Editorial: ରମ୍ଭା ରାଜବାଟୀ କଥା: ଧନଞ୍ଜୟ ସ୍ୱାଇଁଙ୍କ ସମ୍ପାଦକୀୟ ସୁରଞ୍ଜନଙ୍କ ଡାଏରିରେ ପଢ଼ନ୍ତୁ ଏଥର...

1 week ago 5
ARTICLE AD BOX

ରମ୍ଭା ରାଜବାଟୀ କଥା

ଧନଞ୍ଜୟ ସ୍ୱାଇଁ
ସୁରଞ୍ଜନଙ୍କ ଡାଏରି

ହାଇୱେରେ ଅବିରତ ବର୍ଷା ଲାଗି ରହିଥିଲା। ଧାନକ୍ଷେତ ଧାରେ ରୁଆ ବେଉଷଣ କାର୍ଯ୍ୟରେ ବ୍ୟସ୍ତ ଚାଷୀ କୁଳକୁ ଟପ୍‌ଟପ୍ ଗୀତ ପଦେ ଯେମିତି ଶୁଣାଇ ଚାଲିଥିଲା ବର୍ଷା। ଏକ ନାଟକୋତ୍ସବରେ ଯୋଗ ଦେଇ ସୁରଞ୍ଜନ ବ୍ରହ୍ମପୁରରୁ ଫେରୁଥିଲେ। ରାଜପଥର ଦୁଇ ପଟେ ମୃତପ୍ରାୟ ବୃକ୍ଷରାଜି ପଲ୍ଲବିତ ହୋଇ ସତେ ‌ଯେମିତି ନୂତନ ଜୀବନ ଲାଭ କରୁଥିଲେ। ଦକ୍ଷିଣ ପାର୍ଶ୍ବରେ ଦିଗନ୍ତ ବିସ୍ତାରୀ ନିଳାମ୍ବୁ ଚିଲିକା! ତା’ର କୂଳରେ ଭିଡ଼ ଜମାଇଥିଲେ ସୌନ୍ଦର୍ଯ୍ୟ ପିପାସୁ ପର୍ଯ୍ୟଟକଗଣ। ଚିଲିକାର ଦୋଳାୟିତ ବକ୍ଷରେ ଭାସୁଥିଲା ଅନେକ ନାଆ। 
ଏହି ରୂପସୀ ଚିଲିକା କୂଳରେ ସଗର୍ବ ଦଣ୍ଡାୟମାନ ଖଲିକୋଟ ରାଜାଙ୍କ ‘ରମ୍ଭା ପ୍ୟାଲେସ୍‌’ ବା ଭବ୍ୟ ରମ୍ଭା ରାଜବାଟୀ, ଦୁଇ ଶତାବ୍ଦୀରୁ ଅଧିକ ଅତୀତର ଅସୁମାରି ସ୍ମୃତି ବହନ କରି। ଏହି ମହଲର ଇତିହାସ ଅପୂର୍ବ! ସେତେବେଳକୁ ଗଞ୍ଜାମ, ରମ୍ଭା, ଛତ୍ରପୁର, ବ୍ରହ୍ମପୁର ଇତ୍ୟାଦି ମାଡ୍ରାସ ପ୍ରେସିଡେନ୍‌ସିରେ। ଏହି ମାଡ୍ରାସ ପ୍ରେସିଡେନ୍‌ସିରେ କିରାଣି ଥିଲେ ଟମାସ ସ୍ନଡଗ୍ରାସ ସାହେବ, ଯିଏ ପଦୋନ୍ନତି ପାଇ ୧୭୯୧ରେ ଗଞ୍ଜାମର ଜିଲ୍ଲାପାଳ ହୋଇଥିଲେ। ‘ଦି ଗଞ୍ଜାମ ଡିଷ୍ଟ୍ରିକ୍ଟ ମାନ୍ୟୁଆଲ’ ଅନୁଯାୟୀ ସ୍ନଡଗ୍ରାସ ସାହେବ ଥିଲେ ବିଳାସୀ ଓ ପ୍ରକୃତିପ୍ରେମୀ। ତେଣୁ ଚିଲିକାର ଅପରୂପ ସୌନ୍ଦର୍ଯ୍ୟରେ ମୁଗ୍‌ଧ ସାହେବ ବିପୁଳ ଅର୍ଥ ବ୍ୟୟରେ ଏକ ସୁଦୃଶ୍ୟ ମହଲ ନିର୍ମାଣ କରିଥିଲେ। ତଥ୍ୟ କହେ ଯେ ଇଷ୍ଟ ଇଣ୍ଡିଆ କମ୍ପାନି କର୍ତ୍ତୃପକ୍ଷଙ୍କ ଆଦେଶ ଅମାନ୍ୟ କରି ବିପୁଳ ବ୍ୟୟରେ ସ୍ନଡଗ୍ରାସ କୁଆଡ଼େ ସେ ମହଲଟି ନିର୍ମାଣ କରିଥିଲେ। କଥିତ ଅଛି ‌‌ଯେ କଂପାନି ପକ୍ଷରୁ ହିସାବ ନିରୀକ୍ଷଣ ପାଇଁ ଯେତେବେଳେ ତଲବ ହେଲା, ନଥିପତ୍ର ବୁହା ହୋଇ ଯାଉଥିବା ଡଙ୍ଗାକୁ ସେ ଚିଲିକାରେ ବୁଡ଼ାଇ ଦେଇଥିଲେ ଓ ଚାକିରିରୁ ବରଖାସ୍ତ ହୋଇଥିଲେ।

ତା’ ପରେ ଇଷ୍ଟ ଇଣ୍ଡିଆ କମ୍ପାନି କର୍ତ୍ତୃପକ୍ଷ ରାଜସ୍ୱ ଭରଣା ପାଇଁ ଆସ୍କାର ତତ୍କାଳୀନ ଚିନି କଳ ମାଲିକ ମିନଚିନ ସାହେବଙ୍କୁ ଏହି ମହଲକୁ ବିକ୍ରି କରି ଦେଇଥିଲେ। ମିନଚିନ ସାହେବଙ୍କ ଓଡ଼ିଆଣୀ ପତ୍ନୀ ସୋନା ମିନଚିନଙ୍କ ରୁଚି ଅନୁଯାୟୀ କୁଆଡ଼େ ଏହି ମହଲରେ କିଛି ପରିବର୍ତ୍ତନ କରାଯାଇଥିଲା। ତା’ ପରେ ୧୮୯୬ ମସିହାରେ ଖଲିକୋଟ ରାଜା ହରିହର ମର୍ଦ୍ଦରାଜ ମିନଚିନ ସାହେବଙ୍କ ଠାରୁ ଏହି ସୁରମ୍ୟ ମହଲଟିକୁ କିଣି ନେଇଥିଲେ। 

ଆହୁରି ପଢ଼ନ୍ତୁ- Odisha Independence Day 2026 ୮୦ତମ ରାଜ୍ୟସ୍ତରୀୟ ସ୍ବାଧୀନତା ଦିବସରେ ପତାକା ଉତ୍ତୋଳନ କରିବେ ମୁଖ୍ୟମନ୍ତ୍ରୀ

୧୯୦୨ ମସିହାରେ ପ୍ରଜାବତ୍ସଳ ଓ ସଂସ୍କୃତିପ୍ରେମୀ ରାଜା ହରିହର ମର୍ଦ୍ଦରାଜଙ୍କ ଦ୍ବାରା ଆମନ୍ତ୍ରିତ ହୋଇ ବାରିଷ୍ଟର ମଧୁସୂଦନ ଦାସ, ଶ୍ରୀରାମଚନ୍ଦ୍ର ଭଞ୍ଜ, ନୀଳମଣି ବିଦ୍ୟାରତ୍ନ, ଗୋପାଳ ପ୍ରହରାଜ, ଗୋପବନ୍ଧୁ ଦାସ, ଫକୀରମୋହନ ସେନାପତି, ରାଧାନାଥ ରାୟଙ୍କ ଭଳି ବରେଣ୍ୟ ଓଡ଼ିଆ ଗଣ ଏଠାକୁ ଆସିଥିଲେ, ଯେଉଁ ସମ୍ମେଳନରୁ ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ନିର୍ମାଣ ତଥା ଉତ୍କଳ ସମ୍ମିଳନୀ ପ୍ରତିଷ୍ଠାର ଭିତ୍ତି ପଡ଼ିଥିଲା। 

ହରିହର ମର୍ଦ୍ଦରାଜଙ୍କ ଅମଳରେ ଏହି ମହଲ ୧୯୨୪ରେ ଫିଲିଫ୍‌-ଡଫ୍‌-କମିସନ, ୧୯୨୭ରେ ସାଇମନ୍ କମିସନଙ୍କ ବୈଠକର ସାକ୍ଷୀ। ଖଦିର ପ୍ରଚାର ଓ ପ୍ରସାର ପାଇଁ ଓଡ଼ିଶା ଆସିଥିବା ଜାତିର ପିତା ମହାତ୍ମା ଗାନ୍ଧୀଏଠାରେ ରାତିଟିଏ କଟାଇବା ସହ ଚିଲିକାରେ ନୌ-ବିହାର ମଧ୍ୟ କରିଛନ୍ତି। ଭାଷା ଭିତ୍ତିରେ ଓଡ଼ିଶା ପ୍ରଦେଶ ଗଠନ ହେବା ପରେ ଏଠାକୁ ଆସିଥିଲେ ରାଜ୍ୟପାଳ ଅଷ୍ଟିନ୍ ହବାକ୍‌, ପ୍ରଧାନମନ୍ତ୍ରୀ ନେହରୁ, ଉପରାଷ୍ଟ୍ରପତି ରାଧାକୃଷ୍ଣନ ଏବଂ ଏଠାରୁ ଚିଲିକାର ଅପରୂପ ସୌନ୍ଦର୍ଯ୍ୟରେ ବିମୋହିତ ହୋଇଥିଲେ। 

ଇତିହାସର ଏତେ ପଦଚିହ୍ନ ଦେଖି ଭାବନାରେ ଦ୍ରବୀଭୂତ ହୋଇଯାଉଥିଲେ ସୁରଞ୍ଜନ। କେବଳ ସେତିକି ନୁହେଁ, ଏହି ମହଲରେ ହରିହର ମର୍ଦ୍ଦରାଜଙ୍କ ପୃଷ୍ଠପୋଷକତାରେ ଓ ନୀଳମଣି ବିଦ୍ୟାରତ୍ନଙ୍କ ସମ୍ପାଦନାରେ ‘ପ୍ରଜାବନ୍ଧୁ’ ପତ୍ରିକା ପ୍ରକାଶିତ ହୋଇଥିଲା। ତା’ ସହିତ ‘ଉତ୍କଳ ମଧୁ’ ଓ ‘ସଂସ୍କାରକ’ ନାମକ ଆଉ ଦୁଇଟି ପତ୍ରିକା ମଧ୍ୟ ଏହିଠାରୁ ପ୍ରକାଶିତ ହୋଇଥିଲା। ବର୍ଷା ଥମିବାର ନାଁ ଧରୁ ନଥିଲା। ରମ୍ଭା ଲାଗୁଥିଲା ଏକ ଘୁମନ୍ତ ଜନପଦ ଭଳି, ଯାହା ଉପରେ ନଇଁ ଆସିଥିଲା ଉଦାସୀ ସଞ୍ଜ। 

ସୁରଞ୍ଜନଙ୍କୁ ଏକ ପ୍ରକାର ବିମର୍ଷ ଭାବ ମଧ୍ୟ ଘେରି ଯାଉଥିଲା। କାରଣ ଏକ ଘରୋଇ କଂପାନି ଦ୍ବାରା ଏହି ଐତିହ୍ୟପୂର୍ଣ୍ଣ ଅଟ୍ଟାଳିକାର ଆଧୁନିକ ନବ କଳେବର କରାଯାଇଛି, ଯାହାକୁ ସେ ପସନ୍ଦ କରି ପାରୁ ନ ଥିଲେ। କାହାଣୀ ଓ କିଂବଦନ୍ତି ଘେରା ଏହି ମହଲ ଉତ୍ତର ପିଢ଼ି ସକାଶେ କିଭଳି ସଂରକ୍ଷିତ ହୋଇ ରହିବ, ତାହା ଥିଲା ତାଙ୍କ ଫେରିବା ବାଟରେ ତାଙ୍କୁ ଆନ୍ଦୋଳିତ କରୁଥିବା ପ୍ରଶ୍ନ!
(ମତାମତ ଲେଖକଙ୍କ ନିଜସ୍ୱ)

ମୋ: ୯୪୩୭୦୦୦୬୩୬

ଅଧିକ ଦେଖନ୍ତୁ-

Read Entire Article
LEFT SIDEBAR AD

Hidden in mobile, Best for skyscrapers.