Editorial: ଗୁଲମୋହର

1 hour ago 1
ARTICLE AD BOX

ପରାଗ ଆଚାର୍ଯ୍ୟ

ଗୁଲମୋହର! ପାର୍ସୀ ଭାଷାରେ ‘ଗୁଲ’ ଶବ୍ଦର ଅର୍ଥ ‘ଫୁଲ’। ‘ମୋହର’ ଶବ୍ଦଟି ‘ମୟୂର’ ବା ‘ମୋର’ରୁ ଉତ୍ପତ୍ତି। ସଂପୂର୍ଣ୍ଣ ପ୍ରସ୍ଫୁଟିତ ଅବସ୍ଥାରେ, ଏହାର ଉଜ୍ଜ୍ବଳ ନାଲି ଓ କମଳା ରଙ୍ଗର ପାଖୁଡ଼ାଗୁଡ଼ିକ ମୟୂର ଚନ୍ଦ୍ରିକା ପରି ଆକର୍ଷଣୀୟ ଲାଗନ୍ତି। ସେଥିପାଇଁ ବୋଧେ ଏହାର ନାମ ‘ଗୁଲମୋହର’। ଓଡ଼ିଆରେ ଆମ ପାଇଁ ‘କୃଷ୍ଣଚୂଡ଼ା’, ଯାହାକୁ ନେଇ ଲେଖାଯାଇଛି ଅନେକ ଗୀତ, କବିତା ଓ ଗଳ୍ପ। ଓଡ଼ିଆ ସଙ୍ଗୀତର ବାଦଶାହ ସ୍ବର୍ଗତ ଅକ୍ଷୟ ମହାନ୍ତିଙ୍କ କଣ୍ଠରେ ସେଇ ଚିରସବୁଜ ‘ବୟସର କୃଷ୍ଣଚୂଡ଼ା ରଙ୍ଗ ତୁମ ମନ୍ଦ ନୁହେଁ...’ ଗୀତର ମାଦକତା ଆଜି ବି ଅମଳିନ। କିନ୍ତୁ, ଆଜିର ‘ଗୁଲମୋହର’ ଶୀର୍ଷକର ‌ଆଲେଖ୍ୟଟି ‘ଫୁଲ’କୁ ନେଇ ନୁହେଁ, ବରଂ ଏହା ହେଉଛି ନିକଟରେ ଲକ୍ଷ୍ନୌ ସହରରେ ଦେଖିଥିବା ଏକ ‘ଶିଶୁ ଯତ୍ନ କେନ୍ଦ୍ର’ର ନାମ, ଯାହାକୁ ଇଂରେଜୀରେ କୁହାଯାଏ ‘କ୍ରେଚ’। କେଉଁ ମହତ୍ତ୍ବାକାଂକ୍ଷା କ୍ରେଚର ଏଭଳି ଏକ ସୁନ୍ଦର ନାମଟିଏ ବାଛିବାକୁ ପରିଚାଳକମାନଙ୍କୁ ପ୍ରେରଣା ଦେଇଥିବ, ସେକଥା ମୁଁ ଜାଣେନାହିଁ। ମୋ ମତରେ, ଶିଶୁର ଦରୋଟି ହସ, ଠୁକୁଠୁକୁ ଚାଲି, ଖନଖନି କଥାଠାରୁ ଅଧିକ ଆକର୍ଷଣର ହେତୁ ପିତାମାତାଙ୍କ ପାଇଁ କ’ଣ ହୋଇପାରେ? କ୍ରେଚ ସମ୍ମୁଖ ଫଳକରେ ଲେଖାଯାଇଥିବା ‘ଗୁଲମୋହର’ ସେ ଆକର୍ଷଣର ସୂଚକଟିଏ ହୋଇ ଶୋଭାପାଉଛି ବୋଧେ।
ଆଧୁନିକ ଭାରତର ସାମାଜିକ ଓ ଅର୍ଥନୈତିକ ପରିବର୍ତ୍ତନ, ବହୁଳ ଭାବରେ ମହିଳାମାନଙ୍କର କାର୍ଯ୍ୟରେ ଯୋଗଦାନ, ଯୌଥ ପରିବାରର ବିଘଟନ ତଥା ଏକକ ପରିବାରର ବୃଦ୍ଧି ଯୋଗୁଁ କ୍ରେଚର ଆବଶ୍ୟକତା ବୃଦ୍ଧି ପାଇବାରେ ଲାଗିଛି। କ୍ରେଚ ଏଭଳି ଏକ ସୁରକ୍ଷିତ ଓ ଯତ୍ନଶୀଳ ପରିବେଶ, ଯେଉଁଠାରେ ଅଭିଭାବକମାନେ କାର୍ଯ୍ୟରତ ଥିବା ସମୟରେ ଶିଶୁମାନଙ୍କର ଦେଖାଶୁଣା କରାଯାଏ। ଏହା ଶିଶୁଙ୍କର ସୁରକ୍ଷା, ପୁଷ୍ଟି, ପ୍ରାରମ୍ଭିକ ଶିକ୍ଷା ଓ ସାମଗ୍ରିକ ବିକାଶ ଦିଗରେ ଧ୍ୟାନ ଦେବା ସହିତ, ମହିଳାମାନଙ୍କର ଆର୍ଥିକ ସ୍ବାଧୀନତାର ଏକ ଗୁରୁତ୍ବପୂର୍ଣ୍ଣ ମାଧ୍ୟମ ଭାବେ କାର୍ଯ୍ୟ କରିଥାଏ।
ଭାରତରେ କ୍ରେଚ ବ୍ୟବସ୍ଥାକୁ ସରକାରୀ ପୃଷ୍ଠପୋଷକତା ମିଳିବା ବିଳମ୍ବରେ ଆରମ୍ଭ ହୋଇଥିଲା। ଉପଲବ୍‌ଧ ତଥ୍ୟ ଅନୁଯାୟୀ ଭାରତରେ ମହିଳାମାନଙ୍କର ଶ୍ରମ ଶକ୍ତି ଅଂଶଗ୍ରହଣ ହାର ୧୯୯୯-୨୦୦୦ ମସିହାରେ ୩୪.୧% ଥିବାବେଳେ ୨୦୧୧-୧୨ ମସିହାରେ ଏହା ୨୭.୨%କୁ ହ୍ରାସ ପାଇଥିଲା। ମହିଳାମାନଙ୍କର ଶ୍ରମ ଶକ୍ତିରେ ଅଂଶଗ୍ରହଣ ହ୍ରାସ ପାଇବା ପରେ ସରକାର ଅଙ୍ଗନୱାଡ଼ି ସହ କ୍ରେଚ ଓ ରାଜୀବ ଗାନ୍ଧୀ ଜାତୀୟ କ୍ରେଚ ଯୋଜନା ଭଳି ପଦକ୍ଷେପ ଗ୍ରହଣ କରିଥିଲେ।
ଗର୍ଭଧାରଣରୁ ଶିଶୁ ଜନ୍ମର ଦୁଇ ବର୍ଷ ପର୍ଯ୍ୟନ୍ତ ପ୍ରଥମ ୧୦୦୦ ଦିନ ଶିଶୁ ଜୀବନର ଏକ ନିର୍ଣ୍ଣାୟକ ପର୍ଯ୍ୟାୟ। ଏହି ସମୟରେ ପୁଷ୍ଟିକର ଖାଦ୍ୟ, ସ୍ତନ୍ୟପାନ, ଟିକାକରଣ, ପରିମଳ ଓ ନିୟମିତ ଯତ୍ନ ଶିଶୁର ସୁସ୍ଥ ବିକାଶରେ ପ୍ରମୁଖ ଭୂମିକା ଗ୍ରହଣ କରେ। କିନ୍ତୁ, ଭାରତରେ ୬-୨୩ ମାସ ବୟସର ମାତ୍ର ୧୧% ଶିଶୁ ସର୍ବନିମ୍ନ ଉପଯୁକ୍ତ ଆହାର ପାଉଥିବା କଥା ‘ଜାତୀୟ ପରିବାର ସ୍ବାସ୍ଥ୍ୟ ସର୍ବେକ୍ଷଣ-୫’ ତଥ୍ୟରୁ ଜଣାପଡ଼େ। ଉପରୋକ୍ତ ସର୍ବେକ୍ଷଣ ଆହୁରି ମଧ୍ୟ କୁହେ, ଭାରତରେ ପାଞ୍ଚ ବର୍ଷରୁ କମ୍ ବୟସର ଶିଶୁଙ୍କ ମଧ୍ୟରୁ ୩୨% ଶିଶୁ କମ୍ ଓଜନ, ୩୫% ଶିଶୁ ବୟସ ଅନୁସାରେ କମ୍ ଉଚ୍ଚତା ଓ ୧୯% ଶିଶୁ ପୁଷ୍ଟିହୀନତାର ଶିକାର ହୋଇଥାନ୍ତି। ତେବେ, ଓଡ଼ିଶା, ଝାଡ଼ଖଣ୍ଡ ଓ ଛତିଶଗଡ଼ର ଆଦିବାସୀ ଅଞ୍ଚଳରେ କରାଯାଇଥିବା ଏକ ଅଧ୍ୟୟନ ଅନୁଯାୟୀ କ୍ରେଚକୁ ଆସୁଥିବା ୬-୩୬ ମାସ ବୟସର ଶିଶୁମାନଙ୍କ ମଧ୍ୟରେ ଅପଚୟରୁ ମୁକ୍ତ ଶିଶୁମାନଙ୍କର ଅନୁପାତ ୭୨ରୁ ୮୦%କୁ ବୃଦ୍ଧି ପାଉଥିବାବେଳେ, ଗୁରୁତର ପୁଷ୍ଟିହୀନତା ୮%ରୁ ୪%କୁ ହ୍ରାସ ପାଇଥିଲା। ଏହା କ୍ରେଚର ଉପଯୋଗିତାକୁ ସ୍ପଷ୍ଟ କରେ। କେବଳ ଏହି ଅଧ୍ୟୟନ ନୁହେଁ, ବରଂ ଏହିଭଳି ଅନେକ ଅଧ୍ୟୟନର ଫଳାଫଳର ଗୁରୁତ୍ବ ଉପଲବ୍‌ଧି କରି, ଭାରତ ସରକାର ୨୦୨୨ ମସିହାରେ ମିଶନ ଶକ୍ତି ଯୋଜନାରେ ପାଲନା ଯୋଜନା ଆରମ୍ଭ କରି ନ୍ୟାସନାଲ କ୍ରେଚ ସ୍କିମ ଓ ଅଙ୍ଗନୱାଡ଼ି ସହ କ୍ରେଚ ବ୍ୟବସ୍ଥାକୁ ଏକତ୍ରିତ କରିଛନ୍ତି।
କ୍ରେଚ ସାଂପ୍ରତିକ ସମୟର ଆବଶ୍ୟକତା। ବହୁ କ୍ଷେତ୍ରରେ ଦେଖିବାକୁ ମିଳୁଛି ପତିପତ୍ନୀ ଉଭୟ ଚାକିରିଆ। ନିଜ ସନ୍ତାନଙ୍କୁ ଏକ ସୁରକ୍ଷିତ ଭବିଷ୍ୟତ ଦେବା ପାଇଁ ସେମାନେ ପ୍ରୟାସରତ। ସେ ପ୍ରୟାସର ଉପଜାତ ହେଉଛି ସନ୍ତାନମାନଙ୍କର ଯତ୍ନ ପାଇଁ ସମୟର ଅଭାବ। ତେଣୁ କ୍ରେଚ‌େର ଶିଶୁମାନଙ୍କର ଭିଡ଼। ଏ ଚିତ୍ର ପ୍ରାୟତଃ ସହରାଞ୍ଚଳର। ଏକଥା ସତ ଯେ ‌ଶିଶୁଟିଏ ଗୋଟାପଣେ ଚାହେଁ ପିତାମାତାଙ୍କର ସ୍ନେହ, ଶ୍ରଦ୍ଧା ଓ ଧ୍ୟାନ। ମାତ୍ର ସେମାନେ ନାଚାର। ସମୟର ଆହ୍ବାନକୁ ବି ତ ଗ୍ରହଣ କରିବାକୁ ହେବ!
ଲକ୍ଷ୍ନୌରେ ସେଦିନ ଗୁଲମୋହର କ୍ରେଚ ଭିତରକୁ ଯାଇଥିଲି। ଶିଶୁମାନଙ୍କର ଅା‌ୟାଙ୍କୁ ଭେଟିଲି। କଥାବାର୍ତ୍ତାରୁ ଜାଣିଲି ତାଙ୍କର ମଧ୍ୟ ତିନିଟି ଛୁଆ। ଦୁଇ ବଡ଼ଝିଅ ସ୍କୁଲରେ ପଢୁଛନ୍ତି। ସାନ ପୁଅଟି ବର୍ଷକର। ଦିନବେଳା କ୍ରେଚକୁ ଆସିବା ସମୟରେ ପୁଅକୁ ନିଜର ଜେଠାନୀ (ବଡ଼ଯା’) ପାଖରେ ଛାଡ଼ି ଆସୁଛନ୍ତି। ଅଟୋଚାଳକ ସ୍ବାମୀ ସନ୍ଧ୍ୟାରେ କାମରୁ ଫେରିବା ବେଳକୁ ସ୍ତ୍ରୀଙ୍କୁ ନେଇ ଘରକୁ ଯାଆନ୍ତି। 
ଇଂରେଜୀ ଖବରକାଗଜ ‘ଦି ଗାର୍ଡିଆନ’ରେ ଏକଦା ‘ଚେନ୍‌ସ ଅଫ ଲଭ’ ବା ‘ଯତ୍ନର ଶୃଙ୍ଖଳ’ ଶୀର୍ଷକରେ ଏକ ହୃଦୟସ୍ପର୍ଶୀ ନିବନ୍ଧ ପ୍ରକାଶିତ ହୋଇଥିଲା। ଜୀବିକା ଦାୟରେ ନିଜ ପିଲାମାନଙ୍କଠାରୁ ଦୂରରେ ରହି ଅନ୍ୟର ପିଲାମାନଙ୍କୁ ନିଜ ମମତାରେ ବାନ୍ଧି ରଖୁଥିବା ମା’ମାନଙ୍କର କଥା ସେଥିରେ ବର୍ଣ୍ଣିତ ହୋଇଥିଲା। ଏଥିରେ ବର୍ଣ୍ଣିତ ଅନେକ ଘଟଣାଭିତ୍ତିକ ଅଧ୍ୟୟନ ମଧ୍ୟରୁ ଗୋଟିଏ ହେଉଛି- ନିଜ ଦେଶ ଫିଲିପିନ୍‌ସରେ ନିଜର ପାଞ୍ଚ ଜଣ ସନ୍ତାନସନ୍ତତିଙ୍କୁ ଛାଡ଼ି ଜଣେ ମହିଳା ଆମେରିକାରେ ଏକ ଧନୀ ପରିବାରରେ ଆୟା ଭାବରେ କାମ କରନ୍ତି। ଏ ବାବଦକୁ ପ୍ରାପ୍ୟ ହେଲା ସପ୍ତାହକୁ ୨୦୦ ଡଲାର, ଯେଉଁଥିରୁ ନିଜ ପିଲାମାନଙ୍କ ଲାଗି ନିଯୁକ୍ତ ଆୟାଙ୍କୁ ଦେବାକୁ ହୁଏ ୪୦ ଡଲାର। ‘କ୍ରେଚ’ ବ୍ୟବସ୍ଥାର ଏହା ଏକ ଅଭାବିତ ଦିଗ। ଗୋଟିଏ ମା’ କୋଳରେ ଅନ୍ୟର ଛୁଆ ହସୁଥାଏ। ସେହି ମା’ର ନିଜ ଛୁଆ ଆଉ ଗୋଟିଏ ମା’ର କୋଳରେ ବଢୁଥାଏ। ଅଭାବ ଓ ଆବଶ୍ୟକତା ଦୁଇ ମା’ଙ୍କୁ ଦୁଇ ଭିନ୍ନ ଭୂମିକାରେ ଠିଆ କରାଏ। ଏହାହିଁ ‘ଯତ୍ନର ଶୃଙ୍ଖଳ’। ପାରସ୍ପରିକ ନିର୍ଭରଶୀଳତାର ଏକ ଜୀବନ୍ତ ଚିତ୍ର। ତେବେ, ଏ ଶୃଙ୍ଖଳ ଆହୁରି ମଜଭୁତ ହେଉ। କାରଣ ସମୟର ଆହ୍ବାନକୁ ଅଣଦେଖା କରିବା ବଡ଼ ଦୁସ୍କର। ଶିଶୁଟିଏର ସବୁଠାରୁ ବଡ଼ ପ୍ରାପ୍ୟ ହେଉଛି ସ୍ନେହ। ସେଥିରୁ ସେ ବଞ୍ଚିତ ନ ହେଉ। ସେ ହସୁ। ତା’ର ହସ ହେଉ ଗୁଲମୋହର ପରି ଆକର୍ଷଣୀୟ। ସେଥିରେ ଉଦ୍‌ଭାସିତ ହେଉ ଦୁନିଆ।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୮୨୯୫୬୧୮୦୯୭

Read Entire Article
LEFT SIDEBAR AD

Hidden in mobile, Best for skyscrapers.