା ପରିଚାଳିତ ହୋଇଥିବା ହେତୁ ୨୦୨୨ ମସିହାର ହକି ବିଶ୍ବ କପ ଚାଂପିଅନ ତଥା ପୃଥିବୀର ଚତୁର୍ଥ ସର୍ବାଧିକ ଶକ୍ତିଶାଳୀ ଦଳ ଚୀନକୁ ପରାଜିତ କରିବାରେ ଭାରତୀୟ ମହିଳା ହକି ଦଳ ସମର୍ଥ ହୋଇଛି। କୁହାଯାଇ ନ ଥାଏ କି ଯାହା ଜଣେ ନିବିଷ୍ଟ ଭାବେ ଚାହେଁ, ତାହା ତାକୁ ପ୍ରାପ୍ତ ହେଉ ବୋଲି ସବୁ ଲୌକିକ ଓ ପାରଲୌକିକ ଶକ୍ତି ଏକଜୁଟ ହୋଇଯାଆନ୍ତି! ବୋଧହୁଏ ସେଭଳି କିଛି ଘଟିଛି, ଯେଉଁଥି ଲାଗି ଏହି ‘ଡ୍ରିମ ରନ’ ବା ସ୍ବପ୍ନର ଦୌଡ଼ ସମ୍ଭବ ହୋଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.