ARTICLE AD BOX
ନୂଆଦିଲ୍ଲୀ: ଇ-୨୦ ଇନ୍ଧନକୁ ନେଇ କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡ଼କରୀଙ୍କ ବିରୋଧରେ ସୋସିଆଲ ମିଡିଆରେ ଭ୍ରମାତ୍ମକ ଓ ଆପତ୍ତିଜନକ ଭିଡିଓ ପ୍ରସାର କରିବା ଅଭିଯୋଗରେ ୪ ଜଣ ସୋସିଆଲ ମିଡିଆ ପ୍ରଭାବକଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ଅଭିଯୋଗ ଅନୁସାରେ, ଏହି ଭିଡିଓଗୁଡ଼ିକରେ ଇ-୨୦ ଇନ୍ଧନ ସମ୍ପର୍କରେ ଭୁଲ ସୂଚନା ପ୍ରଚାର କରାଯିବା ସହ ଗଡ଼କରୀଙ୍କୁ ବ୍ୟକ୍ତିଗତ ଭାବେ ନିଶାଣ କରାଯାଇଥିଲା।
ସୂଚନା ଅନୁସାରେ, ଗଡ଼କରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ଭିଡିଓଗୁଡ଼ିକ ଯାଞ୍ଚ କରାଯିବା ପରେ ସମ୍ପୃକ୍ତ ଲୋକଙ୍କ ବିରୋଧରେ ପୁଲିସରେ ଅଭିଯୋଗ କରାଯାଇଥିଲା। ଅଭିଯୋଗରେ କୁହାଯାଇଛି ଯେ, ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ମିଥ୍ୟା ଦାବି କରି ସାଧାରଣ ଲୋକଙ୍କୁ ବିଭ୍ରାନ୍ତ କରିବା ସହ ସରକାରଙ୍କ ଇଥାନଲ ମିଶ୍ରିତ ଇନ୍ଧନ ନୀତି ସମ୍ପର୍କରେ ଭୁଲ ଧାରଣା ସୃଷ୍ଟି କରାଯାଇଛି।
ଆହୁରି ପଢନ୍ତୁ: POK: ପିଓକେରେ ବିଦ୍ରୋହ ଦମନ ପାଇଁ ପାକ୍ର ବର୍ବରତା: ହିଂସାରେ ୧୨ ମୃତ, ୪୦୦୦ ସେନା ମୁତୟନ
ପୁଲିସ କହିଛି, ପ୍ରାଥମିକ ତଦନ୍ତ ପରେ ୪ ଜଣ ସୋସିଆଲ ମିଡିଆ ପ୍ରଭାବକଙ୍କ ବିରୋଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରାଯାଇଛି। ସେମାନଙ୍କ ପରିଚୟ ଓ ଭିଡିଓ ପ୍ରସ୍ତୁତିର ଉଦ୍ଦେଶ୍ୟ ସମ୍ପର୍କରେ ତଦନ୍ତ ଚାଲିଛି। ସୂଚନାଯୋଗ୍ୟ, ଇ-୨୦ ହେଉଛି ୨୦ ପ୍ରତିଶତ ଇଥାନଲ ଓ ୮୦ ପ୍ରତିଶତ ପେଟ୍ରୋଲର ମିଶ୍ରଣ। ପେଟ୍ରୋଲ ଉପରେ ନିର୍ଭରଶୀଳତା କମାଇବା, ବିଦେଶରୁ ଅଶୋଧିତ ତୈଳ ଆମଦାନି ହ୍ରାସ କରିବା, ପ୍ରଦୂଷଣ କମାଇବା ଓ ଆଖୁ ଚାଷୀଙ୍କୁ ଲାଭ ପହଞ୍ଚାଇବା ଉଦ୍ଦେଶ୍ୟରେ କେନ୍ଦ୍ର ସରକାର ଏହି ଇନ୍ଧନକୁ ପ୍ରୋତ୍ସାହନ ଦେଉଛନ୍ତି। ଗତ କିଛି ବର୍ଷ ଧରି ନୀତିନ ଗଡ଼କରୀ ଏହି ନୀତିର ପ୍ରମୁଖ ସମର୍ଥକ ରହିଆସିଛନ୍ତି।
ଆହୁରି ପଢନ୍ତୁ: SupremeCourt: ସଂଶୋଧନ ମାଧ୍ୟମରେ ସମ୍ପତ୍ତିର ବିକ୍ରୟ ଦଲିଲ ବଦଳାଯାଇପାରିବ ନାହିଁ: ସୁପ୍ରିମ୍କୋର୍ଟ
ଅଭିଯୋଗରେ କୁହାଯାଇଛି ଯେ, ସୋସିଆଲ ମିଡିଆରେ ପ୍ରସାରିତ ଭିଡିଓଗୁଡ଼ିକରେ ଇ-୨୦ ଇନ୍ଧନ ବ୍ୟବହାର କଲେ ଗାଡ଼ିର ବଡ଼ ଧରଣର କ୍ଷତି ହେବ ବୋଲି ଭିତ୍ତିହୀନ ଦାବି କରାଯାଇଥିଲା। ଏହା ସହ ଗଡ଼କରୀଙ୍କ ବିରୋଧରେ ବ୍ୟକ୍ତିଗତ ଟିପ୍ପଣୀ ମଧ୍ୟ କରାଯାଇଥିଲା। ଏଭଳି ବିଷୟବସ୍ତୁ ସାଧାରଣ ଲୋକଙ୍କ ମଧ୍ୟରେ ଭୁଲ ସନ୍ଦେଶ ପହଞ୍ଚାଉଥିବାରୁ ଆଇନଗତ ପଦକ୍ଷେପ ନିଆଯାଉଛି।

1 month ago
11


