ARTICLE AD BOX
କଟକ: କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଅବସ୍ଥା ଓ ବିଭିନ୍ନ ସ୍ଥାନରେ ଜଳବନ୍ଦୀ ସମସ୍ୟାକୁ ନେଇ ହାଇକୋର୍ଟ କଟକ ପୌର ନିଗମ (କେଏମସି) ଓ ପୂର୍ତ୍ତ ବିଭାଗ ଉପରେ ବର୍ଷିଛନ୍ତି। ଜଷ୍ଟିସ କୃଷ୍ଣ ରାମ ମହାପାତ୍ର ଓ ଜଷ୍ଟିସ ଭି.ନରସିଂହଙ୍କୁ ନେଇ ଗଠିତ ଖଣ୍ଡପୀଠରେ କଟକ ଆର ଆଣ୍ଡ ବି ଡିଭିଜନ-୧ ଅଧୀକ୍ଷଣ ଯନ୍ତ୍ରୀ ମହମ୍ମଦ ଶାହାବାଜ ଓ କେଏମସି ସିଟି ଇଂଜିନିୟର ଅତନୁ ସାମନ୍ତ ଭର୍ଚୁଆଲ ବ୍ୟବସ୍ଥାରେ ହାଜର ହୋଇ ପକ୍ଷ ରଖିଥିଲେ। ଉଭୟ ଅଧିକାରୀଙ୍କ ଉତ୍ତରକୁ ନେଇ ହାଇକୋର୍ଟ ତୀବ୍ର ଅସନ୍ତୋଷପ୍ରକାଶ କରିଥିଲେ।
ବ୍ୟକ୍ତିଗତ ହାଜିରା ପାଇଁ ନିର୍ଦ୍ଦେଶ
କଟକ ସହରର ବିପର୍ଯ୍ୟସ୍ତ ରାସ୍ତାଘାଟ ଓ ଜଳବନ୍ଦୀ ସମସ୍ୟାକୁ ଦୃଷ୍ଟିରେ ରଖି ଅଗଷ୍ଟ ୨୯ ଦିନ ସାଢେ ଦଶଟାରେ ସ୍ବତନ୍ତ୍ର ଭାବେ ଖଣ୍ଡପୀଠ ବସି ଶୁଣାଣି କରିବେ ବୋଲି ଆଜି ନିର୍ଦ୍ଦେଶ ଦିଆଯାଇଛି। ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ, ପୂର୍ତ୍ତ ସଚିବ, ସର୍ବୋଚ୍ଚ ଯନ୍ତ୍ରୀ, କେଏମସି କମିସନର, ପୌର ପ୍ରଶାସନ ନିର୍ଦ୍ଦେଶକ ପରବର୍ତ୍ତୀ ଶୁଣାଣି ସମୟରେ ବ୍ୟକ୍ତିଗତ ଭାବେ ଉପସ୍ଥିତ ରହିବେ ବୋଲି ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି। ମାମଲାର ଶୁଣାଣି ସମୟରେ ଉପସ୍ଥାପନ କରାଯାଇଥିବା ଫେଟାଗ୍ରାଫ ଓ ଖବରକାଗଜ ରିପୋର୍ଟକୁ ରେକର୍ଡଭୁକ୍ତ କରିବାକୁ ହାଇକୋର୍ଟ କହିଛନ୍ତି। ୨ଲକ୍ଷ ଟଙ୍କା ବା ତା ଠାରୁ କମ ମୂଲ୍ୟର କେଏମସି ପକ୍ଷରୁ ହୋଇଥିବା କାର୍ଯ୍ୟର ଅନୁଧ୍ୟାନ ପାଇଁ ପରିଦର୍ଶନର ଉପାୟ/ପଦ୍ଧତି ଚୂଡାନ୍ତ କରିବା ପାଇଁ କେଏମସି ଓ ରାଜ୍ୟ ସରକାରଙ୍କ ତରଫରୁ ମାମଲା ପରିଚାଳନା କରୁଥିବା ଆଇନଜୀବୀଙ୍କ ସହିତ ଆଲୋଚନା କରାଯିବ ବୋଲି ହାଇକୋର୍ଟ ବାର ଆସୋସିଏସନ ସଭାପତି ଏଲ.ସାମନ୍ତରାୟ ଅବଗତ କରିଥିଲେ। ଅକ୍ଟୋବର ୧ରେ ଏହି ପ୍ରସଂଗରେ ଶୁଣାଣି ହେବ। କେଏମସି ୱାର୍ଡ ନମ୍ବର-୧ ଅନ୍ତର୍ଗତ ମା ଭୁଆଶୁଣି ମନ୍ଦିରକୁ ରାସ୍ତା ନିର୍ମାଣ ପ୍ରସଂଗରେ ଆଜି ଶୁଣାଣି ହୋଇଥିଲା। ମହାନଦୀ ଦକ୍ଷିଣ ଡିଭିଜନ-୧, ଆର ଆଣ୍ଡ ବି ଡିଭିଜନ-୧ ଓ କେଏମସିର ଅଧୀକ୍ଷଣ ଯନ୍ତ୍ରୀଙ୍କୁ ନେଇ ଏକ ଯୁଗ୍ମ ବୈଠକରେ ଏହି ପ୍ରସଂଗରେ ଆଲୋଚନା କରାଯିବ ବୋଲି ସରକାରଙ୍କ ତରଫରୁ ଅବଗତ କରାଯାଇଥିଲା।
ବିଚାରପତି ପରିଦର୍ଶନ କଲେ ବିଜୁ ପଟ୍ଟନାୟକ ପାର୍କ
କଟକ ସହରର ଟ୍ରାଫିକ୍ ଭିଡ଼ ଆଉ ଏକ ସାଧାରଣ ଅସୁବିଧା ହୋଇ ରହି ନାହିଁ, ବରଂ ଏହା ଏକ ସ୍ଥାୟୀ ମୁଣ୍ଡବିନ୍ଧାର କାରଣ ପାଲଟିଛି। ଅଗଷ୍ଟ ୧୩ର ନିର୍ଦ୍ଦେଶ ଅନୁସାରେ କମିଟି ସଂପୂର୍ଣ୍ଣ ଗଠନ ହୋଇ ନଥିବା ଶୁଣାଣି ବେଳେ ସ୍ପଷ୍ଟ ହୋଇଥିଲା। କମିଟି ଅଧ୍ୟକ୍ଷ ଡିସିପି ଭର୍ଚୁଆଲ ବ୍ୟବସ୍ଥାରେ ଉପସ୍ଥିତ ରହିବା ସହିତ ପ୍ରାଥମିକ ରିପୋର୍ଟ ଦାଖଲ କରିଥିଲେ। ଜିଲ୍ଲା ପ୍ରଶାସନର ଏଡିଏମ ପାହ୍ୟାର ଅଧିକାରୀ ଏହି କମିଟିରେ ରହିବେ ବୋଲି ପୂର୍ବରୁ ନିର୍ଦ୍ଦେଶ ରହିଥିବା ବେଳେ ଏ ପର୍ଯ୍ୟନ୍ତ ଏଡିଏମଙ୍କ ନାମ ଜିଲ୍ଲାପାଳ ମନୋନୀତ କରି ନଥିବା ଜଣା ପଡ଼ିଥିଲା। ସେପ୍ଟେମ୍ବର ୨୯ରେ ଜିଲ୍ଲାପାଳ ବ୍ୟକ୍ତିଗତ ଭାବେ ହାଜର ହୋଇ ଏହି ପ୍ରସଂଗରେ ପକ୍ଷ ରଖିବେ ବୋଲି ହାଇକୋର୍ଟ କହିଛନ୍ତି। କେଡିଏ ସେକ୍ଟର ୧୧ସ୍ଥିତ ବିଜୁ ପଟ୍ଟନାୟକର ବାସ୍ତବ ସ୍ଥିତି ଠିକ ନଥିବା ଶୁଣାଣି ବେଳେ ଦର୍ଶାଯାଇଥିଲା। ଏହି ପ୍ରସଂଗରେ କୌଣସି ନିର୍ଦ୍ଦେଶ ପ୍ରଦାନ ପୂର୍ବରୁ ଖଣ୍ଡପୀଠ ବିଜୁ ପଟ୍ଟନାୟକ ପାର୍କ ପରିଦର୍ଶନ କରାଯିବା ଉଚିତ ବୋଲି ମତ ଦେଇଥିଲେ। ଏହାପରେ ସଂଧ୍ୟାରେ ଜଷ୍ଟିସ କୃଷ୍ଣ ରାମ ମହାପାତ୍ର, ଜଷ୍ଟିସ ଭି.ନରସିଂହ ବ୍ୟକ୍ତିଗତ ଭାବେ ପାର୍କର ପରିଦର୍ଶନ କରିଥିଲେ। ଏହି ଅବସରରେ ବରିଷ୍ଠ ଏସଜିବିଏଲ ପକ୍ଷରୁ ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ଡି.ପି.ଧଳ, କେଡିଏର ପ୍ରତିନିଧିତ୍ବ କରୁଥିବା ବରିଷ୍ଠ ଆଇନଜୀବୀ ଦୟାନନ୍ଦ ମହାପାତ୍ର, ଏଜିଏ, ହାଇକୋର୍ଟ ବାର ସଭାପତି ଏଲ.ସାମନ୍ତରାୟ, ଆଇନଜୀବୀ ବିଭୁତି ଭୂଷଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।
Ration: ୱାନ୍ ନେସନ୍, ୱାନ୍ କାର୍ଡ ପ୍ରହସନ: ୨,୫୦୦ କାର୍ଡଧାରୀଙ୍କୁ ମିଳୁନି ଚାଉଳ

6 hours ago
3


