ARTICLE AD BOX
ଦୁର୍ଗା ପୂଜା ଆଶ୍ୱିନ ମାସରେ ପାଳନ କରାଯାଉଥିବା ଏକ ପବିତ୍ର ପର୍ବ। ମହିଷାସୁରମର୍ଦିନୀ ମା’ ଦୁର୍ଗାଙ୍କର ବିଜୟ ଗାଥାର ନିଦର୍ଶନ ଦେବୀ ଭାଗବତ, ମାର୍କଣ୍ଡେୟ ପୁରାଣ ଆଦିରେ ବର୍ଣିତ। ଦୁର୍ଗା ଶବ୍ଦର ବିବିଧ ବିଶ୍ଳେଷଣ କରାଯାଇଛି। ସେଥିରୁ ଗୋଟିଏ ହେଉଛି ଦ୍+ଉ+ର୍+ଗ୍+ଆ। ‘ଦ’ର ଅର୍ଥ ଦୈତ୍ୟ ବିନାଶ ପାଇଁଯିଏ ଉଦ୍ଦିଷ୍ଟ, ଉ-ସମସ୍ତ ବାଧାଦାୟକ ଶକ୍ତି ଦୂର କରିବାରେ ଯିଏ ସମର୍ଥ, ର- ସମସ୍ତ ରୋଗର ଯିଏ ବିନାଶକାରୀ, ଗ-ସକଳ ପାପର ଯିଏ କ୍ଷୟକାରୀ, ଆ-ସମସ୍ତ ଭୟର ଯେ ହରଣକାରୀ।
ଅନ୍ୟ ଏକ ଶବ୍ଦିକ ବିଶ୍ଳେଷଣ ହେଉଛି ଦୁର୍ଗ+ଆ। ଦୁର୍ଗର ଅର୍ଥ ବିପଦ ବା ଦୁର୍ଗତି, ଆ ଅର୍ଥ ନଷ୍ଟ କରିବା। ଏହା ଅସତ୍ୟ ଓ ଅନ୍ୟାୟ ଉପରେ ସତ୍ୟ ଓ ନ୍ୟାୟର ବିଜୟର ନିଦର୍ଶନ। ଦେବୀ ଭାଗବତ ଓ ସପ୍ତଶତୀ ଚଣ୍ଡୀରେ ବର୍ଣ୍ଣିତ ଅଛି, ସମସ୍ତ ଦେବତା ଯେତେବେଳେ ମହିଷାସୁରର ଅତ୍ୟାଚାରରେ ସନ୍ତ୍ରପ୍ତ ହୋଇ ବ୍ରହ୍ମାଙ୍କ ଶରଣାପନ୍ନହେଲେ ସେତେବେଳେ ବ୍ରହ୍ମା, ଶ୍ରୀବିଷ୍ଣୁ ଓ ଶିବଙ୍କ ପରାମର୍ଶରେ ସମସ୍ତ ଦେବତାଙ୍କ ତେଜ ସମ୍ମିଳିତ କରି କାତ୍ୟାୟନ ଋଷିଙ୍କ ଆଶ୍ରମରେ ଯଜ୍ଞକୁଣ୍ଡରୁ ମାୟା ବୀଜଦ୍ୱାରା ଦୁର୍ଗାଙ୍କୁ ଆବାହନ କଲେ, ଏବଂ ଦେବୀ ଦୁର୍ଗା ପ୍ରକଟୀତା ହେଲେ। ସମସ୍ତ ଦେବତା ନିଜ ନିଜ ଆୟୁଧ ଦୁର୍ଗାଙ୍କୁ ଦାନ କଲେ,ଶେଷରେ ଦେବୀ ସିଂହ ବାହିନୀ ହୋଇ ମହିଷାସୁର ସହ ଯୁଦ୍ଧ କରିଥିଲେ। ଅନେକ ସମୟ ଯୁଦ୍ଧ କଲାପରେ ଦେବୀ ଶୂଳଦ୍ୱାରା ମହିଷାର ହୃଦୟ ବିଦ୍ଧ କରି ଖଡ୍ଗଦ୍ୱାରା ଶିରଚ୍ଛେଦ କରିଥିଲେ। ସେହି ସମୟ ଥିଲା ଚୈତ୍ର ଶୁକ୍ଳ ପକ୍ଷ ଅଷ୍ଟମୀ ଓ ନବମୀର ସନ୍ଧିକ୍ଷଣ, ତେଣୁ ଏହିସମୟରେ ଦେବୀଙ୍କୁ ମହାଶକ୍ତି ରୂପେ ପୂଜା କରାଯାଏ।
ତ୍ରେତୟା ଯୁଗରେ ରାବଣକୁ ପରାସ୍ତ କରିବା ନିମନ୍ତେ ରାମଚନ୍ଦ୍ର ଚୈତ୍ର ବଦଳରେ ଆଶ୍ୱିନରେ ଏହି ପୂଜା କରିଥିଲେ, ସେବେଠାରୁ ଏହା ଉଭୟ ଚୈତ୍ରରେ ବାସନ୍ତୀ ନବରାତ୍ର ଓ ଆଶ୍ୱିନରେ ଶାରଦ ନବରାତ୍ର ଭାବେ ବିଦିତ ଓ ଉଭୟ ଋତୁରେ ଦେବୀଙ୍କ ମହାପୂଜା ପ୍ରଚଳିତ। ନବମୀର ପରବର୍ତ୍ତୀ ଦିନ ବିଜୟଉତ୍ସବ ବା ବିଜୟାଦଶମୀ ପାଳିତ ହୁଏ,ଏହା ଦେବତାମାନଙ୍କଦ୍ୱାରା ମା ଦୁର୍ଗାଙ୍କ ଯୁଦ୍ଧ ପରବର୍ତ୍ତୀ ବିଜୟାଭିଷେକର ପରମ୍ପରାକୁ ସୂଚାଏ। ଦୁର୍ଗାଙ୍କର ନବଶକ୍ତି ଜାଗ୍ରତ କରିବା ପାଇଁ ନବାର୍ଣ୍ଣ ବା ନବାକ୍ଷରୀ ମନ୍ତ୍ର ଜପ କରିବା ପାଇଁ ପରାମର୍ଶ ଦିଆଯାଇଛି । ନବର ଅର୍ଥ ନଅ। ଅର୍ଣର ଅର୍ଥ ଅକ୍ଷର। ନବାର୍ଣ୍ଣ ମନ୍ତ୍ରର ପ୍ରତ୍ୟେକ ଅକ୍ଷର ଦୁର୍ଗାଙ୍କ ଗୋଟିଏ ଗୋଟିଏ ଶକ୍ତିର ପରିଚାୟକ।
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀଙ୍କର ପୂଜା ହୁଏ
ଭାରତରେ ପ୍ରତିବର୍ଷ ଦୁଇଥର ଦେବୀ ଦୁର୍ଗାଙ୍କର ପୂଜା ଅନୁଷ୍ଠିତ ହୁଏ। ଶରତ ଋତୁରେ ଆଶ୍ୱିନ ମାସ ଶୁକ୍ଳ ପକ୍ଷର ପୂଜାକୁ ‘ଦେବୀ ପୂଜା’ ଏବଂ ବସନ୍ତ ଋତୁରେ ଚୈତ୍ରମାସ ଶୁକ୍ଳ ପକ୍ଷର ପୂଜାକୁ ‘ବାସନ୍ତୀ ପୂଜା’ କୁହାଯାଏ। ଯେଉଁ ମା’ର ଶସ୍ୟ ଆହାର କରି ମାନବ ଜୀବିକା ନିର୍ବାହ କରେ, ସେହି ଧରିତ୍ରୀ ରାଣୀର ବୟଃପ୍ରାପ୍ତିରେ ଉତ୍ଫୁଲ୍ଲ ହୋଇ ଜନ-ମାନସ ବାସନ୍ତୀ ଦୁର୍ଗାଙ୍କ ପୂଜାର ଆୟୋଜନ କରେ, ମାତ୍ର ଏକ ସାର୍ବଜନୀନ ପୂଜା ରୂପେ ଶାରଦୀୟ ଦେବୀପୂଜା ହିଁ ଅଧିକ ଲୋକପ୍ରିୟତା ଅର୍ଜନ କରିଛି। ଏହି ଶାରଦୀୟ ପର୍ବ ଭାରତର ପୁରପଲ୍ଲୀରେ ଦଶହରା ପର୍ବରୂପେ ପାଳନ କରାଯାଏ। ଏହି ପର୍ବର ମୂଳ ଲକ୍ଷ୍ୟ ହେଉଛି ଦେବୀ ଉପାସନା।
ଦୁର୍ଗାପୂଜା ପରି ଦଶହରା ପର୍ବ ମଧ୍ୟ ବର୍ଷକରେ ଦୁଇଥର ପାଳନ କରାଯାଏ। ଜ୍ୟେଷ୍ଠମାସ ଶୁକ୍ଳଦଶମୀ ହେଉଛି ଗଙ୍ଗାମାତାଙ୍କର ଜନ୍ମଦିବସ। ଏହିଦିନ ଗଙ୍ଗାପୂଜା କରି ଗଙ୍ଗାନଦୀରେ ସ୍ନାନ କଲେ ତ୍ରିବିଧ ପାପ ଖଣ୍ଡନ ହୁଏ ବୋଲି ଏହି ତିଥିକୁ ‘ଦଶହରା’ ବା ‘ଦଶବିଧ’ ପାପହରଣ ଦିବସ କୁହାଯାଏ । ଏହି ତିଥିଟି ଲୋକମୁଖରେ ‘ଗଙ୍ଗା ଦଶହରା’ ନାମରେ ପରିଚିତ। ଅନ୍ୟ ଦଶହରା ପର୍ବଟି ଆଶ୍ୱିନ ମାସ ଶୁକ୍ଳପକ୍ଷ ଦଶମୀ ତିଥିରେ ପାଳିତ ହୁଏ। ଏହି ଦୁର୍ଗାପୂଜାର ଶେଷ ଦିବସ।
ଏହି ଦଶହରା ପର୍ବ ଭାରତରେ ସର୍ବଜନବିଦିତ ପର୍ବ। ତେଣୁ ‘ଦଶହରା’ କହିଲେ ସମସ୍ତେ ଆଶ୍ୱିନ ଶୁକ୍ଳ ଦଶମୀକୁ ହିଁ ବୁଝନ୍ତି। ଏହି ଦଶହରା ଦିବସରେ ରାମଚନ୍ଦ୍ର ମାତୃଶକ୍ତି ବନଦୁର୍ଗାଙ୍କୁ ସ୍ତୁତି କରି ରାବଣର ନିଧନ ଉଦ୍ଦେଶ୍ୟରେ ଲଙ୍କା ଅଭିମୁଖେ ବିଜୟଯାତ୍ରା କରିଥିବାରୁ ଏହି ତିଥିକୁ ‘ବିଜୟା ଦଶମୀ’ କୁହାଯାଏ। ପୁଣି ଏହି ଦିବସର ଅବ୍ୟବହିତ ପୂର୍ବରୁ ସିଂହବାହିନୀ ଆଦ୍ୟା ଶକ୍ତି ଦୁର୍ଗା ଦୁର୍ଦ୍ଦମନୀୟ ମହିଷାସୁରକୁ ବଧ କରି ଦେବତାମାନଙ୍କର ମଙ୍ଗଳ ବିଧାନ କରିଥିଲେ।
ଦେବୀଙ୍କ ସହ ଦାନବମାନଙ୍କର ଯୁଦ୍ଧ କନ୍ୟାମାସ ବା ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ଧରି ଚାଲିଥିଲା । ଶୁକ୍ଳ ଅଷ୍ଟମୀ ଓ ନବମୀ ତିଥିରେ ମହାମାରୁ ହୋଇଥିଲା। ମହିଷାସୁର ସମେତ ସମସ୍ତ ଅସୁର ବଂଶ ନିପାତ ହେଲେ। ମହାମାରୁ ନବମୀ ରାତିର ଅନ୍ଧକାର ସହ ତ୍ରୈଲୋକ୍ୟରୁ ଅମଙ୍ଗଳର ଛାୟା ଅପସରି ଗଲା, ଶୁକ୍ଳ ଦଶମୀରେ ସବୁପ୍ରକାର ଶୁଭକାର୍ଯ୍ୟର ଆରମ୍ଭ ହେଲା। ଏହିଦିନ ଜଗତର ଦୁଃଖ ହରଣ ହୋଇଥିବାରୁ ଏହା ‘ଦୁଃଖହା ଦଶମୀ’ ନାମରେ ଖ୍ୟାତି ଲାଭ କରିଅଛି ବୋଲି ଆଦିକବି ଶୂଦ୍ରମୁନି ସାରଳା ଦାସ ‘ଚଣ୍ଡୀପୁରାଣ’ରେ ଲେଖିଛନ୍ତି। ‘ଦୁଃଖହା ଦଶମୀ’ ଦିନ ମହାଦଶାରୁ ଉଦ୍ଧାର ପାଇ ଦେବତାମାନେ ମହାଶକ୍ତି ବ୍ରହ୍ମମୟୀ ଦୁର୍ଗତିନାଶିନୀ ଦୁର୍ଗାଙ୍କୁ ସ୍ତୁତି କରିଥିବାରୁ ଏହି ତିଥିରେ ଦୁର୍ଗାଙ୍କର ଆରାଧନା କରାଯାଏ।
ଦେବୀ ମାହାତ୍ମ୍ୟ’ ମତେ ଦେବୀପୀଠଗୁଡ଼ିକରେ ଆଶ୍ୱିନ ମାସ କୃଷ୍ଣପକ୍ଷ ଅଷ୍ଟମୀଠାରୁ ଶୁକ୍ଳପକ୍ଷ ନବମୀ ପର୍ଯ୍ୟନ୍ତ ଷୋଳଦିନ ବ୍ୟାପୀ ପୂଜା ଅନୁଷ୍ଠିତ ହୁଏ। ଏହାକୁ ଷୋଳପୂଜା କୁହାଯାଏ। ଶୁକ୍ଳପକ୍ଷ ସପ୍ତମୀ ଦିନ ମୃଣ୍ମୟୀ ପ୍ରତିମା ଓ ଘଟ ସ୍ଥାପିତ ହୁଏ। ଅଷ୍ଟମୀଦିନ ମହାଷ୍ଟମୀ ପୂଜା ଓ ବଳିଦାନ କରାଯାଏ । ‘ବଳି’ ଶବ୍ଦର ଅର୍ଥ ହେଉଛି ଉପହାର। ଜଗତଜନନୀଙ୍କୁ ସନ୍ତୁଷ୍ଟ କରିବା ପାଇଁ କିଛି ଉପହାର ଦେବାକୁ ପଡେ। ତେଣୁ ଦେବୀପୂଜାରେ ବଳିଦାନର ବ୍ୟବସ୍ଥା ରହିଛି । ଦେବୀ ପୁରାଣରେ କୁହାଯାଇଛି ଯେ ଏହା ଏକ ମହାନ, ପବିତ୍ର ବ୍ରତ ଏବଂ ଏହି ବ୍ରତ ପାଳନ କଲେ ସିଦ୍ଧି ଲାଭ ହୁଏ ଓ ଶତ୍ରୁମାନେ ପରାଜିତ ହୁଅନ୍ତି। କୁରୁକ୍ଷେତ୍ର ଯୁଦ୍ଧ ଆରମ୍ଭର ପୂର୍ବରୁ ଶ୍ରୀକୃଷ୍ଣ ପାଣ୍ଡବମାନଙ୍କୁ ବନଦୁର୍ଗାଙ୍କର ଆରାଧନା କରିବା ପାଇଁ ଉପଦେଶ ଦେଇଥିଲେ। ଦଶହରା ପର୍ବରେ ଦେବୀଙ୍କ ଶକ୍ତିର ପ୍ରତିଷ୍ଠା ପାଇଁ ଖଡ୍ଗ ପୂଜା କରାଯାଏ। ଦଶହରା ଦିନ ଗୁରୁବାର ପଡ଼ିଲେ ଗୃହିଣୀମାନେ ପରିବାରର ମଙ୍ଗଳ ଲାଗି ସୁଦଶାବ୍ରତ ପାଳନ କରି ଗୃହଲକ୍ଷ୍ମୀଙ୍କ ପୂଜା କରନ୍ତି। ଭାଦ୍ରବ ମାସ ଶୁକ୍ଳ ଷଷ୍ଠୀଠାରୁ ଆରମ୍ଭ ହୋଇଥିବା ସୋମନାଥ ବ୍ରତର ଉଦ୍ ଯାପନ ପର୍ବ ମଧ୍ୟ ଦଶହରା ତିଥିରେ ପାଳିତ ହୁଏ। ପରମ ଈଶ୍ୱରୀ ଦେବୀ ଦୁର୍ଗା ବିଶ୍ୱର ସକଳ ବସ୍ତୁରେ ପରିବ୍ୟାପ୍ତ। ସେ ମହାବିଦ୍ୟା, ମହାମାୟା ମହାଯୋଗେଶ୍ୱରୀ। ତାଙ୍କର ‘କ୍ଷର’ ବା ଶେଷ ନଥିବାରୁ ସେ ‘ଅକ୍ଷରା’।
/filters:format(webp)/sambad/media/media_files/2025/09/29/durga-2025-09-29-16-02-28.jpg)
ଦୁର୍ଗମଛେଦିନୀ, ଦୁର୍ଗତିନାଶିନୀ, ଶକ୍ତି ସ୍ୱରୂପିଣୀ, ତ୍ରିଶୂଳଧାରିଣୀ, ବଳଦାୟିନୀ, ମହିଷମର୍ଦ୍ଦିନୀ, ଚଣ୍ଡମୁଣ୍ଡ ବିନାଶିନୀ ମା’ ଦୁର୍ଗା ହେଉଛନ୍ତି ସମସ୍ତ ଶକ୍ତିର ଅଧିଷ୍ଠାତ୍ରୀ ଦେବୀ। ମା’ ଦୁର୍ଗା ହେଉଛନ୍ତି ମୋକ୍ଷଦାତ୍ରୀ, ମଙ୍ଗଳମୟୀ। ମା’ ଦୁର୍ଗାଙ୍କୁ ଉପାସନା କଲେ ମଣିଷ ଧର୍ମ – ଅର୍ଥ – କାମ – ମୋକ୍ଷ ଚତୁର୍ବର୍ଗର ଫଳପ୍ରାପ୍ତି କରିଥାଏ। ଦୁର୍ଗାସାଧନାର ପ୍ରାପ୍ତିଫଳ ଅସୀମ ଏବଂ ଅନନ୍ତ।
ଦେବୀ ଭାଗବତର ମତେ, ରାବଣର ନିଧନ ପାଇଁ ବ୍ରହ୍ମାଙ୍କ ପରାମର୍ଶ ମତେ ଶ୍ରୀରାମ ବସନ୍ତ କାଳରେ ଦେବୀପୂଜା କରିବାକୁ ଚାହିଁଲେ। କାରଣ, ଶରତକାଳ ଅକାଳ, ଆଷାଢ଼ ଶୁକ୍ଳ ଏକାଦଶୀ ହରିଶୟନ ଏକାଦଶୀଠାରୁ ହେମନ୍ତ ଶୁକ୍ଳ ଏକାଦଶୀ ପର୍ଯ୍ୟନ୍ତ ଦେବତାମାନେ ନିଦ୍ରା ଯାଆନ୍ତି। ବ୍ରହ୍ମାଙ୍କ ନିର୍ଦ୍ଦେଶ ମତେ ଶ୍ରୀରାମଚନ୍ଦ୍ର କନ୍ୟାରାଶିର ଶୁକ୍ଳପକ୍ଷ ଷଷ୍ଠୀ ତିଥିରେ ଦେବୀଙ୍କ ଅକାଳ ବୋଧନ ନିମନ୍ତେ ପୂଜାର ଆୟୋଜନ କରିଥିଲେ। ଶ୍ରୀରାମ ଧ୍ୟାନ ବଳରେ, ଦେବୀ କୁମାରୀ ରୂପରେ ବିଲ୍ୱବୃକ୍ଷ ଶାଖାରେ ଶାୟିତ ଥିବା ଜାଣିପାରି, ସକାଳେ କଳ୍ପାରମ୍ଭ ଓ ସନ୍ଧ୍ୟାବେଳେ ବିଲ୍ୱବୃକ୍ଷମୂଳେ ଆରମ୍ଭ କଲେ ଦେବୀଙ୍କ୍ ବୋଧନ। ଏହାପରେ ସପ୍ତମୀ ତିଥିରେ ଦେବୀଙ୍କୁ ଷୋଡ଼ଶ ଉପଚାରରେ ପୂଜା କଲେ।
ସେତେବେଳେ ମଧ୍ୟ ଦେବୀ ସୁପ୍ତ ଅବସ୍ଥାରେ ଥିବାରୁ ଅଷ୍ଟମୀ ତିଥିରେ ଯୋଗିନୀଗଣଙ୍କୁ ଆହ୍ୱାନ କରି ଦେବୀଙ୍କୁ ପୁଣି ପୂଜା କଲେ। ଆଗତ ଯୋଗିନୀଗଣଙ୍କ କୋଳାହଳରେ ଦେବୀ କେବଳ କଡ଼ ଲେଉଟାଇ ପୁଣି ଶୋଇଲେ। ଏହା ପରେ ଅଷ୍ଟମୀର ଶେଷ ଓ ନବମୀର ଆରମ୍ଭ ବା ସନ୍ଧିକ୍ଷଣ ସମୟରେ ଶ୍ରୀରାମଚନ୍ଦ୍ର କଲେ ସନ୍ଧିପୂଜା। ଅଷ୍ଟମୀର ଚବିଶ ମିନଟ ଓ ନବମୀର ଚବିଶ ମିନଟ, ଏହିପରି ମୋଟ ଅଠଚାଳିଶ ମିନଟ ଧରି ଦେବୀ ଚାମୁଣ୍ଡାଙ୍କର ଏହି ବିଶେଷ ସନ୍ଧିପୂଜା କରିଥିଲେ। ଶ୍ରୀରାମ ଚାମୁଣ୍ଡାଙ୍କୁ ଆବାହନ କରି ଦେବୀ ଦୁର୍ଗାଙ୍କୁ ଉଠାଇବା ପାଇଁ ନିବେଦନ କଲେ। ଚାମୁଣ୍ଡାଙ୍କ ସହଯୋଗ ଫଳରେ ନବମୀ ତିଥିରେ ଦେବୀ ଦୁର୍ଗା ଜାଗ୍ରତ ହେଲେ। ଏତିକିବେଳେ ସେ ଦେବୀଙ୍କୁ କୁମାରୀ ରୂପରେ ଦର୍ଶନ କରି ଯୋଗିନୀମାନଙ୍କ ସହିତ ବିଶେଷ ପୂଜା କରି ଏକାସାଙ୍ଗେ ଶହେଆଠ ନୀଳପଦ୍ମ ଅର୍ପଣ କରିଥିଲେ। ସେହି ଦିନଠାରୁ କୁମାରୀ ରୂପୀ ଦେବୀଙ୍କର ପୂଜାର ଆରମ୍ଭ ହୋଇଥିଲା।
/filters:format(webp)/sambad/media/media_files/2025/10/01/ngp-durgapuja-district-police-2025-10-01-16-59-19.jpg)
ଶରତକାଳୀନ ଦୁର୍ଗା ହେଉ ଅଥବା ବାସନ୍ତି ଦୁର୍ଗାପୂଜା, ଏଥିରେ ମୂର୍ତ୍ତି ସ୍ଥାପନ କରାଯାଇ ଜୀବନ୍ୟାସ କର୍ମ ସହ ପୂଜା ନିୟମ ପ୍ରଣୟନ ହେଉଥିଲେ ମଧ୍ୟ ଘଟସ୍ଥାପନ ଜନିତ ପୂଜା ଆବହମାନ କାଳରୁ ପ୍ରଚଳିତ। ବିଭିନ୍ନ ଭାବରେ ମୂର୍ତ୍ତିପୂଜାର ଆଦର ବଢିଥିଲେ ମଧ୍ୟ ମୂଳ ତତ୍ତ୍ୱକୁ ବାଦ ଦେବା ସମ୍ଭବ ହୋଇନାହିଁ। ବାସନ୍ତୀ ଦୁର୍ଗାପୂଜା ବିଶେଷ ଭାବେ ପାଳିତ ହୋଇ ନ ଥାଏ। ଅନ୍ୟପକ୍ଷରେ ଶରତକାଳୀନ ଦୁର୍ଗାପୂଜା ଏବେ ସାର୍ବଜନୀନ ପୂଜାର ସ୍ୱୀକୃତି ପାଇଛି, କିନ୍ତୁ ଉଭୟ ପୂଜା ଏବଂ ତା’ର ବିଧାନ ପ୍ରାୟତଃ ସମାନ। ଶରତକାଳୀନ ପୂଜା ଏବଂ ବାସନ୍ତୀପୂଜା ବ୍ୟତୀତ ଦକ୍ଷିଣ ଓଡ଼ିଶାରେ ଅନ୍ୟ ଦିନରେ ମା’ଙ୍କର ସ୍ୱପ୍ନାଦେଶ ଅଥବା ଆଜ୍ଞାମାଳ ପରିପ୍ରେକ୍ଷୀରେ ବିଧିବ୍ୟବସ୍ଥା ଅନୁଯାୟୀ ମଧ୍ୟ ମା’ଙ୍କର ପୂଜା ଅର୍ଚ୍ଚନା କରାଯାଏ। ଏଠାରେ ମଧ୍ୟ ଘଟ ସ୍ଥାପନ ଏବଂ ଘଟପୂଜା ଦେଖିବାକୁ ମିଳେ। ଏପରିକି ଘଟକୁ ମୁଣ୍ଡରେ ଧରି ପରିକ୍ରମା କରାଯିବାର ବିଧି ରହିଛି।
ପୂଜା ପଞ୍ଚଭୂତ ଉପରେ ଆଧାରିତ
ସନାତନ ସଂସ୍କୃତି ଅନୁଯାୟୀ ବିଭିନ୍ନ ପୂଜା ପଞ୍ଚଭୂତ ଉପରେ ଆଧାରିତ। ତାହା ହେଉଛି କ୍ଷିତ୍, ଅପ୍, ତେଜ, ମରୁତ୍ ଏବଂ ବ୍ୟୋମ୍। ମନୁଷ୍ୟ ପ୍ରଥମେ ମାଟିକୁ ପୂଜାକଲା। କାରଣ ଏହି ମାଟି ତାକୁ ରହିବା ପାଇଁ ଆଶ୍ରୟ ଦେଲା ଏବଂ ସେହିମାଟିରୁ ଉତ୍ପାଦିତ ଶସ୍ୟ ଖାଇ ସେ ବଞ୍ଚିଲା। ସେହିପରି ଜଳ ବା ଅପ୍କୁ ଜୀବନ ବୋଲି କହିଲା। ସେ ଜାଣିଥିଲା ଜଳ ବିନା ଜୀବନ ଅସମ୍ଭବ। ତେଣୁ ଭିନ୍ନ ଭିନ୍ନ ଜଳାଶୟ ବା ନଦୀକୂଳରେ ଗଢିଉଠିଲା ଜନବସତି। ପରବର୍ତ୍ତୀ ସମୟରେ କେତେକ ନଦୀ ତୀର୍ଥକ୍ଷେତ୍ର ରୂପେ ପରିଗଣିତ ହେଲେ। ତେଜର ମୂର୍ତ୍ତିମନ୍ତ ରୂପ ସୂର୍ଯ୍ୟଙ୍କୁ ଈଶ୍ୱର ଭାବେ ଗ୍ରହଣ କଲା। ଏହାପରେ ପବନ ବା ମରୁତ ଏବଂ ଆକାଶ ବା ବ୍ୟୋମ୍କୁ ମଧ୍ୟ ନିଜର ପୂଜ୍ୟରେ ସ୍ୱୀକୃତି ଦେଲା। ସମୟର ଧାରାରେ ଏହି ପଞ୍ଚଭୂତ ଯାହା ସହ ସମ୍ପର୍କିତ ସେମାନଙ୍କୁ ମଧ୍ୟ ଈଶ୍ୱରୀୟ ସତ୍ତାର ଅଂଶ ବା ଈଶ୍ୱର ଭାବେ ଗ୍ରହଣ କଲା। ଫଳରେ ବୃକ୍ଷକୁ ବୃକ୍ଷଦେବତା ଏବଂ ଶିଳା, ଧାତୁ ଆଦିକୁ ପୂଜା କରିବା ଆରମ୍ଭ କଲା। ଏହି ମହାପଞ୍ଚଭୂତମନଙ୍କ ଧର୍ମଗତ ସ୍ୱଭାବ ହେଲା ଶବ୍ଦ, ସ୍ପର୍ଶ, ରୂପ, ରସ ଏବଂ ଗନ୍ଧ। ପୁନଃ ସେଗୁଡ଼ିକୁ ପଞ୍ଚଇନ୍ଦ୍ରୀୟ ଅର୍ଥାତ୍ କର୍ଣ୍ଣ, ଚର୍ମ, ଚକ୍ଷୁ, ଜିହ୍ୱା ଓ ନାସାଦ୍ୱାରା ଗୃହିତ କରିଥିଲା।
ଘଟ ଜଳରେ ଗଙ୍ଗା, ଯମୁନା, ଗୋଦାବରୀ, ସରସ୍ୱତୀ, ନର୍ମଦା, ସିନ୍ଧୁ ଏବଂ କାବେରୀର ପବିତ୍ର ଭାବଧାରାକୁ ସମ୍ମିଶ୍ରଣ କରାଯାଇଥାଏ। ଗୋଟିଏ ଘଟ ମଧ୍ୟରେ ଅର୍ଥାତ ବିନ୍ଦୁ ମଧ୍ୟରେ ସିନ୍ଧୁର ପରିକଳ୍ପନା ହୋଇଥାଏ। ସେହିପରି ବିଘ୍ନ ବିନାଶକ ଗଣନାୟକ, ଜଳର ଦେବତା ବରୁଣ, ଇନ୍ଦ୍ର ଏବଂ ଦଶଦିଗପାଳ, ସୂର୍ଯ୍ୟଙ୍କ ସହ ନବଗ୍ରହ ଏବଂ ଗ୍ରାମଦେବତୀଙ୍କୁ ଆବାହନ କରି ଘଟରେ ସ୍ଥାପନା କରାଯାଇ ପୂଜା କରାଯାଏ। ଅନ୍ୟ ପକ୍ଷରେ ଘଟ ମୁଖରେ ଶିବ, କଣ୍ଠରେ ବିଷ୍ଣୁ, ତଳ ଭାଗରେ ବ୍ରହ୍ମା, ମଧ୍ୟଭାଗରେ ଅଷ୍ଟାଦଶ ମାତୃଗଣ, କୁକ୍ଷୀରେ ସପ୍ତସାଗର, ସପ୍ତଦ୍ୱୀପ ପୃଥିବୀ ଏବଂ ଉଦରରେ ସମସ୍ତ ତୀର୍ଥକୁ ସ୍ମରଣ କରି ପୂଜା କରାଯାଇଥାଏ।
'Harvest Moon': ଚର୍ଚ୍ଚାରେ ଆଜି ରାତିର ‘ହାର୍ଭେଷ୍ଟ ମୁନ୍’
ମାତା ଦୁର୍ଗାଙ୍କ ଶରଣାଗତ ହୋଇ ତାଙ୍କୁ ମା’ ଜ୍ୟୋତିର୍ଗମୟ ଭାବେ ଉପାସନା କଲେ ଜୀବନର ସକଳ ବାଧାବିଘ୍ନ ଦୂର ହୋଇଥାଏ। ଏହା ହେଉଛି ଏକ ଅତ୍ୟନ୍ତ ପବିତ୍ର ବୈଦିକ ପ୍ରାର୍ଥନା। ଏହା ବୃହଦାରଣ୍ୟକ ଉପନିଷଦରୁ ନିଆଯାଇଛି।
ଅସତୋ ମା ସଦ୍ଗମୟ ।
ତମସୋ ମା ଜ୍ୟୋତିର୍ଗମୟ ।
ମୃତ୍ୟୋର୍ମା ଅମୃତଂ ଗମୟ ।
ଓଁ ଶାନ୍ତିଃ ଶାନ୍ତିଃ ଶାନ୍ତିଃ ॥
ଅସତୋ ମା ସଦ୍ଗମୟ ଅର୍ଥାତ୍ ମତେ ଅସତ୍ୟ ଅଜ୍ଞାନ ପଥରୁ ସତ୍ୟର ଜ୍ଞାନର ଆଲୋକ ଆଡ଼କୁ ନେଇଯାଅ।ତମସୋ ମା ଜ୍ୟୋତିର୍ଗମୟ ଅର୍ଥାତ୍ ମତେ ଅନ୍ଧକାରରୁ ଜ୍ୟୋତି ବା ଆଲୋକ ଆଡ଼କୁ ନେଇଯାଅ। ମୃତ୍ୟୋର୍ମା ଅମୃତଂ ଗମୟ ଅର୍ଥାତ୍ ମତେ ମୃତ୍ୟୁରୁ ଅମରତ୍ୱ ଆଡ଼କୁ ବା ମୋକ୍ଷ ଆଡ଼କୁ ନେଇଯାଅ। ଏହି ମନ୍ତ୍ର ମାଧ୍ୟମରେ ମନୁଷ୍ୟ ନିଜ ଜୀବନରୁ ଅଜ୍ଞାନରୂପକ ଅନ୍ଧକାରକୁ ଦୂର କରି ଜ୍ଞାନରୂପକ ଆଲୋକ ପ୍ରାପ୍ତି ପାଇଁ ମାତା ଶ୍ରୀଦୁର୍ଗାଙ୍କ ନିକଟରେ ପ୍ରାର୍ଥନା କରିବା ଆବଶ୍ୟକ।

1 day ago
1

