editorial: ଗଙ୍ଗ ହୋ

1 day ago 2
ARTICLE AD BOX

ସି ଜିନପିଙ୍ଗଙ୍କୁ ସ୍ବାଗତ କଲାବେଳେ ଡୋନାଲ୍‌ଡ ଟ୍ରମ୍ପ ‘ଗଙ୍ଗ ହୋ’କୁ ସ୍ମରଣ କରି ଚୀନ ସହିତ ଆମେରିକା ସଂପର୍କର ମଧୁର ଅତୀତ ବିଷୟ ଅବତାରଣା କରିଥିଲେ। ଟ୍ରମ୍ପଙ୍କ ଠାରୁ ତାହା ଶୁଣି ଯେଉଁମାନେ ଧରି ନେଇଛନ୍ତି ଯେ ଚୀନ ଓ ଆମେରିକା ସକାଶେ ‘ଗଙ୍ଗ ହୋ’ର କ୍ଷଣ ଉପନୀତ, ସେମାନେ ପାସୋରି ଯାଆନ୍ତି ଯେ ଗଲା ଶତାବ୍ଦୀର ଚତୁର୍ଥ ଦଶକର ଦରିଦ୍ର, ଯୁଦ୍ଧ ପୀଡ଼ିତ ଏପରିକି ଆମେରିକାର ସମର୍ଥନ ପାଇବା ଲାଗି ବଶମ୍ବଦ ଚୀନ ବଦଳରେ ଏବେ ଯେଉଁ ଚୀନ ବିଦ୍ୟମାନ ତାହା ଆମେରିକା ସହିତ ଆଖିକୁ ଆଖି ମିଳାଇ ଆହ୍ବାନ ଦେବା ଲାଗି ସମର୍ଥ। ତେଣୁ ‘ଗଙ୍ଗ ହୋ’ର ଆଶା କ୍ଷୀଣ।

Landslides: ଭୂସ୍ଖଳନ, ସୁରକ୍ଷା ପାଚେରୀ ଭାଙ୍ଗିବା ପରେ କଳିଙ୍ଗା ଘାଟି ବଢ଼ାଇଲା ଚିନ୍ତା

ଗଲା ୨୩ ତାରିଖରେ ଚୀନ ରା‌ଷ୍ଟ୍ରପତି ସି ଜିନପିଙ୍ଗଙ୍କ ତିନିଦିନିଆ ଆମେରିକା ଗସ୍ତକୁ ଘେନି ବିଭିନ୍ନ ଦୃଷ୍ଟିକୋଣରୁ ଆଲୋଚନାମାନ ଶୁଣିବାକୁ ମିଳୁଛି। ୱେନ ଜିଆବାଓଙ୍କ ଆମେରିକା ଗସ୍ତର ଦୀର୍ଘ ୨୩ ବର୍ଷ ପରେ ଯାଇ ଚୀନର କୌଣସି ରାଷ୍ଟ୍ରମୁଖ୍ୟ ଆମେରିକାରେ ପାଦ ଦେଉଛନ୍ତି; ଏବଂ ସସ୍ତ୍ରୀକ ସେଠାରେ ପହଞ୍ଚିବାରେ ସି ଜିନପିଙ୍ଗ ‌ହେଉଛନ୍ତି ପ୍ରଥମ ଚୀନା ରାଷ୍ଟ୍ରପତି। ସେହିଭଳି ତାଙ୍କୁ ପାଛୋଟି ନେବା ଲାଗି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପ ସ୍ବୟଂ ସେଠାରେ ଉପସ୍ଥିତ ହେବା ଅତ୍ୟନ୍ତ ବିରଳ ଶ୍ରେଣୀୟ; କାରଣ ଏହା ପୂର୍ବରୁ, ୧୯୬୨ ମସିହାରେ, ବ୍ରିଟେନର ତତ୍କାଳୀନ ପ୍ରଧାନମନ୍ତ୍ରୀ ହାରୋଲ୍‌ଡ ୱିଲସନଙ୍କୁ ସ୍ବାଗତ କରିବା ଲାଗି ଆମେରିକୀ ରାଷ୍ଟ୍ରପତି ଜନ ଏଫ. କେନେଡି ସଶରୀର ବିଦ୍ୟମାନ ଥିଲେ; ତା’ ନ ହେଲେ ଆମେରିକୀ ରାଷ୍ଟ୍ରପତିଙ୍କ ପ୍ରୋଟୋକଲରେ ଏଭଳି ବିନମ୍ର ସୌଜନ୍ୟର ସ୍ଥାନ ପ୍ରାୟ ନ ଥାଏ। କେବଳ ସେତିକି ନୁହେଁ, ଜିନପିଙ୍ଗଙ୍କ ସକାଶେ ଆୟୋଜିତ ହୋଇଥିବା ରାଷ୍ଟ୍ରୀୟ ସମ୍ବର୍ଦ୍ଧନାର ଭବ୍ୟତା ସମ୍ଭବତଃ ଆମେରିକାବାସୀଙ୍କ ଦୂର ସ୍ମୃତିରେ ମଧ୍ୟ ନ ଥିବ! ଏବଂ ଯାହା ଏହି ଗସ୍ତକୁ ସ୍ମରଣୀୟ ଓ ସଂଦର୍ଭୀୟ କରି ରଖିବ, ତାହା ହେଉଛି ଟ୍ରମ୍ପଙ୍କ ଗଦଗଦ ଭାବ ଓ ଅଭିବ୍ୟକ୍ତି, ଯହିଁରେ ସେ ଆମେରିକା-ଚୀନ ମୈତ୍ରୀର ଜୈତ୍ର ଉଡ଼ାଇଛନ୍ତି। ତେବେ, ଆମେରିକାର ଟାରିଫ ଆକ୍ରମଣ, ଇରାନ ଯୁଦ୍ଧ, ତାଇୱାନକୁ ଆମେରିକାର ସମର୍ଥନ ଏବଂ ଏ.ଆଇ. କ୍ଷେତ୍ରରେ ପ୍ରାଧାନ୍ୟ ସକାଶେ ଉଭୟ ଦେଶ ମଧ୍ୟରେ ତୀବ୍ର ପ୍ରତିଦ୍ବନ୍ଦ୍ବିତା ପରିପ୍ରେକ୍ଷୀରେ ଏଭଳି ମିତ୍ରତାର ସମ୍ଭାବନା ନେଇ ସମୀକ୍ଷକମାନେ ମଧ୍ୟ ସନ୍ଦେହାଚ୍ଛନ୍ନ। ଏବଂ ଏଭଳି ସ୍ଥିତିରେ ଆଉ ଯେଉଁ ବିଷୟ ବାରି ହୋଇପଡ଼େ, ତାହା ହେଲା ଦର୍ପବାନ୍‌ ଆମେରିକା ସତେ ଯେମିତି ଚୀନ ସହିତ କରମର୍ଦ୍ଦନ କରିବା ସକାଶେ ଅଧିକ ଆଗଭର!
୧୯୬୨ ମସିହାରେ, ରାଷ୍ଟ୍ରପତି କେନେଡିଙ୍କ ବ୍ୟକ୍ତିଗତ ଅଭିନନ୍ଦନର ପାତ୍ର ଥି‌ଲେ ପରମ ମିତ୍ର ରାଷ୍ଟ୍ର ବ୍ରିଟେନର ପ୍ରଧାନମନ୍ତ୍ରୀ, କିନ୍ତୁ ଏବେ ସେହି ସ୍ଥାନରେ ଅଛନ୍ତି ପ୍ରତିଦ୍ବନ୍ଦ୍ବୀ ଓ ବେଳେ ବେଳେ ଶତ୍ରୁ ଭାବେ ବିବେଚିତ ଏକ ରାଷ୍ଟ୍ରର ଶାସନ ମୁଖ୍ୟ; ଅର୍ଥାତ୍‌ ବର୍ତ୍ତମାନର ସ୍ଥିତିରେ ଏକ ପ୍ରକାର ବାଧ୍ୟବାଧକତା ଦିଶି ନ ଥାଏ କି? ପୁଣି, ଟ୍ରମ୍ପଙ୍କ ଦ୍ବିତୀୟ ପାଳିର ରାଷ୍ଟ୍ରପତିତ୍ବ କାଳରେ ଆମେରିକା ଗସ୍ତ କରିଥିବା ଅନେକ ରାଷ୍ଟ୍ରମୁଖ୍ୟ ଖୋଦ ଟ୍ରମ୍ପଙ୍କ ଦ୍ବାରା, ପ୍ରକାଶ୍ୟରେ, ସାମ୍ବାଦିକ ସମ୍ମିଳନୀରେ ଅପମାନ ଏପରିକି ଗାଳିଗୁଲଜର ଶିକାର ହୋଇ ଅପଦସ୍ତ ହୋଇଛନ୍ତି, ଯହିଁରେ ଅନ୍ତର୍ଭୁକ୍ତ ଦକ୍ଷିଣ ଆଫ୍ରିକାର ରାଷ୍ଟ୍ରପତି ସିରିଲ ରାମଫୋସା ଓ ଫ୍ରାନ୍‌ସର ପ୍ରଧାନମନ୍ତ୍ରୀ ଇମାନୁଏଲ ମାକ୍ରୋଁ। ଏବଂ ସବୁ ମହତ୍ତ୍ବପୂର୍ଣ୍ଣ ୟୁରୋପୀୟ ରାଷ୍ଟ୍ରଙ୍କ ଭଳି ପାରଂପରିକ ଭାବେ ଫ୍ରାନ୍‌ସକୁ ଆମେରିକାର ଏକ ବନ୍ଧୁ-ରାଷ୍ଟ୍ର ତୁଲ୍ୟ ଦେଖାଯାଇଥାଏ। ତେଣୁ, ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ସି ଜିନପିଙ୍ଗଙ୍କ ସକାଶେ ସେହି ଟ୍ରମ୍ପଙ୍କ ଦ୍ବାରା ପ୍ରଦର୍ଶିତ ଅଭୂତପୂର୍ବ ସୌଜନ୍ୟ ପ‌ଛ‌େର ଥାଇପାରେ ଏକ ପ୍ରକାର ଅସହାୟତା! କାରଣ ଏକ ଉତ୍ପାଦନ କେନ୍ଦ୍ର ଏବଂ ବିରଳ ମୃତ୍ତିକା ସଂପଦର ପ୍ରାୟ ଏକାଧିପତି ରୂପେ ଚୀନ ସଂପ୍ରତି ଏକ ଅତ୍ୟନ୍ତ ସୁବିଧାଜନକ ସ୍ଥାନରେ ଅଛି, ଯାହା ଉପରେ ଆମେରିକା ସମେତ ପୃଥିବୀର ପ୍ରାୟ ସବୁ ରାଷ୍ଟ୍ର ଊଣାଅଧିକ ନିର୍ଭରଶୀଳ! ସେହିଭଳି ଅତ୍ୟାଧୁନିକ ପ୍ରଯୁକ୍ତି, ଔଷଧର ମୌଳିକ ଉପାଦାନର ଯୋଗାଣ ଉତ୍ସ, ସାମରିକ ସରଞ୍ଜାମ ନିର୍ମାଣ, ଏ.ଆଇ. ଗବେଷଣା ଓ ବିକାଶ କ୍ଷେତ୍ରରେ ଚୀନ ଆମେରିକା ସହିତ ସମକକ୍ଷ ହୋଇପାରିଛି; ଏବଂ କେତେକ ସ୍ଥଳେ ଆମେରିକାକୁ ଅତିକ୍ରମ କରିଗଲା ଭଳି ସମ୍ଭାବନା ମଧ୍ୟ ଦିଶିଲାଣି; ଉଦାହରଣ ସ୍ବରୂପ ‘ଡିପ ସିକ୍‌’ ଭଳି ସୁଦକ୍ଷ ଏ.ଆଇ. ଟୁଲ୍‌, ଚୀନୀୟ କଂପାନି ଆଲିବାବା ପକ୍ଷରୁ ପୃଥିବୀର ବୃହତ୍ତମ ଚିପ୍‌ ନିର୍ମାଣକାରୀ କଂପାନି ‘ଏନଭିଡିଆ’କୁ ଦୌଡ଼ରେ ପଛରେ ପକାଇ ଦେଇଥିବାର ଦାବି, ଷଷ୍ଠ ପିଢ଼ିର ଲଢୁଆ ବିମାନ ନିର୍ମାଣକାରୀ ପୃଥିବୀର ପ୍ରଥମ ଦେଶ ଇତ୍ୟାଦି। ଏଣେ, ଇତିମଧ୍ୟରେ, ଟ୍ରମ୍ପଙ୍କ ଅପରିଣାମଦର୍ଶୀ ଟାରିଫ ଫଳରେ ଆମେରିକୀ ବଜାରର ମେରୁଦଣ୍ଡ ଚୀନା ଦ୍ରବ୍ୟର ମୂଲ୍ୟରେ ତୀବ୍ର ବୃଦ୍ଧି ଘଟି ଜନଅସନ୍ତୋଷକୁ ଜନ୍ମ ଦେଲାଣି। ଏଭଳି ସ୍ଥିତିରେ ଗୋଟିଏ ମତ ପ୍ରକାଶ ପାଉଛି ଯେ ଚୀନ ସହିତ କୌଣସି ପ୍ରକାରେ ଏକ ଉତ୍ତମ ବୁଝାମଣା‌ ବା ‘ଡିଲ୍‌’ରେ ଉପନୀତ ହୋଇ ଟ୍ରମ୍ପ ତାଙ୍କ ଜନପ୍ରିୟତାର ଦୃଶ୍ୟମାନ ହୋଇଥିବା କ୍ଷୟ ଭରଣା କରିବାକୁ ଚାହାନ୍ତି; ନଚେତ, ଆଗାମୀ ନଭେମ୍ବର ମାସରେ ହେବାକୁ ଯାଉଥିବା ମଧ୍ୟବର୍ତ୍ତୀକାଳୀନ ନିର୍ବାଚନ ଟ୍ରମ୍ପଙ୍କ ବିରୋଧରେ ଯାଇପାରେ। ତେଣୁ, ଟ୍ରମ୍ପଙ୍କ ଠାରେ ଏଭଳି ଆଗ୍ରହ ପରିଲକ୍ଷିତ ହେଉଛି। 
ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ ରଣନୈତିକ ବାଧ୍ୟବାଧକତା କାରଣରୁ ଚୀନ ଓ ଆମେରିକା ମଧ୍ୟରେ ବେପାରବଣିଜ, କେତେକ କ୍ଷେତ୍ରରେ ସହଯୋଗ ଇତ୍ୟାଦି ଦେଖାଯାଉଥିଲେ ହେଁ ବାସ୍ତବରେ ଦୁଇଟିଯାକ ରାଷ୍ଟ୍ର ଦୁଇ ଦୂରବର୍ତ୍ତୀ ମେରୁ ସଦୃଶ ଦିଶନ୍ତି। ଗଲା ଚାରି ଦଶକ ମଧ୍ୟରେ ଚୀନର ଅଭୂତପୂର୍ବ ବିକାଶ ଏବଂ ଦୂରଦୃଷ୍ଟିସଂପନ୍ନ ନିରବ ଅଗ୍ରଗତି ହେତୁ ଏବେ ଆମେରିକା ବିଚଳିତ। ପୁଣି ‘ଗ୍ଲୋବାଲ ସାଉଥ’ ବା ‘ପୃଥିବୀର ଦାକ୍ଷିଣାତ୍ୟ’ର ଶୀର୍ଷତମ ନେତୃତ୍ବରେ ବିରାଜମାନ ଚୀନ ସହିତ ଆମେରିକାର ସଂଘର୍ଷର ସମ୍ଭାବନା ଅଧିକ; ଯେମିତି ଚୀନର ନେତୃତ୍ବରେ ‘ବାର୍କ’ ଭଳି ଏକ ସଂଗଠନର ଶକ୍ତି ବୃଦ୍ଧି ଆମେରିକା ସକାଶେ ଅସ୍ବସ୍ତିକର ‌ହୋଇଥାଏ। ପୁଣି ଚୀନ ଓ ଆମେରିକା ମଧ୍ୟରେ ଚାଲିଥିବା ପ୍ରତିଦ୍ବନ୍ଦ୍ବିତା ମଧ୍ୟରେ ଖେଳୁଆଡ଼ ଭାବ ନ ଥାଏ ଏବଂ ଉଭୟ ବିସ୍ତାରବାଦୀ ରାଷ୍ଟ୍ରଙ୍କ ମଧ୍ୟରେ ଅସହିଷ୍ଣୁତା ଭରପୂର। ତେଣୁ ସେମାନଙ୍କ ମତରେ ଉଭୟ ରାଷ୍ଟ୍ର ମୁଖ୍ୟଙ୍କ ଦ୍ବାରା ପ୍ରଦର୍ଶିତ ସୌଜନ୍ୟ ପ୍ରସାଧନ-ଧର୍ମୀ, ହୋଇପାରେ ଛଳ ଶୀଳତା। ପ୍ରକୃତ କଥା ହେଲା, ଆମେରିକା ତା’ ସ୍ବାର୍ଥ ଦୃଷ୍ଟିରୁ ତା‌ଇୱାନକୁ ସର୍ବଦା ସମର୍ଥନ କରି ଚାଲିବ ଓ ଚୀନର ଗାତ୍ରଦାହର କାରଣ ହେବ। ଏବଂ ଚୀନ ସର୍ବଦା ଇରାନ ଓ ରୁଷିଆ ସପକ୍ଷରେ ଛିଡ଼ା ହୋଇ ଆମେରିକାର ପ୍ରଭୁତ୍ବ ଦାବି ବିରୋଧରେ ଆହ୍ବାନ ସୃଷ୍ଟି କରିବ। ତେଣୁ, ଏହି ସାକ୍ଷାତ ହେତୁ ଆମେରିକା-ଚୀନ ସଂପର୍କରେ କେତେକ କ୍ଷେତ୍ରରେ କିଛି ସକାରାତ୍ମକ ପ୍ରଗତି ତ ଘଟିବ, କିନ୍ତୁ ମୋଟ ଉପରେ ସ୍ଥିତିରେ ବିଶେଷ ପରିବର୍ତ୍ତନର ଆଶା ଦିଶି ନ ଥାଏ। 

Manipur disturbed area: ମଣିପୁରକୁ ଆଉ ୬ ମାସ ଅଶାନ୍ତ ଅଞ୍ଚଳ ଘୋଷଣା

ଗଲା ଶତାବ୍ଦୀର ତୃତୀୟ ଦଶକରେ ଚୀନ ଓ ଜାପାନ ମଧ୍ୟରେ ଚାଲିଥିବା ଯୁଦ୍ଧ କାରଣରୁ ବିପନ୍ନ ଅର୍ଥନୀତିକୁ ବଳ ଦେବା ଲାଗି ଚୀନରେ ‘ଶିିଳ୍ପ ସମବାୟ’ ବା ‘ଶିଳ୍ପ ସହଯୋଗ’ର କଥା କୁହାଯାଇଥିଲା, ଯେଉଁଥି ଲାଗି ଚୀନୀୟ ଭାଷାର ସନ୍ଦେଶ ଥିଲା ‘ଗଙ୍ଗ ହେ’, ଯାହାର ଅର୍ଥ ‘ଏକ ହୋଇ କାର୍ଯ୍ୟ କର’। ସେହି ସମୟରେ ତାହାକୁ ଶୁଣି ଇଭାନ କାର୍ଲସନ ନାମକ ଜଣେ ଆମେରିକୀୟ ମେରିନ୍‌ (ସୈନିକ) ତାହାକୁ ‘ଗଙ୍ଗ ହୋ’ ବୋଲି ଉଚ୍ଚାରଣ କରି ଏକ ସ୍ଳୋଗାନରେ ପରିଣତ କଲେ, ଯାହାର ଅର୍ଥ ଏକ ହୁଅ। ଦ୍ବିତୀୟ ବିଶ୍ବଯୁଦ୍ଧ ସମୟରେ ଚୀନ ଓ ଆମେରିକା ଗୋଟିଏ ପକ୍ଷରୁ ଜାପାନ ବିରୋଧରେ ଲଢୁଥିବା ବେଳେ ‘ଗଙ୍ଗ ହୋ’ ହୋଇଗଲା କାର୍ଲସନଙ୍କ ୟୁନିଟର ସ୍ଲୋଗାନ। ଅନେକ ବର୍ଷ ପରେ ତାହା ଆଜି ଆମେରିକା ଶବ୍ଦକୋଷର ଅଂଶ, ଯାହାର ଅର୍ଥ ବଦଳି ଯାଇ ଏବେ ହୋଇଗଲାଣି ଆନନ୍ଦ ଓ ଉଲ୍ଲାସ ପ୍ରଦର୍ଶନର ପର୍ଯ୍ୟାୟବାଚୀ। ସି ଜିନପିଙ୍ଗଙ୍କୁ ସ୍ବାଗତ କଲାବେଳେ ଡୋନାଲ୍‌ଡ ଟ୍ରମ୍ପ ‘ଗଙ୍ଗ ହୋ’କୁ ସ୍ମରଣ କରି ଚୀନ ସହିତ ଆମେରିକା ସଂପର୍କର ମଧୁର ଅତୀତ ବିଷୟ ଅବତାରଣା କରିଥିଲେ। ଟ୍ରମ୍ପଙ୍କ ଠାରୁ ତାହା ଶୁଣି ଯେଉଁମାନେ ଧରି ନେଇଛନ୍ତି ଯେ ଚୀନ ଓ ଆମେରିକା ସକାଶେ ‘ଗଙ୍ଗ ହୋ’ର କ୍ଷଣ ଉପନୀତ, ସେମାନେ ପାସୋରି ଯାଆନ୍ତି ଯେ ଗଲା ଶତାବ୍ଦୀର ଚତୁର୍ଥ ଦଶକର ଦରିଦ୍ର, ଯୁଦ୍ଧ ପୀଡ଼ିତ ଏପରିକି ଆମେରିକାର ସମର୍ଥନ ପାଇବା ଲାଗି ବଶମ୍ବଦ ଚୀନ ବଦଳରେ ଏବେ ଯେଉଁ ଚୀନ ବିଦ୍ୟମାନ ତାହା ଆମେରିକା ସହିତ ଆଖିକୁ ଆଖି ମିଳାଇ ଆହ୍ବାନ ଦେବା ଲାଗି ସମର୍ଥ। ତେଣୁ ‘ଗଙ୍ଗ ହୋ’ର ଆଶା କ୍ଷୀଣ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.