ARTICLE AD BOX
ହାମିଲଟନ୍: ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଚାଲିଥିବା ୫ ମ୍ୟାଚ୍ ବିଶିଷ୍ଟ ଦିନିକିଆ ଶୃଙ୍ଖଳାର ତୃତୀୟ ମୁକାବିଲା ମଙ୍ଗଳବାର ହାମିଲଟନ୍ର ସେଡାନ ପାର୍କରେ ଖେଳଯିବ। ସଂପ୍ରତି ୨-୦ରେ ଆଗୁଆ ଥିବା ଶୁବମନ ଗିଲ୍ଙ୍କ ନେତୃତ୍ବାଧୀନ ଭ୍ରମଣକାରୀ ଦଳ ଏହି ମ୍ୟାଚ୍ ଜିତି ଦିନିକିଆ ଶୃଙ୍ଖଳା କବ୍ଜା କରିବା ଲକ୍ଷ୍ୟରେ ରହିଛି। ଏହି ମ୍ୟାଚ୍ ପରେ ଗିଲ୍ଙ୍କ ସହ କିଛି ତାରକା ଖେଳାଳି ଟେଷ୍ଟ୍ ଲାଗି ପ୍ରସ୍ତୁତି ହେବେ। ତେଣୁ ଗିଲ୍ ଆଗୁଆ ଶୃଙ୍ଖଳା ଜିତିବା ସହ ଭଲ ପାଳି ଖେଳି ଦୃଢ଼ ମନୋବଳ ସହ ଟେଷ୍ଟ୍କୁ ଓହ୍ଲାଇବା ଆଶାରେ ରହିଛନ୍ତି।
ଅନ୍ୟପକ୍ଷରେ ଦ୍ରୁତବୋଲରଙ୍କୁ ସୁହାଉଥିବା ନ୍ୟୁଜିଲାଣ୍ଡ ପିଚ୍ରେ ଉଭୟ ଦଳର ବ୍ୟାଟର୍ କଡ଼ା ସଂଘର୍ଷ କରୁଛନ୍ତି। ଗତ ଦୁଇଟି ଯାକ ମ୍ୟାଚ୍ରେ କମ୍ ରନ୍ ଦେଖିବାକୁ ମିଳିଛି। ବର୍ଷା ବାଧାପ୍ରାପ୍ତ ଉଭୟ ମ୍ୟାଚ୍ରେ ଭାରତ ପଶ୍ଚାତ୍ଧାବନ କରି କଷ୍ଟକର ବିଜୟ ପାଇଥିଲା। କେବଳ ତାରକା ବ୍ୟାଟର୍ ବିରାଟ କୋହଲି ପ୍ରଥମ ମ୍ୟାଚ୍ରେ ଅର୍ଦ୍ଧଶତକୀୟ ପାଳି ଖେଳିଥିଲେ। ଭେଟେରାନ ରୋହିତ ଶର୍ମା ପ୍ରଥମ ମ୍ୟାଚ୍ରେ ଶୂନରେ ଆଉଟ୍ ହୋଇଥିଲା ବେଳେ ଦ୍ବିତୀୟରେ କିଛି ଆକର୍ଷଣ ସଟ୍ ସହ ୨୩ ରନ୍ କରିଥିଲେ। ତୃତୀୟ ମ୍ୟାଚ୍ରେ ଏହି ଦୁଇ ଭେଟେରାନ୍ଙ୍କଠୁ ବଡ଼ ସ୍କୋର୍ ଆଶା ରଖିଛି ଦଳ।
ବ୍ୟାଟିଂ ଅର୍ଡରରେ ନାହିଁ ପରିବର୍ତ୍ତନ
କେଏଲ୍ ରାହୁଲ, ଶ୍ରେୟସ ଆୟର ଗତ ମ୍ୟାଚ୍ରେ ଟିକେ ଭଲ ଖେଳିଥିଲେ। ଅକ୍ଷର ପଟେଲ ଗତ ଦୁଇଟି ଯାକ ମ୍ୟାଚ୍ରେ ବିଫଳ ହୋଇଥିବାରୁ ତାଙ୍କ ଆଗରେ ରାହୁଲଙ୍କୁ ବ୍ୟାଟିଂକୁ ଛାଡ଼ିବା ଲାଗି ଦଳ ଚିନ୍ତା କରୁଛି। ଏହା ବାଦ୍ ବ୍ୟାଟିଂ ଅର୍ଡରରେ କୌଣସି ପରିବର୍ତ୍ତନ ସମ୍ଭାବନା ଆଉ ନାହିଁ। ଅର୍ଶଦୀପ ସିଂହଙ୍କ ନେତୃତ୍ବରେ ଅଂଶୁଲ କମ୍ବୋଜ, ଗୁରନୂର ବ୍ରାର ଓ ଆକ୍ବିବ ନବି ଭଲ କରିଥିବାରୁ ଅଭିଜ୍ଞ ମହମ୍ମଦ ସିରାଜ ଚୂଡ଼ାନ୍ତ ଏକାଦଶକୁ ଫେରିବାର ସମ୍ଭାବନା ପ୍ରାୟତଃ ନାହିଁ। ତେବେ ଟେଷ୍ଟ୍ ଶୃଙ୍ଖଳା ଆଉ ମାତ୍ର ୧୦ ଦିନ ଥିଲା ବେଳେ ସିରାଜଙ୍କୁ ମ୍ୟାଚ୍ ଅଭ୍ୟାସ ଲାଗି ଖେଳାଯିବାର ଟିକେ ଆଶା ଦେଖାଯାଉଛି।
ଚିନ୍ତାରେ ଦୁର୍ବଳ ପ୍ରଦର୍ଶନ ଦଳ
ଅନ୍ୟପକ୍ଷରେ ଘରୋଇ ପଡ଼ିଆରେ ଟ୍ବେଣ୍ଟି-୨୦ ଶୃଙ୍ଖଳା ହାରିଥିବା ନ୍ୟୁଜିଲାଣ୍ଡ ତୃତୀୟ ଦିନିକିଆ ଜିତି ଶୃଙ୍ଖଳା ଜୀବିତ ରଖିବା ଆଶାରେ ରହିଛି। ତେବେ ଆହତ ଜନିତ ସମସ୍ୟା ସହ ଘରୋଇ ପରିବେଶରେ ଶୀର୍ଷକ୍ରମ ବ୍ୟାଟର୍ଙ୍କ ଦୁର୍ବଳ ପ୍ରଦର୍ଶନ ଦଳକୁ ବେଶୀ ଚିନ୍ତାରେ ପକାଇଛି। ଆହତ ଯୋଗୁଁ ରାଚିନ ରବୀନ୍ଦ୍ର, ମାର୍କ ଚାପମାନ ଓ ଡେଭନ କନୱେ ବାଦ୍ ପଡ଼ିବା ଦଳର ବ୍ୟାଟିଂକୁ ଆହୁରି ଦୁର୍ବଳ କରି ଦେଇଛି। ଅଧିନାୟକ ମିଚେଲ ସାଣ୍ଟନର ଗତ ଦୁଇ ମ୍ୟାଚ୍ରେ ଟସ୍ ମଧ୍ୟ ହାରିଛନ୍ତି। ଫଳରେ ବିପକ୍ଷ ଦଳ ସମ୍ମୁଖରେ ବିଜୟ ଲକ୍ଷ୍ୟ କମ୍ ସ୍କୋର୍ ରହିବାରୁ ଘରୋଇ ବୋଲର ଚାପରେ ରହୁଥିବା ଦେଖାଯାଇଛି।
ପାଣିପାଗ ଓ ପିଚ୍
ଗତ ଦୁଇ ମ୍ୟାଚ୍ ପରି ସେଡନ୍ ପାର୍କରେ ମଙ୍ଗଳବାର ମ୍ୟାଚ୍ରେ ମଧ୍ୟ ବର୍ଷା ବାଧକ ସାଜିବାପାରେ। ମ୍ୟାଚ୍ ଆରମ୍ଭ ସମୟରେ ବର୍ଷାର ସମ୍ଭାବନା ଅଧିକ ଥିବାରୁ ବିଳମ୍ବରେ ଖେଳ ଆରମ୍ଭ ହେବାର ସମ୍ଭାବନା ରହିଛି।। ଅପରାହ୍ଣ ୧ଟାରେ ବର୍ଷା ସମ୍ଭାବନା ୮୩ ଥିଲା ବେଳେ ୩ଟାରେ ୬୮ ପ୍ରତିଶତ ରହିଛି। ତେବେ ପରବର୍ତ୍ତୀ ସମୟରେ ପାଗରେ ସାମାନ୍ୟ ସୁଧାର ଆସିବା ଥିଲେ ମଧ୍ୟ ବର୍ଷା ଅଶଙ୍କା ରହିବ। ପୁଣି ରାତି ୮ଟାରୁ ୧୧ଟା ମଧ୍ୟରେ ୬୨ରୁ ପ୍ରତିଶତ ବର୍ଷା ସମ୍ଭାବନା ଥିବା ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି। ଏଠାକାର ପିଚ୍ରେ ଭଲ ରନ୍ ହେଉଥିଲେ ମଧ୍ୟ ଅଦିନିଆ ବର୍ଷା ଓ ପାଗ ଥଣ୍ଡା ଯୋଗୁଁ ଦ୍ରୁତ ବୋଲର୍ଙ୍କୁ ଅଧିକ ସହାୟତା କରିବାର ଆଶା ରହିଛି। ସୋମବାର ବର୍ଷା ହୋଇଥିବାରୁ ଭାରତୀୟ ଦଳ ଇନ୍ଡୋର୍ରେ ଅଭ୍ୟାସ କରିଥିଲା।
ବ୍ରାଜିଲିଆନ୍ ଗ୍ରାଁ ପ୍ରି ଜିତିଲେ ନୋରିସ୍
ଭାରତ (ସମ୍ଭାବ୍ୟ ଏକାଦଶ): ଶୁବମନ ଗିଲ୍ (ଅଧିନାୟକ), ରୋହିତ ଶର୍ମା, ବିରାଟ କୋହଲି, ଶ୍ରେୟସ ଆୟର, କେଏଲ୍ ରାହୁଲ (ୱିକେଟ୍ରକ୍ଷକ), ଅକ୍ଷର ପଟେଲ, ନମନ ଧୀର, ଅଂଶୁଲ କମ୍ବୋଜ, ଗୁରନୂର ବ୍ରାର, ଆକ୍ବିବ ନବି, ଅର୍ଶଦୀପ ସିଂହ। ନ୍ୟୁଜିଲାଣ୍ଡ (ସମ୍ଭାବ୍ୟ ଏକାଦଶ): ଟିମ୍ ସେଫର୍ଟ, ୱିଲ ୟଙ୍ଗ, ହେନରି ନିକୋଲ୍ସ, ଡାରିଲ ମିଚେଲ, ଗ୍ଲେନ୍ ଫିଲିପ୍ସ, ଟମ ଲାଥମ (ୱିକେଟ୍କିପର), ମିଚେଲ ସାଣ୍ଟନର (ଅଧିନାୟକ), ନାଥନ ସ୍ମିଥ, କାଇଲ ଜାମିସନ, ମ୍ୟାଟ୍ ଫିସର, ଜାକବ ଡଫି।

2 hours ago
3


