Chinmay Chetna: ଚିନ୍ମୟ ଚେତନା: ‘ନା, ନା’ର ରହସ୍ୟ

1 hour ago 1
ARTICLE AD BOX

ଚିନ୍ମୟ ହୋତା 

ଆମେ ଭାରତୀୟମାନେ କଥାବାର୍ତ୍ତା କଲାବେଳେ ଗୋଟେ ମଜାଳିଆ ନିୟମ ପାଳିଥାଉ। ଯାହା କହିଲେ ବି, ଯେଉଁ ଉତ୍ତରଟି ପାଇଥାଉ ତାହା ପ୍ରାୟ ଆରମ୍ଭ ହୋଇଥାଏ ‘ନା, ନା’ କିମ୍ବା ‘ନା, କିନ୍ତୁ…’ରୁ। ଆଶ୍ଚର୍ଯ୍ୟର ବିଷୟ, ଏଇ ନା କିନ୍ତୁ ସବୁବେଳେ ନା ନୁହେଁ। ଅନେକ ସମୟରେ ତା’ ଭିତରେ ଲୁଚି ରହିଥାଏ ହଁ, ସମ୍ମତି ଓ ସୌଜନ୍ୟ। “ଚା’ ପିଇବେ?”, “ନା, ନା।” କିନ୍ତୁ ଚା’ ଆସିଯିବ। ତିଆରି ହୋଇଯାଇଥିଲା ତ! ଏଣୁ ତା’ର ମଜା ଉଠାଇଲେ କ୍ଷତି କ’ଣ? ‘‘ଆଉ ଗୋଟେ ରସଗୋଲା ନିଅନ୍ତୁ ନା!’’, “ନା, ନା, ଆଉ ନୁହେଁ।’’ ରସଗୋଲା ପୁଡ଼ିଆଟି ଶେଷ ପର୍ଯ୍ୟନ୍ତ ଖାଲି ହୋଇଯିବ। କ’ଣ କରିବେ, କିଣା ହୋଇ ଆସିଥିବା ରସଗୋଲାକୁ ତ ପୁଣି ଶେଷ କରିବାକୁ ପଡ଼ିବ। 

CJP: ସେପ୍ଟେମ୍ବର ୫ରେ ସିଜେପିର ପଦଯାତ୍ରା ଘୋଷଣା ସରକାର ପ୍ରତିଶ୍ରୁତି ପୂରଣ କରି ନ ଥିବା ଅଭିଯୋଗ

ନୂଆ ଜ୍ୱାଇଁ କ୍ଷେତ୍ରରେ ମଧ୍ୟ ଏହି ‘ନା, ନା’ର ରୀତିଟି ସୁନ୍ଦର ଭାବେ ଅଭିନୀତ ହୁଏ। ଶାଶୂ କୌଣସି ଖାଦ୍ୟ ଦ୍ବିତୀୟ ଥର ପରଷିଲେ ଆଦର୍ଶ ଜ୍ୱାଇଁଙ୍କୁ ‘‘ନା, ନା, ଆଉ ନୁହେଁ’’ ବୋଲି କହିବାକୁ ପଡ଼ିଥାଏ। ଶାଶୂ ତାଙ୍କର କର୍ତ୍ତବ୍ୟ ପାଳନ କରିବାକୁ ଯାଇ କୁହନ୍ତି, ‘‘ଆରେ, ଆଉ ଟିକେ, ଏତେ ଅଳ୍ପ ତ ଦେଇଥିଲି।’’ ଜ୍ୱାଇଁର ‘ନା’ଟି ଅସଲରେ ଖାଦ୍ୟର ପ୍ରତ୍ୟାଖ୍ୟାନ ନୁହେଁ, ଏହା ଭଦ୍ରତାର ପ୍ରୋଟୋକଲ, ଯାହାକୁ ମାନି ଚାଲିଲେ ପେଟ ଭରିଯାଏ, ଆଉ ସମ୍ପର୍କ ବି। ଆମର ନା, ନା ଖାଲି ଯାହା ନାଁକୁ ସେମିତି, ଟିକିଏ ଭିତରକୁ ପ୍ରବେଶ କଲେ ଦେଖାଯାଏ ସବୁକିଛି ବେଶ୍ ଅସ୍ତିବାଚକ। ଏହା ପଛରେ ଗୋଟିଏ ସାମାଜିକ ମନସ୍ତତ୍ତ୍ୱ ବି ରହିଛି। ଜଣେ ଭାରତୀୟର ମାନସିକତାକୁ ବିଦେଶୀ ଲୁଣ୍ଠନକାରୀ ଓ ସେମାନଙ୍କ ନିର୍ମମ ଶାସନ ଜନିତ ଭୟ ଏବଂ ଔପନିବେଶିକ ଶାସକଙ୍କ ଚଞ୍ଚକତା ଓ ଅମଲାତାନ୍ତ୍ରିକ ଜଟିଳତା ଅନେକ ମାତ୍ରାରେ ପ୍ରଭାବିତ କରିଛି। ଅତୀତର ଏହି ଦୁର୍ଦ୍ଦଶାରୁ ଉତ୍ପନ୍ନ ଅସହାୟତା, ଅନିଶ୍ଚୟତା ଓ ଶଙ୍କା ଆମ ମନରେ ‘ଏଡ଼େଇ ଯିବାର’ ଏକ ମନୋବୃତ୍ତି ତିଆରି କରିଛି। ଆମେ ଧରି ନେଉ ଯେ କୌଣସି ବିଷୟରେ ଚୂଡ଼ାନ୍ତ ହଁ ବା ନା କହିବା ସବୁ ସମୟରେ ନିରାପଦ ନୁହେଁ। କାଲିକୁ ପରିସ୍ଥିତି ବଦଳି ଯାଇପାରେ। ତେଣୁ, ‘ନା, ହେଲେ…’ କଥା ବୁଲେଇ ଦେବାର ଏକ ଅବକାଶ ସୃଷ୍ଟି କରେ। ଏହା ଦ୍ୱାରା ପ୍ରତିପକ୍ଷର କୌଣସି କଥାକୁ ଆପତ୍ତି ଜଣାଇ ହୁଏ, ଅଥଚ ମଣିଷଟି ସାଙ୍ଗରେ ସମ୍ପର୍କ ବା ବୁଝାମଣାଟି ନଷ୍ଟ ହୁଏ ନାହିଁ। 

ନା, ନା କହୁଛି ମାନେ ଆପଣଙ୍କ କଥାର କୌଣସି ଏକ ଅଂଶ ସହ ହୁଏ ତ ମୁଁ ଏକମତ ନୁହେଁ, କିନ୍ତୁ ଆପଣଙ୍କ ସାଙ୍ଗରେ ଝଗଡ଼ା କରିବା ମଧ୍ୟ ମୋର ଉଦ୍ଦେଶ୍ୟ ନୁହେଁ। ବାର୍ତ୍ତାଳାପଟିକୁ ହଠାତ୍ ସମାପ୍ତ କରି ଦେବାକୁ ମୁଁ ଚାହୁଁନାହିଁ। ବରଂ ଟିକେ ସ୍ଥାନ ରଖିଦେବାକୁ ଚାହେଁ- ମୋ ପାଇଁ ଓ ଆପଣଙ୍କ ପାଇଁ। ଯୁକ୍ତିର ପରିଭାଷାରେ ଏହାକୁ ‘ଅସ୍ପଷ୍ଟତା’ କହିପାରନ୍ତି, ସାମାଜିକ ଜୀବନରେ ଏହା ଏକ କାମିକା କୂଟନୈତିକ ବୁଦ୍ଧି। ଖ୍ୟାତନାମା ଭ୍ରମଣ ଲେଖକ ପିକୋ ଆୟାର କଥାଟିକୁ ଦୋହରାଇ ଲେଖିଛନ୍ତି ଯେ ଭାରତୀୟମାନଙ୍କର ଗୋଟିଏ ସାଧାରଣ ବାକ୍ୟ ଆରମ୍ଭ ହୁଏ ‘ନା, କିନ୍ତୁ…’ରୁ। ‘ନା’ ଏଠାରେ ଗୋଟିଏ କବାଟକୁ ବନ୍ଦ କରିବାକୁ ଚେଷ୍ଟା କଲାବେଳେ ‘କିନ୍ତୁ’ ଆଉ ଗୋଟିଏ କବାଟ ଖୋଲି ଦିଏ। ‘କିନ୍ତୁ’ ପରେ ଆରମ୍ଭ ହୁଏ ବ୍ୟାଖ୍ୟା, ପ୍ରସଙ୍ଗ, ସ୍ମୃତି ଓ ଗଳ୍ପ। ସିଧା ସିଧା ‘ହଁ’ କଥୋପକଥନକୁ ସେଇଠି ଶେଷ କରି ଦେଇପାରେ, ‘ନା’ ସମ୍ପର୍କର ଯବନିକା ଟାଣି ଦେଇପାରେ। କିନ୍ତୁ ‘ନା, କିନ୍ତୁ…’ ଆପଣଙ୍କୁ କହେ, ଟିକେ ବସନ୍ତୁ ନା, କଥାଟା ଟିକେ ଖୋଲି କହେ। 

ଏହି କାରଣରୁ ଭାରତୀୟ କଥୋପକଥନ ସରଳରେଖାରେ ଆଗାଏ ନାହିଁ; ନଈ ଭଳି ଅଙ୍କାବଙ୍କା ରାସ୍ତାରେ ଗତି କରେ। ବାଟରେ ପ୍ରସଙ୍ଗ ବଦଳିଯାଏ, ନୂଆ ଗଳ୍ପ ଯୋଡ଼ି ହୋଇଯାଏ। ଗନ୍ତବ୍ୟ ଠାରୁ ଯାତ୍ରାପଥ ଗୁରୁତ୍ୱପୂର୍ଣ୍ଣ। ଗୋଟିଏ ପ୍ରଶ୍ନର ଉତ୍ତର ପାଇବାକୁ ଯାଇ ଆମେ ତା’ର ଇତିହାସ, ଭୂଗୋଳ, ପାରିବାରିକ ପ୍ରେକ୍ଷାପଟ ଓ ଦରକାର ବେଳେ ପାଖ ପଡ଼ୋଶୀଙ୍କ ମତାମତ ବି ଜାଣି ନେବାକୁ ଚେଷ୍ଟା କରୁ। ‘ନା’ ଓ ‘ହଁ’ ଭିତରର ଏହି ରହସ୍ୟମୟ ଦୋଳନର ଏକ ଶାରୀରିକ ସଂସ୍କରଣ ବି ଅଛି ଆମ ଦେଶରେ। ସାଧାରଣତଃ, ଅନେକ ଦକ୍ଷିଣ ଭାରତୀୟ ସମ୍ମତି ପ୍ରକାଶ କରିବାକୁ ଯାଇ ମୁଣ୍ଡକୁ ଏମିତି ଉଭୟ ପାର୍ଶ୍ୱକୁ ହଲାନ୍ତି ଯେ ତାହା ଅସ୍ତିବାଚକ କି ନାସ୍ତିବାଚକ ସେ ନେଇ ଦେଖଣାହାରି ସନ୍ଦେହରେ ପଡ଼ିଯାନ୍ତି। ମଥାଟି ସ୍ପଷ୍ଟ ଭାବରେ ‘ହଁ’ କହେନା କି ‘ନା’ ବି କହେନା, କେବଳ ଏପଟ ସେପଟ ଦୋଳାୟମାନ ହେଉଥାଏ, ଯେମିତି ତା’ର ଅର୍ଥ, ‘ଆପଣଙ୍କ କଥା ଶୁଣିଲି, ଏବେ ଭାବୁଛି ଆପଣ ଯୁକ୍ତିଯୁକ୍ତ କଥା କହୁଛନ୍ତି। ହେଲେ ବ୍ୟସ୍ତ ହୁଅନ୍ତୁନି, ମୋ ନିଷ୍ପତ୍ତିଟା ଟିକେ ପରେ ଜଣାଇବି।’ ବାର୍ତ୍ତାଳାପର ‘ନା, ନା’ ଅନେକଟା ସେହିପରି। ଗୋଟିଏ ହେଲା ଶିର ଦୋଳନ, ଅନ୍ୟଟି ଶବ୍ଦ ଦୋଳନ। 

Rain in Odisha: ବର୍ଷା କମିଲା, ଦୁର୍ଦ୍ଦଶା ବଢ଼ିଲା

ଆହୁରି ମଜାର କଥାଟି ହେଲା ଆମର ପ୍ରାଚୀନ ଦର୍ଶନରେ ମଧ୍ୟ ଅନେକ ଚିରନ୍ତନ ସତ୍ୟକୁ ବହୁତ ସମୟରେ ନେତିବାଚକ ବାକ୍ୟ ଦେଇ ପ୍ରକାଶ କରାଯାଇଛି। ଗୀତାରେ ଅଛି, ‘ନ ଜାୟତେ ମ୍ରିୟତେ ବା କଦାଚିନ୍ନାୟଂ ଭୂତ୍ୱା ଭବିତା ବା ନ ଭୂୟଃ’, ଅର୍ଥାତ୍ ଆତ୍ମାର କୌଣସି ସମୟରେ ଜନ୍ମ କିମ୍ବା ମୃତ୍ୟୁ ହୁଏ ନାହିଁ, ଏହା କେବେହେଁ ଉତ୍ପନ୍ନ ହୋଇ ନ ଥିଲା, ହୁଏ ନାହିଁ ଏବଂ ଆଗକୁ ମଧ୍ୟ ହେବ ନାହିଁ। ପୁଣି ‘ନୈନଂ ଛିନ୍ଦନ୍ତି ଶସ୍ତ୍ରାଣି ନୈନଂ ଦହତି ପାବକଃ।’ ଅର୍ଥାତ୍, ଆତ୍ମାକୁ ଶସ୍ତ୍ର କାଟିପାରେ ନାହିଁ, ଅଗ୍ନି ଜାଳିପାରେ ନାହିଁ, ଇତ୍ୟାଦି। ପରକୁ ପର ‘ନା’ ମାଧ୍ୟମରେ ଆତ୍ମାର ଅମରତ୍ୱ ବିଷୟରେ ଏକ ଗଭୀର ସକାରାତ୍ମକ ସତ୍ୟ। ଉପନିଷଦର ବିଖ୍ୟାତ ‘ନେତି, ନେତି’ (‘ଏହା ନୁହେଁ, ଏହା ନୁହେଁ’) ସତ୍ୟର ସନ୍ଧାନକୁ ମଧ୍ୟ ‘ନା’ ଦେଇ ଆରମ୍ଭ କରେ। ଏଇ ‘କିନ୍ତୁ’ ଓ ‘ନା’ର ମୋହ ଆମକୁ ଏମିତି ଆବୋରି ବସିଛି ଯେ ଅକ୍ଷୟ ମହାନ୍ତିଙ୍କ ଶତ ବାରଣ ସତ୍ତ୍ୱେ ପ୍ରେମୀମାନେ ‘ମନରେ କିନ୍ତୁ ରଖି’ ମନ ଦେଇ ଚାଲିଛନ୍ତି। ପୁଣି ପ୍ରଫୁଲ୍ଲ କରଙ୍କ ଭଳି ସେମାନେ ବି ‘ନା, ନା, ନା, ମୋତେ ପ୍ରେମ କରନା’ ଗାଉଥିବା ସତ୍ତ୍ୱେ ଜୀବନକୁ ପ୍ରେମମୟ କରିଚାଲିଛନ୍ତି। 
(ମତାମତ ଲେଖକଙ୍କ ନିଜସ୍ବ)
ମୋ: ୯୪୩୭୦୮୯୬୫୫

Read Entire Article
LEFT SIDEBAR AD

Hidden in mobile, Best for skyscrapers.