ARTICLE AD BOX
ଭୂମିକା ସରିଗଲା ପରେ ନାଚୁଥିବା କଣ୍ଢେଇ ତା’ର ନିଷ୍ପ୍ରାଣ ଶରୀରକୁ ନେଇ ବାକ୍ସ ଭିତରେ ପଡ଼ି ରହିବା ଭଳି ଭାଗ୍ୟ ହୁଏତ ଲରେନ୍ସ ବିଷ୍ଣୋଈକୁ ଅପେକ୍ଷା କରି ରହିଛି। ନବମ ଦଶକର ଆତଙ୍କ ସୃଷ୍ଟିକାରୀ ଡନ ଛୋଟା ରାଜନ ଏବେ ତିହାର ଜେଲରେ ବନ୍ଦୀ, ନିଃସଙ୍ଗ, ନିଷ୍କ୍ରିୟ ଓ ବିସ୍ମୃତ। ସେହି ସମୟ ନ ପହଞ୍ଚିଲା ପର୍ଯ୍ୟନ୍ତ ଲରେନ୍ସ ବିଷ୍ଣୋଈ ହୁଏତ ବୁଝି ପାରିବ ନାହିଁ ଯେ କଣ୍ଢେଇର ଭାଗ୍ୟ ଓ ଭବିଷ୍ୟତ ଥାଏ ସୂତ୍ରଧରମାନଙ୍କ ହାତରେ, କଣ୍ଢେଇମାନେ ନିମିତ୍ତ ମାତ୍ର!
ଗଲା ଅକ୍ଟୋବର ୧୮ ତାରିଖରେ, ଅଭିନେତା ଟାଇଗର ଶ୍ରଫଙ୍କୁ ଗୁଳି ମାଡ଼ ଘଟଣା ଏବଂ ତହିଁରେ କଥିତ ରୂପେ ଲରେନ୍ସ ବିଷ୍ଣୋଈ ଗ୍ୟାଙ୍ଗର ସଂପୃକ୍ତି ସାରା ଦେଶରେ ଚାଞ୍ଚଲ୍ୟ ସୃଷ୍ଟି କରିଛି। ଏଭଳି ସ୍ଥଳେ, ଏହାକୁ ଘେନି ଚାଲିଥିବା ଚର୍ଚ୍ଚାଗୁଡ଼ିକରେ, ଦୁଇ ଦଶନ୍ଧି ପରେ, ମୁମ୍ବାଇରେ, ପୁନର୍ବାର ମୁଣ୍ଡ ଟେକିଥିବା ‘ଗ୍ୟାଙ୍ଗଷ୍ଟରିଜମ୍’ ଓ ଅଣ୍ଡର ୱର୍ଲଡ୍ର ଦୁଷ୍ପ୍ରଭାବ ଭଳି ବିଷୟ କେନ୍ଦ୍ରରେ ରହିଛି। ତେବେ, କଥା ହେଲା, ଚର୍ଚ୍ଚାର ଏହି ବଳୟକୁ ଅତିକ୍ରମ କରି ସାମାନ୍ୟ ଦୃଷ୍ଟି ସଂପ୍ରସାରଣ କଲେ ଛାୟାଲୋକରେ ରହସ୍ୟାବୃତ ଏଭଳି ଚିତ୍ର ଓ ଚରିତ୍ରମାନ ଦୃଷ୍ଟିଗୋଚର ହୁଅନ୍ତି, ଯହିଁରେ ମନେ ହୋଇଥାଏ ଯେ କେଉଁ ଅଜ୍ଞାତ ସୂତ୍ରଧରମାନେ ସତେ ଅବା କଣ୍ଢେଇ ନାଚ କରାଇବାରେ ନିମଗ୍ନ। ଏହି ପରିପ୍ରେକ୍ଷୀରେ ସଂଦର୍ଭକୁ ବୁଝିବାକୁ ହେଲେ ଏକ କ୍ଷୁଦ୍ର ଆଲୋଚନା ପ୍ରାସଙ୍ଗିକ ଭଳି ମନେ ହୋଇଥାଏ।
ଇତିମଧ୍ୟରେ ଏହି ଆକ୍ରମଣକୁ ମିଶାଇ ବଲିଉଡର ଅଭିନେତା ଓ ନିର୍ଦ୍ଦେଶକଙ୍କ ଉପରେ ଲରେନ୍ସ ବିଷ୍ଣୋଈ ଗ୍ୟାଙ୍ଗ ଦ୍ବାରା, କଥିତ ଭାବେ, ଚାରି ଥର ଆକ୍ରମଣ କରାଯାଇଥିଲେ ହେଁ କେହି ଜଣେ ହେଲେ ମୃତାହତ ହୋଇ ନାହାନ୍ତି। ଅଥଚ, ଏହି ଗ୍ୟାଙ୍ଗ ଦ୍ବାରା, ସେହି ମୁମ୍ବାଇରେ, ବାବା ସିଦ୍ଦିକି ନାମକ ଜଣେ ପ୍ରଭାବଶାଳୀ ରାଜନେତା ନିହତ ହୋଇଛନ୍ତି। ସୁତରାଂ, ଏହି ପର୍ଯ୍ୟବେକ୍ଷକମାନଙ୍କ ଧାରଣା ଯେ ଏଭଳି ଉଦ୍ୟମରେ ଥିବା ପ୍ରଚ୍ଛନ୍ନ ଅଭିସନ୍ଧି ହେଉଛି ବଲିଉଡରେ ଭୟର ବାତାବରଣ ସୃଷ୍ଟି କରିବା, ଯଦ୍ଦ୍ବାରା ନବମ ଦଶକର ଦାଉଦ ଇବ୍ରାହିମ ଭଳି ବଲିଉଡକୁ ଅକ୍ତିଆର କରାଯାଇପାରିବ! ତାହା ହୋଇ ନ ଥିଲେ କୃଷ୍ଣସାର ମୃଗ ଶିକାର ବ୍ୟାପାରରେ ସଲମାନ ଖାଁଙ୍କୁ ହତ୍ୟା କରିବାର ପଣ କରିଥିବା ଏକ ଅତ୍ୟନ୍ତ ସମର୍ଥ ଓ ବିପଜ୍ଜନକ ଗ୍ୟାଙ୍ଗର କିଛି ସଦସ୍ୟ, ସଡ଼କ ଉପରୁ ସଲମାନଙ୍କ ବାସଭବନ ଉପରକୁ ଗୁଳି ମାଡ଼ କରି ଶିରୋନାମା ମଣ୍ଡନ କରିବାରେ ସନ୍ତୁଷ୍ଟ ରହନ୍ତେ ନାହିଁ! ତେଣୁ, ସଲମାନ ଖାଁଙ୍କ ହତ୍ୟା ଉଦ୍ଦେଶ୍ୟ ହୋଇପାରେ ଏକ ଆଳ ମାତ୍ର; ଯେଉଁଠି ପ୍ରକୃତ ଉଦ୍ଦେଶ୍ୟ ହେଉଛି ବଲିଉଡ୍ରେ ଭୟର ସଂଚାରଣ। ଉଲ୍ଲେଖଯୋଗ୍ୟ ଯେ ସପ୍ତମ ଦଶକରୁ ବଲିଉଡ ଅଣ୍ଡର-ୱର୍ଲଡ ଦ୍ବାରା ଗଭୀର ଭାବେ ପ୍ରଭାବିତ ହୋଇ ରହି ଆସିଛି, ଯେତେବେଳେ କୁଖ୍ୟାତ ସ୍ମଗଲର ହାଜି ମସ୍ତାନ ଓ କରିମ ଲାଲାଙ୍କ ଅର୍ଥରେ ଚଳଚ୍ଚିତ୍ର ନିର୍ମିତ ହେଉଥିଲା! ପରବର୍ତ୍ତୀ କାଳରେ ବଲିଉଡ ଦାଉଦ ଇବ୍ରାହିମର ଜାଗିରରେ ପରିଣତ ହୋଇଥିଲା। ପର୍ଯ୍ୟବେକ୍ଷକମାନେ କହିଥାଆନ୍ତି ଯେ କେବଳ ବଲିଉଡ ନୁହେଁ, ମୁମ୍ବାଇରେ ଦାଉଦର ଦୁର୍ଗ ଭୂଲୁଣ୍ଠିତ କରିବା ମଧ୍ୟ ହୋଇପାରେ ଦିଲ୍ଲୀର ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଈର ଏକ ବୃହତ୍ତର ଲକ୍ଷ୍ୟ!
ପ୍ରକାଶ ଥାଉ କି ୧୯୯୩ ମୁମ୍ବାଇ ସିରିଏଲ ବୋମା ବିସ୍ଫୋରଣ ଘଟଣା ପରେ ଏହାର ମୁଖ୍ୟ ଷଡ୍ଯନ୍ତ୍ରକାରୀ ଦାଉଦ ଇବ୍ରାହିମ ସହିତ, ତା’ର ଡାହାଣ ହାତ ରୂପେ ପରିଚିତ ଛୋଟା ରାଜନ, ସମସ୍ତ ସଂପର୍କ ଛିନ୍ନ କରି ଏକ ପରମ ଶତ୍ରୁରେ ପରିଣତ ହୋଇଥିଲା। ଏହି କ୍ରମରେ ଦାଉଦ ଓ ଛୋଟା ରାଜନ ଗ୍ୟାଙ୍ଗ ମଧ୍ୟରେ ସଂଘଟିତ ଭୟାବହ ସଂଘର୍ଷ ପେକ୍ଷାପଟରେ ଛୋଟା ରାଜନ ନିଜକୁ ଜଣେ ହିନ୍ଦୁ ଡନ୍ ରୂପେ ଦର୍ଶାଇବାକୁ ଚାହିଁଥିଲା। ସଂପ୍ରତି ଲରେନ୍ସ ବିଷ୍ଣୋଈ ମଧ୍ୟ ସେଭଳି ଆଭିମୁଖ୍ୟ ଧାରଣ କରିଥିବା ପରିଲକ୍ଷିତ ହେଉଛି। ଏବଂ ନବମ ଦଶକ ତୁଳନାରେ ସଂପ୍ରତି ହିନ୍ଦୁ ପ୍ରାଧାନ୍ୟବାଦୀ ମାନସିକତା ଅଧିକ ପ୍ରଗାଢ଼ ହୋଇଥିବାରୁ ସଂପ୍ରତି ଲରେନ୍ସ ବିଷ୍ଣୋଈର ଅନୁଧାବକଙ୍କ ସଂଖ୍ୟା ଅହେତୁକ ଭାବେ ବୃଦ୍ଧି ପାଇବାରେ ଲାଗିଛି। କେବଳ ସେତିକି ନୁହେଁ, କାନାଡାରେ ଖଳିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂହ ନିଜ୍ଜରର ହତ୍ୟା ପଛରେ ଲରେନ୍ସ ବିଷ୍ଣୋଈର ସନ୍ଦିଗ୍ଧ ସଂପୃକ୍ତି ପରିପ୍ରେକ୍ଷୀରେ ତାକୁ ଅନେକତ୍ର ଜଣେ ଦେଶପ୍ରେମୀ ରୂପେ ମଧ୍ୟ ବର୍ଣ୍ଣନା କରାଯାଉଛି। ଏଭଳି ସ୍ଥିତିରେ ଲରେନ୍ସ ବିଷ୍ଣୋଈ ଓ ତା’ର କାର୍ଯ୍ୟକଳାପ ଏକ ଧୂସର ଇଲାକାରେ ପ୍ରବେଶ କରିଥାଏ, ଯାହା ଉଦ୍ବେଗଜନକ!
ଉଲ୍ଲେଖଯୋଗ୍ୟ େଯ ମୁମ୍ବାଇ ଅଣ୍ଡର ୱର୍ଲଡ୍ର ପ୍ରମୁଖ ଗ୍ୟାଙ୍ଗଷ୍ଟର ଯେମିତିି ଦାଉଦ ବା ଛୋଟା ରାଜନ ବା ଆବୁ ସାଲେମ ଇତ୍ୟାଦି ଯଥାକ୍ରମେ ଦୁବାଇ (ଓ ପରେ କରାଚୀ), ଥାଇଲାଣ୍ଡ ଓ ପର୍ତ୍ତୁଗାଲରେ ରହି, ଅର୍ଥାତ୍ ଭାରତୀୟ ଆଇନ ଠାରୁ ଯଥେଷ୍ଟ ଦୂରରୁ, ସେମାନଙ୍କ ଆପରାଧିକ କାର୍ଯ୍ୟକଳାପ ଚଳାଉଥିଲେ। ଅଥଚ, ଲରେନ୍ସ ବିଷ୍ଣୋଈ ଅତ୍ୟନ୍ତ କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଥିବା ସାବରମତୀ ଜେଲରୁ ହିଁ ତା’ର ଆପରାଧିକ ସାମ୍ରାଜ୍ୟ ଚଳାଇ ରଖିଛି, ଅର୍ଥାତ୍ ଆଇନର ନାକ ତଳେ ରହି! ତେଣୁ ପ୍ରଶ୍ନ ଉଠିଥାଏ ଯେ ଲରେନ୍ସକୁ ଦମନ କରିବା ଅତ୍ୟନ୍ତ ସହଜ ଓ ସଂପୂର୍ଣ୍ଣ ସମ୍ଭବ ହୋଇଥିଲେ ହେଁ ସେଭଳି ଘଟୁ ନାହିଁ କାହିଁକି? ତେଣୁ ଧାରଣା ସୃଷ୍ଟି ହୋଇଥାଏ ଯେ ଜେଲ ଭିତରୁ ସଂଗଠନ ଚଳାଇ ରଖିବା ପାଇଁ ତାକୁ ପ୍ରଶ୍ରୟ ଦିଆଯାଇ ତା’ ମାଧ୍ୟମରେ ଏଭଳି କିଛି କାର୍ଯ୍ୟ ହୁଏତ କରାଇ ନିଆଯାଉଥିବ, ଯାହା ଆଇନସମ୍ମତ ହୋଇ ନ ଥିଲେ ହେଁ ଦେଶର ସୁରକ୍ଷା ଦୃଷ୍ଟିରୁ ମହତ୍ତ୍ବପୂର୍ଣ୍ଣ ହୋଇଥିବ! ଏଠାରେ ସ୍ମରଣଯୋଗ୍ୟ ଯେ ନବମ ଦଶକରେ ଦାଉଦ ଇବ୍ରାହିମର ନେଟୱାର୍କ ଭାଙ୍ଗିବା ସକାଶେ ଭାରତୀୟ ଗୁଇନ୍ଦା ସଂସ୍ଥା ‘ର’ ଏବଂ ଆଇ.ବି. (ଇଣ୍ଟେଲିଜେନ୍ସ ବ୍ୟୁରୋ) ପକ୍ଷରୁ ଛୋଟା ରାଜନର ସହାୟତା ନିଆଯାଉଥିବା ବିଷୟ ପ୍ରଘଟ ହୋଇଥିଲା। ସେହିଭଳି ବିଦେଶରେ ଥିବା ଭାରତ ବିରୋଧୀ ବିଚ୍ଛିନ୍ନତାବାଦୀ ସଂଗଠନର ନେତାମାନଙ୍କ ବିରୋଧରେ ଲରେନ୍ସ ବିଷ୍ଣୋଈକୁ ବ୍ୟବହାର କରାଯାଉଥାଇପାରେ କି? ଅନେକ ବିଶେଷଜ୍ଞ ଏହି ମତ ପୋଷଣ କରନ୍ତି। ଏହାର ଅର୍ଥ ହେଲା ଜଣେ ଅତ୍ୟନ୍ତ ପ୍ରଭାବଶାଳୀ ଗ୍ୟାଙ୍ଗଷ୍ଟର ଭାବେ ପରିଚିତ ହେବାକୁ ବସିଥିବା ଲରେନ୍ସ ବିଷ୍ଣୋଈ ପ୍ରକୃତରେ ହୋଇପାରେ ଅଜ୍ଞାତ ସୂତ୍ରଧରଙ୍କ ହାତରେ ନାଚୁଥିବା ଏକ କଣ୍ଢେଇ ମାତ୍ର!
ସିଦ୍ଧୁ ମୁସେ ୱାଲା ଓ ବାବା ସିଦ୍ଦିକିଙ୍କ ହତ୍ୟା ଏବଂ ଅନେକ ହତ୍ୟା ଉଦ୍ୟମରେ ସଂପୃକ୍ତିର ଅଭିଯୋଗ ସତ୍ତ୍ବେ ଲରେନ୍ସ ବିଷ୍ଣୋଈକୁ ପୁଲିସ ନିଜ ‘କଷ୍ଟଡି’ ବା ହେପାଜତକୁ ନେଇ ଜେରା କରିବା ଏ ଯାବତ୍ ସମ୍ଭବ ହୋଇ ପାରିନାହିଁ। ଏହା ପଛରେ ରହିଛି ଭାରତୀୟ ନ୍ୟାୟ ସଂହିତାର ଦଫା ୩୦୩ ଅନୁସାରେ କ୍ଷମତା ପ୍ରାପ୍ତ କେନ୍ଦ୍ର ସରକାରଙ୍କ ଦ୍ବାରା ପ୍ରୟୋଗ କରାଯାଇଥିବା କଟକଣା। ଏଭଳି କଟକଣାର ଅବଧି ଗୋଟିଏ ବର୍ଷ ଲାଗି ହୋଇଥିଲେ ହେଁ ଲରେନ୍ସ ବିଷ୍ଣୋଈ କ୍ଷେତ୍ରରେ ପ୍ରତି ବର୍ଷ ତାହାର ନବୀକରଣ କରାଯାଉଛି। ସୁତରାଂ, ଏହାକୁ ନେଇ ବିରୋଧୀ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ସ୍ବାଭାବିକ ଭାବେ ଅଭିଯୋଗ କରାଯାଇଥାଏ ଯେ ଲରେନ୍ସ ବିଷ୍ଣୋଈ ପ୍ରତି ସରକାର ଦରଦୀ! ଏଭଳି ଅଭିଯୋଗ ପଛରେ ଯଥାର୍ଥତା ଥାଉ ବା ନ ଥାଉ ତାହା ଲରେନ୍ସ ବିଷ୍ଣୋଈକୁ ହୁଏତ ଏକ ସୁରକ୍ଷା କବଚ ଭଳି ମନେ ହେଉଥିବ! ସରକାରଙ୍କ ଏଭଳି ଆଭିମୁଖ୍ୟ ସାଧାରଣରେ ମଧ୍ୟ ବିସ୍ମୟର କାରଣ ହୋଇଥାଏ! କିନ୍ତୁ, ବିଶେଷଜ୍ଞମାନେ କହନ୍ତି ଯେ କୌଣସି ନିର୍ଦ୍ଦିଷ୍ଟ ଭୂମିକା ନିର୍ବାହ କରିବା ସକାଶେ ଲରେନ୍ସ ବିଷ୍ଣୋଈକୁ ଏଭଳି ଏକ ସୁବିଧା ମିଳିଥିବା ସମ୍ଭବ! ଭୂମିକା ସରିଗଲା ପରେ ନାଚୁଥିବା କଣ୍ଢେଇ ତା’ର ନିଷ୍ପ୍ରାଣ ଶରୀରକୁ ନେଇ ବାକ୍ସ ଭିତରେ ପଡ଼ି ରହିବା ଭଳି ଭାଗ୍ୟ ହୁଏତ ଲରେନ୍ସ ବିଷ୍ଣୋଈକୁ ଅପେକ୍ଷା କରି ରହିଛି। ନବମ ଦଶକର ଆତଙ୍କ ସୃଷ୍ଟିକାରୀ ଡନ ଛୋଟା ରାଜନ ଏବେ ତିହାର ଜେଲରେ ବନ୍ଦୀ, ନିଃସଙ୍ଗ, ନିଷ୍କ୍ରିୟ ଓ ବିସ୍ମୃତ। ସେହି ସମୟ ନ ପହଞ୍ଚିଲା ପର୍ଯ୍ୟନ୍ତ ଲରେନ୍ସ ବିଷ୍ଣୋଈ ହୁଏତ ବୁଝି ପାରିବ ନାହିଁ ଯେ କଣ୍ଢେଇର ଭାଗ୍ୟ ଓ ଭବିଷ୍ୟତ ଥାଏ ସୂତ୍ରଧରମାନଙ୍କ ହାତରେ, କଣ୍ଢେଇମାନେ ନିମିତ୍ତ ମାତ୍ର!

56 minutes ago
3


