Editorial: ବାଘ ମିରିଗଙ୍କ ତୁଠ

4 hours ago 1
ARTICLE AD BOX

ଚୀନ ଭଳି ଯେଉଁ ନୂତନ ନେତୃତ୍ବର ଅଭ୍ୟୁଦୟ ଘଟୁଛି, ତାହା ମଧ୍ୟ ପ୍ରଭୁତ୍ବବାଦୀ, ବିସ୍ତାରବାଦୀ ଓ ଭରସା ଅଯୋଗ୍ୟ। ଏଭଳି ସ୍ଥଳେ ଚୀନ ଓ ଆମେରିକା ମଧ୍ୟରୁ କାହାକୁ ପକ୍ଷ ବା ବିପକ୍ଷ ରୂପେ ଚୟନ କରିବା ଅଥବା ଆବଶ୍ୟକତା ଅନୁସାରେ ପକ୍ଷ ପରିବର୍ତ୍ତନ କରିବା କିମ୍ବା ନିରପେକ୍ଷ ରହିବା ଓ ତା’ର ପରିଭାଷା ନିର୍ମାଣ କରିବା ଭଳି ବିଷୟ ଭାରତ ସକାଶେ କ୍ର‌େମ ଅଧିକ ଜଟିଳ ହୋଇଯାଇପାରେ!

ନୂଆଦିଲ୍ଲୀରେ ଅନୁଷ୍ଠିତ ‘ବ୍ରିକ୍‌ସ’ ଶିଖର ସମ୍ମିଳନୀ ଏକ ଅତ୍ୟନ୍ତ ମନୋଜ୍ଞ ପରିବେଶରେ ଖୁବ୍‌ ସଫଳତାର ସହିତ ସମାପ୍ତ ହୋଇଯାଇଛି। କହିବା ବାହୁଲ୍ୟ, ସଂପ୍ରତି ‘ବ୍ରିକ୍‌ସ’ ଏକ ମହତ୍ତ୍ବପୁର୍ଣ୍ଣ ଆନ୍ତର୍ଜାତିକ ସଂଗଠନ, ଯାହାର ସଦସ୍ୟ ରାଷ୍ଟ୍ରଗୁଡ଼ିକରେ (୧୧ଟି) ବାସ କରନ୍ତି ପୃଥିବୀ ଜନସଂଖ୍ୟାର ୪୯%ରୁ ଅଧିକ ଏବଂ ସେମାନଙ୍କ ସମଷ୍ଟିଗତ ଅର୍ଥନୀତିର ଆକାର ଓ କ୍ରୟ କ୍ଷମତା ପୃଥିବୀର ପ୍ରାୟ ୪୦ ପ୍ରତିଶତ। କେହି କେହି କହିଥାଆନ୍ତି ଯେ ପୃଥିବୀ ଉପରେ ଶ୍ବେତାଙ୍ଗୀ ପାଶ୍ଚାତ୍ୟ ପ୍ରଭୁତ୍ବର ପ୍ରତିନିଧିକ ପ୍ରତ୍ୟୁତ୍ତର ହେଉଛି ଏହି ସଂଗଠନ ତ ଆଉ କେହି ଏହାକୁ ନୂତନ ବୈଶ୍ବିକ ଶୃଙ୍ଖଳାର ଅୟମାରମ୍ଭ ରୂପେ ଦେଖନ୍ତି। ତେବେ, ସାଧାରଣ ବିମର୍ଶ ଓ ଗଣମାଧ୍ୟମର ଭାଷା ଏହାକୁ ‘ଗ୍ଲୋବାଲ ସାଉଥ’ (ଦାକ୍ଷିଣାତ୍ୟ)ର ସ୍ବର ରୂପେ ଅଭିହିତ କରିଥାଏ। ଉଲ୍ଲେଖଯୋଗ୍ୟ ଯେ ୧୯୯୮ ମସିହାରେ, ‘ରୁଷିଆ-ଇଣ୍ଡିଆ-ଚୀନ’କୁ ନେଇ ‘ଆର.ଆଇ.ସି.’ ବା ‘ରିକ୍‌’ ନାମକ ଏକ ତ୍ରିକୋଣୀୟ ରଣନୈତିକ ସଂଗଠନର ମଞ୍ଜି ଘଟଣା କ୍ରମେ ବ୍ରାଜିଲ (୨୦୦୬) ଓ ସାଉଥ ଆଫ୍ରିକା (୨୦୧୦)କୁ ଘେନି ‘ବ୍ରିକ୍‌ସ’କୁ ଅଙ୍କୁରିତ ହେବା ଏବଂ ତା’ ପରେ ଆହୁରି ଛଅଟି ରାଷ୍ଟ୍ରଙ୍କ ଯୋଗଦାନ ମାଧ୍ୟମରେ ୨୦୨୬ ବେଳକୁ ଅର୍ଥାତ୍‌ ଏବକୁ ଏକ ପଲ୍ଲବିତ ବୃକ୍ଷ‌େର ପରିଣତ ହୋଇଯିବା ଭଳି ଘଟଣାରୁ ଏଭଳି ଏକ ସଂଗଠନର ଆବଶ୍ୟକତା ବିଷୟ ମଧ୍ୟ ହୃଦ୍‌ବୋଧ କରି ହୋଇଥାଏ। 
‘ବ୍ରିକ୍‌ସ-୨୦୨୬’ ସମ୍ମିଳନୀ ପରିପ୍ରେକ୍ଷୀରେ ସର୍ବାଧିକ ଆଲୋଚନାର ବିଷୟବସ୍ତୁ ହୋଇଛି, ଦୀର୍ଘ ସାତ ବର୍ଷ ଅନ୍ତରାଳ ପରେ ଚୀନର ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ଭାରତ ପଦାର୍ପଣ; ବୈରୀ ସତ୍ତ୍ବେ ସୌହାର୍ଦ୍ଦ୍ୟର ସନ୍ଦେଶ। ସେମିତି ପଶ୍ଚିମ ଏସିଆ ଯୁଦ୍ଧ‌େର ଇରାନ ଦ୍ବାରା ଆକ୍ରମଣର ଶିକାର ହୋଇ ଚାଲିଥିବା ସତ୍ତ୍ବେ ୟୁ.ଏ.ଇ. ଓ ସାଉଦି ଆରବ, ସେହି ଗୋଟିଏ ମଞ୍ଚରେ ଇରାନ ସହିତ ଉପସ୍ଥିତ ଏବଂ ସୌହାଦ୍ଧ୍ୟମୂଳକ ଫଟୋଉଠା ଓ କରମର୍ଦ୍ଦନରେ ନିମଜ୍ଜିତ; ଅର୍ଥାତ୍‌ ଗୋଟିଏ ତୁଠରେ ବାଘ ଓ ମିରିଗ ଏକତ୍ର ହେବା ଭଳି ଅଭିନବ ଦୃଶ୍ୟ! ଏହାର କାରଣ କ’ଣ? ପ୍ରକାଶ ଥାଉ କି ବିଂଶ ଓ ଏକବିଂଶ ଶତାବ୍ଦୀର ସନ୍ଧିକ୍ଷଣରେ ଆମେରିକା ଦ୍ବାରା ପରିକଳ୍ପିତ ଓ ବ୍ୟାଖ୍ୟାୟିତ ‘ଏକ ଧ୍ରୁବୀୟ ପୃଥିବୀ’ ବା ‘ୟୁନି-ପୋଲାର ୱର୍ଲଡ’ ସହିତ ପୃଥିବୀର ଗୋଟିଏ ବଡ଼ ଅଂଶ, କାଳକ୍ରମେ ଅସହମତ ହୋଇ ବିକଳ୍ପ ସନ୍ଧାନର ପ୍ରୟାସ କରିଥିଲେ, ଯହିଁରୁ ‘ବ୍ରିକ୍‌ସ’ର ଜନ୍ମ। ଅବଶ୍ୟ ସେହି ସମୟ‌େର ଉଦୀୟମାନ ଅର୍ଥନୀତିଗୁଡ଼ିକର ଏହି ସ‌ମ୍ମେଳନ ‘ବ୍ରିକ୍‌ସ’ ଥିଲା ଆମେରିକା ଓ ୟୁରୋପ କବଳିତ ପୃଥିବୀ ଦୃଷ୍ଟିରେ ଏକ ଅପାଙ୍‌କ୍ତେୟ ଅସ୍ତିିତ୍ବ! କିନ୍ତୁ ତା’ର ଦୁଇ ଦଶନ୍ଧି ପରେ ଅର୍ଥାତ୍‌ ଏବର ଦୃଶ୍ୟପଟ ସଂପୂର୍ଣ୍ଣ ଭିନ୍ନ; ଆମେରିକାରେ ଡୋନାଲ୍‌ଡ ଟ୍ରଂପଙ୍କ ଆବିର୍ଭାବ ଘଟିବା ପରେ ଅବଶିଷ୍ଟ ପୃଥିବୀର ହୃଦ୍‌ବୋଧ ହୋଇସାରିଛି ଯେ ‘ଏକ ଧ୍ରୁବୀୟ’ ପୃଥିବୀ ବିପଜ୍ଜନକ ହୋଇପାରେ! ଏପରିକି, ଟ୍ରଂପଙ୍କ ପ୍ରାଦୁର୍ଭାବରେ ୟୁରୋପୀୟ ରାଷ୍ଟ୍ରଗୁଡ଼ିକ ମଧ୍ୟ ସଂତ୍ରସ୍ତ। ସୁତରାଂ, ଆମେରିକାର ଉପଦ୍ରବକୁ ପ୍ରତିହତ କରିବା ଲାଗି ‘ବ୍ରିକ୍‌ସ’ ଭଳି ଏକ ବହୁ ଧ୍ରୁବୀୟ ରଣନୈତିକ ସଂଗଠନର ପ୍ରାସଙ୍ଗିକତା ବୃଦ୍ଧି ପାଇଛି; ଅନ୍ୟାନ୍ୟ ରାଷ୍ଟ୍ରଙ୍କ ‌େଯାଗଦାନ ଓ ସମର୍ଥନ ହେତୁ ସଂପ୍ରତି ‘ବ୍ରିକ୍‌ସ’ ବପୁବନ୍ତ ଓ ଦୃଢ଼ ସ୍ବରୀ ମଧ୍ୟ ହୋଇଛି। 
ପ୍ରକାଶ ଥାଉ କି ‘ବ୍ରିକ୍‌ସ-୨୬’ ହେତୁ ଆମ ଦେଶରେ ଉତ୍ସାହ ଓ ଆଶାବାଦର ତରଙ୍ଗ ସୃଷ୍ଟି ହୋଇଛି। ଏହାର କାରଣ ହେଲା, ଭାରତ ଓ ଚୀନ ମଧ୍ୟରେ ସୌହାର୍ଦ୍ଦ୍ୟପୂର୍ଣ୍ଣ ସଂପର୍କର ପୁନାରମ୍ଭର ସମ୍ଭାବନା, ‘ରୁଷିଆ-ଭାରତ-ଚୀନ’ର ମିଳନରେ ଏକ ଶକ୍ତିଶାଳୀ ଗୋଷ୍ଠୀର ଆବିର୍ଭାବର ଆଶା, ଆମେରିକା ଦ୍ବାରା ପଦାନତ ଜାତିସଂଘର ସମ୍ମାନର ପୁନଃସ୍ଥାପନ ଓ ତହିଁରେ ସଂସ୍କାରର ଉଦ୍ୟମ ଇତ୍ୟାଦି ନେଇ ଜନ-ବିଦ୍ବାନ୍‌ ଓ ବିଶ୍ଳେଷକମାନେ କରୁଥିବା ଅନୁମାନ। କିନ୍ତୁ, ସି ଜିନପିଙ୍ଗଙ୍କ ଭାରତ ଆଗମନ ହେତୁ ସୃଷ୍ଟ ସଦିଚ୍ଛାରର ସୁନାମି ସତ୍ତ୍ବେ ଗଲୱାନ ସଂଘର୍ଷକୁ ପାସୋରି ଦେବା ସମ୍ଭବ କି? ୨୦୧୯ ମସିହାରେ ସି ଜିନପିଙ୍ଗଙ୍କ ଭାରତ ଭ୍ରମଣ ଓ ସୌହାର୍ଦ୍ଦ୍ୟପୂର୍ଣ୍ଣ କରମର୍ଦ୍ଦନ ପରେ ପୂର୍ବ ଲଦାଖରେ ସଂଘର୍ଷ ଘଟି ନ ଥିଲା କି? ଏହି ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅତ୍ୟନ୍ତ ପ୍ରଭାବଶାଳୀ ବକ୍ତବ୍ୟରେ ଜାତିସଂଘର ସଂସ୍କାର ଉପରେ ଗୁରୁତ୍ବାରୋପ କରାଯାଇଛି, କାରଣ ତାଙ୍କ ମତରେ ପୃଥିବୀ ପ୍ରତ୍ୟକ୍ଷ କରିଥିବା ଦ୍ରୁତ ଓ ଯୁଗାନ୍ତକାରୀ ପରିବର୍ତ୍ତନ ପରିପ୍ରେକ୍ଷୀରେ ଜାତିସଂଘ ସମୟୋପଯୋଗୀ ହୋଇ ପାରୁନାହିଁ; ତେଣୁ ସଂସ୍କାରର ଆବଶ୍ୟକତା ଅଛି। କିନ୍ତୁ, ଏକ ଅପ୍ରିୟ ପ୍ରଶ୍ନ ହେଲା, ‘ନିରାପତ୍ତା ପରିଷଦ’କୁ ଭାରତର ପ୍ରବେଶରେ ଦୀର୍ଘ କାଳ ଧରି ଅନ୍ତରାୟ ସୃଷ୍ଟି କରି ଆସିଥିବା ଚୀନର ଆଧିପତ୍ୟାଧୀନ ‘ବ୍ରିକ୍‌ସ’ ମାଧ୍ୟମରେ ଜାତିସଂଘରେ କୌଣସି ବିଶେଷ ଓ ମୌଳିକ ସଂସ୍କାର ଅଣାଯିବା ସମ୍ଭବ କି? ଉତ୍ପାଦନ ଓ ଯୋଗାଣ ସ୍ରୋତର ନିୟନ୍ତ୍ରକ ଭାବେ ଚୀନ ସର୍ବଦା ଭାରତକୁ ନିର୍ଭରଶୀଳ କରି ରଖିବାକୁ ଚାହିଁଥାଏ, ଯଦ୍ଦ୍ବାରା ଭାରତରେ ଚୀନା ଦ୍ରବ୍ୟର ବଜାର କ୍ରମାଗତ ବୃଦ୍ଧି ପାଇ ଚାଲିଛି। ଗଲୱାନ ସଂଘର୍ଷ କାଳରେ ମଧ୍ୟ ଚୀନରୁ ଭାରତର ଆମଦାନି ବୃଦ୍ଧି ପାଇ ଚାଲିଥିଲା। ଏଭଳି ପରମ ସନ୍ତୋଷଜନକ ସ୍ଥିତିରୁ ଚୀନ ମୁକ୍ତ ହେବାକୁ ଚାହିଁବି କି? ଭାରତ ଏକ ଅର୍ଥନୈତିକ ଶକ୍ତି ଭାବେ ଶିରୋତ୍ତୋଳନ କରୁ ବୋଲି ଚୀନ କଦାଚିତ୍‌ ଚିନ୍ତା କରୁଥିବ କି? କେବଳ ସେତିକି ନୁହେଁ, ପାକିସ୍ତାନର ଭାରତ ବିରୋଧୀ କୁଚକ୍ରରେ ଅଂଶୀଦାର ହେବାର ଭୂମିକାରୁ ଚୀନ ନିଜକୁ କ୍ଷାନ୍ତ ରଖିପାରିବ କି? ତେଣୁ, ‘ବ୍ରିକ୍‌ସ’ ଆୟୋଜନର ଭବ୍ୟ ସଫଳତା ସତ୍ତ୍ବେ ଏକ ଅନ୍ତର୍ଭୁକ୍ତୀ ଓ ସଂସ୍କାରଧର୍ମୀ ସଂଗଠନ ଭାବେ ତା’ର ଫଳପ୍ରଦତାକୁ ନେଇ ଅନେକ ପର୍ଯ୍ୟବେକ୍ଷକ ସନ୍ଦିହାନ ମଧ୍ୟ ହୋଇଥାଆନ୍ତି। କାରଣ, ଏହି କ୍ରମରେ ଚୀନ ଭଳି ଯେଉଁ ନୂତନ ନେତୃତ୍ବର ଅଭ୍ୟୁଦୟ ଘଟୁଛି, ତାହା ମଧ୍ୟ ପ୍ରଭୁତ୍ବବାଦୀ, ବିସ୍ତାରବାଦୀ ଓ ଭରସା ଅଯୋଗ୍ୟ। ଏଭଳି ସ୍ଥଳେ ଚୀନ ଓ ଆମେରିକା ମଧ୍ୟରୁ କାହାକୁ ପକ୍ଷ ବା ବିପକ୍ଷ ରୂପେ ଚୟନ କରିବା ଅଥବା ଆବଶ୍ୟକତା ଅନୁସାରେ ପକ୍ଷ ପରିବର୍ତ୍ତନ କରିବା କିମ୍ବା ନିରପେକ୍ଷ ରହିବା ଓ ତା’ର ପରିଭାଷା ନିର୍ମାଣ କରିବା ଭଳି ବିଷୟ ଭାରତ ସକାଶେ କ୍ର‌େମ ଅଧିକ ଜଟିଳ ହୋଇଯାଇପାରେ!
ଏକ ପ୍ରାଚୀନ ଲୋକକଥା ଅନୁସାରେ ଗୋଟିଏ ସରୋବରର ଗୋଟିଏ ତୁଠରେ ବାଘ ଓ ମିରିଗ ଜଳ ପାନ କରୁଥିବାର ଦୃଶ୍ୟରେ ଅଭିଭୂତ ରାଜା ଜମ୍ବୁଲୋଚନ ଜାଣିବାକୁ ପାଇଥିଲେ ଯେ ସେହି ଅଞ୍ଚଳରେ ବିରାଜମାନ କରିଥାଏ ନୈସର୍ଗିକ ଶାନ୍ତି ଓ ସଂପ୍ରୀତି, ତେଣୁ ହିଂସା ଓ ବୈରୀର ପ୍ରଶ୍ନ ହିଁ ନ ଥାଏ। ରାଜା ଜମ୍ବୁଲୋଚନ ସେଠାରେ ନିଜ ନାମରେ ସ୍ଥାପନ କରିଥିଲେ ଏକ ରାଜ୍ୟ, ଯାହା ଆଜି ଜାମ୍ମୁ ରୂପେ ଖ୍ୟାତ। ସେମିତି ଗଧିଆ ଓ ମେଷ ଏକତ୍ର ଜଳପାନ କରିବା ନେଇ ଭବିଷ୍ୟବାଣୀ ବାଇବଲର ନ୍ୟୁ ଟେଷ୍ଟାମେଣ୍ଟର ‘ବୁକ ଅଫ ଇସାୟା’ରେ ମଧ୍ୟ ବର୍ଣ୍ଣିତ, ଯେଉଁଠି ଏହାର କାରଣ ହେବ ପ୍ରବଳ ଦୁର୍ଭିକ୍ଷ; ଯହିଁରେ ପ୍ରାଣପାତ ହେବାର ଭୟରେ ଜଡ଼ସଡ଼ ହେଟା ଓ ମେଷ ମଧ୍ୟରେ ବୈରୀ ଭାବ ଉଭେଇ ଯିବ, ଅର୍ଥାତ୍ ଏକ ପ୍ରକାର ବାଧ୍ୟବାଧକତା ହେତୁ ସଂପ୍ରୀତିର ଆଭାସ ମିଳିବ। ‘ବ୍ରିକ୍‌ସ’ରେ ଶତ୍ରୁ-ମିତ୍ର ଭେଦରେ ଏକତ୍ର ଉପସ୍ଥିତିରେ ସେହିଭଳି ବାଧ୍ୟବାଧକତାଟିଏ ଦିଶିଥାଏ ନା ଏକ ସୌହାର୍ଦ୍ଦ୍ୟପୂର୍ଣ୍ଣ ସହାବସ୍ଥାନର ଆକାଂକ୍ଷା? ତାହା ହିଁ ପ୍ରଶ୍ନ! ଭବିଷ୍ୟତରେ ଡୋନାଲ୍‌ଡ ଟ୍ରଂପଙ୍କ ରାଜୁତିର ଅବସାନ ଘଟି ଯଦି ଆମେରିକାରେ ଉଦାରବାଦୀ ଅର୍ଥନୀତି ଓ ଚେତନା ପୁଣି ହସି ଉଠେ, ତେବେ ଡଲାର ବଦଳରେ ‘ବ୍ରିକ୍‌ସ’ ମୁଦ୍ରାର ପ୍ରଚଳନ ନେଇ ‘ବ୍ରିକ୍‌ସ’ ସଦସ୍ୟ ରାଷ୍ଟ୍ରଙ୍କ ଚିନ୍ତା ଦୁର୍ବଳ ପଡ଼ିଯିବ କି? ଅନେକ ମିରିଗ ଓ ମେଷ ତୁଠରେ ଆଉ ଦେଖା ଦେବେ ନାହିଁ କି?

Read Entire Article
LEFT SIDEBAR AD

Hidden in mobile, Best for skyscrapers.