Cyclone: ନଭେମ୍ବର ୨ରେ ଆନ୍ଧ୍ର ଉପକୂଳ ଅତିକ୍ରମ କରିପାରେ ବାତ୍ୟା; ଗଞ୍ଜାମରେ ପ୍ରବଳ ବର୍ଷା ସମ୍ଭାବନା

1 hour ago 1
ARTICLE AD BOX

ଭୁବନେଶ୍ବର: ବଙ୍ଗୋପସାଗରରେ ଆଉ ଏକ ବାତ୍ୟା ସୃଷ୍ଟି ହେବାର ଆଶଙ୍କା ଦେଖାଦେଇଛି। ଦକ୍ଷିଣପୂର୍ବ ବଙ୍ଗୋପସାଗର ଓ ସଂଲଗ୍ନ ଆଣ୍ଡାମାନ ସାଗରରେ ସୃଷ୍ଟି ହୋଇଥିବା ଇନଭେଷ୍ଟ ୯୧ବି ଅବପାତରେ ପରିଣତ ହୋଇଛି। ଏହା ଧୀରେ ଧୀରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରୁଛି। ଜଳବାୟୁ ବିଶେଷଜ୍ଞ ପ୍ରଫେସର ଏସ୍. ପଶୁପାଳକଙ୍କ ଅକ୍ଟୋବର ୩୧ ଅପରାହ୍ଣ ୩ଟାର ପାଣିପାଗ ଆକଳନ ଅନୁଯାୟୀ, ଏହାର କେନ୍ଦ୍ର ଶ୍ରୀବିଜୟପୁରମ୍‌ଠାରୁ ପ୍ରାୟ ୨୨୫ରୁ ୨୩୦ କିମି ଦକ୍ଷିଣ-ପଶ୍ଚିମରେ ରହିଛି। ବର୍ତ୍ତମାନ ଏହାର ପବନର ବେଗ ଘଣ୍ଟାପ୍ରତି ୪୫ରୁ ୫୫ କିମି ରହିଛି।

ପାଣିପାଗ ଆକଳନ ଅନୁଯାୟୀ, ନଭେମ୍ବର ୧ ତାରିଖରେ ଏହି ଅବପାତ ଗଭୀର ଅବପାତରେ ପରିଣତ ହୋଇପାରେ। ପରବର୍ତ୍ତୀ ସମୟରେ ଏହା ଅଧିକ ଶକ୍ତିଶାଳୀ ହୋଇ ବାତ୍ୟାର ରୂପ ନେବାର ସମ୍ଭାବନା ରହିଛି। ଜଏଣ୍ଟ ଟାଇଫୁନ୍ ୱାର୍ଣ୍ଣିଂ ସେଣ୍ଟର (ଜେଟିଡବ୍ଲ୍ୟୁସି)ର ଆକଳନ ଅନୁସାରେ, ନଭେମ୍ବର ୨ ତାରିଖ ସୁଦ୍ଧା ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ହୋଇପାରେ। ଏହା ନଭେମ୍ବର ୨ରୁ ୩ ତାରିଖ ମଧ୍ୟରେ ଆନ୍ଧ୍ରପ୍ରଦେଶ ଉପକୂଳ ନିକଟରେ ପହଞ୍ଚିପାରେ। ଏପରିକି ନିଜାମପଟନମ୍‌ ଓ ମଛଲିପଟନମ୍‌ ମଧ୍ୟବର୍ତ୍ତୀ ଅଞ୍ଚଳରେ ସ୍ଥଳଭାଗ ଅତିକ୍ରମ କରିବାର ଆଶଙ୍କା ରହିଛି।

ଅତିକ୍ରମ ସ୍ଥାନ ଏବେବି ଅସ୍ପଷ୍ଟ
ସ୍ଥଳଭାଗ ଅତିକ୍ରମ ସମୟକୁ ନେଇ ମଧ୍ୟ ଆକଳନ କରାଯାଇଛି। ନଭେମ୍ବର ୨ ତାରିଖ ବିଳମ୍ବିତ ରାତିରୁ ୩ ତାରିଖ ଭୋର୍‌ ପ୍ରାୟ ୨ଟାରୁ ସକାଳ ୫ଟା ମଧ୍ୟରେ ଏହା ଆନ୍ଧ୍ର ଉପକୂଳ ଛୁଇଁପାରେ। ଜେଟିଡବ୍ଲ୍ୟୁସି ଅନୁସାରେ, ସେହି ସମୟରେ ପବନର ବେଗ ଘଣ୍ଟାପ୍ରତି ୭୫ରୁ ୮୫ କିମି ଏବଂ ଝଟକା ପବନର ବେଗ ୯୫ରୁ ୧୦୦ କିମି ହୋଇପାରେ। ଅନ୍ୟପଟେ ଏପିଏସଡିଏମଏର ଇସିଏମଡବ୍ଲ୍ୟୁଏଫ୍ ମଡେଲ୍ ଅନୁଯାୟୀ, ପବନର ବେଗ ଘଣ୍ଟାପ୍ରତି ୯୮ କିମି ପର୍ଯ୍ୟନ୍ତ ବୃଦ୍ଧି ପାଇପାରେ। ତେବେ ବାତ୍ୟାର ନିର୍ଦ୍ଦିଷ୍ଟ ଗତିପଥ, ତୀବ୍ରତା ଓ ସ୍ଥଳଭାଗ ଅତିକ୍ରମ ସ୍ଥାନ ଏବେ ସ୍ପଷ୍ଟ ହୋଇନାହିଁ।

ବର୍ତ୍ତମାନ କମ୍ ରହିଛି ସମ୍ଭାବନା
ଏହି ସମ୍ଭାବ୍ୟ ବାତ୍ୟାର ପ୍ରଭାବ ଓଡ଼ିଶାରେ ମଧ୍ୟ ଅନୁଭୂତ ହୋଇପାରେ। ବିଶେଷକରି ଦକ୍ଷିଣ ଓଡ଼ିଶା ଉପକୂଳରେ ପବନର ବେଗ ବୃଦ୍ଧି ସହ ସମୁଦ୍ର ଅଶାନ୍ତ ହେବାର ଆଶଙ୍କା ରହିଛି। ଗୋପାଳପୁର, ଛତ୍ରପୁର ଓ ଆଖପାଖ ଅଞ୍ଚଳରେ ଘଡ଼ଘଡ଼ି ସହ ଝଟକା ପବନ ବହିପାରେ। ତେବେ ବାତ୍ୟାର ମୁଖ୍ୟ ଅଂଶରୁ ଓଡ଼ିଶାରେ କ୍ଷତିକାରକ ପବନ ବହିବାର ସମ୍ଭାବନା ବର୍ତ୍ତମାନ କମ୍ ଥିବା ଆକଳନ କରାଯାଇଛି।

ଗଞ୍ଜାମଜିଲ୍ଲା ପ୍ରତି ବିଶେଷ ଗୁରୁତ୍ୱ
ବର୍ଷାକୁ ନେଇ ଗଞ୍ଜାମ ଜିଲ୍ଲା ପ୍ରତି ବିଶେଷ ଗୁରୁତ୍ୱ ଦିଆଯାଇଛି। ନଭେମ୍ବର ୨ ଓ ୩ ତାରିଖରେ ଗଞ୍ଜାମର କେତେକ ସ୍ଥାନରେ ପ୍ରବଳ ବର୍ଷା ହୋଇପାରେ। ଗୋପାଳପୁର, ଛତ୍ରପୁର, ବ୍ରହ୍ମପୁର ଓ ଚିକିଟି ଅଞ୍ଚଳରେ ବର୍ଷାର ପ୍ରଭାବ ଅଧିକ ରହିପାରେ। ଏହାବ୍ୟତୀତ ବର୍ଷାମେଘ ଭିତର ଅଞ୍ଚଳକୁ ବ୍ୟାପିଲେ ଆସିକା, ହିଞ୍ଜିଳିକାଟୁ ଓ ଭଞ୍ଜନଗରରେ ମଧ୍ୟ ବର୍ଷା ହୋଇପାରେ। ସେହିପରି ଜଳୀୟବାଷ୍ପପୂର୍ଣ୍ଣ ପବନ ପୂର୍ବଘାଟ ପର୍ବତମାଳାରେ ବାଧା ପାଇବା ଯୋଗୁଁ ଗଜପତି ଜିଲ୍ଲାର କେତେକ ପାହାଡ଼ିଆ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି।

ରନ୍ଧା ଖାଦ୍ୟ ବଣ୍ଟନ ତଦାରଖ କଲେ ଜିଲ୍ଲାପାଳ

ସମ୍ଭାବ୍ୟ ବର୍ଷାକୁ ଦୃଷ୍ଟିରେ ରଖି ଚାଷୀମାନଙ୍କୁ ମଧ୍ୟ ସତର୍କ ରହିବାକୁ ପରାମର୍ଶ ଦିଆଯାଇଛି। ଗଞ୍ଜାମର ତଳିଆ ଧାନ ଓ ପନିପରିବା କ୍ଷେତରୁ ବଳକା ପାଣି ନିଷ୍କାସନ ପାଇଁ ନାଳ ସଫା ରଖିବା ସହ ଅମଳ ହୋଇଥିବା ଧାନକୁ ସୁରକ୍ଷିତ ସ୍ଥାନରେ ରଖିବା ଆବଶ୍ୟକ। ବର୍ଷା ସମ୍ଭାବନା ଥିବା ଅଞ୍ଚଳରେ ଅନାବଶ୍ୟକ ଜଳସେଚନ, ସାର ଓ କୀଟନାଶକ ପ୍ରୟୋଗରୁ ନିବୃତ୍ତ ରହିବାକୁ କୁହାଯାଇଛି। ତେବେ ଅବପାତର ଗତି ଓ ତୀବ୍ରତାରେ ପରିବର୍ତ୍ତନ ହୋଇପାରେ। ତେଣୁ ଚାଷୀ, ମତ୍ସ୍ୟଜୀବୀ ଓ ଉପକୂଳବାସୀ ସଦ୍ୟତମ ପାଣିପାଗ ସୂଚନା ଉପରେ ନଜର ରଖିବା ଜରୁରି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.