Crime: କନେଷ୍ଟବଳଙ୍କ ସ୍ବାମୀଙ୍କୁ ଗୁଳି କରି ମାରିଦେଲେ: ଟଙ୍କା ଭର୍ତ୍ତି ବ୍ୟାଗ, ଲାପଟପ ଲୁଟ

52 minutes ago 1
ARTICLE AD BOX

କେନ୍ଦୁଝର/ପାଟଣା: କେନ୍ଦୁଝର ଜିଲ୍ଲାରେ ପୁଣି ଆତଙ୍କ ଖେଳାଇଛନ୍ତି ଅପରାଧୀ। ଗତକାଲି ବିଳମ୍ବିତ ରାତିରେ ତୁରୁମୁଙ୍ଗା ଥାନା କେନ୍ଦେଇପଶି-ପାଟଣା ରାସ୍ତାର ଭୀମାପଡ଼ା ଜଙ୍ଗଲ ନିକଟରେ ପାଟଣା ବ୍ଲକ୍‌ କେନ୍ଦେଇପଶି ପଞ୍ଚାୟତ ଖଜିରାପଶି ଗ୍ରାମର ସାଧବ ମହାନ୍ତଙ୍କ ପୁଅ ତଥା ବ୍ୟବସାୟୀ ତ୍ରିଲୋଚନ ମହାନ୍ତ (୪୨)ଙ୍କୁ ଦୁର୍ବୃତ୍ତମାନେ ବିଚ୍‌ ରାସ୍ତାରେ ଅତି ନିକଟରୁ ଗୁଳି ମାରିବା ସହ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଛନ୍ତି। ଦୁର୍ବୃତ୍ତମାନେ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ ଓ ଲାପଟପ ଲୁଟି ନେଇଛନ୍ତି। ଲୁଟେରାଙ୍କ ଏଭଳି ନୃଶଂସ କାଣ୍ଡ ସମଗ୍ର ଜିଲ୍ଲାରେ ଆତଙ୍କ ଖେଳାଇଦେଇଛି। ମୃତ ତ୍ରିଲୋଚନଙ୍କ ପତ୍ନୀ ତୁଳସୀ ମହାନ୍ତ ପାଟଣା ଥାନାରେ କନେଷ୍ଟବଳ ଅଛନ୍ତି।

ତ୍ରିଲୋଚନଙ୍କର କେନ୍ଦେଇପଶି ବଜାରରେ ଏକ ଜନସେବା କେନ୍ଦ୍ର ଅଛି। ସୋମବାର ରାତିରେ ସେ ଜନସେବା କେନ୍ଦ୍ର ବନ୍ଦ କରି ଏକ ସ୍କୁଟିରେ ପାଟଣା ଥାନା ପରିସରରେ ଥିବା ତାଙ୍କ ପତ୍ନୀଙ୍କ କ୍ବାର୍ଟର୍ସକୁ ଫେରୁଥିଲେ। ଭୀମାପଡ଼ା ଜଙ୍ଗଲ ନିକଟରେ ହଠାତ ଦୁର୍ବୃତ୍ତମାନେ ତାଙ୍କ ସ୍କୁଟି ଅଟକାଇଥିଲେ। ଟଙ୍କା ବ୍ୟାଗ ଛଡ଼ାଇବାକୁ ନେଇ ଦୁର୍ବୃତ୍ତଙ୍କ ସହିତ ଧସ୍ତାଧସ୍ତି ହୋଇଥିଲା। ତ୍ରିଲୋଚନ ପ୍ରବଳ ବିରୋଧ କରିବାରୁ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ପ୍ରାୟ ୫ ରାଉଣ୍ଡ ଗୁଳି ଚଳାଇଥିଲେ। ଗୁଳି ତାଙ୍କ ଛାତିରେ ବାଜିଥିବାବେଳେ ବାମହାତ ଓ ଅଣ୍ଟାକୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରାଯାଇଥିବା ଜଣାପଡ଼ିଛି। ତ୍ରିଲୋଚନଙ୍କୁ ଲହୁଲୁହାଣ କରି ଦୁର୍ବୃତ୍ତମାନେ ତାଙ୍କଠାରୁ ଟଙ୍କା ବ୍ୟାଗ ଓ ଲାପଟପ ଛଡ଼ାଇ ନେଇ ଫେରାର ହୋଇ ଯାଇଥିଲେ। ବ୍ୟାଗରେ ୨ ଲକ୍ଷରୁ ଅଧିକ ଟଙ୍କା ଥିବା କୁହାଯାଉଛି। ଖବର ପାଇ ପାଟଣା ଥାନା ଅଧିକାରୀ କିରଣ ପ୍ରସାଦ ସାହୁ ଓ ପୁଲିସ ଟିମ୍‌ ଜଙ୍ଗଲରୁ ତ୍ରିଲୋଚନଙ୍କୁ ଉଦ୍ଧାର କରି କେନ୍ଦୁଝର ଧରଣୀଧର ମେଡିକାଲ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

dgaddd

ଘଟଣାସ୍ଥଳରେ କେନ୍ଦୁଝର ଏସ୍‌ପି ନୀତିନ କୁଶଲକର ଦାଗୁଡ଼, ଅତିରିକ୍ତ ଏସ୍‌ପି ପ୍ରତ୍ୟୁଷ ମହାପାତ୍ର, ଚମ୍ପୁଆ ଏସ୍‌ଡିପିଓ ରଶ୍ମିରଞ୍ଜନ ସାହୁଙ୍କ ସମେତ ପାଟଣା ଓ ତୁରୁମୁଙ୍ଗା ଥାନା ଅଧିକାରୀ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି। ଘଟଣାସ୍ଥଳରୁ ତ୍ରିଲୋଚନଙ୍କ ସ୍କୁଟି ଜବତ ହୋଇଛି। ସାଇଣ୍ଟିଫିକ୍‌ ଟିମ୍‌ ବିଭିନ୍ନ ପ୍ରମାଣ ସଂଗ୍ରହ କରିଛି। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ପୁଲିସ ପକ୍ଷରୁ ନାକାବନ୍ଦୀ କରାଯିବା ସହ ଏକାଧିକ ଟିମ୍‌ ତଦନ୍ତରେ ନିୟୋଜିତ ହୋଇଛନ୍ତି। ଜଣେ ପୁଲିସ କର୍ମଚାରୀଙ୍କ ସ୍ୱାମୀଙ୍କୁ ଏଭଳି ନିର୍ମମ ଭାବେ ହତ୍ୟା କରାଯିବା ଘଟଣା ସାରା ଜିଲ୍ଲାରେ ଚାଞ୍ଚଲ୍ୟ ଓ ଆତଙ୍କ ସୃଷ୍ଟି କରିଛି। ଜନସେବା କେନ୍ଦ୍ରଗୁଡ଼ିକରେ ଟଙ୍କା ନେଣଦେଣ ବଢ଼ିଛି। ତ୍ରିଲୋଚନ ବହୁ ପରିମାଣର ଟଙ୍କା ନେଇ ଘରକୁ ଫେରୁଥିଲେ ବୋଲି ଦୁର୍ବୃତ୍ତମାନେ କିପରି ଜାଣିଲେ, ଏହା ପୂର୍ବ ଯୋଜନା ଥିଲା କି ନାହିଁ ସେ ଦିଗରେ ପୁଲିସ ତଦନ୍ତ ଚଳାଇଛି।

Read Entire Article
LEFT SIDEBAR AD

Hidden in mobile, Best for skyscrapers.