ARTICLE AD BOX
ବାଲିକୁଦା(ପ୍ରଣବ ପ୍ରଧାନ): ବାଇକ୍ରୁ ପଡ଼ି ମୁଣ୍ଡରେ ଗୁରୁତର ଆଘାତ ପାଇ କଟକ ବଡ଼ ମେଡିକାଲରେ ଚିକିତ୍ସାଧୀନ ଥିବା ଜଣେ ଯୁବକଙ୍କ ଆଜି ମୃତ୍ୟୁ ଘଟିଛି। ମୃତକ ହେଲେ ବାଲିକୁଦା ଥାନା ଅନ୍ତର୍ଗତ ଅପଣ୍ଡରା ପଞ୍ଚାୟତ କୂଳସାହି ଗ୍ରାମର ପୁରସ୍ତମ ମହାନ୍ତିଙ୍କ ମଝିଆ ପୁଅ ପ୍ରସନ୍ନ କୁମାର ମହାନ୍ତି (୨୮), ଓରଫ ଗୁନୁ।
ସୂଚନା ଅନୁଯାୟୀ, ଦୁଇଦିନ ତଳେ ଗୁନୁ ଅପଣ୍ଡରା ବଜାରରୁ ବାଇକ୍ ଯୋଗେ ଘରକୁ ଫେରୁଥିବା ବେଳେ ହଠାତ୍ ତାଙ୍କର ମୁଣ୍ଡ ବୁଲାଇଥିଲା। ଫଳରେ ସେ ବାଇକ୍ରୁ କଚାଡ଼ି ହୋଇ ତଳେ ପଡ଼ିଯାଇଥିଲେ। ଏଥିରେ ତାଙ୍କ ପଛ ମୁଣ୍ଡରେ ଗଭୀର ଆଘାତ ଲାଗି ପ୍ରବଳ ରକ୍ତସ୍ରାବ ହୋଇଥିଲା। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଜଗତସିଂହପୁର ମେଡିକାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ପ୍ରାଥମିକ ଚିକିତ୍ସା କରିବା ସହ ରିପୋର୍ଟ ଭଲ ଥିବା କହିଥିଲେ। ତେବେ ନ୍ୟୁରୋଲୋଜି ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ଡାକ୍ତର କହିଥିଲେ।
ଏହାପରେ ପରିବାର ଲୋକେ ଗୁନୁଙ୍କୁ କଟକ ବଡ଼ ମେଡିକାଲକୁ ନେଇଥିଲେ। ସେଠାରେ ଚିକିତ୍ସା ଆରମ୍ଭ ହେବା ପରେ ସେ ହଠାତ୍ ବେହୋସ ହୋଇଯାଇଥିଲେ। ତାଙ୍କୁ ଆଇସିୟୁରେ ରଖି ଚିକିତ୍ସାକରାଯାଉଥିଲା। ଡାକ୍ତରମାନେ ୭୨ ଘଣ୍ଟା ନିରୀକ୍ଷଣରେ ରଖିବା ପରେ ଆବଶ୍ୟକ ହେଲେ ଅସ୍ତ୍ରୋପଚାର କରାଯିବ ବୋଲି ପରିବାରକୁ ପରାମର୍ଶ ଦେଇଥିଲେ। ହେଲେ ଦୁଇଦିନ ଚିକିତ୍ସାଧୀନ ରହିବା ପରେ ଆଜି ପ୍ରାୟ ମଧ୍ୟାହ୍ନ ୧୨ଟା ସମୟରେ ଡାକ୍ତର ଗୁନୁଙ୍କୁ ମୃତ ଘୋଷଣା କରିଥିଲେ।
ଗୁନୁ ଜଣେ ଉତ୍ତମ ଓ ସୁଶୀଳ ଯୁବକ ଭାବେ ଗ୍ରାମ ତଥା ଅଞ୍ଚଳରେ ପରିଚିତ ଥିଲେ। ତାଙ୍କର ଉତ୍ତମ ବ୍ୟବହାର ଓ ମିଳାମିଶା ସ୍ୱଭାବ ପାଇଁ ସେ ଗ୍ରାମ ଓ ଅଞ୍ଚଳବାସୀଙ୍କ ମଧ୍ୟରେ ବେଶ ପ୍ରଶଂସିତ ଥିଲେ।
ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ
ତାଙ୍କର ଅକାଳ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ କୂଳସାହି ଗ୍ରାମ ସମେତ ସମଗ୍ର ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ପରିବାର ଲୋକେ ଏକ ଯୁବକ ସଦସ୍ୟଙ୍କୁ ହରାଇ ଭାଙ୍ଗି ପଡ଼ିଥିବା ବେଳେ ଗ୍ରାମବାସୀ ଗୁନୁଙ୍କ ଅକାଳ ବିୟୋଗରେ ଗଭୀର ଶୋକ ପ୍ରକାଶ କରିଛନ୍ତି।

15 minutes ago
1


