ARTICLE AD BOX
ବୈଶିଙ୍ଗା (ଦୀପକ କୁମାର ସିଂହ): ପ୍ରତିବର୍ଷ ବୁଢ଼ାବଳଙ୍ଗ ନଦୀର ବନ୍ୟା ଯେଉଁ ଅଞ୍ଚଳବାସୀଙ୍କ ପାଇଁ ଆତଙ୍କର କାରଣ ପାଲଟୁଛି। ସେମାନଙ୍କୁ ଏବେ ମିଳିବ ଆଶ୍ୱସ୍ତି। ବନ୍ୟା ସମୟରେ ଲୋକଙ୍କୁ ନିରାପଦ ଆଶ୍ରୟ ଦେବା ପାଇଁ ବେତନଟୀ ଓ ବଡ଼ସାହି ବ୍ଲକ ଅଧୀନ ବୁଢ଼ାବଳଙ୍ଗ ନଦୀପଠାର ୮ଟି ସ୍ଥାନରେ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପ୍ରସ୍ତାବ ଦିଆଯାଇଛି।
ବିଧାୟକ ସନାତନ ବିଜୁଳି ବିଭାଗୀୟ ଅଧିକାରୀଙ୍କ ଏକ ଟିମ୍ ସହ ବନ୍ୟାପ୍ରଭାବିତ ଅଞ୍ଚଳଗୁଡ଼ିକ ବୁଲି ସ୍ଥିତି ସମୀକ୍ଷା କରିଛନ୍ତି। ପ୍ରତିବର୍ଷ ବୁଢ଼ାବଳଙ୍ଗର ବନ୍ୟାରେ ବେତନଟୀ ଓ ବଡ଼ସାହି ବ୍ଲକର ଏକାଧିକ ପଞ୍ଚାୟତ ପ୍ରଭାବିତ ହେଉଥିବାରୁ ସ୍ଥାୟୀ ସମାଧାନ ଦିଗରେ ଏହି ପଦକ୍ଷେପ ନିଆଯାଇଛି।
ପ୍ରସ୍ତାବ ଅନୁସାରେ, ବେତନଟୀ ବ୍ଲକର ପାଟୁଳିପୁରା ପଞ୍ଚାୟତର ଦେଓପଡ଼ା ଏବଂ ବଡ଼ସାହି ବ୍ଲକର ମାନଗୋବିନ୍ଦପୁର ପଞ୍ଚାୟତର ଆଗରିଆ ଓ କୁଞ୍ଚିବଣିଆ, ଶାଳଗାଁ ପଞ୍ଚାୟତର ପାଳପାଟଣା, ଶିଆଳିଘାଟି ପଞ୍ଚାୟତର ବାଘୁଆପାଳ, ବଡ଼ସାହି ପଞ୍ଚାୟତର ଖୁଣ୍ଟାପାଳ ଏବଂ ପାଉଁଶିଆ ପଞ୍ଚାୟତର ପଥରାପଦା ଠାରେ ବନ୍ୟା ଆଶ୍ରୟସ୍ଥଳ ନିର୍ମାଣ ପାଇଁ ପ୍ରସ୍ତାବ ରହିଛି। ସେହିପରି ବଡ଼ସାହି ବ୍ଲକ ଚନ୍ଦନପୁର ପଞ୍ଚାୟତର ଟୁଣୀଗମ୍ଭାରୀଆ ଠାରେ ବନ୍ୟା ଆଶ୍ରୟସ୍ଥଳ ପାଇଁ ଦିଆଯାଇଥିବା ପ୍ରସ୍ତାବ ପାରିତ ହୋଇସାରିଛି। ଖୁବଶୀଘ୍ର ସେଠାରେ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ ବୋଲି ବିଧାୟକ ସୂଚନା ଦେଇଛନ୍ତି।
ଅନ୍ୟ ସ୍ଥାନଗୁଡ଼ିକର ପ୍ରସ୍ତାବ ମଧ୍ୟ ଶୀଘ୍ର ପାରିତ କରାଯାଇ ନିର୍ମାଣ କାର୍ଯ୍ୟ ଆଗେଇ ନିଆଯିବ। ଏହି ଆଶ୍ରୟସ୍ଥଳଗୁଡ଼ିକ ନିର୍ମାଣ ହେଲେ ବୁଢ଼ାବଳଙ୍ଗର ବନ୍ୟା ସମୟରେ ନଦୀକୂଳିଆ ଅଞ୍ଚଳର ଲୋକଙ୍କୁ ଆଶ୍ରୟ ପାଇଁ ଦୂରକୁ ଯିବାକୁ ପଡ଼ିବ ନାହିଁ। ବନ୍ୟା ବିପର୍ଯ୍ୟୟ ସମୟରେ ଏହା ଲୋକଙ୍କ ପାଇଁ ଏକ ସୁରକ୍ଷିତ ଆଶ୍ରୟସ୍ଥଳ ଭାବେ ଉପଯୋଗୀ ହେବ ବୋଲି ଆଶା କରାଯାଉଛି।

59 minutes ago
2


