ARTICLE AD BOX
ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଅର୍ଥନୈତିକ ବ୍ୟାପାର ସଂକ୍ରାନ୍ତ କ୍ୟାବିନେଟ୍ କମିଟି ବୈଠକରେ ଓଡ଼ିଶାର ପାରାଦୀପ ହରିଦାସପୁର ରେଳପଥର ଦୋହରୀକରଣ ଓ ଝାଡ଼ଖଣ୍ଡର ରାଜଖରସୱାନ-ଡାଙ୍ଗୋଆପୋଷୀ ରୁଟ୍ରେ ଚତୁର୍ଥ ଲାଇନ୍ ପ୍ରସ୍ତାବକୁ ଅନୁମୋଦନ କରାଯାଇଛି। ୧୪୫ କିମି ବିଶିଷ୍ଟ ଏହି ଦୁଇ ରେଳ ପ୍ରକଳ୍ପର ମୋଟ ଅଟକଳ ହେଉଛି ୩୯୦୭ କୋଟି ଟଙ୍କା।୨୦୩୦-୩୧ ସୁଦ୍ଧା ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ।
ଓଡ଼ିଶା ଓ ଝାଡ଼ଖଣ୍ଡର ଚାରିଟି ଜିଲ୍ଲା ଏହି ପ୍ରକଳ୍ପ ଦ୍ବାରା ଉପକୃତ ହେବେ। ଏଥି ସହିତ ଲଳିତଗିରି ବୌଦ୍ଧ କମ୍ପ୍ଲେକ୍ସ, ଶ୍ରୀ ବଳଦେବଜିଉ ମନ୍ଦିର ଓ ମେଘହାତୁବୁରୁ ପାହାଡ଼ ଭଳି ପ୍ରମୁଖ ପର୍ଯ୍ୟଟନ ସ୍ଥଳକୁ ମଧ୍ୟ ରେଳ ସଂଯୋଗରେ ଉନ୍ନତି ହେବ। ଦୁଇ ପ୍ରକଳ୍ପ ଦ୍ବାରା ୧୫୨୬ଟି ଗାଁର ୧୪ ଲକ୍ଷରୁ ଅଧିକ ବାସିନ୍ଦା ଉପକୃତ ହେବେ।
ଏ ସମ୍ପର୍କରେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ କହିଛନ୍ତି ଯେ ଏହି ପ୍ରକଳ୍ପ ଦ୍ବାରା ଗମନାଗମନରେ ଉନ୍ନତି ହେବ। ଅଧିକ ରେଳପଥ ବିକାଶ କରାଯିବା ପରେ ଏହି ରୁଟ୍ଗୁଡ଼ିକରେ ହେଉଥିବା ଭିଡ଼ ହ୍ରାସ ପାଇବ। ପିଏମ୍ ଗତିଶକ୍ତି-ଜାତୀୟ ମାଷ୍ଟର ପ୍ଲାନ୍ ଅଧୀନରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ପ୍ରକଳ୍ପ ଦ୍ବାରା ପରିବହନ ଓ ଲଜିଷ୍ଟିକ୍ସ ଦକ୍ଷତାରେ ଉନ୍ନତି ଘଟିବ।
Oil imports from Russia: ରୁଷ୍ରୁ ତେଲ ଆମଦାନି ବଢ଼ିଲା: ପାରାଦୀପକୁ ଆସିଛି ୨ ବର୍ଷର ସର୍ବାଧିକ
ଏହାଦ୍ବାରା ସାଧାରଣ ଜନତା, ସାମଗ୍ରୀ ଓ ସେବା ପରିବହନରେ ଉନ୍ନତି ହେବ। ଏହି ଦୁଇ ପ୍ରକଳ୍ପ ଦ୍ବାରା କୋଇଲା, ଲୁହାପଥର, ଡୋଲୋମାଇଟ୍, ଚୁନପଥର, ଜିପ୍ସମ୍ ପରିବହନରେ ମଧ୍ୟ ବୃଦ୍ଧି ଘଟିବ। ବାର୍ଷିକ ୪୪ ନିୟୁତ ଟନ୍ ଅଧିକ ପଣ୍ୟ ପରିବହନ ହୋଇପାରିବ। ଏହି ଦୁଇ ରେଳପଥ ଦ୍ବାରା ମାଲ ପରିବହନ କଲେ ୬ କୋଟି ଲିଟର ତେଲ ଆମଦାନି କରିବାକୁ ପଡ଼ିବ ନାହିଁ, ୨୯ କୋଟି କେଜି ସିଓ୨ ନିର୍ଗମନ ହ୍ରାସ ପାଇବ ଯାହା ୧ କୋଟି ଗଛ ଲଗାଇବା ସହ ସମାନ।

1 month ago
14


