Child Confidence: କିପରି ବଢ଼ାଇବେ ପିଲାଙ୍କ ଆତ୍ମବିଶ୍ୱାସ?

5 days ago 7
ARTICLE AD BOX

ଅନେକ ପିଲା ଘରେ ବାପାମାଆ ଓ ପରିବାରର ଅନ୍ୟ ସଦସ୍ୟଙ୍କ ସହ ବେଶ୍‌ ଖୋଲାମେଲା ଭାବେ କଥା ହୁଅନ୍ତି। ହେଲେ ଘର ବାହାରକୁ ଗଲେ ସେମାନେ ହଠାତ୍‌ ଚୁପ୍‌ ହୋଇଯାଆନ୍ତି। ପରିଚିତ ବ୍ୟକ୍ତି କିମ୍ବା ସମ୍ପର୍କୀୟ ଅନେକ ପ୍ରଶ୍ନ ପଚାରିଲେ ମଧ୍ୟ ଉତ୍ତର ଜାଣିଥିବା ସତ୍ତ୍ୱେ ପିଲାଟି କଥା କହିବାକୁ ସଂକୋଚ କରେ। ଏଭଳି ସ୍ଥିତିକୁ ନେଇ ଅନେକ ଅଭିଭାବକ ଚିନ୍ତିତ ହୋଇଥାନ୍ତି।

ବାହାରେ ଚୁପ୍‌ ରହିବା ପଛରେ ସଂକୋଚ

ସାର୍ଟିଫାଏଡ୍‌ ଚାଇଲ୍ଡ ଥେରାପିଷ୍ଟ ଓ ପ୍ୟାରେଣ୍ଟିଂ ପରାମର୍ଶଦାତାଙ୍କ କହିବା ଅନୁସାରେ, ଏଭଳି ବ୍ୟବହାରକୁ ପିଲାର କଥା କହିବାରେ ସମସ୍ୟା ବୋଲି ଧରିନେବା ଠିକ୍‌ ନୁହେଁ। ପିଲାଟି ଘରେ ନିଜକୁ ସହଜରେ ପ୍ରକାଶ କରୁଥିଲେ, ତେବେ ସେ ବାହାରେ ଚୁପ୍‌ ରହିବା ପଛରେ ସଂକୋଚ କିମ୍ବା ଅସୁରକ୍ଷିତ ଅନୁଭବ ଭଳି କାରଣ ରହିପାରେ। ପରାମର୍ଶଦାତାଙ୍କ କହିବା ଅନୁସାରେ, ଅଭିଭାବକମାନେ ଅଜାଣତରେ ପିଲାଙ୍କ ସଂକୋଚକୁ ଆହୁରି ବଢ଼ାଇ ଦେଇଥାନ୍ତି। ଉଦାହରଣ ସ୍ୱରୂପ, କୌଣସି ସମ୍ପର୍କୀୟ କିମ୍ବା ପରିଚିତ ବ୍ୟକ୍ତିଙ୍କୁ ଭେଟିବା ସମୟରେ ପିଲାକୁ ବାରମ୍ବାର ‘ନମସ୍କାର କର’, ‘କିଛି କୁହ’, ‘ଗୀତ କିମ୍ବା କବିତା ଶୁଣା’ ଭଳି କଥା କହିବା ଦ୍ୱାରା ତା’ ଉପରେ ଅତିରିକ୍ତ ଚାପ ସୃଷ୍ଟି ହୋଇପାରେ।

ଏହି କାରଣରୁ ପିଲାକୁ ତୁରନ୍ତ ସମସ୍ତଙ୍କ ସାମ୍ନାରେ କଥା କହିବାକୁ ବାଧ୍ୟ ନକରି ପ୍ରଥମେ ତାକୁ ସୁରକ୍ଷିତ ଓ ସହଜ ଅନୁଭବ କରାଇବା ଆବଶ୍ୟକ। ପିଲାର ଆତ୍ମବିଶ୍ୱାସ ବଢ଼ାଇବା ପାଇଁ ଘର ହିଁ ପ୍ରଥମ ସ୍ଥାନ। ପ୍ରତିଦିନ ପିଲା ସହିତ ତା’ର ଦିନ ବିଷୟରେ ଆଲୋଚନା କରନ୍ତୁ। ସ୍କୁଲରେ କ’ଣ ଘଟିଲା, ଶିକ୍ଷକ କ’ଣ କହିଲେ, ସାଙ୍ଗମାନଙ୍କ ସହ କ’ଣ ହେଲା କିମ୍ବା କୌଣସି ଘଟଣାକୁ ନେଇ ସେ କିପରି ଅନୁଭବ କଲା ଭଳି ପ୍ରଶ୍ନ ପଚାରିପାରନ୍ତି। ଏଭଳି ଆଲୋଚନା ମାଧ୍ୟମରେ ପିଲା ଧୀରେ ଧୀରେ ନିଜର ଚିନ୍ତା ଓ ଭାବନା ଅନ୍ୟମାନଙ୍କ ସହ ବାଣ୍ଟିବା ଶିଖିଥାଏ। ଏହା ତା’ର ଯୋଗାଯୋଗ କ୍ଷମତା ସହ ଆତ୍ମବିଶ୍ୱାସ ବଢ଼ାଇବାରେ ମଧ୍ୟ ସହାୟକ ହୋଇପାରେ। ପିଲା କଥା କହୁଥିବା ସମୟରେ ପ୍ରତ୍ୟେକ ବ୍ୟାକରଣ କିମ୍ବା ଭାଷାଗତ ଭୁଲକୁ ତୁରନ୍ତ ସଂଶୋଧନ କରିବାରୁ ଅଭିଭାବକମାନେ ଦୂରେଇ ରହିବା ଉଚିତ। ଘରେ ପିଲା ନିଜ ଭାବନାକୁ ଭୟ ନକରି ପ୍ରକାଶ କରିପାରିବା ଅଧିକ ଗୁରୁତ୍ୱପୂର୍ଣ୍ଣ।

Blood Group: ମଣିଷଙ୍କ ରକ୍ତର ନୂଆ ଗ୍ରୁପ୍ ‘JAMA’ ଚିହ୍ନଟ, ବିଶ୍ୱର ୪୯ତମ ବ୍ଲଡ୍ ଗ୍ରୁପ୍ ସିଷ୍ଟମ

ପିଲା ନିଜ କଥା କହିବା ସମୟରେ ଯଦି ବାରମ୍ବାର ଭୁଲ ଧରାଯାଏ, ତେବେ ସେ ନିଜ କଥା କହିବାକୁ ନେଇ ଅଧିକ ସଂକୋଚ ଅନୁଭବ କରିଥାଏ। ଏବଂ ଠିକ୍ କଥା କହିବାକୁ ମଧ୍ୟ ସେ ବହୁତ ଭାବିଥାଏ। ତେଣୁ ପ୍ରଥମେ ତା’ର କଥାକୁ ମନଦେଇ ଶୁଣନ୍ତୁ ଏବଂ ନିର୍ଭୟରେ ନିଜକୁ ପ୍ରକାଶ କରିବା ପାଇଁ ସୁଯୋଗ ଦିଅନ୍ତୁ।
ଅଭିଭାବକଙ୍କ ସମର୍ଥନ, ଧୈର୍ଯ୍ୟ ଓ ସକାରାତ୍ମକ ପରିବେଶ ପିଲାଙ୍କ ଆତ୍ମବିଶ୍ୱାସ ଗଢ଼ିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇପାରେ।

Read Entire Article
LEFT SIDEBAR AD

Hidden in mobile, Best for skyscrapers.