ARTICLE AD BOX
କାହିଁକି ଚିଡ଼ିଗଲେ, ବୁଝିବାକୁ ହେବ
ଭବାନୀ ଶଙ୍କର ତ୍ରିପାଠୀ
ମଞ୍ଜ କଥା
ଆମେ ବାରମ୍ବାର ଶୁଣୁଛେ; ଶିକ୍ଷା ବ୍ୟବସ୍ଥାରେ ନାଟକୀୟ ପରିବର୍ତ୍ତନ ଆସିଛି। ଆମ ପିଲାମାନେ ଆମଠାରୁ ଭଲ ବିଦ୍ୟାଳୟ-ମହାବିଦ୍ୟାଳୟରେ ପଢ଼ୁଛନ୍ତି, ଆମଠାରୁ ଅଧିକ ନମ୍ବର ଆଣୁଛନ୍ତି। ଆମେ ଯେଉଁ ସ୍ୱାସ୍ଥ୍ୟ ସେବା ପାଇ ବଢ଼ିଥିଲୁ, ତା’ଠାରୁ ଉନ୍ନତ ଚିକିତ୍ସା ଆଜି ଆମ ପୁଅଝିଅଙ୍କ ପାଇଁ ଉପଲବ୍ଧ। ସେମାନେ ଆମଠାରୁ ଅଧିକ ରୋଜଗାର କରୁଛନ୍ତି, ଅଧିକ ଖର୍ଚ୍ଚ କରୁଛନ୍ତି, ପ୍ରଯୁକ୍ତିରେ ଆମଠାରୁ ଢେର ଆଗେଇ ଯାଇଛନ୍ତି। ସେମାନଙ୍କ ଜୀବନଧାରଣର ମାନ ଉତ୍କୃଷ୍ଟ ବୋଲି ଅନେକ ଦାବି କରୁଛନ୍ତି।
ଏସବୁ କିଛି କ୍ଷେତ୍ରରେ ସତ୍ୟ। କିନ୍ତୁ ଏଥିରୁ ଉଠୁଥିବା ଗୋଟିଏ ପ୍ରଶ୍ନ ମନକୁ ବାରମ୍ବାର ବିଚଳିତ କରେ, ଏବଂ ସେହି ପ୍ରଶ୍ନର ଉତ୍ତର କେହି ଦେଉ ନାହାନ୍ତି। ଯଦି ଏସବୁ ଶତ ପ୍ରତିଶତ ସତ, ତେବେ ଆମ ପିଲାମାନେ ଏତେ ଚିଡ଼ିଯାଇଛନ୍ତି କାହିଁକି? ଯଦି ଶିକ୍ଷା ବ୍ୟବସ୍ଥା ଏତେ ଉନ୍ନତ, ତେବେ ବେକାରି ଉପରମୁହାଁ କାହିଁକି? ସ୍ୱାସ୍ଥ୍ୟସେବା ଏତେ ଉଚ୍ଚମାନର, ତେବେ ବୀମା ଅଭାବରେ ସାଧାରଣ ଚିକିତ୍ସା ପାଇଁ ବି ଭାବିବା ବେଳେ ଗୋଟିଏ ପରିବାରର ପାଦତଳୁ ମାଟି ଖସିଯାଉଛି କାହିଁକି? ରାଜ୍ୟର ସତୁରି ପ୍ରତିଶତରୁ ଅଧିକ ଲୋକ ଆଜି ସରକାରୀ ହାତଟେକା ଚାଉଳ ଉପରେ ନିର୍ଭରଶୀଳ କାହିଁକି? କେଉଁ ଚାପ ବା ଅଭାବ କାରଣରୁ ‘ଆହାର’ ଯୋଜନା ରାଜ୍ୟରେ ଏତେ ଲୋକପ୍ରିୟ ହେଲା? ଜୀବିକାଠାରୁ ସାଂସ୍କୃତିକ ପରିଚୟ, ଆଉ ମାନସିକ ସ୍ୱାସ୍ଥ୍ୟଠାରୁ ଆତ୍ମମର୍ଯ୍ୟାଦା ପର୍ଯ୍ୟନ୍ତ; ଏସବୁ କେଉଁଠୁ ଆରମ୍ଭ ହୋଇ କେଉଁଠି ପହଞ୍ଚିଲେଣି, ତାହାର ଏକ ନିରାସକ୍ତ, ନିର୍ଭୟ ବିଚାର ଏବେ ଅନିବାର୍ଯ୍ୟ ହୋଇଯାଇଛି।
ଆହୁରି ପଢ଼ନ୍ତୁ- Advocates Protest: ବାର୍ କାଉନସିଲ୍ ଅଧ୍ୟକ୍ଷ ମନନ୍ ମିଶ୍ରଙ୍କ ଇସ୍ତଫା ଦାବିରେ ଯୁବ ଆଡଭୋକେଟ୍ଙ୍କ ପ୍ରତିବାଦ
ଅଶୀତମ ସ୍ୱାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ (ପିଏମ୍), ମୁଖ୍ୟମନ୍ତ୍ରୀ (ସିଏମ୍) ଓ ଜିଲ୍ଲାପାଳ (ଡିଏମ୍)ଙ୍କ ବକ୍ତବ୍ୟ ଉପରେ ଟିକିଏ ଧ୍ୟାନ ଦିଅନ୍ତୁ। ଅନେକ କ୍ଷତରେ ମଲମ ଲଗାଇବାକୁ ସେମାନେ ଯତ୍ପରୋନାସ୍ତି ଚେଷ୍ଟା କରିଛନ୍ତି। ଚିଡ଼ିଯାଇଥିବା ଜେନ୍-ଜି, ଜେନ୍-ଆଲଫା ଏବଂ ତାଙ୍କ ଅଭିଭାବକମାନଙ୍କୁ ସାନ୍ତ୍ୱନା ଦେବାରେ କୌଣସି ଊଣା କରିନାହାନ୍ତି। ହେଲେ ଯାହା ଲୁଚାଇବା ପରେ ବି ଦିଶୁଛି, ତାହା ହେଉଛି, ବ୍ୟବସ୍ଥା ପ୍ରତି ଲୋକଙ୍କ ଆସ୍ଥା ଦିନକୁ ଦିନ କମି ଆସୁଛି ବୋଲି ସରକାର ନିଜେ ହୃଦୟଙ୍ଗମ କରିସାରିଲେଣି। ବ୍ୟବସ୍ଥାର ଅସଲ ଖିଅଟି ଏହି ତିନି ସ୍ତରରେ ନିବଦ୍ଧ। ଅର୍ଥାତ୍ ପିଏମ୍, ସିଏମ୍ ଓ ଡିଏମ୍ଙ୍କ ବିଜ୍ଞତା, ବିଚକ୍ଷଣତା, ସ୍ବପ୍ନ, ଦର୍ଶନ, ଦୂରଦୃଷ୍ଟି ଓ ଇଚ୍ଛାଶକ୍ତି ପ୍ରେରିତ କାର୍ଯ୍ୟାନ୍ବୟନ ହିଁ ଏହାର ଅସଲ ନିଦାନ।
ଆମେ ଜାଣୁ, ରାଜନୀତି ଓ ଶାସନ କେବେ ମଧ୍ୟ ଏକ ସରଳ ରେଖାରେ ଚାଲେ ନାହିଁ। ଶାସନ କରିବାର କ୍ଷମତା ନେତୃତ୍ବକୁ ଧୀରେ ଧୀରେ ଏକଛତ୍ରବାଦ ଆଡ଼କୁ ଟାଣିନିଏ। ଏବଂ ଯେତେବେଳେ ନେତା ସହାନୁଭୂତିର ସହ କାହା କଥା ଶୁଣିବାରେ ବାରମ୍ବାର ବିଫଳ ହୁଅନ୍ତି, ସେତେବେଳକୁ ବୁଝିବାକୁ ହେବ ଯେ ନେତୃତ୍ବକୁ ଅହଂ ଗ୍ରାସ କରି ସାରିଛି। ଏଭଳି ସ୍ଥିତିରେ ଅସନ୍ତୋଷ ଆଉ ବ୍ୟକ୍ତିଗତ ହୋଇ ରହେନାହିଁ; ତାହା ଏକ ବନାଗ୍ନି ଭଳି ବ୍ୟାପି ଯାଏ। ହଁ, ମୂଳ ଗଣମାଧ୍ୟମ ଆଜି ଅନେକ କାରଣରୁ ନିରବ ରହିଛି। ହେଲେ ଲକ୍ଷ୍ୟ କରିବାକୁ ହେବ, ସାମାଜିକ ଗଣମାଧ୍ୟମ ଏସବୁ ଅସନ୍ତୋଷକୁ ଚମତ୍କାର ଗତିରେ ଓ ସଂଗଠିତ ପ୍ରତିବାଦରେ ପରିଣତ କରିପାରୁଛି। ଏଥିସହ ରାଜନୈତିକ ଅଭିବ୍ୟକ୍ତି ମଧ୍ୟ ପ୍ରତ୍ୟହ ନୂଆ ନୂଆ ରୂପରେ ଆବିଷ୍କୃତ ହେଉଛି।
ସରକାର, ବୋଧହୁଏ ଭାବୁଛନ୍ତି ଯେ ଏବେକାର ଯୁବପିଢ଼ିର ଆକାଂକ୍ଷା ଅସାଧାରଣ ଭାବେ ବଢ଼ିଯାଇଛି। ଆଉ ସେହି ଅଭିଳାଷ ଅନେକ ସମୟରେ ବାସ୍ତବ ସୁଯୋଗ ସହିତ ମେଳ ଖାଉ ନାହିଁ। ସେଥିପାଇଁ ସମ୍ଭବତଃ ନୂଆ ପିଢ଼ି ବିରକ୍ତି ପ୍ରକାଶ କରୁଛନ୍ତି ଓ ସରକାର ବିରୋଧୀ ମାନସିକତାର ପ୍ରତିଫଳନ ଘଟୁଛି।
ଆହୁରି ପଢ଼ନ୍ତୁ- Chess: ସିଙ୍କୁଏଫିଲ୍ଡ କପ୍: ପ୍ରଜ୍ଞାନନ୍ଦ ଉପବିଜେତା
ରାଜନୀତିରୁ ଊର୍ଦ୍ଧ୍ବକୁ ଉଠିଲେ, ଅନ୍ୟ ପ୍ରକାର ବାସ୍ତବତା ସ୍ପଷ୍ଟ ବାରି ହୋଇପଡ଼ୁଛି। ହଁ, ସୌଭାଗ୍ୟବଶତଃ, ଗୃହ ନିର୍ମାଣ ଯୋଜନା, ଖାଦ୍ୟ ସୁରକ୍ଷା, ମହିଳାଙ୍କ ପାଇଁ ଆୟ ସହାୟତା ଭଳି କେତେକ ‘ଭୋଟପ୍ରିୟ’ ଯୋଜନା ଅତ୍ୟନ୍ତ ଉତ୍କଟ ସଙ୍କଟକୁ କିଛି ପରିମାଣରେ ଲାଘବ କରିପାରିଛି। କିନ୍ତୁ ସ୍ବୀକାର କରିବାକୁ ହେବ ଯେ ସାଧାରଣ ଜୀବନରେ ଦୁର୍ନୀତି କମିବା ପରିବର୍ତ୍ତେ ବଢ଼ିଚାଲିଛି ଏବଂ ‘ସଭିଁଙ୍କ ବିକାଶ’ କେବଳ ଏକ ‘ସ୍ଲୋଗାନ୍’ ପାଲଟିଯାଇଛି। ଯୁବ ପିଢ଼ି ଅତ୍ୟନ୍ତ ସମ୍ବେଦନଶୀଳ ହୋଇଥିବା ପରିପ୍ରେକ୍ଷୀରେ ସରକାରଙ୍କୁ ନେଇ ଅସନ୍ତୁଷ୍ଟ ହେବାର ଏହା ଏକ ପ୍ରମୁଖ କାରଣ। କହିବାରେ ଦ୍ବିଧା ନାହିଁ ଯେ ଏହି ଉତ୍ପନ୍ନ ସମସ୍ୟାକୁ ବିଜେପି, କଂଗ୍ରେସ କି ଅନ୍ୟ କୌଣସି ଦଳର ଅବଦାନ ବୋଲି ସୀମିତ କରିପାରିବା ନାହିଁ। ବରଂ ଦଶନ୍ଧି ଧରି ଶାସନରେ ଘୁଣ ଲାଗିବାର ଏହା ପ୍ରତିଫଳନ।
ଆମେ ମନେ ପକାଇବା ଯେ ଭାରତରେ ଯୁବ ଅସନ୍ତୋଷ ନୂଆ ଘଟଣା ନୁହେଁ। ଏହା ଏକ ପୁନରାବର୍ତ୍ତିତ ଚକ୍ର, ଯାହା ନିୟମିତ ବ୍ୟବଧାନରେ ନିଜକୁ ନୂଆ ରୂପରେ ପ୍ରକାଶ କରେ। ମହାତ୍ମା ଗାନ୍ଧୀଙ୍କ ନେତୃତ୍ୱରେ ୧୯୨୦ରୁ ଚତୁର୍ଥ ଦଶକ ପର୍ଯ୍ୟନ୍ତ ଚାଲିଥିବା ସ୍ୱାଧୀନତା ସଂଗ୍ରାମ, ସପ୍ତମ ଦଶକରେ ଜୟପ୍ରକାଶ ନାରାୟଣଙ୍କ ନେତୃତ୍ୱାଧୀନ ଛାତ୍ର ଆନ୍ଦୋଳନ, ଅଷ୍ଟମ ଦଶକ ଓ ନବମ ଦଶକର ସନ୍ଧି କାଳରେ ମଣ୍ଡଳ ଓ ହିନ୍ଦୁତ୍ୱ ଆନ୍ଦୋଳନ, ୨୦୧୦ ମସିହା ପରବର୍ତ୍ତୀ ସମୟରେ ଆନ୍ନା ହଜାରେଙ୍କ ଦୁର୍ନୀତି ବିରୋଧୀ ସତ୍ୟାଗ୍ରହ; ପ୍ରତିଟି କ୍ଷେତ୍ରରେ ଭାରତର ଯୁବ ଶକ୍ତି ରାଜନୈତିକ ପରିଦୃଶ୍ୟକୁ ପୁନଃନିର୍ମାଣ କରିଛି। ଆଜି ସେହି ଚକ୍ରର ଯେବେ ପରବର୍ତ୍ତୀ ପର୍ଯ୍ୟାୟ ଆସିଛି, ତାହାକୁ ଜ୍ଞାନୀଜନ ଅତ୍ୟନ୍ତ ଶାନ୍ତ ଚିତ୍ତରେ ଲକ୍ଷ୍ୟ କରିବା କଥା।
ଲକ୍ଷ୍ୟ କରନ୍ତୁ ଯେ ଏଥରର ଦିଲ୍ଲୀ, ବିହାର, ଝାଡ଼ଖଣ୍ଡ ଓ ଅନ୍ୟ ରାଜ୍ୟରେ ଛାତ୍ର ପ୍ରତିବାଦ ବା ଆନ୍ଦୋଳନର ମୂଳ ମଧ୍ୟବିତ୍ତ ପରିବାରରୁ ହିଁ ଆସିଛି। ଗାନ୍ଧୀ ଶୈଳୀର ଅନ୍ୟତମ ପଥପ୍ରଦର୍ଶକ ସୋନମ ୱାଙ୍ଗଚୁକ ଅହିଂସା ଓ ଅନଶନର ମାର୍ଗ ଅବଲମ୍ବନ କରି ପାରିବେଶିକ ନ୍ୟାୟ ପାଇଁ ସଂଘର୍ଷ କରୁଛନ୍ତି, ଯିଏ ଏହି ବର୍ଗର। ଏହି ଆନ୍ଦୋଳନରେ ସାମିଲ ହୋଇଥିବା ଅନ୍ୟାନ୍ୟ ଯୁବ ଓ ଉତ୍ତୀର୍ଣ୍ଣ ଯୌବନ ବର୍ଗ ବି! କାରଣ ମଧ୍ୟବିତ୍ତ ପରିବାର ହିଁ ପାରମ୍ପରିକ ଭାବେ ବ୍ୟବସ୍ଥା ଉପରେ ଆସ୍ଥା ରଖି ଆଗକୁ ବଢ଼ନ୍ତି। ସେମାେନ ବ୍ୟବସ୍ଥାକୁ ଭରସା କରି ସ୍ବପ୍ନ ଦେଖନ୍ତି। ଦିଲ୍ଲୀ ବା ବିହାର କିମ୍ବା ଝାଡ଼ଖଣ୍ଡରେ ସେମାନେ ଆଚମ୍ବିତ କରିବା ଭଳି କିଛି ଦାବି କରିନାହାନ୍ତି କି ଆକାଶରୁ ଚନ୍ଦ୍ର ତୋଳି ଆଣି ସେମାନଙ୍କୁ ଧରାଇ ଦେବା ଲାଗି କହିନାହାନ୍ତି। ବରଂ ଈପ୍ସିତ ଲକ୍ଷ୍ୟ ହାସଲ ଲାଗି ଉର୍ଦ୍ଦିଷ୍ଟ ବ୍ୟବସ୍ଥାକୁ ତ୍ରୁଟିଶୂନ୍ୟ କରିବା ଲାଗି ତ ଚାହୁଛନ୍ତି। ସରକାର ଚାହୁନାହାନ୍ତି କି? ତେବେ ଦ୍ବନ୍ଦ୍ବ କେଉଁଠି ସୃଷ୍ଟି ହେଲା?
ଆହୁରି ପଢ଼ନ୍ତୁ- HIV: ରୋଗୀକୁ ଭୁଲ୍ରେ ଏଚ୍ଆଇଭି ସଂକ୍ରମିତ ଦର୍ଶାଇଥିଲା ଏମ୍ସ ଋଷିକେଶ୍: ୬୦ ହଜାର ଟଙ୍କା କ୍ଷତିପୂରଣ ଦେବାକୁ ଖାଉଟି କମିସନଙ୍କ ନିର୍ଦ୍ଦେଶ
ଆମକୁ ବୁଝିବାକୁ ହେବ ଯେ ଆନ୍ଦୋଳନର ଭାଷା ବଦଳିଛି। ସ୍ୱାଧୀନତା, ଆରକ୍ଷଣ ଭିତରେ ଏହା ଆଉ ସୀମିତ ନାହିଁ। ଆଜିର ଯୁବ ଅସନ୍ତୋଷ ବହୁସ୍ତରୀୟ।
ଆଖିବୁଜା ଦୁର୍ନୀତି, ସୁବିଧାବାଦୀ ଓ ଲାଭାର୍ଥୀଙ୍କ ପ୍ରବଞ୍ଚନା, ଦୌରାତ୍ମ୍ୟ, ପ୍ରଶାସନିକ ନିଷ୍କ୍ରିୟତା, ପ୍ରତିଶ୍ରୁତି ବନାମ ପ୍ରତାରଣା, ଜଳବାୟୁ ପରିବର୍ତ୍ତନ ଜନିତ ବିଭୀଷିକା, ଓ ଲିଙ୍ଗଗତ ନ୍ୟାୟରେ ଅସମତୁଲତା ଭଳି ଅଲକ୍ଷଣ ବ୍ୟବସ୍ଥାର ଅସ୍ଥିମଜ୍ଜାଗତ ହୋଇଯାଇଛି, ଯାହାର ପରିଣାମ ହେଉଛି ଭୀଷଣ ଭାବେ ଆଘାତ ପ୍ରାପ୍ତ ମାନସିକ ସ୍ୱାସ୍ଥ୍ୟ। ଏହି ସବୁ ଏକା ସାଙ୍ଗରେ ନୂଆ ପିଢ଼ିର ରାଜନୈତିକ ଚେତନାକୁ ଗଢ଼ୁଛି। ଆମେ ବର୍ତ୍ତମାନ ଯାଏଁ ଏତିକି ଆଶ୍ବସ୍ତ ଅଛୁ ଯେ ଏହି ଅସନ୍ତୋଷ ରାଜନୈତିକ ପ୍ରକ୍ରିୟାର ଗଣ୍ଡି ଭିତରେ ସୀମିତ ରହିଛି। ହିଂସାତ୍ମକ ମାର୍ଗଠୁ ନୂଆ ପିଢ଼ି ଯଥେଷ୍ଟ ଦୂରରେ ଅଛନ୍ତି। କିନ୍ତୁ ସରକାରମାନେ ମାନି ନିଅନ୍ତୁନି ଯେ ଏମାନଙ୍କ ଧୈର୍ଯ୍ୟ ଅସୀମ। ପ୍ରତିଷ୍ଠାନ ବା ଶାସନ ପ୍ରତି ଥିବା ବିଶ୍ୱାସ-ଅଭାବ ଯେତେବେଳେ ଗୋଟିଏ ଚିନ୍ତାଧାରାରେ ଦୃଢ଼ ହୋଇଯିବ, ସେତେବେଳେ ସାମାଜିକ-ରାଜନୈତିକ ଦୃଶ୍ୟ ପୂର୍ବବତ୍ ରହି ନ ପାରେ!
ଯେଉଁ ମୂଳ ବିନ୍ଦୁଟିକୁ ଆମେ ସ୍ପର୍ଶ କରିବାକୁ ଚାହୁଛୁ, ତାହା ହେଲା ଦେଶର ପ୍ରତ୍ୟେକ ନାଗରିକ, ତାହାର ଜାତି, ଧର୍ମ, ଲିଙ୍ଗ ବା ଅର୍ଥନୈତିକ ପୃଷ୍ଠଭୂମି ନିର୍ବିଶେଷରେ, ସମାନ ସୁଯୋଗ, ସମାନ ମର୍ଯ୍ୟାଦା ଓ ସମାନ ନ୍ୟାୟ ପାଆନ୍ତୁ। ପ୍ରକୃତ ଗଣତନ୍ତ୍ରର ଏହି ପରୀକ୍ଷାରେ ପିଏମ୍, ସିଏମ୍ ବା ଡିଏମ୍ ପାସ୍ କରିବା ଦରକାର। ଅର୍ଥର ଅଭାବ ନାହିଁ; କିନ୍ତୁ ମାନସିକ ଦାରିଦ୍ର୍ୟ ଆମ ବ୍ୟବସ୍ଥାକୁ ସ୍ଥାଣୁ କରିବାକୁ ବସିଲାଣି। ଏହା ଉପରେ ଅଧିକ ତର୍ଜମା ବା ବିତର୍କକୁ ବି ସମସ୍ତେ ଡରିଲେଣି। ଏକଦା ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟ କ୍ୟାମ୍ପସ୍ରୁ ରାଜନୀତିର ଏହି ମୁଖ୍ୟ ବିନ୍ଦୁ ଉପରେ ଆଲୋଚନା ହେଉଥିଲା। ଦୀର୍ଘ କାଳ ଧରି ଶୈକ୍ଷିକ ବାତାବରଣ ନଷ୍ଟ ଆଳରେ ଆମେ ଯୁବ ବର୍ଗର ଚିନ୍ତା ଓ ଚେତନାକୁ ରୁନ୍ଧି ଦେଲେ। ‘ଗାଁ ମୁରବି’ ବ୍ୟବସ୍ଥାକୁ ରାଜନୀତି ଜାଲରେ ଛନ୍ଦି ଦିଆଗଲା। ସମର୍ଥ ବ୍ୟକ୍ତିବିଶେଷ, ବୁଦ୍ଧିଜୀବୀ ସୁବିଧାବାଦର ପତାକା ଧରିଲେ। ସରକାର ଅନେକ ଅଶାନ୍ତିକୁ ନିଜ ସୁବିଧା ଦେଖି କେବେ ଲାଭାର୍ଥୀ ଯୋଜନା ଦ୍ବାରା ଅଥବା କେବେ ପୁଲିସ ଲାଠିରେ ଅଟକାଇବାକୁ ଚେଷ୍ଟା କଲେ। ଅତଏବ ଶାସନକୁ ମାର୍ଗଦର୍ଶନ କରିବା ଲାଗି ଉର୍ଦ୍ଦିଷ୍ଟ ‘ନାଗରିକ ସମାଜ’ ନିଷ୍ପ୍ରଭ ହୋଇଗଲା। ଅନ୍ୟଥା କେହି ତ ଜଣେ ପଚାରିଥାନ୍ତା ଯେ ବଳକା ଧାନ ବିକ୍ରି କରୁଥିବା ଜଣେ ସମର୍ଥ ବ୍ୟକ୍ତିକୁ ପୁଣି ‘ମାଗଣା ଚାଉଳ ଯୋଜନା’ରେ ସାମିଲ କରାଗଲା କାହିଁକି? ଧାନ ଚାଷରେ ବଳକା ରାଜ୍ୟରେ ୮୦୦ ଟଙ୍କାର ସବ୍ସିଡି କେମିତି? ଏହି ଅର୍ଥ ନିଅଣ୍ଟିଆ ଫସଲ କ୍ଷେତ୍ରରେ ଦିଆଯାଇଥିଲେ, ଅନ୍ୟ ରାଜ୍ୟ ଆଗରେ ହାତ ପତାଇବାକୁ ପଡ଼ିଥାନ୍ତା କି? କୃଷି ଶ୍ରମିକ ବହୁଳ ରାଜ୍ୟରେ ‘ପ୍ରକ୍ରିୟାକରଣ ଶିଳ୍ପ’ ପାଇଁ ବଜେଟ୍ ଅନୁଦାନ କମିଛି ନା ବଢ଼ିଛି? ଅଷ୍ଟମ ଦଶକରୁ ଏମ.ଏସ୍.ଏମ୍.ଇ.କୁ ଗୁରୁତ୍ବ ଦେଇଥିବା ରାଜ୍ୟ ବୃହତ୍ ଶିଳ୍ପ ପଛରେ କାହିଁକି? ଏହି ପ୍ରଶ୍ନାବଳୀର ଅନ୍ତ ନାହିଁ।
ସରକାର ବିଚାର କରନ୍ତୁ ଯେ ଆଜିର ଭାରତୀୟ ଯୁବପିଢ଼ି ପ୍ରତିଶ୍ରୁତି ଓ କାର୍ଯ୍ୟାନ୍ବୟନ ମଧ୍ୟରେ ଥିବା ଫାଙ୍କକୁ ଆଉ ଚୁପ୍ଚାପ୍ ସହିବେ ନାହିଁ। ସେମାନେ ପ୍ରଶ୍ନ କରିବେ, ପ୍ରତିରୋଧ କରିବେ ଏବଂ ସେହି ପ୍ରଶ୍ନର ଉତ୍ତର ଆଉ ଟାଳଟୁଳ ଢଙ୍ଗରେ ଦେଲେ ଚଳିବ ନାହିଁ।
(ମତାମତ ଲେଖକଙ୍କ ନିଜସ୍ବ)

49 minutes ago
1


