ARTICLE AD BOX
ଅଭିରାମ ବିଶ୍ବାଳ
ବେଳେବେଳେ ପ୍ରକୃତି ଓ ସଂସ୍କୃତିର ସାଂପ୍ରତିକ ସ୍ବରୂପ ଆନୁଧ୍ୟାନ କରିବାକୁ ଯାଇ ଜଣେ ନୂଅା ନୂଆ ତଥା ଅତିରିକ୍ତ ଅନୁଭବ ମଧ୍ୟ ହାସଲ କରିଥାଏ। ନିକଟରେ ଗୁରୁପ୍ରିୟା ସେତୁ, ଚିତ୍ରକୋଣ୍ଡା, ବାଲିମେଳା, ଗୋବିନ୍ଦପାଲି, ବୈପାରୀଗୁଡ଼ା, ଜୟପୁର, ବୋରିଗୁମ୍ମା, ନବରଙ୍ଗପୁର, ପାପଡ଼ାହାଣ୍ଡି, ଭବାନୀପାଟଣା, ଟିଟିଲାଗଡ଼, କଣ୍ଟାବାଞ୍ଜି, ପାଟଣାଗଡ଼, ବଲାଙ୍ଗୀର, ସାଗରପଲ୍ଲୀ, ବରଗଡ଼, ଭୁବନେଶ୍ବର ଓ କଟକ ଆଦିଠାରେ ଭେଟ ହୋଇଥିବା ଅନେକ ପିଲାଙ୍କୁ ସେମାନଙ୍କ ବୟସ ଆଉ ଶିକ୍ଷାଗତ ଯୋଗ୍ୟତା ପଚାରି ନ ଥିଲେ ବି ସ୍ପଷ୍ଟ ଜଣାପଡ଼ିଥିଲା ସେମାନେ ଛାତ୍ରଛାତ୍ରୀ ଏବଂ ଜେନ-ଜି ଗୋଷ୍ଠୀର। ସେଭଳି ଧାରଣାର ଆଧାର ଥିଲା ସେମାନଙ୍କ ଉତ୍ସାହ, ହାବଭାବ, ଆଶାବାଦ ଓ ଆତ୍ମବିଶ୍ବାସ। ଆଳାପ ଓ ଆଲୋଚନା ପ୍ରକ୍ରିୟାରେ ସେମାନଙ୍କ ଭିତରୁ କେତେଜଣ କହିଥିଲେ- ସୁଖବର ଯେ ଏ ବର୍ଷ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ନିର୍ବାଚନ ହେବ। ଆଠ ବର୍ଷ ଧରି ଛାତ୍ରଛାତ୍ରୀ ସଂସଦ ପାଇଁ ନିର୍ବାଚନ ବନ୍ଦ ରହିଥିବାର କାରଣ ସଂପର୍କିତ ପ୍ରଶ୍ନର ଉତ୍ତର ସେମାନେ ଏମିତି ଦେଇଥିଲେ- ୨୦୧୮ରୁ ୨୦୨୩ କାଳଖଣ୍ଡ ବିଷୟରେ ଗୋଟିଏ ରାଜନୀତିକ ଦଳ, ବାତ୍ୟା ଓ କୋଭିଡ୍ ବିଶ୍ବମାରୀ ଏବଂ ଗତ ଦୁଇ ବର୍ଷ ବାବଦରେ ଅନ୍ୟ ଏକ ଦଳ ତାହା କହିପାରିବେ। ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟକୈନ୍ଦ୍ରିକ କ୍ୟାମ୍ପସ ନିର୍ବାଚନର ଫଳାଫଳ ସମ୍ବନ୍ଧରେ ଅନେକ ୧୫ ଅକ୍ଟୋବର ପୂର୍ବରୁ ନିଜ ନିଜ ଶୈଳୀରେ ପ୍ରକାଶ କରିଥିଲେ- ତାହା ଏକତରଫା ହେବ ନାହିଁ। ଦୁଇଟି ପ୍ରମୁଖ ଛାତ୍ରଛାତ୍ରୀ ସଂଗଠନ ଭିତରେ କଡ଼ା ମୁକାବିଲା ହେବ। ନିର୍ବାଚନ ଟିକେ ପରେ ହୋଇଥିଲେ ଆମ ଭିତରୁ କେତେଜଣ ଭାବିଥିଲୁ ହୁଏତ ନୂଆଦିଲ୍ଲୀ ଯାଇ ପଥପ୍ରାନ୍ତର ପ୍ରତିବାଦରେ ସାମିଲ ହୋଇଥାନ୍ତୁ; ତାହା ଯନ୍ତରମନ୍ତରରେ ହେଉ କି ଅନ୍ୟତ୍ର ହେଉ। ଅକସ୍ମାତ୍ ସାକ୍ଷାତ ହୋଇଥିବା ସେହି କତିପୟ ପିଲାଏ ଅନୌପଚାରିକ କଥାବାର୍ତ୍ତାର ସମଗ୍ର ଅବଧି ଭିତରେ ନିର୍ବାଚନ, ରାଜନୀତି ଓ ଗଣତନ୍ତ୍ର ଉପରେ ଚମତ୍କାର ବଖାଣ ବାଢ଼ିଥିଲେ।
ସମସ୍ତେ ଅବଶ୍ୟ କ୍ୟାମ୍ପସରେ ଛାତ୍ରଛାତ୍ରୀ ସଂସଦ ପାଇଁ ନିର୍ବାଚନ ହେବା ସପକ୍ଷରେ ମତ ଦେଇ ନଥାନ୍ତି। କେହି କେହି ସେମାନଙ୍କର ପ୍ରିୟ ତଥ୍ୟ ଉପସ୍ଥାପନ କରି ଓ ଯୁକ୍ତି ରଖି କହୁଥିବାର ଜାଣିବାକୁ ମିଳେ ଯେ ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କରେ ନିର୍ବାଚନ ଜରିଆରେ ଛାତ୍ରଛାତ୍ରୀ ପ୍ରତିନିଧି ବା ନେତାନେତ୍ରୀ ବଛା ହେବା ଅନୁଚିତ। ଆଦୌ ନିର୍ବାଚନ ନ ହେଲେ ଭଲ। ସେମାନଙ୍କ ତର୍କ ହେଲା- କାହିଁକି ଛାତ୍ରଛାତ୍ରୀ ମାତିବେ ରାଜନୀତିରେ? ନିର୍ବାଚନ ହେଲେ ଶୈକ୍ଷିକ କ୍ୟାଲେଣ୍ଡର ଓ ବାତାବରଣ ବାଧାପ୍ରାପ୍ତ ହେବ, ପରୀକ୍ଷା ଠିକ୍ ସମୟରେ ହୋଇପାରିବନି ଏବଂ ବିଦ୍ୟାର୍ଥୀଗଣ ସେମାନଙ୍କ ଅସଲ ଲକ୍ଷ୍ୟରୁ ବିଚ୍ୟୁତ ହୋଇଯିବେ। ଏସବୁ ଯୁକ୍ତି ସତରେ କେତେ ଶକ୍ତିଶାଳୀ, ଗଣତାନ୍ତ୍ରିକ ଓ ପରିପୋଷଣକାରୀ? ପାଠପଢ଼ା କ’ଣ କେବଳ କ୍ୟାମ୍ପସ ନିର୍ବାଚନ ଯୋଗୁଁ ବ୍ୟାହତ ହୁଏ? ଶୈକ୍ଷିକ ବାତାବରଣ ବୋଇଲେ ତା’ର କିଛି ନିର୍ଦ୍ଦିଷ୍ଟ, ପୂର୍ବ ନିର୍ଦ୍ଧାରିତ ଓ ଏକଆୟାମୀ ଅର୍ଥ ଥାଏ କି? ଖାଲି ଛାତ୍ରଛାତ୍ରୀ ସଂସଦ ନିର୍ବାଚନ ଯୋଗୁଁ ପରୀକ୍ଷା ପରିଚାଳନାରେ ଅହେତୁକ ବିଳମ୍ବ ଘଟେ? ତାହା ହୋଇଥିଲେ ସର୍ବତ୍ର ତ ତାହା ଅନୁଭୂତ ହେଉଥାନ୍ତା! ସବୁଠାରୁ ବଡ଼ ବିଡ଼ମ୍ବନାର ବିଷୟ ଏହା ଯେ କେବଳ କିଛି ପିଲା ନୁହନ୍ତି, କେତେଜଣ ବରିଷ୍ଠ ମଧ୍ୟ ଅଛନ୍ତି, ଯେଉଁମାନେ ନିଜେ ନିଜର ବୃତ୍ତିଗତ ସଂଗଠନର ନିର୍ବାଚନରେ ଭାଗ ନେଇ କାର୍ଯ୍ୟକର୍ତ୍ତା ହେବାକୁ ଚାହୁଁଥିବା ବେଳେ ଛାତ୍ରଛାତ୍ରୀ ସଂସଦ ନିର୍ବାଚନର ବିରୋଧ କରନ୍ତି। କହିବା ବାହୁଲ୍ୟ, ନିର୍ବାଚନୀ ଗଣତନ୍ତ୍ର ସଂଭୂତ ରାଜନୀତିକ ସଂସ୍କୃତି କେବଳ ବିଧିବିଧାନ ପ୍ରସ୍ତୁତ କରୁଥିବା ସଭାରେ ରହିଲେ ହେବନି; ସେ ପ୍ରକାରର ଜଳବାୟୁର ପ୍ରୋତ୍ସାହନ ଓ ଉପସ୍ଥିତି ବି ଶିକ୍ଷାୟତନରେ ଲୋଡ଼ା। ସ୍ବାଧୀନତା ଓ ଅଧିକାରର ତଥାକଥିତ ଅନୁପଯୁକ୍ତ ବ୍ୟବହାରର ମାନେ ନୁହେଁ ସେ ସବୁର ସଂକୋଚନ; ବରଂ ସମାଧାନର ମାର୍ଗ ସାଜିପାରେ ଆହୁରି ଅଧିକ ସ୍ବାଧୀନତା ଓ ଅଧିକାର ପ୍ରଦାନ!
ଭବିଷ୍ୟ ନେତୃତ୍ବ ପାଇଁ ପ୍ରାକ୍ ପ୍ରଶିକ୍ଷଣ ମିଳେ ଶିକ୍ଷାୟତନୀୟ ରାଜନୀତିରୁ। ଶିକ୍ଷାୟତନ ବି ନର୍ସେରିର ଅବତାର ଗ୍ରହଣ କରିପାରେ। ଏମିତିରେ ତ ଶିକ୍ଷାୟତନୀୟ ସମୟ ଓ ଜୀବନ ମାନେ ସାଧାରଣତଃ ପ୍ରତିବାଦ, ଆନ୍ଦୋଳନ, ଦ୍ବିମତ, ପ୍ରତିଷ୍ଠାର ପ୍ରତିରୋଧ, ସ୍ଥିତାବସ୍ଥାର ବିରୋଧ, ବୈଚାରିକ ଅବବୋଧ, ରମ୍ୟ ଭାବନା, ଉଦ୍ଦୀପ୍ତ ସଖ୍ୟ, ପଢ଼ାପଢ଼ି ସାଙ୍ଗକୁ ଅହିଂସ ଲଢ଼େଇ, ବିପ୍ଳବାନୁରାଗ, ସବୁ ବଦଳେଇ ଦେବାର ଦୁଃସାହସ ତଥା ସ୍ବପ୍ନ, ଭାବପ୍ରବଣତା ଏବଂ ରୋମାଣ୍ଟିକ ମାନସିକତା ପୋଷଣର ପର୍ଯ୍ୟାୟ ଯାହା ଭିତରେ ଅନ୍ତର୍ଭୁକ୍ତ ରାଜନୀତି ମନସ୍କତା। ସେ ରାଜନୀତି ମନସ୍କତା ଲୋକନୀତି ଛାଡ଼ି ପଲିଟିକ୍ସର ଶରଣ ନ ପଶିବା କଥା। କାରଣ, ରାଜନୀତିରେ ପଲିଟିକ୍ସ ଅନୁପ୍ରବେଶ କଲେ କେତେ ନା କେତେ ବିଭ୍ରାଟ ସୃଷ୍ଟି ହୁଏ।
ଶିକ୍ଷାନୁଷ୍ଠାନମାନଙ୍କର କେତେକ ପ୍ରାଥମିକ କର୍ତ୍ତବ୍ୟ ଭିତରେ ଅନ୍ତର୍ଭୁକ୍ତ ଛାତ୍ରଛାତ୍ରୀଙ୍କ ଦକ୍ଷତା ବିକାଶ, ଚରିତ୍ର ନିର୍ମାଣ ଓ ଜ୍ଞାନ ଅର୍ଜନ କ୍ଷେତ୍ରରେ ସହାୟକ ଏବଂ ଉତ୍ସାହପ୍ରଦ ଭୂମିକା ନିର୍ବାହ। ଅବଶ୍ୟ ଏତିକିରେ ସୀମିତ ନୁହେଁ ଶିକ୍ଷାୟତନର ଦାୟିତ୍ବ। ଅନ୍ୟ ଭାଷା ଓ ପରିଭାଷାରେ କହିଲେ ଉଚ୍ଚଶିକ୍ଷାନୁଷ୍ଠାନର କାମ ହେଲା ପାଠପଢ଼ା ବା ବିଦ୍ୟାଲାଭ (ସ୍କଲାରସିପ), ବନ୍ଧୁତ୍ବ (ଫ୍ରେଣ୍ଡସିପ) ସ୍ଥାପନା ଓ ନାଗରିକତ୍ବ (ସିଟିଜେନସିପ) ତାଲିମ ଦିଗରେ ଛାତ୍ରଛାତ୍ରୀଙ୍କୁ ସକଳ ସକାରାତ୍ମକ ସୁବିଧାସୁଯୋଗ ଯୋଗାଇବା। ଶେଷୋକ୍ତ ଲକ୍ଷ୍ୟଟି ଏଭଳି ଏକ ରାଜନୀତିକ ସାକ୍ଷରତା ଓ ପ୍ରଜ୍ଞା ସମ୍ଭବ କରେଇବା ପାଇଁ ସକ୍ଷମ, ଯାହା ବଳରେ ଜଣେ ପ୍ରକୃତରେ ସ୍ବ, ପର, ପରିସର, କର୍ତ୍ତୃପକ୍ଷ, ସରକାର, ସଂବିଧାନ, ରାଷ୍ଟ୍ର, ସମାଜ, ଅଧିକାର ଓ କର୍ତ୍ତବ୍ୟାଦି ବାବଦରେ ଆହୁରି ଭଲଭାବେ ଅବଗତ ଓ ସଚେତନ ହୋଇପାରେ। ବନ୍ଧୁତ୍ବ ସ୍ଥାପନା ଅର୍ଥ ନୂଆ, ଅଜଣା, ଭିନ୍ନ ଭିନ୍ନ ଓ ଅପରିଚିତ ଛାତ୍ରଛାତ୍ରୀଙ୍କ ସଂସ୍ପର୍ଶରେ ଆସି ଏକ ସମାବେଶୀ, ବିଦ୍ବେଷରହିତ, ପ୍ରଗତିଶୀଳ ଓ ସମ୍ବେଦନଶୀଳ ବଳୟ ସୃଷ୍ଟି କରିବା। ଭବିଷ୍ୟ ନେତୃତ୍ବ ପାଇଁ ପ୍ରାକ୍ ପ୍ରଶିକ୍ଷଣ ମିଳେ ଶିକ୍ଷାୟତନୀୟ ରାଜନୀତିରୁ। ଶିକ୍ଷାୟତନ ବି ନର୍ସେରିର ଅବତାର ଗ୍ରହଣ କରିପାରେ। ଏମିତିରେ ତ ଶିକ୍ଷାୟତନୀୟ ସମୟ ଓ ଜୀବନ ମାନେ ସାଧାରଣତଃ ପ୍ରତିବାଦ, ଆନ୍ଦୋଳନ, ଦ୍ବିମତ, ପ୍ରତିଷ୍ଠାର ପ୍ରତିରୋଧ, ସ୍ଥିତାବସ୍ଥାର ବିରୋଧ, ବୈଚାରିକ ଅବବୋଧ, ରମ୍ୟ ଭାବନା, ଉଦ୍ଦୀପ୍ତ ସଖ୍ୟ, ପଢ଼ାପଢ଼ି ସାଙ୍ଗକୁ ଅହିଂସ ଲଢ଼େଇ, ବିପ୍ଳବାନୁରାଗ, ସବୁ ବଦଳେଇ ଦେବାର ଦୁଃସାହସ ତଥା ସ୍ବପ୍ନ, ଭାବପ୍ରବଣତା ଏବଂ ରୋମାଣ୍ଟିକ ମାନସିକତା ପୋଷଣର ପର୍ଯ୍ୟାୟ ଯାହା ଭିତରେ ଅନ୍ତର୍ଭୁକ୍ତ ରାଜନୀତି ମନସ୍କତା। ସେ ରାଜନୀତି ମନସ୍କତା ଲୋକନୀତି ଛାଡ଼ି ପଲିଟିକ୍ସର ଶରଣ ନ ପଶିବା କଥା। କାରଣ, ରାଜନୀତିରେ ପଲିଟିକ୍ସ ଅନୁପ୍ରବେଶ କଲେ କେତେ ନା କେତେ ବିଭ୍ରାଟ ସୃଷ୍ଟି ହୁଏ।
ଗତ ଛତ୍ରଛାତ୍ରୀ ସଂସଦ ନିର୍ବାଚନର ବାସ୍ତବ ଫଳାଫଳ ତ ସମସ୍ତଙ୍କୁ ମୋଟାମୋଟି ଜଣା। କିନ୍ତୁ, ଉଚ୍ଚଶିକ୍ଷାନୁଷ୍ଠାନମାନଙ୍କର ଛାତ୍ରଛାତ୍ରୀ ସମାଜର ରାଜନୀତିକ ଗୁରୁତ୍ବ ଏତେ ଅଧିକ ଯେ ରାଜ୍ୟର ଦୁଇ ପ୍ରମୁଖ ଛତ୍ରଛାତ୍ରୀ ସଂଗଠନ ଏକା ସାଙ୍ଗରେ ଦାବି କରୁଛନ୍ତି ଏଇଆ- ସେମାନଙ୍କ ପ୍ରାର୍ଥୀମାନେ ହିଁ ସଂଖ୍ୟାଧିକ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟରେ ଜିତିଛନ୍ତି। ଚମକପ୍ରଦ କଥା ହେଉଛି ସେଇ ଗୋଟିଏ ଭୂଗୋଳ ଭିତରେ ଏବଂ ପାଖାପାଖି ଦୁଇଟି ଭୂଗୋଳର ଶିକ୍ଷାନୁଷ୍ଠାନମାନଙ୍କରୁ ଅଲଗା ଅଲଗା ଫଳାଫଳ ଆସିଛି। ରାଜଧାନୀ ଭୁବନେଶ୍ବରର ଦୁଇଟି ସରକାରୀ ମହାବିଦ୍ୟାଳୟର ଫଳାଫଳ ଗୋଟିଏ ଶିବିର ସପକ୍ଷରେ ଗଲାବେଳେ, ସହରର ଏକ ବେସରକାରୀ ମହିଳା ମହାବିଦ୍ୟାଳୟର ଫଳାଫଳ ଅନ୍ୟ ପ୍ରକାରେ ହୋଇଛି। ରମାଦେବୀର ଫଳାଫଳ ସହ ମେଳ ଖାଇନି ଅଧ କିଲୋମିଟର ଦୂରର ଉତ୍କଳର ଫଳାଫଳ ଏବଂ ଉତ୍କଳ ଠାରୁ ପ୍ରାୟ ୨୭ କି.ମି. ଦୂରରେ ଅବସ୍ଥିତ ରେଭେନ୍ସାର ଫଳାଫଳ ଉତ୍କଳଠାରୁ ମୋଟାମୋଟି ଅଲଗା ହୋଇଛି। ଏହା ନିଶ୍ଚୟ ଗଣତନ୍ତ୍ରର ସଂସ୍କୃତି ଦୃଷ୍ଟିରୁ ଶୁଭ ସୂଚନା। ଆହୁରି ଏକ ଅଭିନନ୍ଦନୀୟ ସଂକେତ ହେଲା ଓଡ଼ିଶାର ତିନି ଜଣାଶୁଣା ଛାତ୍ରଛାତ୍ରୀ ସଂଗଠନର ନେତୃତ୍ବ ନେଉଛନ୍ତି ତିନି ଜଣ ମହିଳା- ବିଜୁ ଛାତ୍ର ଜନତା ଦଳର ଈପ୍ସିତା, ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦର ଦୀପ୍ତିମୟୀ ଏବଂ ଅଲ୍ ଇଣ୍ଡିଆ ଷ୍ଟୁଡେଣ୍ଟସ ଫେଡେରେସନର ସଂଘମିତ୍ରା। ଦିଲ୍ଲୀ ପଟୁ ଆସୁଥିବା ଦୁଇଟି ଆନନ୍ଦନାୟକ ସମ୍ବାଦ ଏତାଦୃଶ- ଜାମିଆ ମିଲିଆ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସଂସଦ ନିମନ୍ତେ ସଂବିଧାନ ପ୍ରସ୍ତୁତ କରିବା ପାଇଁ ଏକ ପାଞ୍ଚଜଣିଆ କମିଟି ଗଠିତ ହୋଇଛି ଏବଂ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସଂସଦ ତରଫରୁ ୧୭ ଦିନିଆ ଅନଶନ ଧର୍ମଘଟ ବନ୍ଦ ରଖାଯାଇଛି କର୍ତ୍ତୃପକ୍ଷ ଦାବି ପୂରଣ ନିମନ୍ତେ ରାଜି ହେବାରୁ। ଏସବୁ ଭିତରେ ବିଚଳିତ କଲା ଭଳି ସୂଚନା ମିଳିଲା ଏକାଧିକ ସୂତ୍ରରୁ- ଯେ, ଏଥରକ ନିର୍ବାଚନରେ ଛାତ୍ରଛାତ୍ରୀ ମତଦାତାଙ୍କ ଅଂଶଗ୍ରହଣ ହାର ଶତକଡ଼ା ୬୦ ଟପିପାରି ନଥିଲା ଏବଂ କ୍ୟାମ୍ପସ ବାହାରୁ ବିଭିନ୍ନ ପ୍ରକାରର ‘ବଳ’ର କୁଆଡ଼େ ଚାପ ପଡୁଥିଲା!
ଏଇ ପୃଷ୍ଠାରେ ୧୯ ଅକ୍ଟୋବରର ‘ପାଲିଙ୍କି ବାହକମାନେ!’ ଶୀର୍ଷକ ସମୟୋଚିତ ଓ ପ୍ରଭାବଶାଳୀ ସଂପାଦକୀୟରେ ଅନେକ ନେତାନେତ୍ରୀଙ୍କ ନାମ ଉଲ୍ଲେଖ କରାଯାଇଥିଲା ଯେଉଁମାନେ ସେମାନଙ୍କ ଛାତ୍ରଛାତ୍ରୀ ଜୀବନରେ କ୍ୟାମ୍ପସ ରାଜନୀତି ଅଥବା ଅନ୍ଦୋଳନର ଖଡ଼ି ଛୁଇଁଥିଲେ। ରାଜନୀତି ଏକ ପ୍ରକାରର ସମକାଳୀନ ଇତିହାସ। ଅଭିଜ୍ଞମାନେ ଅଛନ୍ତି ଯେଉଁମାନେ କହନ୍ତି ସେମାନେ ରଣେନ୍ଦ୍ର ପ୍ରତାପ ସ୍ବାଇଁ, ସୁରେଶ ପୂଜାରୀ, ପ୍ରସାଦ ହରିଚନ୍ଦନ, ଅରୁଣ ସାହୁ, ରୁଦ୍ର ପାଣି, ଅର୍ଚ୍ଚନା ନାୟକ, ସୁଦର୍ଶନ ଦାସ, ଧର୍ମେନ୍ଦ୍ର ପ୍ରଧାନ, ପୃଥ୍ବୀରାଜ ହରିଚନ୍ଦନ, ମୋହନ ଜେନା, ଶ୍ରୀକାନ୍ତ ଜେନା, ସୁରେଶ ପାଣିଗ୍ରାହୀ, ଗଣେଶ୍ବର ବେହେରା, ବିକ୍ରମ ଆରୁଖ, ପ୍ରଦୀପ ପାଣିଗ୍ରାହୀ, ସ୍ନେହାଙ୍ଗିନୀ ଛୁରିଆ, ରାଧାରାଣୀ ପଣ୍ଡା, ପ୍ରମିଳା ବହିଦାର, ସିପ୍ରା ମହାନ୍ତି, ସତ୍ୟବ୍ରତ ପଣ୍ଡା ଓ ପ୍ରତାପ ଜେନା ପ୍ରମୁଖଙ୍କ ଆବିର୍ଭାବ ଓ ଅଭ୍ୟୁଦୟ ପ୍ରତ୍ୟକ୍ଷ କରିଛନ୍ତି। ଏସବୁ ଉଦାହରଣ ସୂଚକ ମାତ୍ର, ସଂପୂର୍ଣ୍ଣ ନୁହେଁ। ଛାତ୍ରଛାତ୍ରୀ ରାଜନୀତିରୁ ବାହାରିଥିବା ଏବଂ ପରେ ଅନ୍ୟ କ୍ଷେତ୍ରରେ ବେଶ୍ ସଫଳତା ଲାଭ କରିଥିବା କେତେକଙ୍କ ଭିତରେ ମନେପଡ଼ନ୍ତି ସୁଧାଂଶୁ ଭୂଷଣ ମିଶ୍ର, ଶ୍ରୀକାନ୍ତ ଚାଟାର୍ଜୀ, ବିଭୂତି ପ୍ରଧାନ, ତପନ ଚାନ୍ଦ, ସରୋଜ, ବିଜୟ ନାୟକ, ହିମାଂଶୁ ମିଶ୍ର, ସତ୍ୟ ତ୍ରିପାଠୀ, ସୁଧାଂଶୁ ଶେଖର ମିଶ୍ର, ଅସିମ ଅମିତାଭ ଦାସ ଓ ପୀତାମ୍ବର ଆଚାର୍ଯ୍ୟ ଆଦି। ଓଡ଼ିଶାର ଦୁଇ ପ୍ରମୁଖ ଦଳ କଂଗ୍ରେସ ଓ ଭା.ଜ.ପା.ର ଏବେକାର ସଭାପତି ଯଥାକ୍ରମେ ଭକ୍ତଚରଣ ଦାସ (ଭବାନୀପାଟଣା) ଓ ମନମୋହନ ସାମଲ (ଭଦ୍ରକ) ଏକଦା ଛାତ୍ରନେତା ଥିଲେ। ଜେ.ଏନ୍.ୟୁ.ର ଛାତ୍ରଛାତ୍ରୀ ରାଜନୀତିର ପ୍ରକାଶ କରାତ, ସୀତାରାମ ୟେଚୁରୀ, ଯୋଗେନ୍ଦ୍ର ଯାଦବ, ଲିଙ୍ଗରାଜ, ନଳିନୀ ମହାନ୍ତି, ନିର୍ମଳା ସୀତାରମଣ ଓ କହ୍ନେୟା କୁମାର ଆଦିଙ୍କୁ କିଏ ବା ନ ଜାଣେ? ସେମିତି ଦିଲ୍ଲୀ ବିଶ୍ବବିଦ୍ୟାଳୟର ଅରୁଣ ଜେଟଲି, ଅଜୟ ମାକେନ, ଅଳକା ଲାମ୍ବା, ରେଖା ଗୁପ୍ତା, ରାଗିଣୀ ନାୟକ ଓ (ମଣ୍ଡଳ କମିସନ ବିରୋଧୀ ଆନ୍ଦୋଳନର) ରାଜୀବ ଗୋସ୍ବାମୀ ପ୍ରଭୃତିଙ୍କୁ? ନେହା ବୋରା କିଏ?- ଏ ପ୍ରଶ୍ନର ଅନ୍ୟତମ ଉତ୍ତର ହେଲା ସିଏ ଜବାହରଲାଲ ନେହରୁ ବିଶ୍ବବିଦ୍ୟାଳୟ ଛାତ୍ରଛାତ୍ରୀ ରାଜନୀତିରୁ ବାହାରିଛନ୍ତି।
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୩୦୭୦୭୯

1 hour ago
1


