ARTICLE AD BOX
ଭୁବନେଶ୍ବର: କେତେବେଳେ ପତିଆରା ଜାହିର୍ କରିବାକୁ ଯାଇ ଗୋଷ୍ଠୀ ସଂଘର୍ଷ ହେଉଛି, ତ ଆଉ କେତେବେଳେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ମୁଣ୍ଡ ଗଡ଼ୁଛି। କିଛିଦିନ ହେଲା ଏହିଭଳି ଢଙ୍ଗରେ ଅପରାଧୀ ବେଫିକର୍ ହୋଇ ରାଜଧାନୀକୁ ଅଶାନ୍ତ କରୁଛନ୍ତି। ଛୋଟଛୋଟ କଥାକୁ ନେଇ ହଣାକଟାରୁ ରକ୍ତପାତ ହେଉଛି। ଗଳିକନ୍ଦିରେ ବୁଲୁଛି ଖଣ୍ଡା ଓ ଭୁଜାଲି। ଲୁଟ୍ତରାଜଠାରୁ ଆରମ୍ଭ କରି ନିଶା କାରବାର ପର୍ଯ୍ୟନ୍ତ ବିଭିନ୍ନ ଅପରାଧ ଉପରେ ପୁଲିସର ନିୟନ୍ତ୍ରଣ ନାହିଁ। ସତେ ଯେମିତି ରାଜ୍ୟର ସବୁଠାରୁ ଶକ୍ତ ଓ ସୁଦୃଢ଼ ପୁଲିସ ବ୍ୟବସ୍ଥା ଥିବା ରାଜଧାନୀର ଆଇନଶୃଙ୍ଖଳା ବ୍ୟବସ୍ଥା ପୁଲିସ ହାତରୁ ଖସି ଖସି ଯାଉଛି। ବଡ଼କଥା ହେଲା ପୁଲିସ କିଛିଟା ହାତ ଗଣତି ମାମଲାରେ ସଫଳତା ପାଉଥିଲା ବେଳେ ହତ୍ୟାକାଣ୍ଡ, ଡକାୟତି, ଚୋରି ଭଳି ବଡ଼ବଡ଼ ଘଟଣାରେ ଅଭିଯୁକ୍ତଙ୍କୁ ଧରିବାରେ ବିଫଳ ହେଉଛି। କେବଳ ଆପରାଧିକ ଦୃଷ୍ଟିକୋଣ ନୁହେଁ, ଦୁର୍ଘଟଣା ଘଟାଇ ଗାଡ଼ି ଫେରାର୍ ହେବା ସାଙ୍ଗକୁ ବିଭିନ୍ନ ନିଖୋଜ ଘଟଣାରେ ବି ପୁଲିସର ହାତ ଖାଲି ରହିଛି। କେବଳ ରିପୋର୍ଟ ଟିଏ ନଚେତ୍ ପୁରସ୍କାର ରାଶି ଘୋଷଣା କରି ପୁଲିସ ତଦନ୍ତକୁ ସୀମିତ ରଖିଛି। ସେହିଭଳି ଲୁଟ୍ପାଟ୍, ଡକାୟତି, ଚୋରି ଓ ହତ୍ୟାକାଣ୍ଡ ଭଳି ବଡ଼ବଡ଼ ଅପରାଧରେ ଅଭିଯୁକ୍ତଙ୍କୁ ଧରିବାରେ ସିଦ୍ଧ ହସ୍ତ କମିସନରେଟ୍ ପୁଲିସ ସ୍ପେସାଲ୍ ସ୍କ୍ବାଡ୍ ବି ନିରବ। ଗତ ଜୁଲାଇ ୨୪ ବିଳମ୍ବିତ ରାତିରେ ଘଟିଥିବା ଜଟଣୀ ହତ୍ୟାକାଣ୍ଡ କି ବିଲ୍ଡରଙ୍କ ଘରୁ ୨କୋଟି ଟଙ୍କା ସମ୍ପତି ଚୋରି ସବୁ କ୍ଷେତ୍ରରେ ଏହି ସ୍ବତନ୍ତ୍ର ଅପରାଧ ୟୁନିଟ୍ର ହାତ ଖାଲି ପଡ଼ିଛି।
Climate conference: ସୂର୍ଯ୍ୟକ୍ଷେତ୍ର ଫାଉଣ୍ଡେସନ ଦ୍ୱାରା ଦିଲ୍ଲୀରେ ଜଳବାୟୁ ସମ୍ମିଳନୀ ଆୟୋଜନ
ଦୁର୍ବଳ ତଦନ୍ତ ପାଇଁ ଅଭିଯୁକ୍ତ ଧରାପଡ଼ୁନାହାନ୍ତି
ସ୍ପେସାଲ୍ ସ୍କ୍ବାଡ୍ର ଦକ୍ଷତା ଉପରେ ପ୍ରଶ୍ନ
ଜଟଣୀ ହତ୍ୟାକାଣ୍ଡରେ ପୁଲିସ ହାତଖାଲି
ବିଲ୍ଡରଙ୍କ ଘରୁ ଚୋରି ଘଟଣାରେ ଚୋରଙ୍କ ସନ୍ଧାନ ମିଳୁନି
ହିଟ୍ ଆଣ୍ଡ୍ ରନ୍ ନିଖୋଜ ମାମଲାରେ ବି ପୁଲିସ ଫେଲ୍
ଜୁଲାଇ ୧୨: ଏକ ଘରୋଇ ମେଡିକାଲ କଲେଜର ୨ଜଣ ନର୍ସିଂ ଷ୍ଟାଫ୍ କଟକ ରସୁଲଗଡ଼ ଅଭିମୁଖେ ଯାଉଥିବା ବେଳେ ଏକ ଅଜଣା ଗାଡ଼ି ତାଙ୍କୁ ଧକ୍କା ଦେଇ ଚମ୍ପଟ୍ ମାରିଥିଲା। ଫଳରେ ଘଟଣାସ୍ଥଳରେ ପଶ୍ଚିମବଙ୍ଗର ସୌମ୍ୟରଂଜନ ମାନାଙ୍କ ମୃତ୍ୟୁ ଘଟିଥିଲା। ଏହି ମାମଲା ନୂଆପଲ୍ଲୀ ଥାନା ପୁଲିସ ଏକ ହିଟ୍ ଆଣ୍ଡ୍ ରନ୍ ମାମଲା ରୁଜୁ କରିଥିଲା। ସିସିଟିଭି ଯାଞ୍ଚ୍ ବେଳେ ଜଣାପଡ଼ିଥିଲା ଏକ ବସ୍ ଏହି ଦୁର୍ଘଟଣା ଘଟାଇ ଚମ୍ପଟ୍ ମାରିଛି। ମାତ୍ର କେଉଁଁ ବସ୍ ଏହା କରିଛି ଏବଂ ଚାଳକ କିଏ ସେ ବାବଦରେ ପୁଲିସ ପାଖରେ ଉତ୍ତର ନାହିଁ। ଜୁଲାଇ ୧୫: ଯାଁଳା ବଜାରରେ ଥିବା ଗହଣା ଦୋକାନ ମା’ ଜୁଏଲର୍ସରେ ପଶି କିଛି ଲୁଟେରା ଲକ୍ଷାଧିକ ଟଙ୍କାର ଗହଣା ଓ ଟଙ୍କା ଚୋରି କରିଥିଲେ। ଦୋକାନର ସିସିଟିଭି ଭାଙ୍ଗିବା ସହିତ ହାର୍ଡଡିସ୍କ୍ ନେଇ ଚମ୍ପଟ୍ ମାରିଥିଲେ। ପ୍ରାଥମିକ ତଦନ୍ତ କରି ପୁଲିସ ସୂଚନା ଦେଇଥିଲା ଯେ ଏକ କାର୍ରେ ଆସି କିଛି ଦୁର୍ବୃତ୍ତ ଏହି ଚୋରି କରିଛନ୍ତି। ଏହି ଘଟଣାରେ ଏ ପର୍ଯ୍ୟନ୍ତ ଅଭିଯୁକ୍ତ ଧରାପଡ଼ି ନଥିବା ବେଳେ ସପ୍ତାହେ ପରେ ଅର୍ଥାତ ୨୩ ଜୁଲାଇରେ ପୁଣି ଏକ ଗହଣା ଦୋକାନର ସଟର୍ କାଟି ଲକ୍ଷାଧିକ ଟଙ୍କାର ଗହଣା ଚୋରି ହୋଇଥିଲା। ଉଭୟ ଘଟଣାରେ ଏପର୍ଯ୍ୟନ୍ତ ପୁଲିସ ହାତ ଖାଲି ରହିଛି।
Horoscope 2026 August 10: ଜାଣନ୍ତୁ ଆଜିର ରାଶିଫଳ
ଜୁଲାଇ ୨୪: ଜଟଣୀ ଥାନା ଅନ୍ତର୍ଗତ ଉପରବସ୍ତ ଗାଁରେ ଏକ ହତ୍ୟାକାଣ୍ଡ ଘଟିଥିଲା। ବୃଦ୍ଧା ଶାନ୍ତିଲତା ପ୍ରଧାନ ଘରେ ଏକୁଟିଆ ଥିବା ବେଳେ ଅଜଣା ଦୁର୍ବୃତ୍ତ ଘରେ ପଶି ଅତି ନିର୍ମମ ଭାବେ ତାଙ୍କୁ ହାଣି ହତ୍ୟା କରିଥିଲେ। ତେବେ କେଉଁ କାରଣ ପାଇଁ ତାଙ୍କୁ ହତ୍ୟା କରାଗଲା ଏବଂ କିଏ ଏହି କାଣ୍ଡ ଭିଆଇଲା, ୨ ସପ୍ତାହ ପରେ ବି ପୁୁଲିସ ପାଖରେ ତା’ର ଉତ୍ତର ନାହିଁ। ଶାନ୍ତିଲତାଙ୍କ ସଂପର୍କୀୟ ନଚେତ୍ ଜଣାଶୁଣା ଲୋକ ହିଁ ହତ୍ୟା ପଛରେ ସଂଶ୍ଲିଷ୍ଟ ଅଛନ୍ତି ବୋଲି ପୁଲିସ ସନ୍ଦେହ କରି ୫୦ହଜାର ଟଙ୍କାର ପୁରସ୍କାର ରାଶି ମଧ୍ୟ ଘୋଷଣା କରିଥିଲା। ମାତ୍ର ଏବେ ସୁଦ୍ଧା କୌଣସି ସୁଫଳ ମିଳିନାହିଁ। ଜୁଲାଇ ୩୧: ଲକ୍ଷ୍ମୀସାଗର ଥାନା ଅନ୍ତର୍ଗତ ବୁଦ୍ଧନଗରରେ ବିଲ୍ଡର ପ୍ରୀତମ କୁମାର ଜେନାଙ୍କ ଘରୁ ପ୍ରାୟ ୨କୋଟି ଟଙ୍କାର ଅଳଙ୍କାର ଓ ନଗଦ ଟଙ୍କା ଚୋରି ହୋଇଥିଲା। ଘରେ କେହି ନଥିବା ବେଳେ ଏହି ଅଘଟଣ ଘଟିଥିଲା। ତେବେ ଏହା ଭୁବନେଶ୍ବର ୟୁପିଡିର ସବୁଠାରୁ ବଡ଼ଧରଣର ଚୋରି। ଏହି ଘଟଣାକୁ ପ୍ରାୟ ୧୦ଦିନ ପୂରିବାକୁ ବସିଥିବା ପୁଲିସ ଅଭିଯୁକ୍ତଙ୍କୁ ଚିହ୍ନଟ ବି କରିପାରିନାହିଁ।

5 days ago
4


