ARTICLE AD BOX
ବଙ୍ଗୋପସାଗରର ଉପକୂଳରେ ଠିଆ ହୋଇ ସମୁଦ୍ରର ଗର୍ଜନ ଶୁଣିଲେ ମନରେ ଏକ ଅଲଗା ଅନୁଭୂତି ସୃଷ୍ଟି ହୁଏ। କିନ୍ତୁ ଆଜି ଏହି ଗର୍ଜନ କେବଳ ପ୍ରକୃତିର ସୌନ୍ଦର୍ଯ୍ୟର କାହାଣୀ କୁହେନାହିଁ; ଏହା ଏକ ପରିବର୍ତ୍ତନଶୀଳ ଉପକୂଳୀୟ ପରିବେଶର ସତର୍କବାଣୀ ମଧ୍ୟ ଦେଉଛି। ଏହି ସମୁଦ୍ର ଓ ଭୂମିର ମଧ୍ୟସ୍ଥ ସୀମାରେ ଗଢ଼ିଉଠିଥିବା ଭିତରକନିକାର ମ୍ୟାଙ୍ଗ୍ରୋଭ ଜଙ୍ଗଲ, ଉପକୂଳୀୟ ଆଦ୍ରଭୂମି ଓ ସାମୁଦ୍ରିକ ପରିସ୍ଥିତିତନ୍ତ୍ର (ecosystem) ଅନେକ ପ୍ରଜାତିର ଜୀବନ ଆଧାର। ଜଣେ ପ୍ରକୃତି ପର୍ଯ୍ୟବେକ୍ଷକ ଭାବେ ଏହି ପରିବେଶକୁ ନିକଟରୁ ଦେଖିଲେ ଅନୁଭବ ହୁଏ ଯେ ଜଳବାୟୁ ପରିବର୍ତ୍ତନ ଆଉ ଭବିଷ୍ୟତର ଆଶଙ୍କା ନୁହେଁ—ଏହା ବର୍ତ୍ତମାନର ବାସ୍ତବତା।
ବିଶ୍ୱ ଉଷ୍ମାୟନ ଯୋଗୁଁ ପୃଥିବୀର ତାପମାତ୍ରା ବୃଦ୍ଧି ପାଉଛି। ଏହାର ପ୍ରଭାବରେ ସମୁଦ୍ର ସ୍ତର ବୃଦ୍ଧି, ଅନିୟମିତ ବର୍ଷା, ଉପକୂଳ କ୍ଷୟ, ଲବଣତା ବୃଦ୍ଧି ଏବଂ ଅଧିକ ତୀବ୍ର ଘୂର୍ଣ୍ଣିଝଡ଼ ଦେଖାଦେଉଛି। ଏହା କେବଳ ମାନବ ଜୀବନ ଓ ଜୀବିକାକୁ ପ୍ରଭାବିତ କରୁନାହିଁ, ବରଂ ମ୍ୟାଙ୍ଗ୍ରୋଭ, ଜଳଜ ପ୍ରାଣୀ, ପକ୍ଷୀ ଓ ସମଗ୍ର ଉପକୂଳୀୟ ଜୈବ ବିବିଧତା ପାଇଁ ମଧ୍ୟ ବଡ଼ ସମସ୍ୟା ସୃଷ୍ଟି କରୁଛି।
Ankita Das Photograph: (Ankita Das)ମ୍ୟାଙ୍ଗ୍ରୋଭ: ଉପକୂଳର ସବୁଜ ପ୍ରାଚୀର
ଭିତରକନିକାର ମ୍ୟାଙ୍ଗ୍ରୋଭ ଅରଣ୍ୟ ଓଡ଼ିଶାର ଏକ ଅମୂଲ୍ୟ ପ୍ରାକୃତିକ ସମ୍ପଦ। ଏହା ଘୂର୍ଣ୍ଣିଝଡ଼ର ବେଗ କମାଇବା, ଜଳୋତ୍ତାଳନର ପ୍ରଭାବ ହ୍ରାସ କରିବା ଓ ଉପକୂଳ କ୍ଷୟ ରୋକିବାରେ ପ୍ରାକୃତିକ କବଚ ଭାବେ କାର୍ଯ୍ୟ କରେ।
ମ୍ୟାଙ୍ଗ୍ରୋଭକୁ “ବ୍ଲୁ କାର୍ବନ୍ ଇକୋସିଷ୍ଟମ୍” କୁହାଯାଏ, କାରଣ ଏହା ବହୁ ପରିମାଣରେ କାର୍ବନ୍ ସଂରକ୍ଷଣ କରି ଜଳବାୟୁ ପରିବର୍ତ୍ତନର ପ୍ରଭାବ କମାଏ। କିନ୍ତୁ ସମୁଦ୍ର ସ୍ତର ବୃଦ୍ଧି, ବାରମ୍ବାର ଘୂର୍ଣ୍ଣିଝଡ଼ ଓ ଲବଣତା ବୃଦ୍ଧି ଯୋଗୁଁ ଏହା ଚାପରେ ଅଛି। ବିଶେଷକରି ମ୍ୟାଙ୍ଗ୍ରୋଭ ଖଜୁରୀ/ହେଣ୍ଟାଳ ଗଛ (Phoenix paludosa) ର ହ୍ରାସ ଚିନ୍ତାର ବିଷୟ, କାରଣ ଏହା କୁମ୍ଭୀର ଓ ଅନ୍ୟାନ୍ୟ ବନ୍ୟଜୀବ ପାଇଁ ଆବାସ ଯୋଗାଇଥାଏ।
Ankita Das Photograph: (Ankita Das)ବିପଦରେ ଲୁଣିଆ ପାଣି କୁମ୍ଭୀର, ଅଲିଭ୍ ରିଡ୍ଲେ କଇଁଛ, ହର୍ସ-ଶୁ କ୍ରାବ୍
ଭିତରକନିକା ଲୁଣିଆ ପାଣି କୁମ୍ଭୀର (Crocodylus porosus) ଙ୍କ ଗୁରୁତ୍ୱପୂର୍ଣ୍ଣ ଆବାସସ୍ଥଳୀ। ଖାଡ଼ି ପରିବେଶ ଏହାଙ୍କ ଖାଦ୍ୟ, ପ୍ରଜନନ ଓ ଆଶ୍ରୟର ମୁଖ୍ୟ ଆଧାର। ସମୁଦ୍ର ସ୍ତର ବୃଦ୍ଧି, ବନ୍ୟା ଓ ଘୂର୍ଣ୍ଣିଝଡ଼ ଅଣ୍ଡା ଦେବା ସ୍ଥାନକୁ ପ୍ରଭାବିତ କରିପାରେ। ବଢ଼ୁଥିବା ଜଳସ୍ତର ଏହି ସ୍ଥାନଗୁଡ଼ିକୁ ଜଳମଗ୍ନ କରିପାରେ।
ଗହୀରମଥା ଅଲିଭ୍ ରିଡ୍ଲେ କଇଁଛ (Lepidochelys olivacea) ଙ୍କ ବିଶ୍ୱର ସର୍ବବୃହତ୍ ସାମୁହିକ ଅଣ୍ଡାଦାନ ସ୍ଥଳୀ ମଧ୍ୟରୁ ଗୋଟିଏ। ପ୍ରତିବର୍ଷ ଲକ୍ଷାଧିକ କଇଁଛ ଏଠାକୁ ଆସନ୍ତି। କିନ୍ତୁ ସମୁଦ୍ର ସ୍ତର ବୃଦ୍ଧି ଓ ଉପକୂଳ କ୍ଷୟ ଯୋଗୁଁ ବାଲୁକାମୟ ପ୍ରଜନନ ସ୍ଥାନ କମୁଛି। ବାଲିର ତାପମାତ୍ରା ବଢ଼ିଲେ ଅଧିକ ମାଇ କଇଁଛ ଜନ୍ମ ନେଇପାରନ୍ତି, ଯାହା ଭବିଷ୍ୟତ ଜନସଂଖ୍ୟା ସନ୍ତୁଳନକୁ ପ୍ରଭାବିତ କରିପାରେ।
ହର୍ସ-ଶୁ କ୍ରାବ୍ ପରି ପ୍ରାଚୀନ ସାମୁଦ୍ରିକ ପ୍ରାଣୀମାନେ ମଧ୍ୟ ବିପଦରେ ଅଛନ୍ତି। ଉପକୂଳର ଭୌଗୋଳିକ ପରିବର୍ତ୍ତନ (shoreline alteration), ସମୁଦ୍ର ସ୍ତର ବୃଦ୍ଧି ଓ ଉପକୂଳ କ୍ଷୟ ଏହାଙ୍କର ପ୍ରଜନନ ଆବାସକୁ ପ୍ରଭାବିତ କରୁଛି।
Ankita Das Photograph: (Ankita Das)ମାଛ ସମ୍ପଦ ଓ ପକ୍ଷୀ ଉପରେ ପ୍ରଭାବ
ମ୍ୟାଙ୍ଗ୍ରୋଭ ଓ ଉପକୂଳୀୟ ଜଳଭାଗ ଅନେକ ମାଛ ପ୍ରଜାତି ପାଇଁ ପ୍ରାକୃତିକ ପ୍ରଜନନ ଓ ନର୍ସରୀ କ୍ଷେତ୍ର। ଲବଣତା ବୃଦ୍ଧି, ନଦୀ ପ୍ରବାହର ପରିବର୍ତ୍ତନ, ଜଳର ତାପମାତ୍ରା ବୃଦ୍ଧି ଓ ଅତ୍ୟଧିକ ମାଛଧରା ଯୋଗୁଁ କିଛି ପ୍ରଜାତି ପ୍ରଭାବିତ ହେଉଛି।
ଏହି ମ୍ୟାଙ୍ଗ୍ରୋଭ ଓ ଆଦ୍ରଭୂମି ପରିସ୍ଥିତିତନ୍ତ୍ର କିଙ୍ଗଫିଶର ଓ ଅନ୍ୟାନ୍ୟ ସ୍ଥାୟୀ ପକ୍ଷୀଙ୍କ ସହିତ ପ୍ରବାସୀ ପକ୍ଷୀଙ୍କୁ ଖାଦ୍ୟ, ଆଶ୍ରୟ ଓ ପ୍ରଜନନ ପାଇଁ ଉପଯୁକ୍ତ ପରିବେଶ ଯୋଗାଇଥାଏ। ଘୂର୍ଣ୍ଣିଝଡ଼ରେ ଗଛ ଭାଙ୍ଗିଯିବା, ଆଦ୍ରଭୂମି ସଙ୍କୁଚିତ ହେବା ଓ ଜଳର ଗୁଣବତ୍ତା ପରିବର୍ତ୍ତନ ହେବାରୁ ସେମାନଙ୍କର ଆଶ୍ରୟ ଓ ଖାଦ୍ୟ ଉତ୍ସ ଉଭୟ ପ୍ରଭାବିତ ହେଉଛି। ଅତ୍ୟଧିକ ଲବଣତା ଯୋଗୁଁ ଏକ ଦୀର୍ଘ ସମୟ ମଧ୍ୟରେ ମାଟି ଓ ଭୂଗର୍ଭ ଜଳରେ ଲବଣତା ବୃଦ୍ଧି ପାଇ ଲୁଣିଆ ଜଳଭଣ୍ଡାର (saline aquifer) ଗଠିତ ହୋଇପାରେ, ଯାହା ଫଳରେ ବର୍ତ୍ତମାନର ଉଦ୍ଭିଦ ଆବରଣ ନଷ୍ଟ ହୋଇଯାଏ। ତାପମାତ୍ରା ବୃଦ୍ଧି ମ୍ୟାଙ୍ଗ୍ରୋଭ ପ୍ରଜାତିର ଗଠନ ଓ ବିତରଣରେ ପରିବର୍ତ୍ତନ ଆଣିପାରେ, ଯାହା ଆଦ୍ରଭୂମିରେ ମ୍ୟାଙ୍ଗ୍ରୋଭର ଜୈବିକ କ୍ରିୟାକଳାପ ଓ ଉତ୍ପାଦକତାକୁ ପ୍ରଭାବିତ କରେ। ଏହାର ପରୋକ୍ଷ ପ୍ରଭାବ ପ୍ରବାସୀ ପକ୍ଷୀମାନଙ୍କ ଉପରେ ପଡ଼ିପାରେ ।
ସଂରକ୍ଷଣ ହିଁ ଭବିଷ୍ୟତର ଆଶା
ପରିସ୍ଥିତି ଚିନ୍ତାଜନକ ହେଲେ ମଧ୍ୟ ସମସ୍ତଙ୍କର ସମନ୍ୱିତ ପ୍ରୟାସ ମାଧ୍ୟମରେ ଏହାର ପ୍ରଭାବ କମାଇହେବ। ମ୍ୟାଙ୍ଗ୍ରୋଭ ଓ ଆଦ୍ରଭୂମି ସୁରକ୍ଷା, କ୍ଷୟିତ ମ୍ୟାଙ୍ଗ୍ରୋଭ ଅଞ୍ଚଳରେ ପୁନଃରୋପଣ, ଜଳଜ ପ୍ରଜାତି ସଂରକ୍ଷଣ, ଟିକାଉ ମାଛଧରା ପ୍ରଣାଳୀ ଏବଂ ସ୍ଥାନୀୟ ସମୁଦାୟର ସକ୍ରିୟ ସହଭାଗିତା ଏହି ପ୍ରୟାସର ମୁଖ୍ୟ ଅଂଶ। ପ୍ରତ୍ୟେକ ନାଗରିକ ପ୍ରକୃତି ଓ ବନ୍ୟଜୀବ ସୁରକ୍ଷା ପ୍ରତି ସଚେତନ ହେବା ଏବଂ ସଂରକ୍ଷଣ କାର୍ଯ୍ୟରେ ଯୋଗଦେଇ ଉପକୂଳୀୟ ଜୈବ ବିବିଧତାର ସୁରକ୍ଷାରେ ଅବଦାନ ରଖିପାରିବେ। ବଙ୍ଗୋପସାଗର ଓ ଏହାର ପରିସ୍ଥିତିତନ୍ତ୍ରର ସୁରକ୍ଷା ମାନେ ଆମର ଭବିଷ୍ୟତର ସୁରକ୍ଷା।
ଡ଼. ଅଙ୍କିତା ଦାସ ଓଡ଼ିଶାର ବାଲେଶ୍ୱର ଜିଲ୍ଲାର ବାସିନ୍ଦା ଏବଂ ଦେହରାଦୂନସ୍ଥିତ ୱାଇଲ୍ଡଲାଇଫ୍ ଇନଷ୍ଟିଟ୍ୟୁଟ ଅଫ୍ ଇଣ୍ଡିଆରୁ ବନ୍ୟଜୀବ ବିଜ୍ଞାନରେ ପିଏଚ୍.ଡି. ହାସଲ କରିଛନ୍ତି। ବର୍ତ୍ତମାନ ସେ ଜଣେ ସ୍ୱାଧୀନ ଗବେଷକ ଭାବେ ପରିବେଶ ସମସ୍ୟା, ଜୈବ ବିବିଧତା ସଂରକ୍ଷଣ, ପରିବେଶ ପୁନରୁଦ୍ଧାର (Eco-restoration) ଏବଂ ଜଳବାୟୁ କାର୍ଯ୍ୟକ୍ରମ ଉପରେ କାର୍ଯ୍ୟ କରୁଛନ୍ତି।
EMAIL ID [email protected]

1 hour ago
2


