ARTICLE AD BOX
ପ୍ରବାସୀ ଭାରତୀୟମାନଙ୍କୁ ଭାରତୀୟ ବ୍ୟାଙ୍କ୍ମାନଙ୍କରେ ସେମାନଙ୍କର ବୈଦେଶିକ ମୁଦ୍ରା ସଞ୍ଚୟ ଜମା କରିବାକୁ ପ୍ରୋତ୍ସାହିତ କରିବା ଲାଗି ଏବେ ଯେଉଁ ‘ଫରେନ୍ କରେନ୍ସି ନନ୍-ରେସିଡେଣ୍ଟ (ବ୍ୟାଙ୍କ୍)’ ବା ସଂକ୍ଷେପରେ ‘ଏଫ୍ସିଏନ୍ଆର୍ (ବି)’ ସ୍କିମ୍ କାର୍ଯ୍ୟକାରୀ ହୋଇଛି, ତାହାର ଫଳସ୍ବରୂପ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ବିଲିଅନ୍ ଡଲାର ଭାରତୀୟ ବ୍ୟାଙ୍କ୍ମାନଙ୍କରେ ଜମା ହୋଇ ସାରିଲାଣି। ତେଣୁ ଟଙ୍କାର ବିନିମୟ ହାରରେ ସ୍ଖଳନକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ପାଇଁ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବାର ଜରୁରି ଆବଶ୍ୟକତା ଟଳିଯାଇଛି।
Editorial: ସଂଶୋଧନର ମହାପର୍ବ: ଚିନ୍ମୟ ହୋତାଙ୍କ ସମ୍ପାଦକୀୟ ଚିନ୍ମୟ ଚେତନାରେ ପଢ଼ନ୍ତୁ...
ଅଗଷ୍ଟ ୫ରେ ସମାପ୍ତ ତା’ର ଦ୍ବିମାସିକ ବୈଠକରେ ରିଜର୍ଭ ବ୍ୟାଙ୍କ୍ର ମୁଦ୍ରା ନୀତି ନିର୍ଦ୍ଧାରଣକାରୀ କମିଟି (‘ଏମ୍ପିସି’) ଗ୍ରହଣ କରିଥିବା ନିଷ୍ପତ୍ତି ଅଧିକାଂଶ ପର୍ଯ୍ୟବେକ୍ଷକଙ୍କର ପୂର୍ବାନୁମାନକୁ ସତ୍ୟ ସାବ୍ୟସ୍ତ କରିଛି: କମିଟିର ସଦସ୍ୟମାନେ ସର୍ବସମ୍ମତ ଭାବରେ ଉଭୟ ‘ରେପୋ ରେଟ୍’ ଓ ‘ଷ୍ଟାନ୍ସ’କୁ ଅପରିବର୍ତ୍ତିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି। ‘ରେପୋ ରେଟ୍’କୁ ଭିତ୍ତିକରି ବ୍ୟାଙ୍କ୍ମାନେ ନିଜର ସୁଧ ହାର ସ୍ଥିର କରିଥାନ୍ତି- ଅର୍ଥାତ୍ ‘ରେପୋ ରେଟ୍’ରେ ହ୍ରାସ ବୃଦ୍ଧି ସହିତ ତାଳ ଦେଇ ସେମାନେ ନିଜର ସୁଧ ହାରରେ ହ୍ରାସ ବୃଦ୍ଧି ଘଟାଇଥାନ୍ତି। ‘ଷ୍ଟାନ୍ସ’ ଏ ବାବଦରେ ରିଜର୍ଭ ବ୍ୟାଙ୍କ୍ର ସମ୍ଭାବ୍ୟ ଭବିଷ୍ୟତ ଆଭିମୁଖ୍ୟ ବା ଠାଣି ସମ୍ବନ୍ଧରେ ସୂଚନା ଦେଇଥାଏ। ‘ଏମ୍ପିସି’ ଏଥର ‘ରେପୋ ରେଟ୍’କୁ ୫.୨୫ ଶତାଂଶରେ ଅପରିବର୍ତ୍ତିତ ରଖିବା ସହିତ ‘ଷ୍ଟାନ୍ସ’କୁ ପୂର୍ବଭଳି ‘ନିଉଟ୍ରାଲ୍’ ବା ନିରପେକ୍ଷ ରଖିଛି। ‘ନିଉଟ୍ରାଲ୍ ଷ୍ଟାନ୍ସ’ ଅର୍ଥ ଭବିଷ୍ୟତରେ ଅର୍ଥନୈତିକ ପରିବେଶର ଗତି ଦେଖି ରିଜର୍ଭ ବ୍ୟାଙ୍କ୍ ଏକ କଠୋର କିମ୍ବା କୋହଳ ନୀତି ଅବଲମ୍ବନ କରିପାରେ, ‘ରେପୋ ରେଟ୍’ରେ ହ୍ରାସ କିମ୍ବା ବୃଦ୍ଧି ଘଟାଇପାରେ।
ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ ହେଉଛି ରିଜର୍ଭ ବ୍ୟାଙ୍କ୍ର ମୌଳିକ ଦାୟିତ୍ବ। ଜୁନ୍ରେ ସମାପ୍ତ ହୋଇଥିବା ଚଳିତ ବିତ୍ତ ବର୍ଷର ପ୍ରଥମ ଚଉଠରେ ଦେଶରେ ଖାଉଟି ମୁଦ୍ରାସ୍ଫୀତି ହାର ୩.୯ ଶତାଂଶ ଥିବା ଦେଖାଯାଇଥିଲା, ଯାହା ରିଜର୍ଭ ବ୍ୟାଙ୍କ୍ର ପୂର୍ବାନୁମାନଠାରୁ ୩୦ ବେସିସ୍ ପଏଣ୍ଟ (୦.୩ ଶତାଂଶ) କମ୍ ଥିଲା। କିନ୍ତୁ ତଥାପି ରିଜର୍ଭ ବ୍ୟାଙ୍କ୍ର ପୂର୍ବାନୁମାନ ଅନୁସାରେ ଆସନ୍ତା ସେପ୍ଟେମ୍ବରଠାରୁ ଜୁନ୍ ୨୦୨୭ ପର୍ଯ୍ୟନ୍ତ ମୁଦ୍ରାସ୍ଫୀତି ହାର ୫ ଶତାଂଶ ଉପରେ ରହିଚାଲିବ ବୋଲି ଆଶଙ୍କା କରାଯାଉଛି।
ରିଜର୍ଭ ବ୍ୟାଙ୍କ୍ ସମ୍ମୁଖରେ ସ୍ଥାପିତ ବିଧିବଦ୍ଧ ଲକ୍ଷ୍ୟ ଅନୁସାରେ ଆଦର୍ଶ ମୁଦ୍ରାସ୍ଫୀତି ହାର ହେଉଛି ୪ ଶତାଂଶ, ଯଦିବା ଏହାଠାରୁ ୨ ଶତାଂଶ କମ୍ ବେଶୀ ସୀମା ମଧ୍ୟରେ ଏଥିରେ ହ୍ରାସ ବୃଦ୍ଧି ସହନୀୟ ବିବେଚିତ ହୋଇଥାଏ। ତଥାପି ଯେହେତୁ ଏତେ ଦୀର୍ଘ କାଳ ଧରି ମୁଦ୍ରାସ୍ଫୀତି ହାର ଆଦର୍ଶ ୪ ଶତାଂଶ ହାରଠାରୁ ଉଚ୍ଚତର ହେବ ବୋଲି ଅନୁମାନ କରାଯାଉଛି, ରିଜର୍ଭ ବ୍ୟାଙ୍କ୍ ତାହାକୁ ପ୍ରତିହତ କରିବା ନିମିତ୍ତ ଏବେ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇଥିଲେ, ତାହା ସ୍ବାଭାବିକ ବୋଲି ବିବେଚିତ ହୁଅନ୍ତା। କିନ୍ତୁ ‘ଏମ୍ପିସି’ ତାହା ପରିବର୍ତ୍ତେ ‘ରେପୋ ରେଟ୍’କୁ ସ୍ଥିର ରଖିବାକୁ ନିଷ୍ପତ୍ତି ନେବାର କାରଣ ହେଲା ଏଇ ମୁଦ୍ରାସ୍ଫୀତି ଖାଦ୍ୟଦ୍ରବ୍ୟ, ଇନ୍ଧନ ଓ ଅନ୍ୟାନ୍ୟ ଯୋଗାଣ ପାର୍ଶ୍ବର ଚାପ ଯୋଗୁଁ ଦେଖା ଦେବ ବୋଲି ବିଶ୍ବାସ କରାଯାଉଛି; ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇଲେ ଏସବୁ ଦ୍ରବ୍ୟର ଯୋଗାଣରେ ବୃଦ୍ଧି ଘଟିବା ପରିବର୍ତ୍ତେ ଉତ୍ପାଦନ ବାଧାପ୍ରାପ୍ତ ହୋଇ ତାହା ଆହୁରି ସଂକୁଚିତ ହେବ ଏବଂ ମୁଦ୍ରାସ୍ଫୀତି ପରିସ୍ଥିତି ଆହୁରି ଖରାପ ହେବ।
ଯଦି ମୁଦ୍ରାସ୍ଫୀତି ଏଇ କେତେକ ଦ୍ରବ୍ୟ ମଧ୍ୟରେ ସୀମିତ ନ ହୋଇ ଅଧିକ ବ୍ୟାପକ ହୋଇଥାନ୍ତା, ତା’ହେଲେ ହୁଏତ ରିଜର୍ଭ ବ୍ୟାଙ୍କ୍ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବା ଉଚିତ ମନେ କରନ୍ତା। ଦେଶରେ ମୁଦ୍ରାସ୍ଫୀତିର ଉପସ୍ଥିତି ଯେ ସେଭଳି ବ୍ୟାପକ ହୋଇ ନାହିଁ, ତାହା ବର୍ତ୍ତମାନର ନୀଚା ମଞ୍ଜି ମୁଦ୍ରାସ୍ଫୀତି ହାରରୁ ଜଣାଯାଇଥାଏ। ମଞ୍ଜି ମୁଦ୍ରାସ୍ଫୀତି ହିସାବରୁ ଖାଦ୍ୟ, ଇନ୍ଧନ ଭଳି ଅତ୍ୟନ୍ତ ଅସ୍ଥିର ପଦାର୍ଥମାନଙ୍କୁ ବାଦ୍ ଦିଆଯାଇଥାଏ; ଏଣୁ ସେଥିରୁ ଅର୍ଥନୀତିରେ ପ୍ରକୃତ ମୁଦ୍ରାସ୍ଫୀତିର ଉପସ୍ଥିତି ସମ୍ବନ୍ଧରେ ସୂଚନା ମିଳିଥାଏ। ତାତ୍ପର୍ଯ୍ୟପୂର୍ଣ୍ଣ ଭାବରେ ଜୁନ୍ରେ ମୁଦ୍ରାସ୍ଫୀତି ହାର ୩.୯ ଥିବାବେଳେ ସେଥିରୁ ସୁନା ଭଳି ମୂଲ୍ୟବାନ ଧାତୁମାନଙ୍କୁ ବାଦ୍ ଦେଲେ ତାହା ଥିଲା ଏକ ବେଶ୍ ନୀଚା ୨.୫ ଶତାଂଶ। ଏଥିରୁ ଜଣାପଡ଼ିଥାଏ, ବର୍ତ୍ତମାନ ପରିଦୃଷ୍ଟ ହେଉଥିବା ମୁଦ୍ରାସ୍ଫୀତି ଚାହିଦା ପାର୍ଶ୍ବସ୍ଥ କାରଣମାନଙ୍କ ଯୋଗୁଁ ନୁହେଁ, ଯୋଗାଣ ପାର୍ଶ୍ବସ୍ଥ କାରଣମାନଙ୍କ ଯୋଗୁଁ ଆବିର୍ଭୂତ ହୋଇଛି। ଏଣୁ ‘ରେପୋ ରେଟ୍’ରେ ବୃଦ୍ଧି ମାଧ୍ୟମରେ ଚାହିଦା ପାର୍ଶ୍ବକୁ ଆକ୍ରମଣ କଲେ ସେଥିରୁ କୌଣସି ସୁଫଳ ମିଳିବ ନାହିଁ। ପୁଣି ୨୦୨୬-୨୭ ବିତ୍ତ ବର୍ଷରେ ମଞ୍ଜି ମୁଦ୍ରାସ୍ଫୀତିରେ ଆହୁରି ୪୦ ବେସିସ୍ ପଏଣ୍ଟ (୦.୪ ଶତାଂଶ) ହ୍ରାସ ଘଟିବାକୁ ଯାଉଛି ବୋଲି ରିଜର୍ଭ ବ୍ୟାଙ୍କ୍ ତା’ର ସଂଶୋଧିତ ପୂର୍ବାନୁମାନରେ ପ୍ରକାଶ କରିଛି। ତେଣୁ ରିଜର୍ଭ ବ୍ୟାଙ୍କ୍ ବର୍ତ୍ତମାନ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇ ଏପରି ଏକ ସମୟରେ ଅର୍ଥନୈତିକ ଅଭିବୃଦ୍ଧି ପ୍ରତି ବାଧା ସୃଷ୍ଟି କରିବାକୁ ଚାହିଁ ନାହିଁ, ଯେଉଁ ସମୟରେ ‘ଏଲ୍ ନିନୋ’ ପ୍ରଭାବରେ ଦେଶରେ କୃଷି ଉତ୍ପାଦନ ବାଧାପ୍ରାପ୍ତ ହେବାକୁ ଯାଉଛି ବୋଲି ଆଶଙ୍କା ପ୍ରକାଶ ପାଉଛି।
Editorial Column: ପେଟ୍ରୋଲ ଆତଙ୍କ: ଚିନ୍ମୟ ହୋତାଙ୍କ ସମ୍ପାଦକୀୟ ଚିନ୍ମୟ ଚେତନାରେ ପଢ଼ନ୍ତୁ ଏଥର...
ଏମିତିରେ ମଧ୍ୟ ଏ ବର୍ଷ ଆମର ଅର୍ଥନୈତିକ ଅଭିବୃଦ୍ଧିରେ ବିଭିନ୍ନ ଅସ୍ଥିରତା ସୃଷ୍ଟିକାରୀ ଆଭ୍ୟନ୍ତରୀଣ ଓ ବାହ୍ୟ କାରଣ ଯୋଗୁଁ ଶିଥିଳତା ଦେଖାଦେବ ବୋଲି ଅାଶଙ୍କା କରାଯାଉଛି। ଏଇ ସମୟରେ ‘ରେପୋ ରେଟ୍’ରେ ଅର୍ଥାତ୍ ସୁଧ ହାରରେ ଯଦି ବୃଦ୍ଧି ଘଟାଯାଏ, ତାହା ନିବେଶକମାନଙ୍କୁ ନିରୁତ୍ସାହିତ କରି ଅଭିବୃଦ୍ଧି ପ୍ରତି ଅତିରିକ୍ତ ବାଧା ସୃଷ୍ଟି କରନ୍ତା। ରିଜର୍ଭ ବ୍ୟାଙ୍କ୍ ସେଇଥିପାଇଁ ‘ରେପୋ ରେଟ୍’କୁ ଅପରିବର୍ତ୍ତିତ ରଖି ଏକ ‘ନିଉଟ୍ରାଲ୍ ଷ୍ଟାନ୍ସ’ ମାଧ୍ୟମରେ ଭବିଷ୍ୟତରେ ଆବଶ୍ୟକ ହେଲେ ସେଥିରେ ବୃଦ୍ଧି ଘଟାଇବାର ରାସ୍ତା ଖୋଲା ରଖିଛି- ଯେମିତି, ଯଦି ମୁଦ୍ରାସ୍ଫୀତି ଚିନ୍ତାଜନକ ସ୍ତର ସ୍ପର୍ଶ କରେ।
ଇତିମଧ୍ୟରେ ଅନ୍ୟ ଯେଉଁ ଏକ କାରଣ ଯୋଗୁଁ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କ୍ ଉପରେ ଚାପ ସୃଷ୍ଟି ହେଉଥିଲା, ସେଥିରେ ଏବେ କିଛିମାତ୍ରାରେ ଉନ୍ନତି ପରିଲକ୍ଷିତ ହୋଇଛି। ତାହା ହେଲା ଭାରତୀୟ ମୁଦ୍ରା ଟଙ୍କାର ବିନିମୟ ମୂଲ୍ୟରେ ଘଟି ଚାଲିଥିବା ସ୍ଖଳନ। ଅଧିକ ଲାଭ ସନ୍ଧାନରେ ବିଦେଶୀ ପୁଞ୍ଜି ନିବେଶକମାନଙ୍କର ଭାରତରୁ ପୁଞ୍ଜି ପ୍ରତ୍ୟାହାର କରି ଅନ୍ୟତ୍ର ପଳାୟନ ଥିଲା ଏହି ସ୍ଖଳନର ଅନ୍ୟତମ କାରଣ। ସୁଧ ହାରରେ ବୃଦ୍ଧି ହେଉଛି ସେମାନଙ୍କୁ ପୁନରାୟ ଏଠାକୁ ଆକର୍ଷିତ କରିବାର ଗୋଟିଏ ସମ୍ଭାବ୍ୟ କୌଶଳ। କିନ୍ତୁ ସରକାର ଭିନ୍ନ ଏକ କୌଶଳ ଅବଲମ୍ବନ କରି ଏବେ ଦେଶର ବୈଦେଶିକ ମୁଦ୍ରା ପାଣ୍ଠିରେ ବୃଦ୍ଧି ଘଟାଇବାରେ ସଫଳ ହେବା ଦେଖାଗଲାଣି। ପ୍ରବାସୀ ଭାରତୀୟମାନଙ୍କୁ ଭାରତୀୟ ବ୍ୟାଙ୍କ୍ମାନଙ୍କରେ ସେମାନଙ୍କର ବୈଦେଶିକ ମୁଦ୍ରା ସଞ୍ଚୟ ଜମା କରିବାକୁ ପ୍ରୋତ୍ସାହିତ କରିବା ଲାଗି ଏବେ ଯେଉଁ ‘ଫରେନ୍ କରେନ୍ସି ନନ୍-ରେସିଡେଣ୍ଟ (ବ୍ୟାଙ୍କ୍)’ ବା ସଂକ୍ଷେପରେ ‘ଏଫ୍ସିଏନ୍ଆର୍ (ବି)’ ସ୍କିମ୍ କାର୍ଯ୍ୟକାରୀ ହୋଇଛି, ତାହାର ଫଳସ୍ବରୂପ ବର୍ତ୍ତମାନ ପର୍ଯ୍ୟନ୍ତ ପ୍ରାୟ ୪୦ ବିଲିଅନ୍ ଡଲାର ଭାରତୀୟ ବ୍ୟାଙ୍କ୍ମାନଙ୍କରେ ଜମା ହୋଇ ସାରିଲାଣି। ତେଣୁ ଟଙ୍କାର ବିନିମୟ ହାରରେ ସ୍ଖଳନକୁ ପ୍ରତିହତ କରିବା ପାଇଁ ବର୍ତ୍ତମାନ ପାଇଁ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବାର ଜରୁରି ଆବଶ୍ୟକତା ଟଳିଯାଇଛି।
ତେବେ ସେପ୍ଟେମ୍ବର ୩୦ରେ ଉପରୋକ୍ତ ‘ଏଫ୍ସିଏନ୍ଆର୍ (ବି)’ ସ୍କିମ୍ର କାର୍ଯ୍ୟକାଳ ସମାପ୍ତ ହେବାକୁ ଯାଉଛି। ତା’ପରେ ଟଙ୍କାର ବିନିମୟ ହାରର ଆଚରଣ କିଭଳି ହେବ କହି ହେବ ନାହିଁ। ଯଦି ସେଥିରେ ପୁଣି ସ୍ଖଳନ ଆରମ୍ଭ ହୋଇଯାଏ, ତେବେ ତା’ର ପ୍ରତିକାର ସ୍ବରୂପ ‘ରେପୋ ରେଟ୍’ରେ ବୃଦ୍ଧି ଘଟାଇବା ପାଇଁ ରିଜର୍ଭ ବ୍ୟାଙ୍କ୍ ଉପରେ ପୁଣି ଚାପ ସୃଷ୍ଟି ହେବ। ଟଙ୍କାର ବିନିମୟ ମୂଲ୍ୟ ନିର୍ଦ୍ଧାରଣ ବଜାରର ଦାୟିତ୍ବ ବୋଲି କହି ସେଥିରେ ହସ୍ତକ୍ଷେପ ଠାରୁ ନିବୃତ୍ତ ରହି ଆସିଥିବା ରିଜର୍ଭ ବ୍ୟାଙ୍କ୍କୁ ସେତେବେଳେ ଅକ୍ଟୋବରର ‘ଏମ୍ପିସି’ ବୈଠକରେ ନିଜର ଏହି ନିର୍ଲିପ୍ତ ଠାଣି ପରିତ୍ୟାଗ କରି ସୁଧ ହାରରେ ବୃଦ୍ଧି ଘଟାଇବାକୁ ପଡ଼ିପାରେ।

1 hour ago
1


