ARTICLE AD BOX
ବାଲେଶ୍ବର/ରେମୁଣା: ପୃଥିବୀକୁ ଆମେ ଭାଙ୍ଗିଛୁ, ଏହାକୁ ସଜାଡ଼ିବାର ଦାୟିତ୍ବ ମଧ୍ୟ ଆମର। ପରିବେଶ ପ୍ରଦୂଷଣ ଓ ଜଳବାୟୁ ପରିବର୍ତ୍ତନର ପ୍ରଭାବ ସମ୍ପର୍କରେ ଜାଣିଥିଲେ ମଧ୍ୟ ଆମେ ଏଯାଏ ସଚେତନ ହୋଇନାହୁଁ। ଏବେ ନିଜ ଦାୟିତ୍ବକୁ ଉପଲବ୍ଧି କରିବାର ସମୟ ଆସିଛି। ‘ପୁନଶ୍ଚ ପୃଥିବୀ’ କାର୍ଯ୍ୟକ୍ରମ ଆମକୁ ସେହି ଦାୟିତ୍ବ ମନେପକାଇ ଦେଉଛି। ‘ସମ୍ବାଦ’ ପକ୍ଷରୁ ଆୟୋଜିତ ‘ପୁନଶ୍ଚ ପୃଥିବୀ’ ସମ୍ମେଳନର ତୃତୀୟ ସଂସ୍କରଣର ‘ଗ୍ରିନ୍ କ୍ୟାମ୍ପସ୍ ଆଣ୍ଡ୍ ଦି ଡିମାଣ୍ଡ୍ସ ଅଫ୍ ଜେନ୍-ସି (ଜେନେରେସନ୍ କ୍ଲାଇମେଟ୍)’ କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ବିଶ୍ବବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ କୁମାର ତ୍ରିପାଠୀ ଏହା କହିଛନ୍ତି।
ଗୁରୁବାର ଦିନ ଫକୀରମୋହନ ବିଶ୍ବବିଦ୍ୟାଳୟ ‘ପି.ଜି. କାଉନ୍ସିଲ୍ କନ୍ଫେରେନ୍ସ ହଲ୍’ଠାରେ ଏହି ସମ୍ମିଳନୀ ଅନୁଷ୍ଠିତ ହୋଇଥିଲା। କୁଳପତି ପ୍ର. ତ୍ରିପାଠୀ କହିଥିଲେ, ଅପ୍ରତ୍ୟାଶିତ ବନ୍ୟା, ଅପ୍ରତ୍ୟାଶିତ ପାହାଡ଼ ଧସିବା, ଅପ୍ରତ୍ୟାଶିତ ଅଗ୍ନି କହି ଆମେ ଆମ ଦାୟିତ୍ବରୁ ଓହରି ଯାଉଛେ। କଥାରେ ଅଛି ଚେଇଁ ଶୋଇଥିବା ଯିଏ, ତାକୁ ଉଠେଇବ କିଏ। ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ ବିଷୟରେ ଆମେ ସମସ୍ତେ ଜାଣିଛେ, ତାର ପ୍ରଭାବରେ କଣ କଣ ହେଉଛି ତାକୁ ବି ବୁଝିଛେ। କିନ୍ତୁ ଆମେ ସଚେତନ ନୁହନ୍ତି। ଏବେ ଆମର ଦାୟିତ୍ବକୁ ଉପଲବ୍ଧି କରିବାର ସମୟ ଆସିଛି।
ଏହି ଅବସରରେ କୁଳପତି କହିଥିଲେ, ଗ୍ରିନ୍ କ୍ୟାମ୍ପସ୍ ପାଇଁ ବିଶ୍ବବିଦ୍ୟାଳୟ ଅନେକ ପଦକ୍ଷେପ ନେଇଛି। ଯୋଜନା କେବଳ କ୍ୟାମ୍ପସ୍ରେ ସୀମିତ ନାହିଁ। ୫ଟି ଗାଁକୁ ପୋଷ୍ୟ ଗ୍ରାମ ଭାବେ ଗ୍ରହଣ କରି ସଚେତନତା ଓ ବୃକ୍ଷରୋପଣ ଭଳି କାର୍ଯ୍ୟ ମଧ୍ୟ କରାଯାଉଛି। ଆଗାମୀଦିନରେ ନିକଟସ୍ଥ ଅଞ୍ଚଳର ଗୋଟିଏ ବି ପୋଖରୀକୁ ନଷ୍ଟ ହେବାକୁ ଦିଆଯିବ ନାହିଁ। ପୋଖରୀଗୁଡ଼ିକର ପୁନରୁଦ୍ଧାର ଦିଗରେ ବିଶ୍ବବିଦ୍ୟାଳୟ ଦାୟିତ୍ବ ନେବ। ଏଥିସହ ବିଶ୍ବବିଦ୍ୟାଳୟକୁ ସମ୍ପୂର୍ଣ୍ଣ ପ୍ଲାଷ୍ଟିକ୍ମୁକ୍ତ କରାଯିବ ବୋଲି ସେ ଘୋଷଣା କରିଥିଲେ।
ପରିବେଶବିତ୍ ଡ. ସୁବ୍ରତ ନାୟକ ପରିବେଶ ପ୍ରତି ଦାୟିତ୍ବବୋଧ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ, ପ୍ରଥମେ ପରିବେଶ ବିଗିଡ଼ିବାର କାରଣ ଜାଣିବା, କେଉଁଠି ଭୁଲ୍ ରହିଲା, ତାହା ଜାଣିବା ବହୁତ ଜରୁରି। ଆଜିର ଦିନରେ ଯୁବକମାନେ ଚାହିଲେ କିଛି ବି କରିପାରିବେ। ପରିବେଶ ପାଇଁ ମୁଁ କଣ କରିପାରିବି ତାକୁ ଦାୟିତ୍ବ ଦେଇ ଭାବିବା ଓ ତାକୁ କରିବା ପାଇଁ ସେ ଆହ୍ବାନ ଦେଇଥିଲେ।
Protest: ନିର୍ବାଚନ କମିସନ୍ ବିରୋଧରେ ରାସ୍ତାକୁ ଓହ୍ଲାଇବ ବିରୋଧୀ ମେଣ୍ଟ, ସିଜେପି
/filters:format(webp)/sambad/media/media_files/2026/10/01/whatsapp-image-2026-10-01-20-41-56.jpeg)
ଏଫ୍ଏମ୍ୟୁ ପିଜି କାଉନ୍ସିଲ୍ ଅଧ୍ୟକ୍ଷ ସନ୍ତୋଷ କୁମାର ଅଗ୍ରୱାଲା କହିଥିଲେ, ବିଶ୍ବବିଦ୍ୟାଳୟକୁ ଗ୍ରିନ୍ କ୍ୟାମ୍ପସ୍ କରାଯାଇଛି। ଏହି ଅଭ୍ୟାସକୁ ସମାଜର ସବୁସ୍ତରକୁ ପହଞ୍ଚାଇବା ଏବେ ଆବଶ୍ୟକ। ପରିବେଶ ସୁରକ୍ଷା ପାଇଁ ସଚେତନ କରିବାକୁ ଆମେ ଶେଷ ପିଢ଼ି, ନହେଲେ ବହୁତ ବିଳମ୍ବ ହୋଇଯିବ। ପରିବେଶ ପାଇଁ ଗ୍ରିନ୍ ଚିନ୍ତାଧାରା ହେବା ସବୁଠାରୁ ଗୁରୁତ୍ବପୂର୍ଣ୍ଣ। ପରିବର୍ତ୍ତନ ପାଇଁ ଆମ ମାନସିକତା ପରିବର୍ତ୍ତନ କରିବା ପ୍ରଥମେ ଦରକାର ବୋଲି ସେ କହିଥିଲେ। ଭୂଗୋଳ ବିଭାଗର ପ୍ରଫେସର ମନୋରଞ୍ଜନ ମିଶ୍ର ବଢ଼ୁଥିବା ତାପମାତ୍ରାକୁ ଉଦାହରଣ ଦେଇ ‘କ୍ୟାମ୍ପସ କାହିଁକି ଗ୍ରୀନ୍ ହେବା ଦରକାର’ ବିଷୟରେ ଆଲୋଚନା କରିଥିଲେ। ତାପମାତ୍ରା ୦.୫ ଡିଗ୍ରୀ ବଢ଼ିଗଲା ଯୋଗୁ ଗ୍ଲାସିଅର୍ ତରଳୁଛି। ଆକଳନ କହୁଛି ଓଡ଼ିଶା ତାପମାତ୍ରା ୨୦୩୬ ସୁଦ୍ଧା ୧.୨ ରୁ ୧.୫ ବଢ଼ିବ। ବନ୍ୟା ହେଉ କି ଜଳବାୟୁ ପରିବର୍ତ୍ତନ, ବିପର୍ଯ୍ୟୟ ସବୁ ମନୁଷ୍ୟକୃତ। କେବଳ ଗ୍ରିନ୍ କ୍ୟାମ୍ପସ୍ର ଆବଶ୍ୟକତା ଉପରେ ଆଲୋଚନା କରିଦେଲେ ହେବ ନାହିଁ, ତାକୁ ଭଲଭାବେ ଆମକୁ ବୁଝି ଆପଣାଇବାକୁ ପଡ଼ିବ ବୋଲି ସେ କହିଥିଲେ। ଆମେ କେଉଁ ପରିବେଶରେ ରହିବା, ଆମ ପରପିଢ଼ି ପାଇଁ କେଉଁ ପରିବେଶ ରଖିବା, ତାକୁ ଭାବିବା ଆମ ଦାୟିତ୍ଵ। ପରିବେଶ ବିଜ୍ଞାନ ବିଭାଗ ମୁଖ୍ୟ ପ୍ରଫେସର୍ ସୂର୍ଯ୍ୟେନ୍ଦୁ କୁମାର ଦେ’ ବଢ଼ୁଥିବା ତାପମାତ୍ରା ଓ ଋତୁଚକ୍ରର ପରିବର୍ତ୍ତନ ନେଇ ଚିନ୍ତା ପ୍ରକାଶ କରିଥିଲେ। ତାର ପରିଣାମ ସ୍ବରୂପ ନେପାଳ, ସିକିମ ଦୁର୍ଦଶା ସମସ୍ତେ ଦେଖିଛନ୍ତି। ସବୁବର୍ଷ ତାପମାତ୍ରା ବଢିବା ଏକ ଧାରା ହୋଇଯାଇଛି। ଆଉ ୬ ଋତୁ ଅନୁଭବ ହେଉନି। ଶରତ, ବସନ୍ତ ଓ ହେମନ୍ତ କୁଆଡେ ଚାଲି ଯାଇଛନ୍ତି। ଏମିତି ଚାଲିଲେ ଶୀତ ବି କମ୍ ହେଇଯିବ, ବର୍ଷା ଓ ଗ୍ରୀଷ୍ଣ ରହିବ। ସେଥିପାଇଁ ଏବେର ପିଢ଼ିକୁ ଅଧିକ ସଚେତନ ହେବାକୁ ପଡ଼ିବ ବୋଲି କହିଥିଲେ। ଏଥିସହିତ, ବିଶ୍ବବିଦ୍ୟାଳୟର ୧୪ଜଣ ଛାତ୍ରଛାତ୍ରୀ ଏହି ପ୍ରସଙ୍ଗରେ ମତ ରଖିଥିଲେ।
‘ସମ୍ବାଦ’ର ସଂସ୍କରଣ ମୁଖ୍ୟ ଚିତ୍ତରଞ୍ଜନ ଚିରଞ୍ଜିତ ପ୍ରାରମ୍ଭିକ ସୂଚନା ଦେବାସହିତ କାର୍ଯ୍ୟକ୍ରମ ସଞ୍ଚାଳନ କରିଥିଲେ। କନକ ନ୍ୟୁଜ୍ ବାଲେଶ୍ବର ବ୍ୟୁରୋ ମୁଖ୍ୟ ସୁମୋନା ପରିଡ଼ା ସ୍ବାଗତ ଭାଷଣ ଦେଇଥିଲା ବେଳେ ବାଲେଶ୍ବର ଜିଲ୍ଲା ପ୍ରତିନିଧି ରିତେନ୍ଦ୍ର ଛାଟୋଇ ଧନ୍ୟବାଦ ଅର୍ପଣ କରିଥିଲେ।

40 minutes ago
1


