ARTICLE AD BOX
ଭୁବନେଶ୍ବର: ସାମ୍ନାକୁ ଚକାଚକ୍ ଦିଶୁଥିବା କମିସନରେଟ୍ ପୁଲିସର ମୁଖ୍ୟାଳୟ କୋଠା ସ୍ଥିତି ଏବେ ଭିତରୁ ନଷ୍ଟ ହେବାକୁ ବସିଲାଣି। ବର୍ଷା ହେଲେ ଛାତରୁ ଅନବରତ ପାଣି ଗଳୁଛି। ଅଫିସରେ କର୍ମଚାରୀ କାମ କରିବାକୁ ହନ୍ତସନ୍ତ ହେଉଛନ୍ତି। ଶୌଚାଳୟ କବାଟ ଭାଙ୍ଗିଗଲାଣି,କାନ୍ଥଗୁଡ଼ିକରୁ ପାଣି ଝରୁଥିବାରୁ କପବୋର୍ଡରେ ଉଇ ଲାଗିଲାଣି। ଏପରି ସ୍ଥିତି ଲାଗି ରହିଲେ ଅଳ୍ପ ଦିନରେ ବହୁ ଗୁରୁତ୍ବପୂର୍ଣ୍ଣ ଫାଇଲ୍ ନଷ୍ଟ ହୋଇଯିବ। ଇଲେକ୍ଟ୍ରିକାଲ ୱାୟରିଂ ବି ନଷ୍ଟ ହୋଇ ତାରଗୁଡ଼ିକ ଝୁଲୁଛି।
କମିସନରେଟ୍ ପୁଲିସ ମୁଖ୍ୟାଳୟର ଏଭଳି ଶୋଚନୀୟ ସ୍ଥିତିକୁ ନେଇ ପୁଲିସ କମିସନର ଏସ୍.ଦେବଦତ୍ତ ସିଂହ ଉଦ୍ବେଗ ପ୍ରକାଶ କରିବା ସହ ତୁରନ୍ତ ମରାମତି ପାଇଁ ମାସକ ତଳେ ପୂର୍ତ୍ତ ବିଭାଗ ପ୍ରମୁଖ ସଚିବ ସଞ୍ଜୟ କୁମାର ସିଂହଙ୍କୁ ଚିଠି ଲେଖିଥିଲେ। ଏପରିକି କମିସନରେଟ୍ ପୁଲିସ ପକ୍ଷରୁ ପୂର୍ତ୍ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ, ଜିଇଡି କର୍ତ୍ତୃପକ୍ଷ ଓ ୱାଟ୍କୋ କର୍ତ୍ତୃପକ୍ଷଙ୍କୁ ମରାମତି କରିବାକୁ କହିଲେ ବି କେହି ମରାମତି କରୁନଥିବାରୁ ପୁଲିସ କମିସନର ଅସହାୟତା ପ୍ରକାଶ କରିଥିଲେ। ଆଉ କୋଠାର ତୁରନ୍ତ ମରାମତି କରିବାକୁ ପୂର୍ତ୍ତ ସଚିବଙ୍କୁ ଅନୁରୋଧ କରିଥିଲେ।
ଭିତର କାନ୍ଥ, ଶୌଚାଳୟ ନଷ୍ଟ ହୋଇଗଲାଣି
ମରାମତି ପାଇଁ ଅର୍ଥ ଦେଉନି ଗୃହ ବିଭାଗ
ଏହାପରେ ପୂର୍ତ୍ତ ବିଭାଗ ପକ୍ଷରୁ ପୁଲିସ କମିସନରଙ୍କୁ କୁହାଯାଇଛି ଯେ ଆପଣ ଯେଉଁ ମରାମତି ଓ ରକ୍ଷଣାବେକ୍ଷଣ ପାଇଁ କହୁଛନ୍ତି ତାହା ଆମେ କରିପାରିବୁନି। କାରଣ ଏହି କୋଠାଟି ଗୃହ ବିଭାଗର ଅଧୀନରେ ଆସୁଛି। କମିସନରେଟ୍ ପୁଲିସ ମୁଖ୍ୟାଳୟର ମରାମତି ଓ ରକ୍ଷଣାବେକ୍ଷଣ ନେଇ ଗୃହ ବିଭାଗ କୌଣସି ଆର୍ଥିକ ସହାୟତା ଅନୁମୋଦନ କରିନି। ତେଣୁ ଗୃହ ବିଭାଗ ଏଥିପାଇଁ ଅନୁଦାନ ଦେଲେ ଆମେ ମରାମତି କାମ କରିବୁ। ନଚେତ୍ କାମ ହୋଇପାରିବନି। ଏନେଇ କମିସନରେଟ୍ ପୁଲିସର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରାୟ ୨ବର୍ଷ ତଳେ ହୋଇଥିବା ଡିଜିପି ସମ୍ମିଳନୀବେଳେ ମୁଖ୍ୟାଳୟ କୋଠାର ବାହାର ପାର୍ଶ୍ବ ରଙ୍ଗ ହୋଇଥିଲା। ହେଲେ ଭିତର ପାର୍ଶ୍ବରେ କିଛି କାମ ହୋଇନି। ଏବେ ବହୁ ସ୍ଥାନରେ କାନ୍ଥରୁ ପାଣି ଝରୁଥିବାରୁୁ ସବୁ ନଷ୍ଟ ହୋଇଗଲାଣି। ଗୃହ ବିଭାଗକୁ ବି ଏନେଇ ଅବଗତ କରାଯାଇଛି। କିନ୍ତୁ କାହିଁକି ଗୃହ ବିଭାଗ ଅର୍ଥ ଅନୁମୋଦନ କରୁନି ଆମେ ବୁଝିପାରୁନୁ। ଏପଟେ ପୂର୍ତ୍ତ ବିଭାଗ ଓ ୱାଟ୍କୋ ସବୁ ସରକାରୀ କାର୍ଯ୍ୟାଳୟର ମରାମତି ଓ ରକ୍ଷଣାବେକ୍ଷଣ ଠିକ୍ ସମୟରେ କରୁଥିବାବେଳେ ଏବେ ଆମକୁ ଅନୁଦାନ ମିଳିନି କହି କାମ କରୁନାହାନ୍ତି।

1 hour ago
1


