ARTICLE AD BOX
ଉଭୟ ହଲ୍ ଓ ଉଡ୍ଫୋର୍ଡଙ୍କର ମଡେଲ କିନ୍ତୁ ଶତପ୍ରତିଶତ ନିର୍ଭରଯୋଗ୍ୟ ହୋଇଥିବା ଭଳି ମନେ ହୁଏ ନାହିଁ। ଦ୍ରୁତ ପ୍ରାବିଧିକ ପରିବର୍ତ୍ତନ ଘଟିବା ସମୟରେ (ଯେମିତି ଆଜିର ‘ଏଆଇ’ ବିପ୍ଳବ) କିମ୍ବା ଅପ୍ରତ୍ୟାଶିତ ଭୂ-ରାଜନୈତିକ ଅସ୍ଥିରତା ଦେଖାଦେବା ବେଳେ (ଯେମିତି ୟୁକ୍ରେନ, ଇରାନ ଯୁଦ୍ଧ ଆଦି) ଏଇ ସ୍ବାଭାବିକ ହାରରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ଆକଳନ କରିବା ଅସମ୍ଭବ ହୋଇଥାଏ। ଏଭଳି ସମୟରେ ହଲ୍ଙ୍କ ଖାଉଟିମାନଙ୍କର ବ୍ୟୟ ଆଚରଣରେ ମଧ୍ୟ ଅପ୍ରତ୍ୟାଶିତ ପରିବର୍ତ୍ତନ ଘଟି ଚାଲିଥାଏ।
ଏକ ଅର୍ଥନୀତି ଯେତେବେଳେ ସନ୍ତୁଳନ ହରାଇ ବସେ, ତାହା ଫେରାଇ ଆଣିବାର ଉପାୟ କ’ଣ? ବିଂଶ ଶତାବ୍ଦୀରେ ଏଇ ପ୍ରଶ୍ନର ଉତ୍ତର ଅନୁସନ୍ଧାନ ଅର୍ଥନୀତିଜ୍ଞମାନଙ୍କୁ ବସ୍ତୁତଃ ଦୁଇଟି ଗୋଷ୍ଠୀରେ ବିଭକ୍ତ କରିଦେଇଥିଲା, ଯେଉଁମାନେ ପରସ୍ପରକୁ ଶତ୍ରୁପକ୍ଷ ରୂପେ ବିଚାର କରୁଥିଲେ ବୋଲି କହିଲେ ଭୁଲ୍ ହେବ ନାହିଁ। ଗୋଟିଏ ଶିବିରର ସେନାପତି ଥିଲେ ଗତ ଶତାବ୍ଦୀର ମହାନତମ ଅର୍ଥନୀତିଜ୍ଞ ବ୍ରିଟେନର ଜନ୍ ମେନାର୍ଡ କେନ୍ସ, ଯିଏ ରାଜକୋଷୀୟ ହସ୍ତକ୍ଷେପ ମାଧ୍ୟମରେ ଅର୍ଥନୀତିରେ ସାମଗ୍ରିକ ଚାହିଦାର ଉପଯୁକ୍ତ ପରିଚାଳନା କରି ଅର୍ଥନୀତିର ସ୍ବାସ୍ଥ୍ୟ ଫେରାଇ ଆଣିବାକୁ ସରକାରଙ୍କୁ ପରାମର୍ଶ ଦେଇଥିଲେ। ପରବର୍ତ୍ତୀ ସମୟରେ ତାଙ୍କର ‘କେନ୍ସିଆନ୍’ ରୂପେ ଅଭିହିତ ଅନୁଗାମୀମାନେ କେନ୍ସଙ୍କର ଏଇ ଉପଦେଶର ଅନୁପାଳନ କରି ରାଜକୋଷକୁ ବ୍ୟବହାର କରି ଅର୍ଥାତ୍ ଟିକସ ଓ ସରକାରୀ ବ୍ୟୟରେ ଆବଶ୍ୟକମତେ ହ୍ରାସବୃଦ୍ଧି ଘଟାଇ ୧୯୩୦ ଦଶକରେ ଘଟିଥିବା ଭଳି ‘ମହା ଅବପାତ’ (‘ଗ୍ରେଟ୍ ଡିପ୍ରେସନ୍’)ର ପୁନରାଗମନ ପ୍ରତିହତ କରିବାକୁ ଚେଷ୍ଟା କରିବାରେ ଲାଗିଥିଲେ। ‘ମହା ଅବପାତ’ ରୂପକ ଅର୍ଥନୈତିକ ବ୍ୟାଧିର ଲକ୍ଷଣ ହେଉଛି ବ୍ୟାପକ ବେକାରି ଓ ଅର୍ଥନୀତିର ସ୍ଥାଣୁତା।
ପରବର୍ତ୍ତୀ ସମୟରେ କିନ୍ତୁ ଏଇ ରାଜକୋଷୀୟ ପରିଚାଳନା ପନ୍ଥାକୁ ବିରୋଧ କରି ଅନ୍ୟ ଯେଉଁ ଏକ ଶିବିରର ଆବିର୍ଭାବ ଘଟିଲା, ତାକୁ ନେତୃତ୍ବ ପ୍ରଦାନ କରିଥିବା ଆମେରିକୀୟ ଅର୍ଥନୀତିଜ୍ଞ ମିଲ୍ଟନ୍ ଫ୍ରିଡ୍ମ୍ୟାନ େଯଉଁ ମତବାଦର ପ୍ରସାର ଘଟାଇଥିଲେ, ତାହା ହେଲା- ମୁଦ୍ରା ଯୋଗାଣର ପରିଚାଳନା ଦ୍ବାରା ଅର୍ଥନୀତିର ସନ୍ତୁଳନ ରକ୍ଷା କରିବା। ‘ମନିଟାରିଷ୍ଟ’ ରୂପେ ଅଭିହିତ ଫ୍ରିଡ୍ମ୍ୟାନଙ୍କର ଅନୁଗାମୀମାନେ ‘କେନ୍ସିଆନ୍’ମାନଙ୍କୁ କଟାକ୍ଷ କରି କହୁଥିଲେ ଯେ ସେମାନଙ୍କ ପନ୍ଥା ଅନୁସରଣ କରି ସର୍ବଦା ନିଯୁକ୍ତି ସୃଷ୍ଟି କରିବାକୁ ଲାଗିବାର ପରିଣାମ ହେଉଛି ଅନ୍ୟ ଏକ ମହାବ୍ୟାଧିର ଆବିର୍ଭାବ- ୧୯୭୦ ଦଶକର ‘ମହା ମୁଦ୍ରାସ୍ଫୀତି’ (‘ଗ୍ରେଟ୍ ଇନ୍ଫ୍ଲେସନ’)। ‘ମନିଟାରିଷ୍ଟ’ମାନେ ତେଣୁ ରାଜକୋଷୀୟ ହସ୍ତକ୍ଷେପ ମାଧ୍ୟମରେ ସାମଗ୍ରିକ ଚାହିଦା ପରିଚାଳନାଠାରୁ ଦୂରେଇ ରହି ସୁଧ ହାରରେ ହ୍ରାସବୃଦ୍ଧି ଓ ଅନ୍ୟାନ୍ୟ କୌଶଳ ପ୍ରୟୋଗ ମାଧ୍ୟମରେ ଅର୍ଥନୀତିରେ ଅର୍ଥ ଯୋଗାଣର ପରିଚାଳନା ଦ୍ବାରା ‘ବ୍ୟବସାୟ ଚକ୍ର’ (‘ବିଜିନେସ୍ ସାଇକ୍ଲ’)ରେ ଉତ୍ଥାନ-ପତନର ମୁକାବିଲା କରିବାକୁ ପସନ୍ଦ କରୁଥିଲେ।
ମହାନ ଜର୍ମାନ୍ ଦାର୍ଶନିକ ହେଗେଲ୍ଙ୍କର ପ୍ରସିଦ୍ଧ ‘ଥେସିସ୍↔ଆଣ୍ଟିଥେସିସ୍→ସିନ୍ଥେସିସ୍’ ତତ୍ତ୍ବକୁ ଅନୁସରଣ କଲାଭଳି ଅନତି ବିଳମ୍ବେ ଏ ଦୁଇ ମତବାଦର ସଂଘାତରୁ ୧୯୮୦ ଦଶକରୁ ଯେଉଁ ‘ସିନ୍ଥେସିସ୍’ ସଦୃଶ ମଧ୍ୟମ ମାର୍ଗର ଆବିର୍ଭାବ ଘଟିଲା, ତାହା ‘ନିଉ କେନ୍ସିଆନିଜମ୍’ ରୂପେ ପରିଚିତ ଓ ଏହାର ଅନୁଗାମୀମାନଙ୍କୁ ‘ନିଉ କେନ୍ସିଆନ୍’ ରୂପେ ଅଭିହିତ କରାଯାଇଥାଏ (ଏହା ୧୯୪୦-୭୦ ଦଶକମାନଙ୍କର ‘ନିଓ କେନ୍ସିଆନିଜ୍ମ’ ଠାରୁ ଭିନ୍ନ)। ଅକ୍ଟୋବର ୧୨ରେ ଏଇ ତୃତୀୟ ଶିବିରର ପ୍ରତିନିଧିତ୍ବ କରୁଥିବା ଦୁଇ ଜଣ ଛାମୁଆଁ ଅର୍ଥନୀତିଜ୍ଞ ଚଳିତ ବର୍ଷର ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଲାଭ କରିଥିବା ଘୋଷଣା ପ୍ରକାଶ ପାଇଛି। ଏ ‘ନିଉ କେନ୍ସିଆନ୍’ ଦ୍ବୟ ହେଉଛନ୍ତି ଆମେରିକୀୟ ଅର୍ଥନୀତିଜ୍ଞ ଷ୍ଟାନ୍ଫୋର୍ଡ ବିଶ୍ବବିଦ୍ୟାଳୟର ରବର୍ଟ ହଲ୍ ଓ କଲମ୍ବିଆ ବିଶ୍ବବିଦ୍ୟାଳୟର ମାଇକେଲ ଉଡ୍ଫୋର୍ଡ।
ହଲ୍ ତାଙ୍କର ଖାଉଟି ବ୍ୟୟ ତତ୍ତ୍ବ ପାଇଁ ପ୍ରସିଦ୍ଧି ଲାଭ କରିଥିବାବେଳେ କେନ୍ଦ୍ରୀୟ ବ୍ୟାଙ୍କମାନେ କିପରି ସୁଧ ହାରକୁ ମୁଖ୍ୟ ଆୟୁଧ ରୂପେ ବ୍ୟବହାର କରି ଅର୍ଥନୀତିରେ ସ୍ଥିରତା ରକ୍ଷା କରିବାରେ ସଫଳ ହେବେ, ତାହାର ବ୍ୟବହାରଯୋଗ୍ୟ ମଡେଲ ନିର୍ମାଣ କରି ସୁଖ୍ୟାତି ଅର୍ଜନ କରିଛନ୍ତି। ଏମାନେ କେବଳ କେନ୍ସ ଓ ଫ୍ରିଡ୍ମ୍ୟାନଙ୍କର ମତବାଦର ସମ୍ମିଶ୍ରଣ ଘଟାଇ ନାହାନ୍ତି, ଏମାନେ ସାମଗ୍ରିକ ଅର୍ଥନୈତିକ ତତ୍ତ୍ବ ବା ‘ମାକ୍ରୋଇକୋନୋମିକ୍ସ’କୁ ବୈଶେଷିକ ଅର୍ଥନୈତିକ ତତ୍ତ୍ବ ବା ‘ମାଇକ୍ରୋଇକୋନୋମିକ୍ସ’ ଭିତ୍ତି ଉପରେ ସ୍ଥାପିତ କରି ତାହାର ପୁନଃନିର୍ମାଣ କରିଛନ୍ତି ବୋଲି ପ୍ରାଇଜ କମିଟି ସେମାନଙ୍କର ପ୍ରଶଂସା କରିଛି। ଅନ୍ୟ ଭାଷାରେ କହିଲେ, ଏଇ ଅର୍ଥନୀତିଜ୍ଞ ଦ୍ବୟ ପ୍ରଦର୍ଶିତ କରିଛନ୍ତି ଯେ ସାମଗ୍ରିକ ଅର୍ଥନୈତିକ ଫଳାଫଳ ପ୍ରତ୍ୟେକଟି ଖାଉଟି ଓ ବ୍ୟବସାୟର ଆଚରଣ ଦ୍ବାରା ନିର୍ଣ୍ଣୀତ ହୋଇଥାଏ। ଠିକ୍ ଯେମିତି ଭାରତୀୟ ‘ବୈଶେଷିକ ଦର୍ଶନ’ ଅନୁସାରେ ‘ବିଶେଷ’ (‘ପର୍ଟିକ୍ୟୁଲାରିଟି’) ମାଧ୍ୟମରେ ‘ସାମାନ୍ୟ’ (‘ୟୁନିଭର୍ସାଲିଟି’)ର ପରିପ୍ରକାଶ ଘଟିଥାଏ।
ଏହା ହେଉଛି ଅତୀତ ସହିତ ଏକ ବୌଦ୍ଧିକ ସଂପର୍କ ଛିନ୍ନ କଲାଭଳି କାର୍ଯ୍ୟ। ଉଭୟ ‘କେନ୍ସିଆନ୍ସ’ ଓ ‘ମନିଟାରିଷ୍ଟ’ମାନେ ଯେଉଁ ମଡେଲ ନିର୍ମାଣ କରି ଆସୁଥିଲେ, ତାହାର ଗତି ଥିଲା ଉପରୁ ତଳକୁ, ସିନ୍ଧୁରୁ ବିନ୍ଦୁ ଦିଗକୁ- ଯେମିତି ମୋଟ ମୁଦ୍ରା ଯୋଗାଣ କିପରି ମୁଦ୍ରାସ୍ଫୀତି ହାର ଅର୍ଥାତ୍ ଦରଦାମ ବୃଦ୍ଧି ହାରରେ ପରିବର୍ତ୍ତନ ଘଟାଇଥାଏ। ଏଇ ନୂତନ ମାଇକ୍ରୋ-ଭିତ୍ତି ଉପରେ ନିର୍ମିତ ମଡେଲମାନଙ୍କ ଗତି କିନ୍ତୁ ହୋଇଥାଏ ତଳୁ ଉପରକୁ, ବିନ୍ଦୁରୁ ସିନ୍ଧୁ ଦିଗକୁ- ଯାହା ଖାଉଟି ଓ ବ୍ୟବସାୟ ଗ୍ରହଣ କରୁଥିବା ବ୍ୟକ୍ତିଗତ ନିଷ୍ପତ୍ତିରୁ ଆରମ୍ଭ ହୋଇଥାଏ। ହଲ୍ ତେଣୁ ତାଙ୍କର ମଡେଲରେ ଖାଉଟିମାନେ ସେମାନଙ୍କ ଆୟ କିପରି ଖର୍ଚ୍ଚ କରିବେ, ସେ ସଂପର୍କରେ ନେଉଥିବା ନିଷ୍ପତ୍ତିର ପରୀକ୍ଷାନିରୀକ୍ଷାକୁ ପ୍ରାଧାନ୍ୟ ଦେଇଥାନ୍ତି। ତାଙ୍କ ମଡେଲରେ ସେମାନଙ୍କର ଭବିଷ୍ୟତର ଆୟ ସଂପର୍କରେ ଖାଉଟିମାନଙ୍କର ଆଭିମୁଖ୍ୟ ସ୍ଥାନ ପାଇବା ଦେଖାଯାଇଥାଏ: ଦରମାରେ ବୃଦ୍ଧି ଘଟିବାକୁ ଯାଉଛି କି, ନା ଆୟରେ ହଠାତ୍ ଦେଖାଦେଇଥିବା ବୃଦ୍ଧି ହେଉଛି ଏକ କ୍ଷଣସ୍ଥାୟୀ ଘଟଣା? ଯେହେତୁ ସେମାନେ ଆଜି ସହିତ ଆସନ୍ତାକାଲି ପାଇଁ ମଧ୍ୟ ଯତ୍ନବାନ ହୋଇଥାନ୍ତି, ସେମାନେ ଆଜୀବନ ଖର୍ଚ୍ଚ କରିବା କ୍ଷମତାକୁ ଦୃଷ୍ଟିରେ ରଖି ଆୟରେ ବର୍ତ୍ତମାନ ଘଟିଥିବା ବୃଦ୍ଧିକୁ କିପରି ଖର୍ଚ୍ଚ କରିବେ, ତାହା ସ୍ଥିର କରିଥାନ୍ତି। ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିର ଦୀର୍ଘକାଳୀନ ବ୍ୟୟ ଧାରା ଉପରେ ଦୃଷ୍ଟି ନିବଦ୍ଧ କଲେ ଯାହା ଦେଖିବାକୁ ମିଳିଥାଏ, ତାହା ହେଲା- ଏକ ମାତାଲ ଚାଲିଚାଲି ଘରକୁ ଫେରିବାର ଦୃଶ୍ୟ: ଅପ୍ରତ୍ୟାଶିତ ଘାତ ପ୍ରତିଘାତର ସମ୍ମୁଖୀନ ହୋଇ ଏଣେତେଣେ ପାଦ ପଡୁଥିଲେ ହେଁ ତା’ର ଯାତ୍ରାର ଦିଗ ଅପରିବର୍ତ୍ତିତ ରହିଥାଏ।
ଉଡ୍ଫୋର୍ଡ ତାଙ୍କର ମଡେଲ ନିର୍ମାଣରେ ବିଂଶ ଶତାବ୍ଦୀର ପ୍ରାରମ୍ଭ କାଳରେ ସକ୍ରିୟ ଥିବା ସ୍ବିଡିସ୍ ଅର୍ଥନୀତିଜ୍ଞ ନୁଟ୍ ୱିକ୍ସେଲ୍ଙ୍କ ତତ୍ତ୍ବ ବ୍ୟବହାର କରିଛନ୍ତି। ଏହା ଅନୁସାରେ ସୁଧ ହାର ଯଦି ପୁଞ୍ଜି ନିବେଶରୁ ଉପୁଜୁଥିବା ସ୍ବାଭାବିକ ଆୟ ହାରଠାରୁ କମ୍ ହୋଇଥାଏ, ତେବେ ବ୍ୟବସାୟମାନେ ଅଧିକରୁ ଅଧିକ ଋଣ କରିବାରେ ଲାଗିବେ, ଯାହା ଏକ ମୁଦ୍ରାସ୍ଫୀତି ପରିସ୍ଥିତିକୁ ଜନ୍ମ ଦେଇପାରେ। ଅପରପକ୍ଷେ ଯଦି ସୁଧ ହାର ଏହାଠାରୁ ଅଧିକ ହୋଇଥାଏ, ତାହା ଏକ ଅବସ୍ଫୀତି ସୃଷ୍ଟି କରିପାରେ। କେନ୍ଦ୍ରୀୟ ବ୍ୟାଙ୍କମାନେ ତେଣୁ କେନ୍ସ କିମ୍ବା ଫ୍ରିଡ୍ମ୍ୟାନଙ୍କୁ ଅନୁସରଣ ନ କରି ସୁଧ ହାରକୁ ଯଥାସମ୍ଭବ ନିବେଶର ଏଇ ସ୍ବାଭାବିକ ଆୟ ହାର ସହିତ ସମାନ ରଖିବା ପାଇଁ ସର୍ବଦା ଚେଷ୍ଟା କରିବା ଉଚିତ ବୋଲି ଉଡ୍ଫୋର୍ଡ ଦର୍ଶାଇଛନ୍ତି।
ଉଭୟ ହଲ୍ ଓ ଉଡ୍ଫୋର୍ଡଙ୍କର ମଡେଲ କିନ୍ତୁ ଶତପ୍ରତିଶତ ନିର୍ଭରଯୋଗ୍ୟ ହୋଇଥିବା ଭଳି ମନେ ହୁଏ ନାହିଁ। ଦ୍ରୁତ ପ୍ରାବିଧିକ ପରିବର୍ତ୍ତନ ଘଟିବା ସମୟରେ (ଯେମିତି ଆଜିର ‘ଏଆଇ’ ବିପ୍ଳବ) କିମ୍ବା ଅପ୍ରତ୍ୟାଶିତ ଭୂ-ରାଜନୈତିକ ଅସ୍ଥିରତା ଦେଖାଦେବା ବେଳେ (ଯେମିତି ୟୁକ୍ରେନ, ଇରାନ ଯୁଦ୍ଧ ଆଦି) ଏଇ ସ୍ବାଭାବିକ ହାରରେ ଘଟୁଥିବା ଦ୍ରୁତ ପରିବର୍ତ୍ତନ ଆକଳନ କରିବା ଅସମ୍ଭବ ହୋଇଥାଏ। ଏଭଳି ସମୟରେ ହଲ୍ଙ୍କ ଖାଉଟିମାନଙ୍କର ବ୍ୟୟ ଆଚରଣରେ ମଧ୍ୟ ଅପ୍ରତ୍ୟାଶିତ ପରିବର୍ତ୍ତନ ଘଟି ଚାଲିଥାଏ। ତେଣୁ ବିଶୁଦ୍ଧ ତାତ୍ତ୍ବିକ ଦୃଷ୍ଟିରୁ ସେମାନଙ୍କର ଏଇ ମିଶ୍ର ମଡେଲ ଏକ ବୌଦ୍ଧିକ ଉତ୍କର୍ଷ ବହନ କରୁଥିଲେ ହେଁ, ବାସ୍ତବରେ ଏହାର ବ୍ୟବହାର ସମ୍ଭାବନା ସୀମିତ ମନେ ହୋଇଥାଏ।

1 hour ago
1


