ARTICLE AD BOX
ଭୁବନେଶ୍ବର (ସସ୍ମିତା ସାହୁ): ଓଡ଼ିଶାର ପ୍ରତି ବ୍ଲକ୍ରେ ଖୋଲିବ ସିନେମା ହଲ୍। ଗ୍ରାମାଞ୍ଚଳର ଲୋକ ନିଜ ଅଞ୍ଚଳରେ ହିଁ ସିନେମା ହଲ୍ରେ ଚଳଚ୍ଚିତ୍ର ଦେଖିବାର ସୁଯୋଗ ପାଇବେ। ନିକଟରେ ରାଜ୍ୟ ଚଳଚ୍ଚିତ୍ର ଉତ୍ସବରେ ସରକାରଙ୍କ ପକ୍ଷରୁ ଏପରି ଘୋଷଣା କରାଯାଇଥିଲା। ଏହି ଘୋଷଣା ଶୁଣିବାକୁ ଠିକ୍ ଲାଗୁଥାଇପାରେ। କିନ୍ତୁ ତୃଣମୂଳସ୍ତରର ବାସ୍ତବତା ଭିନ୍ନ। ଏବେ ବି କେନ୍ଦ୍ରାପଡ଼ା ଓ ପୁରୀ ପରି କିଛି ଜିଲ୍ଲାର ମୁଖ୍ୟାଳୟରେ ସିନେମା ହଲ୍ ନାହିଁ। କଟକ, ଭୁବନେଶ୍ବର, ରାଉରକେଲା ଓ ବ୍ରହ୍ମପୁର ଭଳି ସହରାଞ୍ଚଳରେ ଅଧିକ ହଲ୍ ରହିଥିବା ବେଳେ ଓଡ଼ିଆ ଚଳଚ୍ଚିତ୍ର ପାଇଁ ଏସବୁରେ ଅଧିକାଂଶ ସମୟ ସୋ’ ହିଁ ମିଳେ ନାହିଁ। ୧୯୯୯ ମହାବାତ୍ୟା ପୂର୍ବରୁ ଓଡ଼ିଶାରେ ୧୦୦ରୁ ଅଧିକ ହଲ୍ ଥିଲା। ଓଡ଼ିଶାର ଜନସଂଖ୍ୟା ଓ ଲୋକଙ୍କ ଚାହିଦାକୁ ଦେଖି ୨୫୦ରୁ ଅଧିକ ହଲ୍ର ଆବଶ୍ୟକତା ରହିଛି। କିନ୍ତୁ ରହିଛି ମାତ୍ର ୫୨ଟି। ସେଥିରୁ ୩୦ଟି ମଲ୍ଟିପ୍ଲେକ୍ସ ଓ ୨୨ଟି ସିଙ୍ଗଲ୍ ସ୍କ୍ରିନ୍। ମହାବାତ୍ୟା ପରେ ଅଧିକାଂଶ ଫିଲ୍ମ ହଲ୍ ବନ୍ଦ ହୋଇଗଲା। ସରକାରୀ ପ୍ରୋତ୍ସାହନ ଅଭାବରୁ ଗତ ୧୦ରୁ ୧୫ ବର୍ଷ ମଧ୍ୟରେ ୪୦ରୁ ଅଧିକ ହଲ୍ ବନ୍ଦ ହୋଇଥିବା ଜଣାପଡ଼ିଛି।
Neglect: ୬୪୨ ଅଙ୍ଗନବାଡ଼ି କେନ୍ଦ୍ରରେ ନାହିଁ ବିଦ୍ୟୁତ ସଂଯୋଗ, ୭୫୦ଟିରେ ଶୌଚାଳୟ
ଓଡ଼ିଆ ସିନେମାର ଚାହିଦା ବଢ଼ୁଛି, ଭିତ୍ତିଭୂମି ଅଭାବ
ପଡ଼ୋଶୀ ରାଜ୍ୟ ତୁଳନାରେ ହଲ୍ ସଂଖ୍ୟା ନଗଣ୍ୟ
ଭୁବନେଶ୍ବରରେ ଏକାମ୍ର, ରବି ଟକିଜ୍ ଭଳି ହଲ୍ ସବୁଦିନ ପାଇଁ ବନ୍ଦ ହୋଇଯାଇଛି। ରାଜଧାନୀର ୨୦ରୁ ଅଧିକ ସ୍କ୍ରିନ୍ ହିଁ ରାଜଧାନୀବାସୀଙ୍କ ମନୋରଞ୍ଜନ କ୍ଷୁଧା ମେଣ୍ଟାଉଛି। ଖୋରଧା ଜିଲ୍ଲା ମୁଖ୍ୟାଳୟ କିମ୍ବା ପୁରୀ ସହରରେ ଏବେ ସିନେମା ହଲ୍ଟିଏ ନାହିଁ। କଟକରେ ନିଶାମଣି, ଗ୍ରାଣ୍ଡ ସିନେମା, ଜୟଶ୍ରୀ ଆଦି ହଲ୍ ବନ୍ଦ ହୋଇଯାଇଛି। ଏହି ସହରରେ ଏବେ ମାତ୍ର ୫ଟି ସ୍କ୍ରିନ୍ରେ ଚଳଚ୍ଚିତ୍ର ପଡ଼ୁଛି। ଆଠଗଡ଼ରେ ଗୋଟିଏ ସିନେମା ହଲ୍ ‘ଗଣେଶ ଟକିଜ୍’ ଚାଲିଛି। ଓଡ଼ିଆ ଫିଲ୍ମ ଅଧିକ ମାତ୍ରାରେ ଦେଖୁଥିବା ଉପକୂଳ ଜିଲ୍ଲା ଜଗତସିଂହପୁର, ଭଦ୍ରକ, ବାଲେଶ୍ବର, ଯାଜପୁରରେ ମଧ୍ୟ ହଲ୍ ସଂଖ୍ୟା ଅତି ନଗଣ୍ୟ ପାଲଟିଗଲାଣି। ଜଗତସିଂହପୁରରେ ପୂର୍ବରୁ ୮ଟି ହଲ୍ ଥିଲା ବେଳେ ସେଥିରୁ ୫ଟିରେ ତାଲା ଝଲୁଛି। ସେହିପରି ଅନୁଗୁଳ ଜିଲ୍ଲାରେ ୮ଟି ସିନେମା ହଲ୍ ଥିଲା। ଏବେ ୨ଟି ସିନେମା ହଲ୍ ରହିଛି। ଢେଙ୍କାନାଳ ଜିଲ୍ଲାରେ ମାତ୍ର ଗୋଟିଏ ସିନେମା ହଲ୍ ‘ପିଏସ୍ଆର୍’ ଥିବା ବେଳେ ସେଥିରେ ବି କାଁ ଭାଁ ସୋ’ ପଡ଼ୁଛି। ଯାଜପୁର ଜିଲ୍ଲାରେ ପୂର୍ବରୁ ୧୧ଟି ହଲ୍ ଥିଲା ବେଳେ ଏବେ ମାତ୍ର ୪ଟି ହଲ୍ କାର୍ଯ୍ୟକ୍ଷମ ଅଛି। ଅନ୍ୟପଟେ, କେନ୍ଦ୍ରାପଡ଼ା ଜିଲ୍ଲାରେ ଭାସ୍କର ଓ ତାରିଣୀ ସିନେମା ହଲ୍ କେଉଁ କାଳରୁ ବନ୍ଦ ହୋଇଗଲାଣି। ବାଲେଶ୍ବର ଜିଲ୍ଲାରେ ଏକଦା ପ୍ରାୟ ୧୫ଟି ସିନେମା ହଲ୍ ଥିଲା। ଏବେ ମାତ୍ର ଗୋଟିଏ ହିଁ ସିନେମା ହଲ୍ ଚାଲିଛି। ମୟୂରଭଞ୍ଜରେ ଗୋଟିଏ ସିନେମା ହଲ୍ ‘ରକ୍ସି’ ଚାଲିଛି। ଅବଶିଷ୍ଟ ୫ଟି ସିନେମା ବନ୍ଦ ହୋଇଗଲାଣି।
Horoscope 2026 August 08: ଜାଣନ୍ତୁ ଆଜିର ରାଶିଫଳ...
ମାଲକାନଗିରିରେ ଗୋଟିଏ ସିନେମା ହଲ୍ ରହିଛି। ସମ୍ବଲପୁର ଜିଲ୍ଲାରେ ‘ଆଇନକ୍ସ’କୁ ଛାଡ଼ି ଆଉ ଗୋଟିଏ ବି ସିନେମା ହଲ୍ ନାହିଁ। ଅନ୍ୟପଟେ ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ସହରରେ ୫ଟି ସିନେମା ହଲ୍ ରହିଛି। ଅବଶିଷ୍ଟ ଜିଲ୍ଲାରେ ବେଗୁନିଆପଡ଼ାରେ ଗୋଟିଏ ସିନେମା ହଲ୍ କାର୍ଯ୍ୟକ୍ଷମ ରହିଛି। ଦକ୍ଷିଣୀ ରାଜ୍ୟଗୁଡ଼ିକରେ ପ୍ରତି ୨ ଲକ୍ଷ ଲୋକରେ ଗୋଟିଏ ସିନେମା ହଲ୍ କରାଯାଇଛି। ପଡ଼ୋଶୀ ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା ୨୬, ହେଲେ ସିନେମା ହଲ୍ ସଂଖ୍ୟା ୨,୮୦୦ରୁ ଅଧିକ। ପଶ୍ଚିମବଙ୍ଗର ଜିଲ୍ଲା ସଂଖ୍ୟା ୩୦ ହୋଇଥିବା ବେଳେ ସେଠି ଫିଲ୍ମ ହଲ୍ ସଂଖ୍ୟା ୪୦୦ରୁ ଅଧିକ, କିନ୍ତୁ ଓଡ଼ିଶାରେ ମାତ୍ର ୫୨ଟି। ଯଦିଓ ବ୍ୟାବସାୟିକ ଫିଲ୍ମ ଦୃଷ୍ଟିରୁ ଦେଖିଲେ ବଙ୍ଗଳା ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିର ସ୍ଥିତି ସହିତ ପ୍ରାୟ ସମାନ। ସେପଟେ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ ସ୍ଥିତି ଆହୁରି ସଙ୍ଗିନ। ସେଠାରେ ୨ ବର୍ଷ ହେଲା ଅଧ୍ୟକ୍ଷ ନାହାନ୍ତି। ସ୍ଥାୟୀ ପରିଚାଳନା ନିର୍ଦ୍ଦେଶକ ବି ନାହାନ୍ତି। ୨୩ଟି ମଞ୍ଜରିପ୍ରାପ୍ତ ପଦବି ସୃଷ୍ଟି କରିଥିବା ବେଳେ ଏଥିରେ ଅଛନ୍ତି ମାତ୍ର ୫ କର୍ମଚାରୀ। ଏଭଳି ସ୍ଥଳେ ରାଜ୍ୟ ଚଳଚ୍ଚିତ୍ର ନୀତି କାର୍ଯ୍ୟକାରୀ ହେବ କେମିତି? ସିନେମା ହଲ୍ ନିର୍ମାଣ ପାଇଁ ରିହାତି ମିଳିବ କେମିତି?

1 week ago
4


